ଓ୍ୱାଶିଂଟନ: ଟୁଇଟର ମାଲିକାନା ବଦଳିବା ପରେ ଅନେକ ନୀତିରେ ପରିବର୍ତ୍ତନ ହୋଇଛି । ଏବେ ୮ ଡଲାରରେ ବ୍ଲୁ ଟିକ୍ ସ୍କିମ୍ ଉପରେ ରୋକ ଲଗାଇଛି କମ୍ପାନୀ । ଟୁଇଟର ବ୍ଲୁ ଟିକ୍ ୟୁଜର୍ସଙ୍କ ପାଇଁ ପେଡ୍ ସୁବିଧା କରାଯିବା ପରେ ଅନେକ ଭେରିଫାଏଡ ଆକାଉଣ୍ଟର ନାମ ପରିବର୍ତ୍ତନ ହୋଇଥିବା ଦେଖାଯାଇଥିଲା । ଏପରିକି ସିଇଓ ଏଲନ ମସ୍କଙ୍କର ମଧ୍ୟ ଭେରିଫାଏଡ ଆକାଉଣ୍ଟ ଖୋଲାଯାଇଥିଲା । ତେବେ ଫେକ୍ ୟୁଜର୍ସଙ୍କ ଚିହ୍ନଟ ନହେବା ପର୍ଯ୍ୟନ୍ତ କମ୍ପାନୀର ପେଡ୍ ବ୍ଲୁ ଟିକ୍ ସ୍କିମ ଉପରେ ରୋକ ଲଗାଯାଇଛି ବୋଲି ଆଜି ମସ୍କ ଟୁଇଟ କରି ସୂଚନା ଦେଇଛନ୍ତି । ନଭେମ୍ବର ୨୯ରୁ ଟୁଇଟରର ବ୍ଲୁ ଟିକ୍ ଭେରିଫିକେସନ ସ୍କିମ୍ ରିଲଞ୍ଚ ହେବାକୁ ଥିଲା । ମାତ୍ର ଏହା ପୂର୍ବରୁ କମ୍ପାନୀ ଏହା ଉପରେ ରୋକ ଲଗାଇଛି ।
ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଶେଷ ଟି-ଟ୍ବେଣ୍ଟି, ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ନାପିୟର: ଆଜି ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ତଥା ଶେଷ ଟି-୨୦ । ଏହି ତିନିଟିକିଆ ସିରିଜର ପ୍ରଥମ ମ୍ୟାଚ ବର୍ଷା ପାଇଁ ବାତିଲ ହୋଇଥିଲା । ତେବେ ଦ୍ୱିତୀୟ ଟି-୨୦ରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଦମଦାର ବିଜୟ ହାସଲ କରିଥିଲେ । ଏହି ବିଜୟ ସହ ତିନି ଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ । ତେଣୁ ଆଜିର ମ୍ୟାଚରେ ବିଜୟ ଲାଭ କରି ଏହି ସିରିଜକୁ ୨-୦ରେ ଜିତିବାକୁ ଚେଷ୍ଟା କରିବ ଭାରତ ।
Hello from McLean Park, Napier for the 3⃣rd and final #NZvIND T20I 👋👋#TeamIndia pic.twitter.com/0rZwZjlf4w
— BCCI (@BCCI) November 22, 2022
ଅନ୍ୟପକ୍ଷରେ ଘରୋଇ ନ୍ୟୁଜିଲାଣ୍ଡ ପାଇଁ ଏହି ମ୍ୟାଚ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ଆଜିର ମ୍ୟାଚକୁ ଜିତି ଏହି ସିରିଜକୁ ବରାବର କରିବାକୁ ଚେଷ୍ଟା କରିବ ଘରୋଇ ଦଳ । ତେବେ ନ୍ୟୁଜିଲାଣ୍ଡ ପାଇଁ ତା’ର ବ୍ୟାଟିଂ ଚିନ୍ତାର କାରଣ ପାଲଟିଛି । ସବୁଠାରୁ ବଡ଼ କଥା ହେଉଛି ଆଜିର ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ଅଧିନାୟକ କେନ୍ ଓ୍ୱିଲିୟମସନ ଖେଳିବେନି । ଯାହାଫଳରେ ଏହି ମ୍ୟାଚରେ ଅଧିନାୟକତ୍ୱ ସମ୍ଭାଳିବେ ଟିମ୍ ସାଉଦି । ଶେଷ ମ୍ୟାଚରେ କେନ୍ ଓ୍ୱିଲିୟମସନଙ୍କ ଅନୁପସ୍ଥିତିରେ ଫିନ୍ ଆଲେନଙ୍କ ସହ ମାର୍ଟିନ ଗପ୍ଟିଲ ପାଳି ଆରମ୍ଭ କରିପାରନ୍ତି । ସେହିପରି ବୋଲିଂ କଥା ଯଦି କହିବା ତାହାଲେ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ଦଳର ବୋଲିଂ ଲାଇନ ଅଫ୍ ବେଶ୍ ସନ୍ତୁଳିତ ରହିଛି । ତେଣୁ କିଛି ପରିବର୍ତ୍ତନ କରିବାର ସମ୍ଭାବନା ନାହିଁ ।
ଭୂମିକମ୍ପ ପରେ ଇଣ୍ଡୋନେସିଆରେ ବଢୁଛି ମୃତ୍ୟୁସଂଖ୍ୟା, ଗଲାଣି ୧୬୨ରୁ ଅଧିକ ଲୋକଙ୍କ ଜୀବନ
ବାଲି: ବଢ଼ିବାରେ ଲାଗିଛି ଇଣ୍ଡୋନେସିଆରେ ଭୂକମ୍ପ ଜନିତ ମୃତ୍ୟୁ ସଂଖ୍ୟା । ବିପର୍ଯ୍ୟୟରେ ମୃତକଙ୍କ ସଂଖ୍ୟା ୧୬୨ରୁ ଅଧିକ ହୋଇଥିବାବେଳେ ସହସ୍ରାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ପ୍ରଳୟଙ୍କରୀ ଭୂକମ୍ପରେ ହଜାର ହଜାର ଘର ଧ୍ୱଂସ ହୋଇଛି । ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୬ ଥିବା ସୂଚନା ମିଳିଛି । ବିଭିନ୍ନ ସ୍ଥାନରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ସୁନାମି ଆଶଙ୍କା ନାହିଁ ବୋଲି କୁହାଯାଇଛି ।
ଜାକର୍ତ୍ତାରୁ ୭୫ କିଲୋମିଟର ଦୂର ସିଆଞ୍ଜୁରରେ ଭୂଗର୍ଭର ୧୦ କିଲୋମିଟର ଗଭୀରରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପ ପରେ ଜାତୀୟ ବିପର୍ଯ୍ୟୟ ସଂସ୍ଥା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କେତେକ ସ୍ଥାନରେ ଅନେକ କୋଠା ଧୂଳିସାତ ହୋଇଥିବା ସୂଚନା ମିଳିଛି । ଭୂକମ୍ପ ପରେ ପରେ ୨୫ ଥର ଆଫ୍ଟରସକ୍ ଘଟିଥିବା ସୂଚନା ମିଳିଛି ।
କୋରାଇରେ ସ୍ୱାଭାବିକ୍ ହେଳା ରେଳ ଚଳାଚଳ, ଉଭୟ ଅପ୍ ଓ ଡାଉନ୍ ଲାଇନରେ ଚାଲିଛି ଟ୍ରେନ୍
କୋରାଇ: ଦୀର୍ଘ ସମୟର କଠିନ ପରିଶ୍ରମ ପରେ ଯାଜପୁର କୋରାଇ ରେଳ ଷ୍ଟେସନର ଉଭୟ ଲାଇନରେ ସ୍ୱାଭାବିକ୍ ହୋଇଛି ରେଳ ଚଳାଚଳ । ରେଳ ବିଭାଗ କର୍ମଚାରୀଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଥିଲା ଟ୍ରେନ୍ ଲାଇନ୍ ସଫେଇ ଓ ମରାମତି କାର୍ଯ୍ୟ । ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଟ୍ରେନ୍ ଲାଇନରୁ ମାଲବାହୀ ଟ୍ରେନର ବଗିକୁ କଢ଼ାଯାଇଛି । ସେହିପରି ଟ୍ରେନ୍ ଲାଇନ୍ ମରାମତି ହୋଇଛି । ଗତକାଲି ରାତିରେ ଗୋଟିଏ ଲାଇନରେ ଟ୍ରେନ ଚଳାଚଳ କରିଥିବା ବେଳେ, ଆଜି ଉଭୟ ଅପ୍ ଓ ଡାଉନ୍ ଲାଇନରେ ସ୍ୱାଭାବିକ୍ ହୋଇଛି ଟ୍ରେନ୍ ଚଳାଚଳ ।
ଅନ୍ୟପଟେ ମାଲବାହୀ ଟ୍ରେନ କିପରି ଦୁର୍ଘଟଣା ହେଲା, ତା’ର ଉଚ୍ଚସ୍ତରୀୟ ତଦନ୍ତ କରାଯିବ । କାହିଁକି ଲାଇନଚ୍ୟୁତ ହେଲା ମାଲଗାଡ଼ି ଟ୍ରେନର ବଗି । ଗୋଟିଏ ବଗିର ଚକ କୁଆଡ଼େ ଗଲା ? ଟ୍ରାକରେ ନା ଟ୍ରେନରେ ଥିଲା ସମସ୍ୟା । ଏଭଳି ଅନେକ ଦିଗକୁ ନେଇ ତଦନ୍ତ କରାଯିବ । ଗତକାଲି ସକାଳ ୬ଟା ୪୪ ମିନିଟରେ କୋରାଇ ରେଳ ଷ୍ଟେସନର ପ୍ଲାଟଫର୍ମରେ ଲୋକ ଟ୍ରେନକୁ ଅପେକ୍ଷା କରିଥିବା ବେଳେ ହଠାତ୍ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା । ଦେଖୁ ଦେଖୁ ଟ୍ରେନର ୮ଟି ବଗି ପ୍ଲାଟଫର୍ମ ଉପରକୁ ଚଢ଼ିଯାଇଥିଲା । ସେହିପରି କିଛି ବଗି ଟିକେଟ୍ କାଉଣ୍ଟରକୁ ମାଡ଼ି ଯାଇଥିଲା । ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୩ ଜଣ ଗୁରୁତର ହୋଇଥିଲେ ।
ଖବର ପ୍ରଘଟ ହେବା ପରେ ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ ଅଗ୍ନିଶମ ବାହିନୀ, ଆରପିଏଫ୍ ଓ ସ୍ଥାନୀୟ ବାସିନ୍ଦା । ଏହାସହ ଭଦ୍ରକ ଓ ଖୋର୍ଦ୍ଧାରୁ ଏକ ସ୍ୱତନ୍ତ୍ର ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିଥିଲେ । ଦୁର୍ଘଟଣା ଯୋଗୁ ଉଭୟ ଅପ୍ ଓ ଡାଉନ ଲାଇନରେ ଟ୍ରେନ ଚଳାଚଳ ବନ୍ଦ ରହିଥିଲା । ଘଟଣାର କେଉଁ ସ୍ତରୀୟ ତଦନ୍ତ ହେବ ସେନେଇ ରେଳବାଇ ସୁରକ୍ଷା ମୁଖ୍ୟ ସୁପାରିଶ କରିବେ ବୋଲି ସୂଚନା ଦେଇଛନ୍ତି ପୂର୍ବତଟ ରେଳବାଇ ମୁଖ୍ୟ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ।
ଘନଉଛି ଜାପୋରିଜିୟା ଆଣବିକ ପ୍ଲାଣ୍ଟ ପ୍ରତି ବିପଦ, କୌଣସି ମୁହୂର୍ତ୍ତରେ ଘଟିପାରେ ଭୟଙ୍କର ଅଘଟଣ
କିଭ୍: ଘନଉଛି ଜାପୋରିଜିୟା ଆଣବିକ ପ୍ଲାଣ୍ଟ ପ୍ରତି ବିପଦ । କୌଣସି ମୁହୂର୍ତ୍ତରେ ଭୟଙ୍କର ବିପଦ ଘଟିପାରେ ବୋଲି ସତର୍କ କରାଇଛି ଋଷ । ଆଣବିକ ପ୍ଲାଣ୍ଟ ନିକଟରେ ୟୁକ୍ରେନ ସୈନ୍ୟ ବାରମ୍ବାର ଆକ୍ରମଣ କରୁଥିବାରୁ ପ୍ଲାଣ୍ଟ ପ୍ରତି ବିପଦ ସୃଷ୍ଟି ହେଲାଣି ବୋଲି କହିଛି ଋଷ । ବିଶ୍ୱର ସମସ୍ତ ରାଷ୍ଟ୍ର ୟୁକ୍ରେନକୁ ଏଥିରୁ ନିବୃତ୍ତ କରିବା ଦିଗରେ ଆଗେଇ ଆସିବା ଲାଗି ଆହ୍ବାନ ଦେଇଛି ଋଷ । ସେପଟେ ଋଷର ଏହି ଅଭିଯୋଗକୁ ଖଣ୍ଡନ କରିଛି ୟୁକ୍ରେନ । ଋଷ ହିଁ ଆକ୍ରମଣ ଜାରି ରଖିଛି ବୋଲି ୟୁକ୍ରେନ ଅଭିଯୋଗ କରିଛି ।
୧୯୮୬ରେ ଚେର୍ଣ୍ଣୋବିଲ ଆଣବିକ ତେଜଷ୍କ୍ରିୟ ଲିକ୍ ଘଟଣାର କରାଳ ଦୃଶ୍ୟ ମନରୁ ନ ଲିଭି ଥିବାବେଳେ ଏବେ ଜାପୋରିଜିୟାରେ କୌଣସି ମୁହୂର୍ତ୍ତରେ ବିପଦ ଉଭା ହେବ ବୋଲି ଆଶଙ୍କା ସୃଷ୍ଟିହୋଇଛି । ଚେର୍ଣ୍ଣୋବିଲଠାରୁ ଜାପୋରିଜିୟାର ଦୂରତା ୫୦୦ କିଲୋମିଟର । ଜାପୋରିଜିୟାର ସୁରକ୍ଷା ଲାଗି ଆନ୍ତର୍ଜାତିକ ଆଣବିକ ଶକ୍ତି ସଂସ୍ଥା ବା ଆଇଏଇଏ ସହ ଆଲୋଚନା କରିଛନ୍ତି ଋଷ ରସାତୋମ ଆଣବିକ ସହଯୋଗ ସଂସ୍ଥାର ମହାନିର୍ଦ୍ଦେଶକ ଆଲେକ୍ସି ଲିଖାଚେଭ ।
ପ୍ରବଳ ଜାଡ଼ରେ ଥରୁଛି ଓଡ଼ିଶା
ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ ବଢ଼ିଲାଣି ଶୀତ । କୁହୁଡ଼ିରେ ଆଚ୍ଛାଦିତ ହୋଇଛି ଶୀତୁଆ ସକାଳ । କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ଅଧିକ ଶୀତ ଅନୂଭୁତ ହେଲାଣି । କୋରାପୁଟ ଜିଲ୍ଲାରେ ଥଣ୍ଡାର ପ୍ରକୋପ ବି ବଢ଼ିଛି । କୋରାପୁଟ ଜିଲ୍ଲାର ସେମିଳିଗୁଡ଼ାରେ ଗତ ଏକ ସପ୍ତାହ ହେଲା ରାଜ୍ୟର ଅଧିକ ଥଣ୍ଡା ଅନୁଭୂତ ହେଉଛି । ସେଥିପାଇଁ ଗ୍ରାମାଞ୍ଚଳରେ ଲୋକେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ କିଏ ନିଆଁ ଲଗାଇ ବସୁଛନ୍ତି, ତ କିଏ ସକାଳୁ ବ୍ୟାୟାମ କରୁଥିବା ଦେଖିବାକୁ ମିଳୁଛି ।
ଖେଳପ୍ରେମୀଙ୍କ ପାଇଁ ଖୁସି ଖବର, ଆଜିଠୁ ହକି ବିଶ୍ବକପର ପ୍ରି ରେଜିଷ୍ଟ୍ରେସନ
ଭୁବନେଶ୍ବର: ବହୁପ୍ରତିକ୍ଷିତ ହକି ବିଶ୍ୱକପ ଟିକେଟ ପାଇଁ କାଉଣ୍ଟଡାଉନ ଆରମ୍ଭ । ଭୁବନେଶ୍ୱର ଓ ରାଉରକେଲାରେ ହେବାକୁ ଥିବା ହକି ବିଶ୍ୱକପ ପାଇଁ ଖୁବଶୀଘ୍ର ଆରମ୍ଭ ହେବ ଟିକେଟ ବିକ୍ରି । ଖେଳ ଦେଖିବାକୁ ଇଚ୍ଛୁକ ଦର୍ଶକ ହକି ବିଶ୍ୱକପର ଟିକେଟ କିଣିବା ପାଇଁ ଆଜିଠୁ ପ୍ରି-ରେଜିଷ୍ଟ୍ରେସନ କରିପାରିବେ । ଏଥିପାଇଁ ଏଫଆଇଏଚ ପକ୍ଷରୁ ନୋଟିଫିକେସନ ଜାରି ହୋଇଛି ।

