ହିମାଚଳରେ ରାଜ୍‌ କରିବାକୁ ପ୍ରସ୍ତୁତ ହେଲାଣି ‘ହାତ’, ଆଜି ବିଧାୟକ ଦଳ ବୈଠକ

ଶିମଲା: ୬୮ ଆସନ ବିଶିଷ୍ଟ ବିଧାନସଭାରେ କଂଗ୍ରେସ ୪୦ ଆସନ ଲାଭ କରିବା ପରେ ସରକାର ଗଠନ ଲାଗି ଆରମ୍ଭ ହୋଇଛି ପ୍ରକ୍ରିୟା । ସେପଟେ ହିମାଚଳରେ କଂଗ୍ରେସର ବିଜୟ ଓ ବିଜେପିର ପରାଜୟକୁ ନେଇ ଆରମ୍ଭ ହୋଇଛି ପୋଷ୍ଟମର୍ଟନ । 37 ବର୍ଷ ଧରି ରାଜ୍ୟରେ ବିଜେପି ଓ କଂଗ୍ରେସ କରୁଛନ୍ତି ଶାସନ ।

ପ୍ରତି ୫ ବର୍ଷରେ ପରିବର୍ତ୍ତନ ହେଉଛି ସରକାର । ଚଳିତ ନିର୍ବାଚନରେ ବିଜେପି ବିଦ୍ରୋହୀ ପ୍ରାର୍ଥୀଙ୍କ ସଂଖ୍ୟା ଥିଲା ୨୧ । ଏହି କାରଣ ହିଁ ବିଜେପି ପରାଜୟର ଥିଲା ମୁଖ୍ୟ କାରଣ । ପୁରୁଣା ପେନସନ ଯୋଜନା କଂଗ୍ରେସ ଲାଗି ଗେମଚେଞ୍ଜର ହୋଇଥିବାବେଳେ ଛତିଶଗଡ ଓ ରାଜସ୍ଥାନ ମଡେଲକୁ ଗ୍ରହଣ କରିଥିଲେ ଭୋଟର । ବିଜେପି ଏନେଇ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଭୋଟର ବିଜେପିକୁ ବିଶ୍ବାସ କରି ନଥିଲେ । ବିଜେପି ରାଜ୍ୟ ସଭାପତି ଜେ.ପି. ନଡ୍ଡାଙ୍କ ରାଜ୍ୟରେ ବିଜେପି ଧରାଶାୟୀ ହୋଇଥିବାରୁ ଦଳ ଲାଗି ଏହା ବଡ ଧକ୍କା ହୋଇଛି ।

ଜାତୀୟ ବଦଳରେ ସ୍ଥାନୀୟ ପ୍ରସଙ୍ଗକୁ କଂଗ୍ରେସ ଗୁରୁତ୍ବ ଦେଇଥିବାବେଳେ ବେକାରୀ, ମୁଦ୍ରାସ୍ଫୀତି ଆଦି ସମସ୍ୟା ବିଜେପି ଲାଗି ହୋଇଥିଲା ଘାତକ । ୫ ବର୍ଷରେ ସରକାରୀ ସ୍ତରରେ ଆଖିଦୃଶିଆ ଚାକିରି ସୃଷ୍ଟି ହୋଇ ନଥିବାବେଳେ ଅଗ୍ନିବୀର ଯୋଜନାକୁ ରାଜ୍ୟବାସୀ ଗ୍ରହଣ କରି ନଥିଲେ । ସେପଟେ ହିମାଚଳ ପ୍ରଦେଶର ସମସ୍ତ ନିର୍ବାଚନ ମଣ୍ଡଳୀରେ ସେଓ ଚାଷୀଙ୍କ ରାଜ୍ ଥିବାବେଳେ କେନ୍ଦ୍ରର ଜିଏସଟି ଯୋଗୁ ଦୀର୍ଘଦିନ ଧରି କ୍ଷତି ସହୁଥିଲେ ବ୍ୟବସାୟୀ । ଘରୋଇ କମ୍ପାନିଙ୍କୁ ଅଗ୍ରାଧିକାର ଦେଇଥିଲେ ବିଜେପି ସରକାର । ଏହାକୁ ନେଇ ତାତିଥିଲେ ଭୋଟର ।

ବିଜେପିର ଉଜ୍ବଳା ଗ୍ୟାସ ଫ୍ୟାକ୍ଟର କାମ ଦେଇ ନଥିଲା । ବିଜେପିର ପ୍ରଚାରରେ ପ୍ରଧାନମନ୍ତ୍ରୀ, ୩ କେନ୍ଦ୍ରମନ୍ତ୍ରୀ ଓ ୟୁପି, ହରିଆଣା ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ । ମାତ୍ର କଂଗ୍ରେସର ପ୍ରିୟଙ୍କା ଗାନ୍ଧୀ ଓ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ହିଁ ପ୍ରଚାରରେ ସାମିଲ ଥିଲେ । ବିଜେପି ସଭାପତି ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଚାହିଁଥିଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାକୁ । ସେଥିଲାଗି ସେମାନଙ୍କ ମଧ୍ୟରେ ରହି ନଥିଲା ତାଳମେଳ । ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରେମ କୁମାର ଧୁମାଲ ବି ଦେଇନଥିଲେ ଧରାଛୁଆଁ । ଏହି କାରଣରୁ ହିମାଚଳରେ ବିଜେପିର ପରାଜୟ ଘଟିଥିଲା ।