ହକି ବିଶ୍ୱକପ୍ ପାଇଁ ରାଉରକେଲା ବିମାନ ବନ୍ଦରକୁ ଉଡ଼ିବ ସ୍ୱତନ୍ତ୍ର ବିମାନ

ଭୁବନେଶ୍ୱର: ଆସନ୍ତା ବର୍ଷ ଭୁବନେଶ୍ବର ସହ ରାଉରକେଲାରେ ଖେଳାଯିବ ହକି ବିଶ୍ୱକପ୍। ରାଉରକେଲା ବିମାନ ବନ୍ଦରକୁ ଉଡ଼ିବ ସ୍ୱତନ୍ତ୍ର ବିମାନ। ଭୁବନେଶ୍ୱରରୁ ଝାରସୁଗୁଡାକୁ ବିମାନ ବ୍ୟବସ୍ଥା କରାଯିବ । ସ୍ୱତନ୍ତ୍ର ଟ୍ରେନ ମଧ୍ୟ ରାଉରକେଲା ଓ ଝାରସୁଗୁଡା ଯିବା ପାଇଁ ବ୍ୟବସ୍ଥା କରାଯାଉଥିବା କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି।

ଆଉ ମାତ୍ର ୩୦ ଦିନ ପରେ ହକି ବିଶ୍ୱକପ । ୨୦୧୮ରେ ଓଡ଼ିଶା ସୁନ୍ଦର ଆୟୋଜନ କରିଥିଲା। ଯିଏ ବି ଆସିଥିଲେ, ପ୍ରଶଂସା କରିଥିଲେ । ଏଥର ରାଉରକେଲା ନୂତନ ସହର ଭାବେ ଭୁବନେଶ୍ୱର ସହ ଯୋଡି ହୋଇଛି । ରାଉରକେଲାରେ ବିଶ୍ଵସ୍ତରୀୟ ହକି ଷ୍ଟାଡିୟମ ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଥିଲେ । ଏବେ ଷ୍ଟାଡିୟମ ନିର୍ମାଣ ସରିବା ଅବସ୍ଥାରେ ଅଛି ।

ତେବେ ବିଶ୍ୱକପ ପୂର୍ବରୁ ରାଉରକେଲାରେ ମଧ୍ୟ ଦୁଇରୁ ତିନୋଟି ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବା ଯୋଜନା ରହିଛି । ସହରର ସୌନ୍ଦର୍ଯ୍ୟକରଣ କରାଯାଉଛି । ବାହାରୁ ଅଫିସିଆଲ ଆସିଲେ, ସେମାନଙ୍କ ରହିବା, ଖାଇବା ଓ ଯାତାୟାତ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି । ରାଉରକେଲା, ଭୁବନେଶ୍ୱର ଓ କଟକରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ବାହାରୁ ଆସୁଥିବା ଖେଳାଳି ଓ ଅଧିକାରୀ ଓଡ଼ିଶାକୁ ଅନୁଭବ କରନ୍ତୁ ବୋଲି କହିଛନ୍ତି କ୍ରୀଡ଼ା ମନ୍ତ୍ରୀ ।