spot_img
Home Blog Page 3884

ନା ତାରା ନା ପରଗ୍ରହୀଙ୍କ ଉଡନ୍ତା ଥାଳିଆ, ଉତ୍ତର ପ୍ରଦେଶ ଆକାଶରେ ଏଲନ ମସ୍କଙ୍କ ଷ୍ଟାରଲିଙ୍କ ସାଟେଲାଇଟ୍

ଲକ୍ଷ୍ନୌ: ଆକାଶରେ ଦେଖାଗଲା ରହସ୍ୟମୟୀ ଦୃଶ୍ୟ । ଗତକାଲି ରାତିରେ ଉତ୍ତରପ୍ରଦେଶର ଆକାଶରେ ଆଲୋକମାଳା ସଦୃଶ ଦୃଶ୍ୟ ଦେଖାଯାଇଥିଲା । ରହସ୍ୟମୟ ଆଲୋକମାଳାକୁ ଦେଖି ଅନେକ ଆଶ୍ଚମ୍ବିତ ହୋଇଛନ୍ତି । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଏବଂ ଲକ୍ଷ୍ମୀପୁର ଖେରି ଭଳି ସହରର ଆକାଶରେ ଏହି ଅପୂର୍ବ ଦୃଶ୍ୟ ଦେଖାଯାଇଛି । ଆଲୋକର ଏକ ଧାଡି ଟ୍ରେନ ଭଳି ଗତି କରୁଥିବାର ଦେଖାଯାଇଥିଲା।

ତେବେ ଏହା ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଟେସ୍ଲା ଏବଂ ସ୍ପେଶ ଏକ୍ସର ମାଲିକ ଏଲନ ମସ୍କଙ୍କ ଷ୍ଟାରଲିଙ୍କ ଇଣ୍ଟରନେଟ୍ ସାଟେଲାଇଟ୍ ଅଟେ । ଯାହା କି ସୋମବାର ରାତିରେ ଭାରତର ଆକାଶ ଦେଇ ଗତି କରିଥିଲା । ଏଲନ ମସ୍କ ଏହି ସାଟେଲାଇଟକୁ ପ୍ରତି ଦ୍ୱିତୀୟ ମାସରେ ନିଜର ଫାଲ୍କନ-୯ ରକେଟ ଦ୍ୱାରା ମହାକାଶକୁ ଛାଡ଼ିଥାନ୍ତି । ଏହି ରକେଟରେ ଦୁଇଟି ଷ୍ଟେଜ ରହିଥାଏ ।

ପ୍ରଥମ ଷ୍ଟେଜ ସାଧାରଣତଃ ଲଞ୍ଚିଂର ୯ ମାସ ପରେ ପୃଥିବୀପୃଷ୍ଠକୁ ଫେରି ଆସିଥାଏ । ଯେତବେଳେ କି ଦ୍ୱିତୀୟ ଷ୍ଟେଜ ଷ୍ଟାରଲିଙ୍କ ସାଟେଲାଇଟ୍ସକୁ ପୃଥିବୀର ନିମ୍ନ କକ୍ଷରେ ସ୍ଥାପିତ କରିଥାଏ । ଦ୍ୱିତୀୟ ଷ୍ଟେଜ କିଛି ସମୟ ପରେ ପୃଥିବୀ ପୃଷ୍ଠରେ କ୍ରାସ ଲ୍ୟାଣ୍ଡିଂ କରିଥାଏ । ଏହା ପୂର୍ବରୁ ଗତ ବର୍ଷ ଡିସେମ୍ବରରରେ ମଧ୍ୟ ପଞ୍ଜାବରେ ଷ୍ଟାରଲିଙ୍କ ସାଟେଲାଇଟ୍ସ ଦେଖିବାକୁ ମିଳିଥିଲା ।

ପ୍ରଥମେ ଲୋକମାନେ ଏହାକୁ ଦେଖିବା ପରେ ଭୟଭୀତ ହୋଇଯାଇଥିଲେ । ହେଲେ ଏହା ସମ୍ପର୍କରେ ଜାଣିବା ପରେ ଆଶ୍ୱସ୍ତି ମିଳିଥିଲା । ଏଲନ ମସ୍କ ନିଜର ଏହି ଷ୍ଟାରଲିଙ୍କ ଇଣ୍ଟରନେଟ୍ ସାଟେଲାଇଟ୍ ବଳରେ ସାରା ବିଶ୍ୱକୁ ମହାକାଶରୁ ଉତ୍ତମ ଏବଂ ଦ୍ରୁତ ଇଣ୍ଟରନେଟ୍ ସେବା ଦେବାକୁ ଚାହୁଁଛନ୍ତି । ଏହି ସାଟେଲାଇଟ ସେବାର ଲାଭ ଏବେ ୪୦ ଦେଶ ଉଠାଉଛନ୍ତି । ରୁଷ୍ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ମଧ୍ୟ ଏଲନ ମସ୍କ ଷ୍ଟାରଲିଙ୍କ ସାଟେଲାଇଟ୍ ଜରିଆରେ ୟୁକ୍ରେନକୁ ଇଣ୍ଟରନେଟର ସୁବିଧା ଦେଇଥିଲେ ।

ରାଜଧାନୀରେ ଆଉ ଜଣେ ଛାତ୍ରଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବଢ଼ୁଛି ଆତ୍ମହତ୍ୟ ମାଲମା । ଆଜି ଭୁବନେଶ୍ବରରେ ଆଉ ଏକ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି । ଗଙ୍ଗପଡ଼ାରେ ଏକ ଘରୋଇ କଲେଜରେ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଛାତ୍ର ହେଲେ ସୂର୍ଯ୍ୟପ୍ରକାଶ ପଲାଇ । ସେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର ଥିଲେ ।

ଗତକାଲି ରାତିରେ ସୂର୍ଯ୍ୟପ୍ରକାଶ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟା ସନ୍ଦେହରେ ଇନ୍ ଫୋ ଭ୍ୟାଲି ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକ । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପୂର୍ବରୁ ତରବରିଆ ଭାବେ କବାଟ ଭାଙ୍ଗି ମୃତଦେହକୁ ଏମସକୁ ନେଇଥିଲେ କଲେଜ କର୍ତ୍ତୃପକ୍ଷ । ତଦନ୍ତ ପାଇଁ କଲେଜକୁ ଯିବ ସାଇଣ୍ଟିଫିକ ଟିମ୍ ।

ଥାନାରେ ପଶି ପୋଲିସକୁ ଆକ୍ରମଣ ସହ ଭଙ୍ଗାରୁଜା କଲେ ଗ୍ରାମବାସୀ

ମୋହନା: ଥାନାରେ ପଶି ପୋଲିସକୁ ଆକ୍ରମଣ । ଗଜପତି ଜିଲ୍ଲା ମୋହନା ଅଡ଼ବା ଥାନାରେ ପଶି ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ଭଙ୍ଗାରୁଜା କରିଛନ୍ତି ଗାଁ ଲୋକ । ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଝରଣପୁର ଗ୍ରାମର ବିଶ୍ବନାଥ ଭୂୟାଁଙ୍କ ଘରେ ପଶି ଗଞ୍ଜେଇ ରଖିବା ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା । ପ୍ରତିବାଦରେ ଆଜି ଅଡବା ଥାନାରେ ପଶି ଭଙ୍ଗାରୁଜା କରିଛନ୍ତି ଉତ୍ୟକ୍ତ ଲୋକେ ।

୨୦୦ରୁ ଅଧିକ ଲୋକ ଲୋକେ ଥାନାରେ ପଶିବା ଶହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ମିଥ୍ୟା ମାମଲାରେ ଫସାଇ ଜଣଙ୍କୁ ଗିରଫ କରାଯାଇଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି । ଖବର ପାଇ ଆର. ଉଦୟଗିରି ଏସଡିପିଓ, ମୋହନା ବିଡ଼ିଓ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି l ବର୍ତ୍ତମାନ ପର୍ଯ୍ୟନ୍ତ ଥାନା ଆଗରେ ଲୋକଙ୍କ ଧାରଣା ଜାରି ରହିଛି ।

ଫାଟିଲା ଚାର୍ଜରେ ବସିଥିବା ମୋବାଇଲ ବ୍ୟାଟେରୀ, ୮ ମାସର ଶିଶୁ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବରେଲିରେ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଚାର୍ଜରେ ବସିଥିବା ମୋବାଇଲ ବ୍ୟାଟେରୀ ଫାଟି ନିଷ୍ପାପ ଶିଶୁର ମୃତ୍ୟୁ ହୋଇଯାଇଛି । ଫରିଦପୁରର ପଚୌମୀ ଗାଁରେ ଚାର୍ଜିଂରେ ଲାଗିଥିବା ମୋବାଇଲର ବ୍ୟାଟେରୀ ଫାଟିବା ଦ୍ୱାରା ଲାଗିଥିବା ନିଆଁରେ ୮ ମାସର ଶିଶୁ ଗମ୍ଭୀର ରୂପରେ ଜଳିଯାଇଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକେ ଜିଲ୍ଲା ହସ୍ପିଟାଲ ନେଇଥିଲେ ।

ହସ୍ପିଟାଲରେ ଚିକିତ୍ସା ସମୟରେ ଶିଶୁର ମୃତ୍ୟୁ ହୋଇଯାଇଛି । ଫରିଦପୁରର ପଚୌମୀ ଗାଁରେ ରହିଥିବା ସୁନୀଲ କୁମାରଙ୍କ ଘରେ ସୋଲାର ପ୍ଲେଟ ଲାଗିଛି । ଏହି ସୋଲାର ପ୍ଲେଟ ଦ୍ୱାରା ମୋବାଇଲ ଚାର୍ଜିଂ ଏବଂ ଘରର ଲାଇଟ୍ ଜଳେ । ସୋଲାରରେ ଚାର୍ଜିଂ ସମୟରେ ସେ ମୋବାଇଲ ଖଟ ଉପରେ ରଖିଦେଇଥିଲେ । ସେହି ଖଟ ଉପରେ ତାଙ୍କର ଆଠ ମାସର ଶିଶୁପୁତ୍ରୀ ରୋଲି ଶୋଇଥିଲା । ପରିବାର ଲୋକଙ୍କ କହିବା ଅନୁଯାୟୀ, ଅଚାନକ ମୋବାଇଲର ବ୍ୟାଟେରୀ ବ୍ଲାଷ୍ଟ ହୋଇଯାଇଥିଲା ।

ପରିବାର ଲୋକଙ୍କୁ ଜଣାପଡ଼ିବା ପୂର୍ବରୁ ନିଆଁ ସମ୍ପୂର୍ଣ୍ଣ ଖଟରେ ବ୍ୟାପିଯାଇଥିଲା । ଶିଶୁ ରୋଲି ନିଆଁ କରାଳରେ ଆସିଯାଇଥିଲା । ପରିବାର ଲୋକେ ନିଆଁ ଲିଭାଇଲା ବେଳକୁ ଗମ୍ଭୀର ରୂପରେ ଶିଶୁ ଜଳିଯାଇଥିଲେ । ପରିବାର ଲୋକେ ପାଖ ଡାକ୍ତରଖାନା ନେଇଯାଇଥିଲେ ଏବଂ ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ୱାର୍ଡରେ ଭର୍ତ୍ତି କରିଥିଲେ । ଶିଶୁ ଟି ୩୦ ପ୍ରତିଶତ ଜଳିଯାଇଥିଲା । ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି ।

ଆତଙ୍କବାଦି ଆକ୍ରମଣ ଯୋଜନା ପଣ୍ଡ, ୧ କେଜି ଆଇଇଡି ଜବତ

ଚଣ୍ଡିଗଡ଼: ବିଫଳ ହେଲା ଆତଙ୍କୀ ଆକ୍ରମଣ ଷଡଯନ୍ତ୍ର । ଆଇଇଡି ବିସ୍ଫୋରକ ଜବତ କଲା ପୋଲିସ । ହରିୟାଣାର କୈଥଲରେ ଆତଙ୍କ ସୃଷ୍ଟି କରିବା ପାଇଁ ଏକ ବଡ଼ ଷଡଯନ୍ତ୍ର ବିଫଳ ହୋଇଛି । ଏକ ଲୁହା ବାକ୍ସରୁ ଏକ କେଜି ଆଇଇଡି ଜବତ କରିଛି ପୋଲିସ । ବମ ନିରୋଧକ ଟିମ୍ ବିସ୍ଫୋରକକୁ ନିଷ୍କ୍ରିୟ କରିଛନ୍ତି । ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରାଯାଇଛି । ତେବେ ଏହି ଆଇଇଡି କିଏ ରଖିଥିଲା ଏବେ କେଉଁ ଉଦ୍ଦେଶ୍ୟରେ ତାର ତଦନ୍ତ ଚାଲିଛି । ଅନୁମାନ କରାଯାଉଛି ଯେ ବଡ଼ଧରଣର ଆତଙ୍କୀ ଆକ୍ରମଣ କରିବାର ଯୋଜନା ହେଉଥିଲା ।

ହରିୟାଣା ପୋଲିସର ସ୍ପେଶାଲ ଟାସ୍କ ଫୋର୍ସକୁ ଏହାର ଗୁଇନ୍ଦା ସୂଚନା ମିଳିଥିଲା । ପୋଲିସ କହିଛି ଯେ, ଆଇଇଡି ଆରଡିଏକ୍ସରେ ଭରି ରହିଥିଲା ଏବଂ ଜିନ୍ଦ ରୋଡରେ କାଞ୍ଚି ଚୌକର ଏକ ଗାଁର ରାସ୍ତା କଡ଼ରୁ ଜବତ କରାଯାଇଛି । ସୂଚନାଥାଉକି ଗତ ମାସରେ କୁରୁକ୍ଷେତ୍ର ଜିଲ୍ଲାର ଶାହାବାଦ ପାଖ ଏକ ସ୍ଥାନରୁ ପ୍ରାୟ ୧.୩ କେଜି ଆରଡିଏକ୍ସ ସହ ଭରିରହିଥିବା ଆଇଇଡି ଜବତ କରାଯାଇଥିଲା ।

ଆରଡି ପୀଠରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ

ଭଦ୍ରକ: ଆରଡିପୀଠରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ବାବାଙ୍କ ଦର୍ଶନ କରିବା ସହ ଆଖଣ୍ଡଳମଣି ପୀଠ ଓ ମନ୍ଦିର ଚତୁଃପାର୍ଶ୍ବର ସମ୍ପ୍ରସାରଣ କାର୍ଯ୍ୟ ପାଇଁ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ । ସ୍ଥାନୀୟ ବିଧାୟକ ତଥା ଜିଲା ଯୋଜନା ବୋର୍ଡର ଅଧ୍ଯକ୍ଷ ଡ. ବ୍ଯୋମକେଶ ରାୟ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ଭଦ୍ରକ ବିଧାୟକ ସଞ୍ଜିବ ମଲିକ, ସାଂସଦ ମଞ୍ଜୁଲତା ମଣ୍ଡଳ ପ୍ରମୁଖ ପୀଠରେ ପହଞ୍ଚି ଉନ୍ନତିକରଣ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।

ଏହାପରେ ମନ୍ଦିର ଶିବଗଙ୍ଗା ପୁଷ୍କରିଣୀ ନିକଟରେ ପ୍ରସ୍ତୁତ ସ୍କେଚମ୍ଯାପ ଦେଖିଥିଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ମନ୍ଦିର ସମ୍ପ୍ରସାରଣ କାର୍ଯ୍ଯ ନିମନ୍ତେ ଆଖପାଖରେ ଉଚ୍ଛେଦ କାର୍ଯ୍ୟ ହେବାକୁ ଥିବାବ ବେଳେ ପ୍ରଭାବିତ ଲୋକ ଦୋକାନୀଙ୍କ ଥଇଥାନ ନିମନ୍ତେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ । ଦୀର୍ଘବର୍ଷ ଧରି ମନ୍ଦିର ସମ୍ପ୍ରସାରଣ ଓ ଉନ୍ନତି ନିମନ୍ତେ ମାଷ୍ଟର ପ୍ଲାନ ପ୍ରସ୍ତୁତି ସରିଥିଲେ ବି କାର୍ଯ୍ୟକାରି ହୋଇପାରିନି । ଏବେ ରାଜ୍ଯ ସରକାରଙ୍କ ପକ୍ଷରୁ ୭୨କୋଟି ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଥିବାରୁ ମାଷ୍ଟର ପ୍ଲାନ ବାସ୍ତବ ରୂପ ନେବ ବୋଲି ସେବାୟତ କହିଛନ୍ତି ।

ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପୁଣି ଦିଲ୍ଲୀ ପୋଲିସର ସମନ

ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କାର ଠକେଇ ଘଟଣା । ଆସନ୍ତାକାଲି ଦିଲ୍ଲୀ ପୋଲିସ ନିକଟରେ ହାଜର ହେବେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ । ମାଷ୍ଟରମାଇଣ୍ଡ ସୁକେଶ ଚନ୍ଦ୍ରଶେଖରଙ୍କ ସହ ବେଆଇନ ଅର୍ଥ କାରବାର ମାମଲାରେ ଫସିଛନ୍ତି ଜ୍ୟାକଲିନ । ଏନେଇ ଜ୍ୟାକଲିନଙ୍କୁ ସମନ ଜାରି କରିଛି ଦିଲ୍ଲୀ ପୋଲିସ । ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖାର ଏହା ହେଉଛି ତୃତୀୟ ସମନ ।

ଗତ ଅଗଷ୍ଟ ୨୯ ଓ ସେପ୍ଟେମ୍ବର ୧୨ରେ ସମନ ସତ୍ତ୍ବେ ହାଜର ହୋଇ ନଥିଲେ ଅଭିନେତ୍ରୀ । କିଛି ଦିନ ତଳେ ଅଭିନେତ୍ରୀ ନୋରା ଫତେହିଙ୍କୁ ଜେରା କରିଥିଲା ଇଓଡବ୍ଲୁ । ରାନବାକ୍ସି କମ୍ପାନିର ପୂର୍ବତନ ପ୍ରମୋଟର ଆଦିତି ସିଂ ଓ ଶିବେନ୍ଦ୍ର ସିଂଙ୍କ ନିକଟରୁ ୨୧୫ କୋଟି ଟଙ୍କା ଠକେଇ ଘଟଣାରେ ଦିଲ୍ଲୀ ପୋଲିସ ପୂର୍ବରୁ ସୁକେଶ ଚନ୍ଦ୍ରଶେଖରଙ୍କୁ ଗିରଫ କରିଥିଲା ।

ଜ୍ୟାକଲିନଙ୍କୁ ସୁକେଶ ୫ କୋଟି ଟଙ୍କାର ଗିଫ୍ଟ ଦେଇଥିବା ଅଭିଯୋଗ ହୋଇଥିଲା । ପୂର୍ବରୁ ବେଆଇନ ଅର୍ଥ ଚାଲାଣ ଆଇନ ବା ପିଏମଏଲଏ ଅନୁସାରେ ଅଭିନେତ୍ରୀଙ୍କ ପ୍ରାୟ ୭ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କରିଥିଲା ଇଡି । ଏହି ମାମଲାରେ ଇଡି ବର୍ତ୍ତମାନ ସୁଦ୍ଧା ସୁକେଶଙ୍କ ପତ୍ନୀ ଲୀନା ମାରିଆ ପଲଙ୍କ ସମେତ ୮ଜଣଙ୍କୁ ଗିରଫ କଲାଣି ।

ଇ-ବାଇକ୍ ଶୋ’ରୁମରେ ଭୟାବହ ଅଗ୍ନିକାଣ୍ଡ, ୮ଜଣ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ: ହାଇଦ୍ରାବାଦର ସିକନ୍ଦରାବାଦ୍ ସହରରେ ଥିବା ଏକ ଇ-ବାଇକ ଶୋ’ରୁମରେ ଭୟାବହ ଅଗ୍ନିକାଣ୍ଡ । ୪ ମହଲା ବିଶିଷ୍ଟ ବିଲ୍ଡିଂରେ ନିଆଁ ଲାଗି ୮ଜଣ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ପ୍ରାୟ ୧୫ଜଣ ଗୁରୁତର ହୋଇଛନ୍ତି । ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋରରେ ଥିବା ଇଲେକ୍ଟ୍ରିକ ସ୍କୁଟର ଶୋ ରୁମ ଚାର୍ଜିଂ ପଏଣ୍ଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ତଳ ମହଲାରୁ ନିଆଁ ଲାଗିଥିବା ବେଳେ ଏହା ଉପର ମହଲାକୁ ବ୍ୟାପି ଯାଇଥିଲା । ବିଲ୍ଡିଂରେ ଏକ ହୋଟାଲ ଓ ରେଷ୍ଟୁରାଣ୍ଟ ଚାଲୁଥିବା ବେଳେ ପ୍ରବଳ ନିଆଁ ଦେଖି ଲୋକମାନେ ଭୟରେ ତଳକୁ ଡେଇଁ ପଡ଼ିଥିଲେ ।

ବିଲ୍ଡିଂ ଭିତରେ ୨୪ ଜଣ ଫସି ରହିଥିବା ବେଳେ ୮ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବରପାଇ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଲୋକମାନଙ୍କୁ ଉଦ୍ଧାର କରିଥିଲେ । ଝରକା ପଟେ କ୍ରେନ ଯୋଗେ ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର କରାଯାଇଥିଲା । ମୃତକ ଓ ଗୁରୁତରଙ୍କ ମଧ୍ୟରେ ଅଧିକାଂଶ ବାହାର ରାଜ୍ୟର ହୋଇଥିବା ସୂଚନା ମିଳିଛି ।

ଶ୍ରମିକଙ୍କ ଉପରେ ଚଢ଼ିଗଲା ବାଲି ବୋଝେଇ ଟ୍ରକ୍

ଭଣ୍ଡାରିପୋଖରୀ: ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଶାରଦା ଶିଶୁ ବିଦ୍ୟା ମନ୍ଦିର ନିକଟରେ ଦୁର୍ଘଟଣା । ଅସ୍ଥାୟୀ କ୍ୟାମ୍ପରେ ଶୋଇଥିବା ଅବସ୍ଥାରେ ଶ୍ରମିକଙ୍କ ଉପରେ ଚଢ଼ିଗଲା ବାଲି ବୋଝେଇ ଡମ୍ପର । ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି । ୫ରୁ ଅଧିକ ଶ୍ରମିକ ଜୀବନ ବଞ୍ଚାଇବାକୁ ଯାଇ ବାହାରକୁ ଦୌଡ଼ି ପଳାଇଥିଲେ ।

ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ କରୁଥିବାରେ ନିୟୋଜିତ ଥିବା ୧୦ରୁ ଅଧିକ ଶ୍ରମିକ କ୍ୟାମ୍ପରେ ଶୋଇଥିବା ବେଳେ ମାଡି ଯାଇଥିଲା ଡମ୍ପର । ଦୁର୍ଘଟଣା ପରେ ଡମ୍ପର ଡ୍ରାଇଭରକୁ ଅଟକ ରଖିଛି ପୋଲିସ । ପୋଲିସ ରାସ୍ତା ଖାଲି କରିବା ସହ ଗାଡ଼ିକୁ ଜବତ କରିଛି । ମୃତ ଶ୍ରମିକ ଜଣକ ହେଲେ ମଧ୍ଯପ୍ରଦେଶର ମହମ୍ମଦ ଅଲଫାଜ ଅନସାରୀ ।

ତିନି ଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ: ବିଶିଷ୍ଟ ଶଳ୍ପପତିମାନଙ୍କ ସହ କରିବେ ଆଲୋଚନା

ଆଜିଠାରୁ ତିନି ଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ମୁମ୍ବାଇର ଟ୍ରାଇଡେଣ୍ଟ ହୋଟେଲରେ ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟରେ ଯୋଗଦେବେ । ଦେଶର ବିଶିଷ୍ଟ ଶିଳ୍ପପତିଙ୍କୁ ସେଠାକୁ ଆମନ୍ତ୍ରିତ କରାଯାଇଛି । ଏହାପରେ ସେଠାରେ ରୋଡ୍ ସୋ’ କାର୍ଯ୍ୟକ୍ରମ ହେବ । ଶିଳ୍ପପତିମାନଙ୍କ ସହ ମୁଖ୍ୟମନ୍ତ୍ରୀ ଓ୍ବାନ୍ ଟୁ ଓ୍ବାନ୍ ଆଲୋଚନା କରି ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଅନୁରୋଧ କରିବେ ।

ମହିନ୍ଦ୍ରା ଗ୍ରୃପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ଆଦିତ୍ୟ ବିର୍ଲା ଗ୍ରୃପର ଅଧ୍ୟକ୍ଷ କୁମାର ମଙ୍ଗଲମ୍ ବିର୍ଲା, ବେଦାନ୍ତ ରିସୋର୍ସ ଚେୟାରମ୍ୟାନ୍ ଅନୀଲ୍ ଅଗ୍ରଓ୍ବାଲ୍ ଓ ନିଲକମଲ୍ ଲିମିଟେଡର ମ୍ୟାନେଜିଂ ଡାଇରେକ୍ଟର ହିତେନ୍ ପାରେଖଙ୍କ ଭଳି ବଡ଼ ବଡ଼ ଶିଳ୍ପପତି ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହାବାଦ୍ ନବୀନ କିଛି ବିଶିଷ୍ଟ ବ୍ୟାଙ୍କର୍ସମାନଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।

ଷ୍ଟେଟ ବ୍ୟାଙ୍କର ଚେୟାରମ୍ୟାନ୍ ଦିନେଶ କୁମାର ଖରା, ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଚେୟାରମ୍ୟାନ୍ ଏସଏସ୍ ମୁନ୍ଦ୍ରା, ଏଚଡିଏଫସି ବ୍ୟାଙ୍କର କଣ୍ଟ୍ରି ହେଡ୍ ଅରବିନ୍ଦ ଭୋରା ଓ ଆଇସିଆଇସିଆଇ ବ୍ୟାଙ୍କର କାର୍ଯ୍ୟକାରୀ ନିର୍ଦ୍ଦେଶକ ରାକେଶ ଝାଙ୍କ ସହ ଆଲୋଚନା କରିବେ । କେବଳ ସେତିକି ନୁହେଁ ଏସିଆନ୍ ପେଣ୍ଟସ, ଲାରସେନ୍ ଆଣ୍ଡ ଟର୍ବୋ ଭଳି କଂପାନୀର ବରିଷ୍ଠ ଅଧିକାରୀ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ୧୪ ତାରିଖ ଦିନ ୧୧ରୁ ଗୋଟାଏ ୩୦ ପର୍ଯ୍ୟନ୍ତ ଶିଳ୍ପପତିଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରିବେ ନବୀନ ।

ସଂଧ୍ୟା ୫ଟାରେ ରୁ ୫ଟା ୩୦ ଭିତରେ କୁମାର ମଙ୍ଗଲମ୍ ବିର୍ଲା, ୫.୩୦ରୁ ୬ଟା ଭିତରେ ଅନୀଲ୍ ଅଗ୍ରୱାଲଙ୍କ ସହ ସାକ୍ଷାତ କରିବେ । ଏହାପରେ ସଂଧ୍ୟା ୭ଟାରୁ ସେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’ ରେ ଶିଳ୍ପପତି ଓ ବ୍ୟାଙ୍କର୍ସମାନଙ୍କୁ ସମ୍ବୋଧିତ କରିବେ । ନଭେମ୍ବର ୩୦ ରୁ ଡିସେମ୍ବର ୪ ତାରିଖ ଯାଏଁ ଭୁବନେଶ୍ୱରରେ ମେକ୍ ଇନ ଓଡ଼ିଶା କନକ୍ଲେଭ୍ ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବ ।

ଏହାକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଣ୍ଟା ଭିଡ଼ିଛନ୍ତି । ଓଡ଼ିଶାରେ ଶିଳ୍ପ ଅନୁକୂଳ ବାତାବରଣ ଏବଂ ସିଙ୍ଗଲ ଉଇଣ୍ଡୋ ବ୍ୟବସ୍ଥା ସମ୍ପର୍କରେ ନିବେଶକଙ୍କୁ ବୁଝାଉଛନ୍ତି । ଦୁବାଇ ଓ ଦିଲ୍ଲୀରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମ ପରେ ମୁମ୍ବାଇରେ ଏହା ଆୟୋଜିତ ହେଉଛି ।