ସୁପ୍ରିମକୋର୍ଟ କଲେଜିୟମକୁ ନେଇ ପୁଣି ବିବାଦ, RTI ଆବେଦନକୁ ଖାରଜ

1 min read

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କଲେଜିୟମକୁ ନେଇ ପୁଣି ବିବାଦ । ଜଜ୍ ନିଯୁକ୍ତି ପାଇଁ କଲେଜିୟମ ବୈଠକରେ ହୋଇଥିବା ଆଲୋଚନା ସାର୍ବଜନୀନ କରିବାକୁ ମନା କଲେ କୋର୍ଟ । ୨୦୧୮ ଡିସେମ୍ବର ୧୨ କଲେଜିୟମ ବୈଠକରେ ଜଜ୍ ନିଯୁକ୍ତି ପ୍ରକ୍ରିୟାକୁ ନେଇ ହୋଇଥିବା ଆଲୋଚନାର ତଥ୍ୟ RTI ଯୋଗେ ଦେବାକୁ ପିଟିସନ ଦାଏର ହୋଇଥିଲା। ଯାହାକୁ କୋର୍ଟ ଖାରଜ କରିଦେଇଛନ୍ତି । ଟପ୍ ପ୍ୟାନେଲଙ୍କ ଆଲୋଚନା ସାର୍ବଜନୀନ କରିବା ସମ୍ଭବ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ କୋର୍ଟ ।

ସୂଚନା ଅଧିକାର କର୍ମୀ ଅଞ୍ଜଳି ଭରଦ୍ବାଜ ଦାଏର କରିଥିବା ପିଟିସନକୁ କୋର୍ଟ ଖାରଜ କରିଦେଇଛନ୍ତି । କଲେଜିୟମ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସାର୍ବଜନୀନ କରାଯାଇଥାଏ । ମାତ୍ର ଏନେଇ ହୋଇଥିବା ଆଲୋଚନା ତଥ୍ୟ ବାହାରକୁ ଦେବା ସାମ୍ବିଧାନିକ ବ୍ୟବସ୍ଥା ପରିସରଭୁକ୍ତ ନୁହେଁ । କଲେଜିୟମ ବୈଠକରେ କରାଯାଇଥିବା ଆଲୋଚନାର ତଥ୍ୟ ମଗାଯାଇ ପାରିବ ବୋଲି କୋର୍ଟରେ ପିଟିସନ ଦାଏର ହୋଇଥିଲା ।

ସୂଚନା ଅଧିକାରୀ କର୍ମୀ ଅଞ୍ଜଳି RTIରେ କଲେଜିୟମ ବୈଠକକୁ ନେଇ ତଥ୍ୟ ମାଗିଥିଲେ । ମାତ୍ର ଏହାକୁ ଅସ୍ବୀକାର କରିଦିଆଯିବାରୁ ସେ କୋର୍ଟରେ ପିଟିସନ ଦାଏର କରିଥିଲେ । ସେପଟେ ସେଣ୍ଟର ଭର୍ସେସ ଜୁଡିସିଆରୀ ପ୍ରସଙ୍ଗକୁ ନେଇ ଗୃହରେ ତାତି । ଲୋକସଭାରେ ଆଲୋଚନା ପାଇଁ କଂଗ୍ରେସ ସାଂସଦ ମନିଷ ତିଓ୍ବାରୀ ନୋଟିସ ଦେଇଛନ୍ତି । ଲଗାତାର ନ୍ୟାୟିକ ପ୍ରକ୍ରିୟା ଉପରେ ବିଜେପି ପ୍ରଶ୍ନ ଉଠାଉଥିବାରୁ କଂଗ୍ରେସ ଏହାର ବିରୋଧ କରିବା ସହ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛି ।