ଚୀନରେ ବେକାବୁ କରୋନା ସ୍ଥିତି: ହସ୍ପିଟାଲ ଫୁଲ୍, ଶ୍ମଶାନରେ ଜାଗା ମିଳୁନି

ବେଜିଂ :  ଚୀନରେ କରୋନା ସ୍ଥିତି ସାଂଘାତିକ । ଅନ୍ତୁଡିଶାଳରେ ଭୂତାଣୁର ତାଣ୍ଡବ । ହସ୍ପିଟାଲ ଫୁଲ୍, ଶ୍ମଶାନରେ ଜାଗା ମିଳୁନି । ଶବଦାହ ପାଇଁ ଶ୍ମଶାନ ବାହାରେ ପରିଜନଙ୍କ ଲମ୍ବାଧାଡ଼ି । ଚୀନରେ ମହାମାରୀ ବିସ୍ଫୋରକ ରୂପ ଧାରଣ କରିଛି । ଚୀନରେ କରୋନା କଟକଣାକୁ ନେଇ ଦେଶବ୍ୟାପୀ ବିଦ୍ରୋହ ପରେ କଟକଣା କୋହଳ କରି ଦିଆଯାଇଛି । କଟକଣା ହଟିବା ପରେ ସାରା ଦେଶରେ ମାଡୁଛି ସଂକ୍ରମଣ । ଲକ୍ଷାଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ହସ୍ପିଟାଲରେ ବି ଗୁରୁତର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

ଏବେ ଚୀନ୍ ସ୍ଥିତି ଆଉଟ ଅଫ୍ କଣ୍ଟ୍ରୋଲ ହୋଇଛି । ଚୀନର ପ୍ରାୟ ୬୦ ପ୍ରତିଶତ ନାଗରିକ କରୋନା ସଂକ୍ରମିତ ହେବେ ଓ ଲକ୍ଷାଧିକଙ୍କର ମୃତ୍ୟୁ ହୋଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ମହାମାରୀ ବିଶେଷଜ୍ଞ ଏରିକ ଫିଗଲ ଡିଙ୍ଗ । ଆସନ୍ତା ୯୦ ଦିନ ମଧ୍ୟରେ ଚୀନର ୯୦ ପ୍ରତିଶତ ନାଗରିକ କରୋନା ପଜିଟିଭ ହେବେ ବୋଲି ଏରିକ କହିଛନ୍ତି । ରାଜଧାନୀ ବେଜିଂରେ ଥିବା ଶବାଗାରଗୁଡ଼ିକ କରୋନା ସ୍ଥିତି ବୟାନ କରୁଛି ।

ନୂଆ ବର୍ଷରେ ଚୀନରେ କରୋନାର ମହାବିସ୍ଫୋଟ ହେବ ବୋଲି ଆଶଙ୍କା ବ୍ୟକ୍ତ କରିଛି ଆମେରିକାର ଏକ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ । କରୋନା ସ୍ଥିତି ବିଗୁଡୁଥିବା ବେଳେ ରାଜଧାନୀ ସମେତ ଅନ୍ୟ କିଛି ସହରରେ ଥଣ୍ଡା ଜ୍ବର ଓ ଆଣ୍ଟିବାୟୋଟିକ୍ ମେଡିସିନର ଅଭାବ ଦେଖାଦେଇଛି ।