ଆଦର୍ଶ ବିଦ୍ୟାଳୟରେ ଖାଲି ରହିବନି ପଦବୀ, ୧୧୭୮ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ବର :  ଆଉ ଖାଲି ରହିବନି ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ପଦ । ଖୁବଶୀଘ୍ର ୧୧୭୮ଜଣ ଶିକ୍ଷକଙ୍କୁ ଦିଆଯିବ ନିଯୁକ୍ତି । ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ । ଏଡସିଲ୍ ଇଣ୍ଡିଆ ଚୟନ ପ୍ରକ୍ରିୟା ତ୍ବରାନ୍ବିତ କରିବ । ସରକାରୀ ସ୍ତରରେ ଏନେଇ ଅନୁମୋଦନ ମିଳିଥିବା ବେଳେ ଚଳିତ ପର୍ଯ୍ୟାୟରେ ଖାଲିଥିବା ସବୁ ଶିକ୍ଷକ ପଦବୀ ପୂରଣ ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପଦକ୍ଷେପ ଗ୍ରହଣ କରିଛି ।

ପଦ ସଂରକ୍ଷିତ ପାଇଁ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସ୍ତରରେ ଅନୁମୋଦନ ମିଳିଥିବା ବେଳେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅନୁମତି ବାକି ରହିଛି । ୧୧୭୮ ପଦରୁ ଶହେଟି ପଦ ଅଧ୍ୟକ୍ଷଙ୍କ ପାଇଁ ଥିବା ବେଳେ ପୋଷ୍ଟ ଗ୍ରାଜୁଏଟ ଶିକ୍ଷକ ବର୍ଗର ୫୧ଟି ଇଂରାଜୀ ପଦ, ୬୨ଟି ଫିଜିକ୍ସ, ୪୧ଟି ବାୟୋଲୋଜି, ୨୫ଟି ବାଣିଜ୍ୟ, ୧୧ଟି ଅର୍ଥନୀତି ଓ ୬୧ ଲେଖାଏଁ କେମେଷ୍ଟ୍ରି ଓ ଗଣିତ ଶିକ୍ଷକ ନିଯୁକ୍ତି ପାଇବେ । ସେହିପରି ଟ୍ରେଣ୍ଡ ଗ୍ରାଜୁଏଟ ଶିକ୍ଷକ ବର୍ଗର ୧୬୩ଟି ଇଂରାଜୀ, ୩୩ଟି ବିଜ୍ଞାନ, ୧୦୮ଟି ଗଣିତ, ୮୧ଟି ସାମାଜିକ ବିଜ୍ଞାନ ଓ ଓଡ଼ିଆରେ ୮ଟି ଶିକ୍ଷକ ପଦ ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ ।

୨୦୫ଟି ପଦରେ କଳା ଶିକ୍ଷକ ନିଯୁକ୍ତି ପାଇବାକୁ ଥିବା ବେଳେ ୭୯ଜଣ କମ୍ପ୍ୟୁଟର ଶିକ୍ଷକ ଓ ୮୯ଜଣ ଖେଳ ଶିକ୍ଷକ ନିଯୁକ୍ତି ପାଇବେ । ୪୯୯ଟି ଅନୁସୂଚିତ ଜନଜାତି, ୨୧୧ଟି ଅନୁସୂଚିତ ଜାତି, ୧୦୪ଟି ଏସଇବିସି ଓ ୩୬୪ଟି ସାଧାରଣ ବର୍ଗଙ୍କ ପାଇଁ ଉଦ୍ଧିଷ୍ଟ ରହିବ । ଅନଲାଇନରେ ଆବେଦନ ଓ ଦକ୍ଷତା ପରୀକ୍ଷା ହେବ । ନିଯୁକ୍ତି ସଂକ୍ରାନ୍ତୀୟ ସବିଶେଷ ତଥ୍ୟ ଓଏଭିଏସ ୱେବସାଇଟରେ ଉପଲବ୍ଧ ହେବ ।