ସନ୍ଧ୍ୟା ୫ଟା ଯାଏଁ କମ୍ପିବ ପଦମପୁର, ଜନସମର୍ଥନ ହାସଲ ପାଇଁ ଉଦ୍ୟମ କରିବେ ସବୁ ଦଳ

ପଦମପୁର: ଉପନିର୍ବାଚନ କାଉଣ୍ଟଡାଉନ୍ । ଆଜି ସରିବ ପ୍ରଚାର । ସନ୍ଧ୍ୟା ୫ଟା ଯାଏ କ୍ୟାମ୍ପେନ କରିପାରିବେ ପ୍ରାର୍ଥୀ । ଶେଷ ଦିନରେ ଜୋରଦାର ପ୍ରଚାର କରିବେ ୩ ପ୍ରମୁଖ ରାଜନୈତିକ ଦଳ । ଭୋଟ ହାତେଇବାକୁ ଜୋରଦାର କସରତ କରୁଛନ୍ତି ପ୍ରାର୍ଥୀ । ଶେଷ ଦିନରେ ଜନସମର୍ଥନ ହାସଲ ପାଇଁ ସବୁ ଦଳର ଉଦ୍ୟମ । ଗାଁକୁ ଗାଁ ବୁଲି ମାଗୁଛନ୍ତି ଭୋଟ । ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ କରିଥିଲେ ପ୍ରଚାର । ନବୀନଙ୍କ କ୍ୟାମ୍ପେନ ପରେ ଆହୁରି ଉତ୍ସାହିତ ହୋଇପଡ଼ିଛି ବିଜେଡି ଶିବିର ।

ନେତା ଓ କର୍ମୀଙ୍କ ମଧ୍ୟରେ ଭରିଛି ନୂଆ ଜୋସ୍ । ସବୁଆଡ଼େ ବହୁଛି ଶଙ୍ଖ ହାଓ୍ବା । ୩ଟି ସ୍ଥାନରେ ବର୍ଷାଙ୍କ ପାଇଁ ପ୍ରଚାର କରି ଆଶୀର୍ବାଦ ମାଗିଛନ୍ତି ନବୀନ । ପଦମପୁରକୁ କୌଣସି କ୍ଷେତ୍ରରେ ଅବହେଳିତ କରାଯିବ ନାହିଁ । ୨୦୨୩ରେ ଜିଲ୍ଲା ସ୍ବପ୍ନ ସତ ହେବବୋଲି ପ୍ରତିଶ୍ରୁତି ଦେଇଛନ୍ତି ନବୀନ । ଏହା ସହିତ କେନ୍ଦ୍ରର ଅବହେଳା ପ୍ରସଙ୍ଗରେ ବର୍ଷି ବିଜେପି ସରକାରକୁ ଟାର୍ଗେଟ କରିଥିଲେ ମୁଖ୍ୟମନ୍ତ୍ରୀ ।