spot_img
Home Blog Page 3852

୯୦ ବର୍ଷରେ ପଦାର୍ପଣ କଲେ ଡ. ମନମୋହନ ସିଂହ, ଅଭିନନ୍ଦନ ଜଣାଇଲେ ରାହୁଲ ଓ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଠ ଅର୍ଥଶାସ୍ତ୍ରୀ ମନମୋହନ ସିଂହ ଆଜି ୯୦ ବର୍ଷରେ ପଦାର୍ପଣ କରିଛନ୍ତି । ଜନ୍ମଦିବସ ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କୁ ଶୁଭେଚ୍ଛା ଓ ଅଭିନନନ୍ଦନ ଜଣାଇବା ସହ ତାଙ୍କ ଦୀର୍ଘାୟୁ ହେବାର କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କୁ ଜନ୍ମଦିନର ଅଭିନନ୍ଦନ । ତାଙ୍କର ଦୀର୍ଘାୟୁ ଏବଂ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରୁଛି ।

ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ମନମୋହନଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି । ଟ୍ୱିଟ କରି ରାହୁଲ ଲେଖିଛନ୍ତି, ଭାରତର ଶ୍ରେଷ୍ଠ ରାଜନେତାମାନଙ୍କ ମଧ୍ୟରୁ ଜଣେ, ଡ. ମନମୋହନ ସିଂହଙ୍କୁ ଜନ୍ମଦିନର ଅନେକ ଅନେକ ଅଭିନନ୍ଦନ । ଭାରତର ବିକାଶରେ ତାଙ୍କର ବିନମ୍ରତା, ସମର୍ପଣ ଏବଂ ଯୋଗଦାନରେ କିଛି ସମାନତା ରହିଛି । ସେ ମୋ ପାଇଁ ଏବଂ ଅନ୍ୟ କୋଟି କୋଟି ଭାରତୀୟ ପାଇଁ ଏକ ପ୍ରେରଣା ଅଟନ୍ତି । ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଖୁସି ପାଇଁ ପ୍ରାର୍ଥନା କରୁଛି ।

ମନମୋହନ ସିଂହଙ୍କ ଜନ୍ମଦିନ ଭାରତ ବିଭାଜନ ପୂର୍ବରୁ ୨୬ ସେପ୍ଟେମ୍ବର ୧୯୩୨ ରେ ପଞ୍ଜାବର ଗାହ ଗାଁରେ ହୋଇଥିଲା । ସେ ପଞ୍ଜାବ ବିଶ୍ୱବିଦ୍ୟାଳୟ, କେମ୍ବ୍ରିଜ ଏବଂ ଅକ୍ସଫୋର୍ଡରେ ଅଧ୍ୟୟନ କରିଥିଲେ । ଲଗାତାର ଦୁଇଥର ୨୦୦୪-୨୦୧୪ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ରହିଥିଲେ । ଆଜି ୯୦ ବର୍ଷରେ ସେ ପଦାର୍ପଣ କରିଛନ୍ତି । ସେ ଜଣେ ବିଶିଷ୍ଟ ଅର୍ଥଶାସ୍ତ୍ରୀ ଅଟନ୍ତି,  ୧୯୯୦ ଦଶକରେ ଅର୍ଥନୀତିକୁ ସୁଧାରିବା ପାଇଁ ତାଙ୍କର କାର୍ଯ୍ୟ ଉଲ୍ଲେଖନୀୟ ଥିଲା ।

ଗାଡ଼ି ଫିଟନେସ୍ ପାଇଁ ଯିବାକୁ ପଡ଼ିବନି ଆରଟିଓ ଅଫିସ୍, ସ୍ୱୟଂଚାଳିତ ହେବ ଟେଷ୍ଟିଂ ପ୍ରକ୍ରିୟା

ନନ୍ଦିଘୋଷ ବ୍ୟୁରୋ: ଏଣିକି ସହଜ ହେବ ଯାନବାହନର ଫିଟନେସ୍ ଟେଷ୍ଟ । ଦରକାର ପଡ଼ିବେ ନାହିଁ ମେକାନିକ୍ କି ଦୌଡ଼ିବାକୁ ପଡ଼ିବନି ଆରଟିଓ ଅଫିସ । ସ୍ବୟଂଚାଳିତ ହେବ୍ ଟେଷ୍ଟିଂ ପ୍ରକ୍ରିୟା । ସ୍ବତନ୍ତ୍ର ଡିଭାଇସ୍ ଜରିଆରେ କରାଯିବ ଯାନବାହନର ଫିଟନେସ ଟେଷ୍ଟିଂ । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ନିର୍ଦ୍ଦେଶ ମୁତାବକ ସ୍ବତନ୍ତ୍ର ଅଟୋମେଟେଡ୍ ଟେଷ୍ଟିଂ ସିଷ୍ଟମ ବା ଏଟିଏସ ଆପଣାଇବେ ରାଜ୍ୟ ସରକାର ।

ଏଥିପାଇଁ ଚିଠାନୀତି ପ୍ରସ୍ତୁତ କରିବାକୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି ବାଣିଜ୍ୟ ଓ ପରିବହନ ବିଭାଗ । କେନ୍ଦ୍ରୀୟ ମୋଟର ଯାନ ନିୟମ ୧୯୮୯ ଅନୁଯାୟୀ ଚିଠା ନୀତି ପ୍ରସ୍ତୁତ ହେବ । ଓଡ଼ିଶାର ୫ଟି ସ୍ଥାନରେ ଖୋଲାଯିବ ଏଟିଏସ ସେଣ୍ଟର । ଏଥିପାଇଁ ୧୦ରୁ ଅଧିକ ନିବେଶକ ଆଗ୍ରହ ପ୍ରକାଶ କରିଛନ୍ତି । କଟକର ଅରିଲୋଠାରେ ଥିବା ଇନ୍ସପେକ୍ସନ୍ ଆଣ୍ଡ ସାର୍ଟିଫିକେସନ୍ ସେଣ୍ଟରକୁ ଏଟିଏସରେ ପରିଣତ କରାଯିବ ।

ଏହି ନୀତି ଲାଗୁ ହେଲେ ଗାଡ଼ିର ବୟସ କେତେ ? ଗାଡ଼ି ଫିଟ୍ କି ଅନଫିଟ୍ ? ଏ ସମ୍ପର୍କରେ ସବୁ ତଥ୍ୟ ପ୍ରଦାନ କରିବ ସ୍ବୟଂଚାଳିତ ବ୍ୟବସ୍ଥା। ନିୟମକୁ ନେଇ ସଡ଼କ ସୁରକ୍ଷା କର୍ମୀ ଖୁସି ପ୍ରକାଶ କରିଥିବାବେଳେ ଏହାକୁ ବିରୋଧ କରିଛନ୍ତି ଗାଡ଼ି ମାଲିକ । ସ୍ବୟଂଚାଳିତ ବ୍ୟବସ୍ଥା ଦ୍ବାରା ସମସ୍ୟା ବଢିବ ବୋଲି ସେମାନେ କହିଛନ୍ତି ।

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର: ବଙ୍ଗୋପସାଗରରେ ଦାନାବାନ୍ଧୁଛି ଆଉଏକ ଲଘୁଚାପ । ଆଉ ଦିନକ ପରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ୨୮ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରଭାବରେ ୨୯ରୁ ୪ ତାରିଖ ମଧ୍ୟରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡିଶାରେ ହୋଇପାରେ ପ୍ରବଳ ବର୍ଷା ।

ଉପାନ୍ତରୁ ଉପକୂଳ ସବୁଠି ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଫଳର ଏଥର ବର୍ଷାରେ ଧୋଇଯାଇପାରେ ଦଶହରା । ଅନ୍ୟପଟେ ଆସନ୍ତା ୨ଦିନ ଯାଏ ଅପରାହ୍ମରେ ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ୧୯ ଜିଲ୍ଲାକୁ ବଜ୍ରପାତ ପାଇଁ ଜାରି ହୋଇଛି ସତର୍କତା । କାଲି ୧୬ଟି ଏବଂ ୨୮ରେ ୧୫ଟି ଜିଲ୍ଲା ପାଇଁ ସତର୍କତା ଜାରି ହୋଇଛି ।

ଆଜି ପୁଣି କୋର୍ଟରେ ହାଜର ହେବେ ଜାକଲିନ ଫର୍ଣ୍ଣାଣ୍ଡିଜ

ନୂଆଦିଲ୍ଲୀ: ୨୦୦ କୋଟି ଠକେଇ ମାମଲା । ଆଜି ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ହାଜର ହେବେ ବଲିଉଡ ସୁନ୍ଦରୀ ଜାକଲିନ ଫର୍ଣ୍ଣାଣ୍ଡିଜ । ଠକ ସୁକେଶ ସହ ସମ୍ପର୍କକୁ ନେଇ କୋର୍ଟ ସମନ ଜାରି କରିଥିଲେ । ଆଜି କୋର୍ଟରେ ହାଜିର ହୋଇ ପକ୍ଷ ରଖିବେ ଜାକଲିନ । ସେପଟେ ଗିରଫଦାରୀ ଏଡ଼ାଇବାକୁ ଜାକଲିନଙ୍କ ଲିଗାଲ ଟିମ୍ ଆଗୁଆ ଜାମିନ ଆବେଦନ କରିପାରେ ବୋଲି କୁହାଯାଉଛି । ଠକ ସୁକେଶ ଚନ୍ଦ୍ରଶେଖର ସହ ସମ୍ପର୍କ ଓ ୨ଶହ କୋଟି ଠକେଇ ମାମଲାରେ ଜେରା କରିବେ NIA ସ୍ପେଶାଲ ଜଜ୍ ।

ରାଜସ୍ଥାନ ରାଜନୈତିକ ସଙ୍କଟ: ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ କଂଗ୍ରେସ ଦୁଇ ଭାଗ

ଜୟପୁର: ଭାରତ ଯୋଡ଼ୋ ଯାତ୍ରା ଭିତରେ ଭାଙ୍ଗିପାରେ ରାଜସ୍ଥାନ କଂଗ୍ରେସ । ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ବିଧାୟକ ଗୋଷ୍ଠୀ ଦୁଇ ଭାଗ । ଏପରିକି ଇସ୍ତଫା ଦେବାକୁ ଧମକ ଦେଇଛନ୍ତି ଟିମ୍ ଗେହଲଟର ୯୦ ରୁ ଅଧିକ ବିଧାୟକ । କଂଗ୍ରେସ ନେତା ରାହୁଲ ଗାନ୍ଧି ଘୋଷଣା କରିଥିବା ଏକ ପଦବୀ ଏକ ବ୍ୟକ୍ତି ନୀତି ଅନୁସାରେ, ଯଦି ଗେହଲଟ ଏଆଇସିସି ସଭାପତି ହୁଅନ୍ତି, ତେବେ ସେ ମୁଖ୍ୟମନ୍ତ୍ରୀ ପଦ ତ୍ୟାଗ କରିବେ ।

ମାତ୍ର ଏହି ପ୍ରସ୍ତାବକୁ ଗ୍ରହଣ କରିବାକୁ ନାରାଜ ବିଧାୟକ । କେତେକ ବିଧାୟକ ଦାବି କରିଛନ୍ତି ଅନ୍ତତଃ ଗେହଲଟଙ୍କ କ୍ଷେତ୍ରରେ ଏହି ନୀତି କାର୍ଯ୍ୟକାରୀ କରା ନଯାଉ । ଯଦି କରାଯାଏ, ତେବେ ୯୦ରୁ ଅଧିକ ବିଧାୟକ ଇସ୍ତଫା ଦେବେ । ଏନେଇ ସେମାନେ ବାଚସ୍ପତି ସି.ପି. ଯୋଶୀଙ୍କ ସହ ବି ଆଲୋଚନା କରିଛନ୍ତି । ଗତକାଲି ମଧ୍ୟରାତ୍ରୀ ଯାଏ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାଡଗେ, ରାଜସ୍ଥାନ ବ୍ୟାପାରରେ ଥିବା ନେତା ଅଜୟ ମାକେନ ଓ ଗେହଲଟଙ୍କ ଉପସ୍ଥିତିରେ ବୈଠକ ହୋଇଥିଲେ ବି ସମାଧାନର ପନ୍ଥା ବାହାରି ପାରିନଥିଲା ।

ସେପଟେ ନୂଆ ସଭାପତି ନିର୍ବାଚିତ ହେବା ପୂର୍ବରୁ ବିଧାୟକ ଦଳ ବୈଠକ ବସିବା ଲାଗି ଅନେକ ବିଧାୟକ ଚାହୁଁନାହାନ୍ତି । ସ୍ଥିତି ଏପରି ହୋଇଛି ଯେ, ଗେହଲଟ କହିଛନ୍ତି ତାଙ୍କ ହାତରେ କିଛି ନାହିଁ । ଏ ସମ୍ପର୍କରେ ଦଳର ଅନ୍ୟତମ ହାଇକମାଣ୍ଡ କେ.ସି. ଭେନୁଗୋପାଲଙ୍କ ନିକଟରେ ସେ ହାତ ଟେକି ଦେଇଛନ୍ତି । ଅନେକ ଦାବି କରିଛନ୍ତି ୨୦୨୦ରେ ସଚିନ ପାଇଲଟଙ୍କ ବିଦ୍ରୋହ କାଳରେ ସରକାର ତିଷ୍ଠିବା କ୍ଷେତ୍ରରେ ଯେଉଁମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ସେମାନଙ୍କ ମଧ୍ୟରୁ କାହାରିକୁ ସିଏମ କରାଯାଉ ।

ଗତକାଲି ବିଧାୟକ ଦଳ ବୈଠକ ବସି ପାରି ନଥିବାବେଳେ ପାଇଲଟ ଓ ତାଙ୍କର ୨୧ ସମର୍ଥକ ବିଧାୟକଙ୍କୁ ଭେଟିଥିଲେ ଗେହଲଟ । କୁହାଯାଉଛି, ମୁଖ୍ୟମନ୍ତ୍ରୀ ପଦ ନ ଛାଡିବା ଲାଗି ଗେହଲଟ ଅଟଳ ରହିଛନ୍ତି । ଯଦି ସେ ପଦ ତ୍ୟାଗ କରନ୍ତି ତେବେ ପାଇଲଟଙ୍କୁ ଶାସନ ଭାର ହସ୍ତାନ୍ତର କରିବାକୁ ଚାହୁଁନାହାନ୍ତି । ଯଦି ବାସ୍ତବରେ ୯୦ ବିଧାୟକ ଇସ୍ତଫା ଦିଅନ୍ତି, ତେବେ ବିଜେପି ଲାଗି ଏହା ସୁବର୍ଣ୍ଣ ସୁଯୋଗ ହେବ । ଏଥିଲାଗି ବିଜେପି ଶିବିର ବି ଚଳଚଞ୍ଚଳ ହୋଇଛି ।

ଆଜିଠୁ ବାରବାଟୀରେ ଲିଜେଣ୍ଡସ ଲିଗ୍ ମ୍ୟାଚ୍, ମୁହାଁମୁହିଁ ହେବେ ମଣିପାଲ ଟାଇଗର୍ସ ଓ ଭିଲୱାରା କିଙ୍ଗ୍ସ

ନନ୍ଦିଘୋଷ ବ୍ୟୁରୋ: ଆଜିଠୁ କଟକର ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡସ କ୍ରିକେଟ୍ ଲିଗ୍ ମ୍ୟାଚ୍ । ପ୍ରଥମ ଦିନରେ ମୁହାଁମୁହିଁ ହେବେ ମଣିପାଲ ଟାଇଗର୍ସ ଓ ଭିଲୱାରା କିଙ୍ଗ୍ସ । ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ ମ୍ୟାଚ୍ । ମଣିପାଲ୍ ଟାଇଗର୍ସକୁ ହରାଇ ପ୍ରତିଶୋଧ ନେବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଭିଲଓ୍ବାରା କିଙ୍ଗ୍ସ । ଗତକାଲି ଉଭୟ ଟିମ ଆସି ଭୁବନେଶ୍ବରରେ ପହଞ୍ଚିଥିଲେ ।

ଆଜି କଡ଼ା ସୁରକ୍ଷା ଭିତରେ ହୋଟେଲ ମେ ଫେୟାରରୁ ଖେଳାଳିଙ୍କୁ ବାରବାଟୀ ନିଆଯିବ । ମ୍ୟାଚ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଲିଜେଣ୍ଡସ୍ କ୍ରିକେଟର । ସମସ୍ତ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଲେଖାଥିବା ଜର୍ସି ପ୍ରଦାନ କରିଛନ୍ତି । ଏହା ସହିତ ମ୍ୟାଚ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ଆସନ୍ତାକାଲି ଗୁଜୁରାଟ ଜିଆଣ୍ଟସ ଓ ଭିଲଓ୍ବାରା କିଙ୍ଗ୍ସ ମଧ୍ୟରେ ଦ୍ବିତୀୟ ମ୍ୟାଚ ଏବଂ ୨୯ ତାରିଖରେ ଇଣ୍ଡିଆ କ୍ୟାପିଟାଲ୍ସ ଓ ମଣିପାଲ ଟାଇଗର୍ସ ମଧ୍ୟରେ ତୃତୀୟ ଲିଗ୍ ମ୍ୟାଚ ହେବ । ସୁରୁଖୁରୁରେ ମ୍ୟାଚ ପାଇଁ ପ୍ରସ୍ତୁତି କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମ୍ୟାଚ ବେଳେ ଯେପରି କୌଣସି ବିଶୃଙ୍ଖଳା ସୃଷ୍ଟି ନହେବ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି ।

ଗାଡ଼ି ଧକ୍କାରେ ଭାଲୁ ମୃତ

କେନ୍ଦୁଝର: କେନ୍ଦୁଝର ସଦର ରେଞ୍ଜ ନରଣପୁର ସେକ୍ସନ ଜାମୁନାଳିଆ ଠାରେ ଗାଡି ଧକ୍କାରେ ଏକ ଭାଲୁର ମୃତ୍ୟୁ ହୋଇଛି । ଆଜି ଭୋରୁ ଏହି ଦୁର୍ଘଟଣା ଟି ଘଟିଛି । ଉକ୍ତ ସ୍ଥାନଟି ଜାତୀୟ ରାଜପଥ ହୋଇଥିବା ବେଳେ ଉଭୟ ପାର୍ଶ୍ୱରେ ଜଙ୍ଗଲ ଥିବାରୁ ଭାଲୁ ଖାଦ୍ୟ ଅନ୍ୱେଷଣରେ ରାସ୍ତା ଉପରୁ ଚାଲିଆସିଥାନ୍ତି ଏବଂ ଗାଁ ମୁହାଁ ହୋଇଥାନ୍ତି ।

ଯାହାଫଳରେ ରାସ୍ତାରେ ହଜାର ହଜାର ସଂଖ୍ୟାରେ ଟ୍ରକ ଓ ଯାତ୍ରୀବାହୀ ବସ ଚଳାଚଳ କରୁଥିବାବେଳେ ଭାଲୁଟି ଗାଡି ଧକ୍କାରେ ମୃତ୍ୟୁ ବରଣ କରିଥିବା ସ୍ଥାନୀୟ ଲୋକମାନେ କହିଛନ୍ତି । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ ।

ଭାରସାମ୍ୟ ହରାଇ ଖାଇକୁ ଖସି ପଡ଼ିଲା ବସ୍, ୭ ମୃତ

କୁଲ୍ଲୁ: ହିମାଚଳପ୍ରଦେଶ କୁଲ୍ଲୁରେ ବସ୍ ଦୁର୍ଘଟଣାଗ୍ରସ୍ତ । ଭାରସାମ୍ୟ ହରାଇ ଖାଇକୁ ଖସି ପଡ଼ିଲା ବସ୍ । ୭ ମୃତ, ୧୦ ଜଣ ଗୁରୁତର ହୋଇଛନ୍ତି । ବସରେ ରାଜସ୍ଥାନ, ମଧ୍ୟପ୍ରଦେଶ, ଦିଲ୍ଲୀ ଓ ହରିୟାଣାର ଯାତ୍ରୀ ଥିଲେ । ଗତକାଲି ବିଳମ୍ବିତ ରାତିରେ ବଞ୍ଜର ଭ୍ୟାଲି ଘିୟାଗୀର ଏନଏଚ୍- ୩୦୫ରେ ବସ୍ ଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।

ସୂଚନାଅନୁଯାୟୀ ବସରେ ଚାଳକ ସମେତ ୧୭ ଜଣ ଯାତ୍ରା କରୁଥିଲେ । ପୋଲିସ, ହୋମଗାର୍ଡ ଏବଂ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଛନ୍ତି । ୧୦ ଆହତଙ୍କ ମଧ୍ୟରୁ ୫ ଜଣଙ୍କୁ କୁଲୁଲର ଜୋନାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ଏବଂ ଅନ୍ୟ ୫ ଜଣଙ୍କ ଚିକିତ୍ସା ସ୍ଥାନୀୟ ହସ୍ପିଟାଲରେ ଚାଲିଛି ।

ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ ଯାତ୍ରୀ

ମୋହନା: ଗଜପତି ମୋହନା ରାଇସିଂ ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍ । ଅଳ୍ପକେ ବର୍ତ୍ତିଲେ ୨୪ ଜଣ ଯାତ୍ରୀ । ଆଜି ଭୋର୍ ୩ଟା ବେଳେ କାମଧେନୁ ନାମକ ଏକ ଯାତ୍ରୀବାହୀ ବସ ରାୟଗଡ଼ା ଜିଲ୍ଲା ମୁନିଗୁଡାରୁ ବ୍ରହ୍ମପୁର ଯାଉଥିଲା । ତେବେ ବସଟି ଭାରସାମ୍ୟ ହରାଇ ରାଇସିଂ ଘାଟିରେ ରାସ୍ତା କଡକୁ ଓଲଟି ପଡ଼ିଥିଲା । ମୋହନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ଅନ୍ୟ ବସରେ ପଠାଇଥିଲା । ଘନ କୁହୁଡି ଓ ଡ୍ରାଇଭରର ଅସାବଧାନତା କାରଣରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।

ମହଙ୍ଗା ପଡ଼ିଲା ପ୍ରେମବ୍ୟାପାର ଗୁଇନ୍ଦାଗିରି, ଝିଅ ସାଙ୍ଗଙ୍କୁ ପ୍ରେମୀ ଯୁଗଳଙ୍କୁ ଆକ୍ରମଣ

ଭୁବନେଶ୍ୱର: ରାଜଧାନୀରେ ମହଙ୍ଗା ପଡିଲା ପ୍ରେମବ୍ୟାପାରରେ ଗୁଇନ୍ଦାଗିରି । ଝିଅ ସାଙ୍ଗଙ୍କୁ ପ୍ରେମୀ ଯୁଗଳଙ୍କ ଆକ୍ରମଣ । ନୟାପଲ୍ଲୀ ତ୍ରିନାଥ ସାହିରେ ଘଟିଛି ଏଭଳି ଘଟଣା । ସୂଚନା ଅନୁସାରେ, ଜଣେ ଝିଅ ତାର ବୟ ଫ୍ରେଣ୍ଡ ଉପରେ ନଜର ରଖିବାକୁ ସାଙ୍ଗଙ୍କୁ କହିଥିଲା । ବୟ ଫ୍ରେଣ୍ଡ ଜଣକ ଅନ୍ୟ ଜଣେ ଝିଅ ସହିତ କଥା ହେବାରୁ ଯୁବତୀ ଜଣକ ତାର ସାଙ୍ଗକୁ କହିଥିଲା ।

ଯାହାକୁ ନେଇ ପ୍ରେମିକ ଓ ପ୍ରେମିକାଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ଉଭୟ ପ୍ରେମିକ ଓ ପ୍ରେମିକା ମଧ୍ୟରେ ମିଳାମିଶା ହୋଇଥିଲା । ତେବେ ଉଭୟଙ୍କ ସମ୍ପର୍କ ଭାଙ୍ଗୁ ଥିବା ନେଇ ସନ୍ଦେହ କରି ଖବର ଦେଇଥିବା ସାଙ୍ଗକୁ ନିସ୍ତୁକ ମାଡ଼ ମାରିଥିଲେ ପ୍ରେମୀ ଯୁଗଳ । ରକ୍ତାକ୍ତ ଅବସ୍ଥାରେ ସାଙ୍ଗକୁ ପିସିଆର ଉଦ୍ଧାର କରିଥିଲା । ଏନେଇ ନୟାପଲ୍ଲୀ ଥାନାରେ ଏତଲା ଦିଆଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।