spot_img
Home Blog Page 3835

ରାଜଧାନୀକୁ ଖୁବଶୀଘ୍ର ଆସିବ ଆଉ ୪୦ ଇ-ବସ୍, CRUT ପକ୍ଷରୁ ଦିଆଗଲା ସୂଚନା

ଭୁବନେଶ୍ୱର: ରାଜଧାନୀକୁ ଖୁବଶୀଘ୍ର ଆସିବ ଆଉ ୪୦ଟି ଇ-ବସ୍ । CRUT ବା କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ନୂଆ ୪୦ଟି ଇଲେକ୍ଟ୍ରିକ୍ ବସ୍‌ ଆସିଲେ ରାଜଧାନୀରେ ବସ୍‌ ସଂଖ୍ୟା ୫୦କୁ ବୃଦ୍ଧି ପାଇବ । ସେହପରି ହକି ବିଶ୍ୱକପ ପୂର୍ବରୁ ଷ୍ଟିଲ ସିଟି ରାଉରକେଲାରେ ଗଡ଼ିବ ମୋ ବସ୍ । ରାଉରକେଲାକୁ ୨୫ଟି ମୋ ବସ୍‌ ଯୋଗାଇ ଦିଆଯିବ ବୋଲି କ୍ରୁଟ ପକ୍ଷରୁ କୁହାଯାଇଛି । ଆଗାମୀ ଦିନରେ CNG ବସ୍ ଆଣିବାକୁ ଲକ୍ଷ୍ୟ ରଖାଯାଇଛି । ଭୁବନେଶ୍ୱରରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କ୍ରୁଟ୍‌ ଏହି ପଦକ୍ଷେପ ନେଇଛି ବୋଲି କ୍ରୁଟ ଏମଡି ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ।

କାଲିଠୁ ଦଶମ ଶ୍ରେଣୀ ସମ୍ମେଟିଭ-୧ ପରୀକ୍ଷା, ଦିନ ୧୦ରୁ ୧୨ଟା ଯାଏଁ ପରୀକ୍ଷା

କଟକ: ଆସନ୍ତାକାଲିଠୁ ଦଶମ ସମ୍ମେଟିଭ-୧ ପରୀକ୍ଷା । ଦିନ ୧୦ଟାରୁ ଆରମ୍ଭ ହେବ ପରୀକ୍ଷା । ପ୍ରଥମ ଦିନ ଇଂରାଜୀ, ୨୫ରେ ଗଣିତ ଓ ୨୬ ତାରିଖରେ ମାତୃଭାଷା ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସେହିପରି ୨୭ ତାରିଖରେ ପ୍ରାକ୍ଟିକାଲ, ୨୮ରେ ସାଧାରଣ ବିଜ୍ଞାନ, ୨୯ରେ ସାମାଜିକ ବିଜ୍ଞାନ ଏବଂ ୩୦ ତାରିଖରେ ତୃତୀୟ ଭାଷା ପରୀକ୍ଷା କରାଯିବ । ଏନେଇ ଆଜି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

ଚଳିତଥର ମାଟ୍ରିକ ପରୀକ୍ଷା ପାଇଁ ମୋଟ ୩ ହାଜର୨୯ଟି ସେଣ୍ଟର କରାଯାଇଛି । ୩୧୬ ନୋଡାଲ ସେଣ୍ଟରେ ପ୍ରଶ୍ନପତ୍ର କଡ଼ା ସୁରକ୍ଷାରେ ରହିଛି । ମାଓ ପ୍ରବଣ ଅଞ୍ଚଳ କନ୍ଧମାଳରେ ୭ଟି, ମାଲକାନଗିରିରେ ୧୦ଟି ଓ କୋରାପୁଟରେ ୫ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି । ଚଳିତ ଥର ୫ ଲକ୍ଷ ୪୦ ହଜାରରୁ ଅଧିକ ପିଲାମାନେ ପରୀକ୍ଷା ଦେବେ l ପରୀକ୍ଷା କେନ୍ଦ୍ର ଭିତରକୁ କେବଳ ପେନ୍ ଓ ଆଡମିଟ କାର୍ଡ ନେଇପାରିବେ ଛାତ୍ରଛାତ୍ରୀ ।

ଭୁବନେଶ୍ୱରରୁ ବିଦେଶକୁ ଉଡ଼ିବ ସିଧାସଳଖ ବିମାନ, ଟେଣ୍ଡର ଆହ୍ୱାନ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଭୁବନେଶ୍ୱରରୁ ବିଦେଶକୁ ସିଧାସଳଖ ଉଡ଼ିବ ବିମାନ । ବିମାନ ଚଳାଚଳ ପାଇଁ ରାଜ୍ୟ ସରକାର ଟେଣ୍ଡର ଆହ୍ୱାନ କରିଛନ୍ତି । ସିଙ୍ଗାପୁର, ବ୍ୟାଙ୍କକ୍‌, ଦୁବାଇକୁ ବିମାନ ସେବା ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ସପ୍ତାହକୁ ୩ ଦିନ ବିମାନ ଚଳାଚଳ ପାଇଁ ଟେଣ୍ଡର ଆହ୍ୱାନ ହୋଇଛି । ଦିନେ ଛାଡ଼ି ଦିନେ ସହ ସପ୍ତାହାନ୍ତରେ ବିମାନ ଚଳାଚଳ ପାଇଁ ରହିଛି ସର୍ତ୍ତ । ଆଗ୍ରହୀ ବିମାନସେବା କମ୍ପାନୀ ଏଥିପାଇଁ କରିପାରିବେ ଆବେଦନ ।

ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି । ବିମାନ ଚଳାଚଳକୁ ପ୍ରୋତ୍ସାହନ ଦେବା ପାଇଁ ବିମାନ ଇନ୍ଧନ ଉପରୁ ରାଜ୍ୟ ସରକାର ଟିକସ ଛାଡ଼ କରିଛନ୍ତି । ଇଚ୍ଛୁକ କମ୍ପାନୀ ଏଥିପାଇଁ ୭୦ କିମ୍ବା ତା’ଠାରୁ ଅଧିକ ସିଟ୍ ବିଶିଷ୍ଟ ବିମାନ ବ୍ୟବହାର କରିପାରିବେ । ଟେଣ୍ଡର ଦାଖଲ ପାଇଁ ଆସନ୍ତା ୨୮ ତାରିଖକୁ ସମୟ ଧାର୍ଯ୍ୟ କରାଯାଇଛି ।

୧୨ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଓଡ଼ିଶା କେନ୍ଦୁ ପତ୍ର କର୍ମଚାରୀ ସଂଘ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୧୨ ଦଫା ଦାବି ପତ୍ର ଦେଇଛି ସଂଘ । ଏଥିରେ ମୁଖ୍ୟତଃ ଜିଏସଟି ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । କାରଣ GST ଲାଗୁ ଦ୍ୱାରା ବିକ୍ରି ମୂଲ୍ୟ କମିଯାଉଛି । ତେଣୁ ଏହାର ସମାଧାନ ପାଇଁ ସଂଘ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛି ।

ସେହିପରି ସିଜନାଲ କର୍ମଚାରୀଙ୍କ ଦରମା ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ କରିଛି ସଂଘ । ଏହା ୨୦୨୩ ପୂର୍ବରୁ ବଢ଼ିବାର ଥିଲା । ପୂର୍ବରୁ ମିଳୁଥିବା ଛାତ୍ର ବୃତ୍ତି ଓ କନ୍ୟା ବିବାହ ପାଇଁ ୨ ଶହ କୋଟିର ଆର୍ଥିକ ବ୍ୟବସ୍ଥା ପାଇଁ ବି ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି ବୋଲି କହିଛନ୍ତି ସଂଘର ସଭାପତି ବିଜୟୀ ମହାନ୍ତି । ରାଜ୍ୟର ୨୨ ଜିଲ୍ଲାରେ ୧୨ ଲକ୍ଷ କେନ୍ଦୁପତ୍ର ତୋଳାଳି ଅଛନ୍ତି ।

ଅନିୟମିତତା ଅଭିଯୋଗ ଭିତ୍ତିହୀନ, ସ୍ୱଚ୍ଛତାର ସହ ହୋଇଛି ASO ପରୀକ୍ଷା

କଟକ: ଅନିୟମିତତା ଅଭିଯୋଗ ଭିତ୍ତିହୀନ, ମେଧା ହିଁ ଚୟନର ଆଧାର। ସ୍ୱଚ୍ଛତାର ସହ ହୋଇଛି ଏଏସଓ ପରୀକ୍ଷା । ଓପିଏସସି ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି । ମୋଟ୍ ୭୯୬ ପୋଷ୍ଟ ପାଇଁ ଦୁଇସ୍ତରୀୟ ପରୀକ୍ଷା ହୋଇଥିଲା । ପ୍ରଥମ ଷ୍ଟେଜରେ ୪ଟି ପେପରରେ ୪ ଶହ ମାର୍କର ପରୀକ୍ଷା ହୋଇଥିଲା । ଏଥିରେ ଯୋଗ୍ୟ ବିବେଚିତ ପିଲାଙ୍କର ଦକ୍ଷତା ପରୀକ୍ଷା ହୋଇଥିଲା । ପ୍ରଥମ ଷ୍ଟେଜରୁ ଦେଢ଼ ଗୁଣା ପିଲାଙ୍କୁ ଚୟନ କରାଯାଇଥିଲା । ଏଥର ଦେଢ଼ ଲକ୍ଷ ପିଲା ପରୀକ୍ଷା ଦେଇଥିଲେ । ୮ଶହ ପୋଷ୍ଟ ଥିବାରୁ ୧୨ଶହ ପିଲାଙ୍କୁ ହିଁ ଚୟନ କରାଯାଇଥିଲା ।

ରାଜ୍ୟର ମୋଟ୍ ୪୩୩ ସେଣ୍ଟରରେ ପରୀକ୍ଷା ହୋଇଥିଲା । ସବୁ ଜିଲ୍ଲାର ଜିଲ୍ଲାପାଳମାନେ ପରୀକ୍ଷା ଦାୟିତ୍ୱ ନେଇଥିଲେ । ଏବେ ପିଲାମାନେ ଓଏମଆର କପି ନେଇପାରୁଛନ୍ତି । ରେଜଲ୍ଟ ବାହାରିବା ପରେ କିଛି ପିଲା ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ ଏସବୁ ଅଭିଯୋଗ ଭିତ୍ତିହୀନ ବୋଲି ଓପିଏସସି ଅଧ୍ୟକ୍ଷ କହିଛନ୍ତି । ରିକ୍ସା ବାଲା, ଦିନ ମଜୁରିଆଙ୍କ ପିଲା ମେଧାଭିତ୍ତିକ ପରୀକ୍ଷା ଯୋଗୁଁ କୃତକାର୍ଯ୍ୟ ହେଉଛନ୍ତି । ଘଟଣାର ସତ୍ୟତା ନଥାଇ ମିଥ୍ୟା ପ୍ରଘଟକୁ ନିନ୍ଦା କରିଛନ୍ତି । ଫାଇନାଲ ରେଜଲ୍ଟ ବାହାରିବା ପରେ ଆନସର ସିଟ୍ ଅପଲୋଡ ହେବ ବୋଲି ଓପିଏସସି ପକ୍ଷରୁ କୁହାଯାଇଛି ।

ଭୁବନେଶ୍ୱର ଉପକଣ୍ଠ ପଇକରାପୁର ପାହାଡ଼ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ପାଇକରାପୁର ସ୍କୁଲ ପାଖ ପାହାଡ଼ ନିକଟରୁ ଏକ ମୃତଦେହ ଉଦ୍ଧାର । ସେଠାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ମୃତକ ହେଲେ ବ୍ରହ୍ମକୁଣ୍ଡଳ ଗ୍ରାମର ବଂଶୀଧର ଜେନା । ସେ ପାଇକରାପୁର ସରକାରୀ ବିଦ୍ୟାଳୟର ପିଅନ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ମୁଣ୍ଡ ଓ ମୁହଁରେ ପଥରଛେଚାର ଦାଗ ରହିଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଦେହ ପଡ଼ିରହିଛି । ପାରିପାର୍ଶ୍ୱକସ୍ଥିତକୁ ଦେଖି ତାଙ୍କୁ ହତ୍ୟା କରାଯାଇଥବା ସନ୍ଦେହ କରାଯାଉଛି ।

ଶ୍ରୀଗୁଣ୍ଡିଚା ମନ୍ଦିରରେ ଗଜପତି ଦିବ୍ୟସିଂହ ଦେବ, ଜଗମୋହନର ୩ଟି ବିମ୍ ଓ କଲମ କ୍ୟାପିଟାଲ ଫାଟର କଲେ ଅନୁଧ୍ୟାନ

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଶ୍ରୀଗୁଣ୍ଡିଚା ମନ୍ଦିର ଜଗମୋହନର ତିନୋଟି ବିମ୍ ଓ କଲମ କ୍ୟାପିଟାଲରେ ଫାଟ ଥିବା ନେଇ ଅନୁଧ୍ୟାନ କରିଛନ୍ତି । ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ତଥା ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ ।

ଅନୁଧ୍ୟାନ ପରେ ଗଜପତି ମହାରାଜା କହିଛନ୍ତି, ନାଟମଣ୍ଡପ ୪ଟି ଖୁଣ୍ଟର ମରାମତି ଚାଲିଛି । ଏଥିପାଇଁ ଉଚ୍ଚସ୍ତରୀୟ ଟେକନିକାଲ କମିଟି ଗଠନ ହୋଇଛି । ଷ୍ଟେନଲେସ ଷ୍ଟିଲ ବିମ୍ ବସିବା ସହ ସିଲିଂ କାମ ମଧ୍ୟ କରାଯିବ । ମାର୍ଚ୍ଚ ଭିତରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ମରାମତି କାମ ହେବ । ଏଏସଆଇର ଭୂମିକା ନଥିଲେ ବି ପରାମର୍ଶ ନିଆଯିବ । ଶ୍ରୀଗୁଣ୍ଡିଚା ମନ୍ଦିର ୫ ଏକର ଜାଗାର ଉନ୍ନତିକରଣ ପାଇଁ ଯୋଜନା ହୋଇଛି ବୋଲି କହିଛନ୍ତି ଗଜପତି ମହାରାଜା ।

 

ଯୋରନ୍ଦା ମହିମା ପୀଠରେ ୧୪୪ ଧାରା, ମହିମା ପୀଠରେ ଜବରଦଖଲର ଚାଲିଛି ଉଚ୍ଛେଦ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ପୀଠରେ ଜବରଦଖଲ ଉଚ୍ଛେଦ । ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ବକଳ ସମାଜଙ୍କ ମୁଖ୍ୟ ଗାଦି ମନ୍ଦିର ତୃତୀୟ ବେଢ଼ା, କୌପୁନି ସମାଜର ବତୀ ମନ୍ଦିର, ଧୂନି ମନ୍ଦିର, ଟୁଙ୍ଗି ଘର ଆଦିକୁ ଭଙ୍ଗା ଯାଉଛି । ଉପଜିଲ୍ଲାପାଳ ସ୍ୱତନ୍ତ୍ର ମାଜିଷ୍ଟ୍ରେଟେଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ୪ ପ୍ଲାଟନ ଫୋର୍ସ ମୁତୟନ କରାଯାଇଛି । ୨ଟି ଜେସିବି ସାହାଯ୍ୟରେ ଉଚ୍ଛେଦ କାର୍ଯ୍ୟ କରାଯାଉଛି । ୧୯୪୩ ମସିହାରୁ ଜମି ବିବାଦ ଲାଗି ରହିଥିଲା । ଶେଷରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଆଜି ଜବରଦଖଲ ଉଚ୍ଛେଦ କରାଯାଉଛି ।

ପଶ୍ଚିମବଙ୍ଗ ସିଲିଗୁଡ଼ିରେ ଅଘଟଣ, ଦୁଇ ମହିଳାଙ୍କୁ ଦଳିଦେଲା ଦନ୍ତା

କୋଲକାତା: ପଶ୍ଚିମବଙ୍ଗ ସିଲିଗୁଡ଼ି ଜିଲ୍ଲା ବାଗ ଡୋଗ୍ରା ଅଞ୍ଚଳରେ ଅଘଟଣ । ଦୁଇ ମହିଳାଙ୍କୁ ଦଳିଦେଲା ଦନ୍ତା । ସେଣ୍ଟ୍ରାଲ ବସ୍ତିର ତିନି ମହିଳା ନିକଟସ୍ଥ ଜଙ୍ଗଲକୁ ଘାସ କାଟିବାକୁ ଯାଇଥିବା ବେଳେ, ହାତୀପଲ ଆକ୍ରମଣ କରିଥିଲେ । ହାତୀ ଆକ୍ରମଣରେ ଦୁଇ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ମହିଳାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପାର୍କିଂ ସ୍ଥଳକୁ ଅନ୍ୟ କାର୍ଯ୍ୟରେ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ, ମାସେ ମହଲତ ଦେଲା ବିଏମସି

ଭୁବନେଶ୍ୱର: ଭୁବନେଶ୍ୱରରେ ପାର୍କିଂ ଓ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ବିଏମସିର ବଡ଼ ନିଷ୍ପତ୍ତି । ଅନୁମୋଦିତ ପ୍ଲାନକୁ ଖିଲାପ କରି କୋଠା ନିର୍ମାଣ ହୋଇଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ମାସକ ମଧ୍ୟରେ ଖିଲାପୀଙ୍କୁ ସୁଧାରିବା ପାଇଁ ମହଲତ ଦେଇଛି ଭୁବନେଶ୍ୱର ମହାନଗର ନିଗମ । ପାର୍କିଂ ସ୍ଥଳକୁ କେହି ଅନ୍ୟ କାର୍ଯ୍ୟରେ ବ୍ୟବହାର କରିପାରିବେ ନାହିଁ । କୋଠା ହେଉ କି ଆପାର୍ଟମେଣ୍ଟ, ଅଥବା ବ୍ୟବସାୟିକ ପ୍ରତିଷ୍ଠାନ ସମସ୍ତଙ୍କ ପାଇଁ ନିୟମ କଡ଼ାକଡ଼ି ହେବ । ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶନାମା ଜାରି କରିଛନ୍ତି । ପାର୍କିଂସ୍ଥଳ ସହିତ ଓପନ ସ୍ପେସ୍‌ ପାଇଁ ମଧ୍ୟ ଲାଗୁ ଏହି ନିୟମ ହେବ ।