ଦେଶରେ ବିଚାର ଅପେକ୍ଷାରେ ୪ କୋଟିରୁ ଊର୍ଦ୍ଧ୍ବ ମାମଲା, ଓଡିଶାରେ ୧୭ ଲକ୍ଷ

ଭୁବନେଶ୍ବର: ଦେଶରେ ପଡିଛି ୪ କୋଟି ୩୦ ଲକ୍ଷ ମାମଲା । ରାଜ୍ୟରେ କେସ୍‌ର ସଂଖ୍ୟା ୧୭ ଲକ୍ଷ । ସାରା ଦେଶରେ କମୁଛି ଦଣ୍ଡବିଧାନ ହାର । କୋର୍ଟ ଓ ବିଚାରପତି ଅଭାବ ମୁଖ୍ୟ ସମସ୍ୟା । ମାମଲା ସଂଖ୍ୟା ହ୍ରାସ ଓ ତ୍ବରିତ ଫଏସଲା ଲାଗି ଉଭୟ ସୁପ୍ରିମକୋର୍ଟରୁ ନିମ୍ନ ଅଦାଲତ ପର୍ଯ୍ୟନ୍ତ ବିଶେଷ ଗୁରୁତ୍ବାରୋପ କରାଯାଉଛି । ଏହାସତ୍ତ୍ବେ ବି ସାରା ଦେଶରେ ଏବେ ୪ କୋଟି ୩୦ ଲକ୍ଷରୁ ଅଧିକ ମାମଲା ବିଚାର ଅପେକ୍ଷାରେ ରହିଛି ।

ସେହିଭଳି ଓଡ଼ିଶାରେ ୧୭ ଲକ୍ଷ ମାମଲା ବିଚାର ଅପେକ୍ଷାରେ ଥିବା ବେଳେ ୧୩ ଲକ୍ଷ ହେଉଛି ଅପରାଧିକ ମାମଲା । ବିଚାରପତିଙ୍କ ଅଭାବ, କୋର୍ଟରେ କର୍ମଚାରୀ ଅଭାବ, ପୋଲିସର ତଦନ୍ତ ପ୍ରକ୍ରିୟାରେ ତ୍ରୁଟି ଆଦି ବିଚାର ପ୍ରକ୍ରିୟାକୁ ପ୍ରଭାବିତ କରୁଥିବା କୁହାଯାଇଛି ।

ସାରା ଦେଶରେ ଅପରାଧିକ ମାମଲା ଗୁଡିକରେ ଦଣ୍ଡବିଧାନ ହାର ୩୦ ପ୍ରତିଶତରୁ କମ୍‍ ରହୁଛି । ବିଚାର ପ୍ରତୀକ୍ଷାରେ ଥିବା ଅପରାଧିକ ମାମଲା  ଗୁଡିକ ମଧ୍ୟରୁ ୮ ପ୍ରତିଶତ ବି ଫଇସଲା ହୋଇପାରୁ ନାହିଁ । ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧ କ୍ଷେତ୍ରରେ ମଧ୍ୟ ଅବସ୍ଥା ତଦ୍ରୁପ । ଏଭଳି ସମ୍ବେଦନଶୀଳ ମାମଲାରେ ଦଣ୍ଡବିଧାନ ହାର ୧୦ ପ୍ରତିଶତ ଛୁଇଁ ପାରୁନଥିବାବେଳେ ବର୍ଷରେ ମାମଲା ଫଇସଲା ହାର ୫ ପ୍ରତିଶତରୁ କମ୍‍ ରହୁଛି । ତେବେ ଦୁର୍ନୀତି ନିବାରଣ ମାମଲାରେ ରାଜ୍ୟରେ ଦଣ୍ଡବିଧାନ ହାର ପ୍ରାୟ ୫୦ ପ୍ରତିଶତ ରହୁଛି, ଯାହାକି ଜାତୀୟ ହାରଠାରୁ ଅଧିକ ।

ଏଭଳି କ୍ଷେତ୍ରରେ ପ୍ରଶାସନ କିଭଳି କୋର୍ଟ ସଂଖ୍ୟା ବୃଦ୍ଧି କରିବ, ସେ ନେଇ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ଥିବା କହିଛନ୍ତି ବରିଷ୍ଠ ଆଇନଜୀବୀ । ମାମଲା ସଂଖ୍ୟା ହ୍ରାସ ପାଇଁ ୨୦୧୧ ମସିହାରେ ରାଜ୍ୟ ସରକାର ସ୍ବତନ୍ତ୍ର ମାମଲା ନୀତି ପ୍ରଣୟନ କରିଥିଲେ । ତଥାପି ପରିସ୍ଥିତି ଯାହାକୁ ସେୟା । ଯାହା ମୁଣ୍ଡବିନ୍ଧାର କାରଣ ପାଲଟିଛି ।