ଦକ୍ଷିଣ ଭାରତରେ ପ୍ରଳୟ ରଚିପାରେ ‘ମାଣ୍ଡୋସ୍’, ତାମିଲନାଡୁ ଉପକୂଳରେ ହାଇଆଲର୍ଟ

1 min read

ଭୁବନେଶ୍ବର: ମାଡ଼ିଆସୁଛି ବାତ୍ୟା ମାଣ୍ଡୋସ୍ । ଦକ୍ଷିଣ ଭାରତରେ ରଚିପାରେ ପ୍ରଳୟ । ପରିସ୍ଥିତିର ମୁକାବିଲା ଲାଗି ଏନଡିଆରଏଫ ଟିମକୁ ସତର୍କ କରାଯାଇଛି । ତାମିଲନାଡୁ ଉପକୂଳରେ ଆଲର୍ଟ ଜାରି ହୋଇଛି । ତାମିଲନାଡୁର ମହାବଳିପୁରମରେ ସାଇକ୍ଲୋନ ମାଣ୍ଡୋସ ଲ୍ୟାଣ୍ଡଫଲ ହେବ ବୋଲି ଆଶଙ୍କା କରାଯାଉଛି ।

ବର୍ତ୍ତମାନ ଚେନ୍ନାଇ ଠାରୁ ୨୭୦ କିଲୋମିଟର ଦୂରରେ ବାତ୍ୟା କେନ୍ଦ୍ରୀଭୂତ ରହିଛି । ତାମିଲନାଡୁ ଓ ପୁଦୁଚେରୀର ବିଭିନ୍ନ ସ୍ପର୍ଶକାତର ଜିଲ୍ଲାରେ ସ୍କୁଲ ଓ କଲେଜ ବନ୍ଦ କରିଦିଆଯାଇଛି । ବାତ୍ୟା ଅଧିକ ଘନୀଭୂତ ହେବା ପରେ ଏହା ଉତ୍ତର ତାମିଲନାଡୁ, ପୁଦୁଚେରୀ ଓ ଦକ୍ଷିଣ ଆନ୍ଧ୍ର ଦେଇ ଗତିକରିବ । ଗତି କରିବାବେଳେ ପଦନର ବେଗ ଘଣ୍ଟାପ୍ରତି ୬୫ରୁ ୭୫ କିଲୋମିଟର ହେବା ଆଶଙ୍କା କରାଯାଉଛି । ଲ୍ୟାଣ୍ଡଫଲକୁ ଦୃଷ୍ଟିରେ ରଖି ତାମିଲନାଡୁର ୩ ଜିଲ୍ଲାରେ ରେଡ ଆଲର୍ଟ ଜାରି କରାଯାଇଥିବାବେଳେ ଥୁଥୁକୁଡିରେ ହାଇ ଆଲର୍ଟ ଜାରି କରାଯାଇଛି ।

ବିଭିନ୍ନ ସ୍ପର୍ଶକାତର ସ୍ଥାନରେ ଏନଡିଆରଏଫ ଓ ନୌସେନାକୁ ମୁତୟନ କରାଯାଇଛି । ତାମିଲନାଡୁର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ପବନ ହେବା ଆଶଙ୍କା ଥିବାରୁ ସ୍କୁଲ ଓ କଲେଜ ବନ୍ଦ କରିଦିଆଯାଇଛି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ଟିମ୍ ମୁତୟନ କରାଯାଇଛି । ବର୍ତ୍ତମାନ ଏହା ପଶ୍ଚିମ ଓ ଉତ୍ତର ପଶ୍ଚମ ଦିଗରେ ଗତିକରି ପୁ଼ଡୁଚେରୀ-ଶ୍ରୀହରିକୋଟା ମୁହାଁ ହେଉଛି । ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ୮ ଟି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳରେ ବର୍ଷା ସହ କୋହଲା ପାଗ ରହିବ ।