ସତ୍ୟେନ୍ଦ୍ରଙ୍କୁ ମିଳିବ କି ଜାମିନ ? ଆଜି ଦିଲ୍ଲୀ ହାଇକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ :  ଆଜି ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ମାମଲାର ଶୁଣାଣି ।  ବେଆଇନ ଅର୍ଥକାରବାର ମାମଲା ପ୍ରସଙ୍ଗରେ ଜେଲରେ ଥିବା ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ମାମଲାର ଶୁଣାଣି ଆଜି କରିବେ ଦିଲ୍ଲୀ ହାଇକୋର୍ଟ । ମାମଲାର ତୁରନ୍ତ ବିଚାର ଲାଗି ସତ୍ୟେନ୍ଦ୍ର କରିଥିବା ଆବେଦନକୁ ଗତ ୧୨ ତାରିଖରେ ଅଗ୍ରାହ୍ୟ କରିଥିଲେ ସୁପ୍ରିମକୋର୍ଟ ।

ହାଇକୋର୍ଟରେ ମାମଲାର ବିଚାର ଚାଲିଥିବାରୁ ଏଥିରେ ହସ୍ତକ୍ଷେପ କରାଯାଇପାରିବ ନାହିଁ ବୋଲି କହିଥିଲେ ଜଷ୍ଟିସ ଏମ.ଆର. ଶାହା ଓ ଜଷ୍ଟିସ ଏସ. ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ । ତୁରନ୍ତ ମାମଲାର ଶୁଣାଣି ଲାଗି ସତ୍ୟେନ୍ଦ୍ର କରିଥିବା ଆବେଦନର ତୀବ୍ର ବିରୋଧ କରିଥିଲେ ସଲିସିଟର ଜେନେରାଲ ତୁଷାର ମେହଟା । ଗତ ଡିସେମ୍ବର ୧ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରୁ ସତ୍ୟେନ୍ଦ୍ରଙ୍କ ଜାମିନ ସଂକ୍ରାନ୍ତରେ ମତ ମାଗିଥିଲେ ଦିଲ୍ଲୀ ହାଇକୋର୍ଟ ।

ଗତ ୨୦୧୭ସେପ୍ଟେମ୍ବର ୩୦ ତାରିଖରେ ବେଆଇନ ଅର୍ଥ କାରବାର ନିରାକରଣ ଆଇନ ବା ପିଏମଏଲଏ ଅନୁସାରେ ସତ୍ୟେନ୍ଦ୍ରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ଇଡି । ଗତ ମେ ୩୧ ତାରିଖରେ ଗିରଫ ହୋଇଥିବା ସତ୍ୟେନ୍ଦ୍ର ଏବେ ବିଚାର ବିଭାଗୀୟ ହେପାଜତରେ ଅଛନ୍ତି । ଏହି ମାମଲାରେ ଗିରଫ ଅନ୍ୟତମ ଦୁଇ ଅଭିଯୁକ୍ତ ବୈଭବ ଜୈନ ଓ ଅଙ୍କୁଶ ଜୈନଙ୍କ ଜାମିନକୁ ବି ଅଗ୍ରାହ୍ୟ କରିଛନ୍ତି ହୋଇକୋର୍ଟ ।