spot_img
Home Blog Page 3817

ପଦମପୁର ଉପନିର୍ବାଚନ: ଗ୍ରାଉଣ୍ଡ ଜିରୋରେ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ପଦମପୁର: ପଦମପୁରରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ନେଇ ତର୍ଜମା କଲେ ସିଇଓ । କାର୍ଯ୍ୟାନୁଷ୍ଠାନ ପାଇଁ ପରାମର୍ଶ ଦେଲେ । ତଦାରଖ କଲେ ଆଇନଶୃଙ୍ଖଳା ପରିସ୍ଥିତି । ପଦମପୁର ଉପନିର୍ବାଚନ ପାଇଁ କିପରି ଚାଲିଛି ପ୍ରସ୍ତୁତି । ଗ୍ରାଉଣ୍ଡଜିରୋରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

ଏହାସହ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ତର୍ଜମା କରିଛନ୍ତି । କାଉଣ୍ଟିଂ ସେଣ୍ଟର ଓ ଷ୍ଟ୍ରଙ୍ଗ ରୁମ୍‌ ବୁଲି ଦେଖିଛନ୍ତି। ସମୀକ୍ଷା ପରେ ସୁରୁଖୁରୁରେ ନିର୍ବାଚନ ପାଇଁ ରାଜନୈତିକ ଦଳଙ୍କୁ ଅନୁରୋଧ କରିଛନ୍ତି ସିଇଓ । ପ୍ରକାଶଯୋଗ୍ୟ, ଡିସେମ୍ବର ୫ ତାରିଖରେ ପଦ୍ମପୁରରେ ଉପ-ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ପ୍ରଚାର ଜୋରଦାର କରିଛନ୍ତି ।

ସୁପ୍ରିମକୋର୍ଟରେ କେନ୍ଦ୍ରର ସତ୍ୟପାଠ; କରୋନା ଟିକାରେ ମୃତ୍ୟୁ ପାଇଁ ସରକାର ଦାୟୀ ନୁହଁନ୍ତି

ନୂଆଦିଲ୍ଲୀ: କରୋନା ଟିକାକୁ ନେଇ କେନ୍ଦ୍ର ସରକାର ବଡ଼ କଥା କହିଛନ୍ତି । କରୋନା ଟିକା ଦ୍ୱାରା ହେଉଥିବା ମୃତ୍ୟୁ ପାଇଁ କେନ୍ଦ୍ର ସରକାର ଦାୟୀ ନୁହଁନ୍ତି ବୋଲି କହିଛନ୍ତି । କରୋନା ଟିକା କାରଣରୁ ହୋଇଥିବା କଥିତ ମୃତ୍ୟୁ ପାଇଁ କେନ୍ଦ୍ର ସରକାର କୌଣସି ଦାୟିତ୍ୱ ନେବାକୁ ମନା କରିଦେଇଛନ୍ତି । କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ କହିଛନ୍ତି ଯେ, ମୃତକ ଏବଂ ସେମାନଙ୍କ ପରିବାରବର୍ଗ ପ୍ରତି ଆମର ସହାନୁଭୂତି ରହିଛି, କିନ୍ତୁ ଟୀକାକରଣ ପରେ କୌଣସି ପ୍ରତିକୂଳ ପ୍ରଭାବ ପାଇଁ ଆମକୁ ଦାୟୀ କରାଯାଇ ପାରିବ ନାହିଁ ।

ପ୍ରକାଶଯୋଗ୍ୟ ଏହି ମାମଲା ଗତ ବର୍ଷ ଦୁଇ ଯୁବତୀଙ୍କ କଥିତ ରୂପରେ କରୋନା ଟୀକାକରଣ ପରେ ହୋଇଥିବା ମୃତ୍ୟୁ ସହ ସମ୍ବନ୍ଧିତ ଅଟେ । ଏହି ମାମଲାରେ ଯୁବତୀଙ୍କ ବାପା ମାଆ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଯାଚିକାରେ ସୁପ୍ରିମକୋର୍ଟଙ୍କୁ କରୋନା ଟିକା ଦ୍ୱାରା ହୋଇଥିବା ଏହି ମୃତ୍ୟୁର ନିରପେକ୍ଷ ଯାଞ୍ଚ କରାଇବା ପାଇଁ ଦାବି କରାଯାଇଥିଲା । ଯାଚିକାରେ ଟୀକାକରଣ ପରେ କୌଣସି ବି ପାର୍ଶ୍ୱ ପ୍ରତିକ୍ରିୟା ହେବା ପୂର୍ବରୁ ଚିହ୍ନଟ କରି ସେଥିରୁ ରକ୍ଷା ପାଇବାର ଉପାୟ ବାହାର କରିବା ପାଇଁ ବିଶେଷଜ୍ଞଙ୍କ ବୋର୍ଡ ବନାଇବାର ଆଦେଶ ଦେବାକୁ ଦାବି କରାଯାଇଥିଲା ।

ଏହି ଯାଚିକାରେ ସୁପ୍ରମକୋର୍ଟ ନୋଟିସ ଜାରି କରି କେନ୍ଦ୍ରକୁ ଜବାବ ମାଗିଥିଲେ । ଏହା ଉପରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସତ୍ୟପାଠ ଦାଖଲ କରିଛନ୍ତି । ଏଥିରେ କୁହାଯାଇଛି ଯେ, ଟିକାର ପ୍ରତିକୂଳ ପ୍ରଭାବ କାରଣରୁ ହୋଇଥିବା ମୃତ୍ୟୁ ଓ କ୍ଷତିପୂରଣ ପାଇଁ କେନ୍ଦ୍ରକୁ ଦାୟୀ କରିବା ଆଇନ ଅନୁଯାୟୀ ଉଚିତ ନୁହେଁ । କୋର୍ଟ ଉଭୟ ଯୁବତୀଙ୍କ ମୃତ୍ୟୁରେ ସମ୍ବେଦନା ଓ ସାନ୍ତ୍ୱନା ଦେଇ କହିଛନ୍ତି, କେବଳ ଗୋଟିଏ ମାମଲାରେ ଏଇଏଫଆଇ କମିଟି ଟିକାକରଣର ପାର୍ଶ୍ୱପ୍ରତିକ୍ରିୟା ଦ୍ୱାରା ମୃତ୍ୟୁ ହୋଇଥିବା ପୃଷ୍ଟି କରିଛି ।

କେନ୍ଦ୍ର ସତ୍ୟପାଠ ଆଧାରରେ ଦାଖଲ ଜବାବରେ କହିଛନ୍ତି ଯେ, ଯେଉଁ ମାମଲାରେ ଟିକା ଦ୍ୱାରା ମୃତ୍ୟୁ ହୋଇଛି, ସେହି ମାମଲାରେ ସିଭିଲ କୋର୍ଟରେ ମକଦ୍ଦମା ଦାଖଲ କରି କ୍ଷତିପୂରଣ ମଗାଯାଇ ପାରିବ । କେନ୍ଦ୍ରର ଏହି ସତ୍ୟପାଠ ପରେ କରୋନା ଟିକାକୁ ନେଇ ଲୋକଙ୍କ ମାନଙ୍କ ମନରେ ପ୍ରଶ୍ନ ଉଠିଛି । ମହାମାରୀ କରୋନା ଦାଉରୁ ରକ୍ଷା କରିବା ପାଇଁ ଲୋକମାନେ ଟିକା ନେଉଛନ୍ତି । ହେଲେ ସେହି ଟିକା ଦ୍ୱାରା ହେଉଥିବା ପାର୍ଶ ପ୍ରତିକ୍ରିୟା ପାଇଁ ସରକାର କୌଣସି ଦାୟିତ୍ୱ ନେବା ପାଇଁ ମନା କରି ଦେଇଛନ୍ତି । ଏପରି ସ୍ଥିତିରେ ଲୋକମାନେ କରୋନା ଟିକାକୁ କିଭଳି ଭରସା କରିବେ ବୋଲି କୁହାଯାଇଛି ।

ମୋଦିଙ୍କୁ ଖଡଗେଙ୍କ ପ୍ରଶ୍ନ: କ’ଣ ରାବଣ ଭଳି ଆପଣଙ୍କର ଶହେ ମୁହଁ ?

ଅହମ୍ମଦାବାଦ: ଗୁଜୁରାଟ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଛି । ହେବିୱେଟ୍ ନେତାମାନେ ନିଜ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି । ନେତାମାନେ ଆରୋପ ପ୍ରତ୍ୟାରୋପ ମଧ୍ୟ ଜାରି ରଖିଛନ୍ତି । ଏହାରି ମଧ୍ୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ପୁଣି ଗୋଟେଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବୟାନ ଦେଇଛନ୍ତି । ଅହମ୍ମଦାବାଦରେ ଜନସଭା ସମୟରେ ଖଡଗେ କହିଛନ୍ତି କଣ ରାବଣ ଭଳି ମୋଦିଙ୍କର ୧୦୦ ମୁହଁ ଅଛି? ମୋତେ ବୁଝା ପଡ଼ୁନାହିଁ ।

ରବିବାର ସୁରଟରେ ଜନସଭା ସମୟରେ ଖଡଗେ ନିଜକୁ ଅଛୁଆଁ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଛର ସରଦାର ବୋଲି କହିଥିଲେ । ବେହରାମ ପୁରାରେ ଜନସଭା ସମୟରେ ଖଡଗେ କହିଛନ୍ତି, ପ୍ରଧାନମନ୍ତ୍ରୀ କୁହନ୍ତି ଯେ ଅନ୍ୟ କେଉଁଠିକୁ ଦେଖନି । ମୋଦିକୁ ଦେଖି ଭୋଟ ଦିଅ । କେତେଥର ଥର ତମ ମୁହଁ ଦେଖିବୁ? ଆମେ କର୍ପୋରେସନ ନିର୍ବାଚନରେ ତୁମର ମୁଁହ ଦେଖିଥିଲୁ । ଏମଲଏ ନିର୍ବାଚନରେ, ଏମପି ନିର୍ବାଚନରେ ମୁଁହ ଦେଖିଥିଲୁ । ସବୁ ସ୍ଥାନରେ କଣ ରାବଣ ଭଳି ଆପଣଙ୍କର ବି ୧୦୦ ମୁଁହ ଅଛି । ମୋତେ ବୁଝା ପଡ଼ୁନାହିଁ ।

ଖଡଗେଙ୍କ ଏହି ବୟାନକୁ ନେଇ ବିଜେପି କଂଗ୍ରେସକୁ ସମାଲୋଚନା କରିଛି । ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବୀୟ ମଙ୍ଗଳବାର କହିଛନ୍ତି ଖଡଗେ ଗୁଜୁରାଟ ବିଧାନସଭା ନିର୍ବାଚନର ଚାପ ସହି ପାରୁନାହାନ୍ତି । ବିଜେପି ପ୍ରବକ୍ତା ଶାହଜାଦ ପୁନାୱାଲା କହିଛନ୍ତି ଯେ କଂଗ୍ରେସ ସେଇଆ କରିଛି ଯେଉଁଥିରେ ସେ ପାରଙ୍ଗମ ଅଟେ । କଂଗ୍ରେସ ପ୍ରଧାନମନ୍ତ୍ରୀ ପଦର ଅସମ୍ମାନ କରିବା ଆରମ୍ଭ କରିଦେଇଛି । ଖଡଗେଙ୍କ ବୟାନ ସଂଯୋଗ ନୁହେଁ, ଏହା ଭୋଟ ବ୍ୟାଙ୍କ ପାଇଁ ଅଟେ । ସେ ସ୍ୱୀକାର କରିପାରୁନାହାନ୍ତି କି ଜଣେ ଚା’ବାଲା ପ୍ରଧାନମନ୍ତ୍ରୀ ହୋଇଛନ୍ତି ବୋଲି ।

ଆତଙ୍କୀ ଆକ୍ରମଣ ଷଡ଼ଯନ୍ତ୍ର ମାମଲାରେ ଜୈଶ-ଇ-ମହମ୍ମଦର ୫ ଆତଙ୍କବାଦୀଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ଦେଶରେ ଆତଙ୍କୀ ହମଲା ଷଡଯନ୍ତ୍ର ମାମଲାରେ NIA ସ୍ପେଶାଲ କୋର୍ଟଙ୍କ ବଡ଼ ରାୟ । UAPA ଆକ୍ଟରେ ୬ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ୫ ଆତଙ୍କବାଦୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଦିଲ୍ଲୀ ପଟିଆଲା ହାଉସକୋର୍ଟ । ଜଣଙ୍କୁ ୫ବର୍ଷ କାରାଦଣ୍ଡ ପାଇଁ କୋର୍ଟ ରାୟ ଶୁଣାଇଛନ୍ତି । ୬ ଷଡ଼ଯନ୍ତ୍ରକାରୀ ସଜଦ ଅହମ୍ମଦ ଖାନ୍, ତନବୀର ଅହମ୍ମଦ ଗେନି, ବିଲାଲ ଅହମ୍ମଦ ମୀର, ମୁଜାଫର ଅହମ୍ମଦ ଭଟ୍ଟ, ଇସଫାକ ଅହମ୍ମଦ ଭଟ୍ଟ, ମେହରାଜ ଉଦ୍ଦିଦଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

ଭାରତରେ ହମଲା ପାଇଁ ପାକିସ୍ତାନର ଆତଙ୍କୀ ସଂଗଠନ ଜୈଶ ଏ ମହମ୍ମଦ ଷଡଯନ୍ତ୍ର କରିବା ସହ ଅନେକ ପ୍ରଶିକ୍ଷିତ ଆତଙ୍କବାଦୀ ଓ ବିସ୍ଫୋରକ ଏବଂ ମାରଣାସ୍ତ୍ର ଭାରତକୁ ପଠାଇଥିଲା । ଦୋଷୀ ସାବ୍ୟସ୍ତ ହୋଇଥିବା ୬ ଆତଙ୍କୀଙ୍କ ମଧ୍ୟରୁ ବିଲାଲ ମୀର ଓ ମୁଜାଫର ଭାରତରେ ଆତଙ୍କୀ ହମଲା ପାଇଁ ପ୍ଲାନ କରିଥିଲେ । ସଜଦ ଦିଲ୍ଲୀରେ ଯୁବଗୋଷ୍ଠୀଙ୍କୁ ପ୍ରଲୋଭିତ କରି ଆତଙ୍କବାଦୀ ପ୍ରଶିକ୍ଷଣ ଦେବା ପାଇଁ ପ୍ଲାନ କରୁଥିଲା । କୋର୍ଟରେ ପ୍ରମାଣିତ ହେବା ପରେ ୬ ଜଣଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି ।

ଗ୍ୟାଙ୍ଗଷ୍ଟର ଲିଙ୍କରେ ବିଭିନ୍ନ ରାଜ୍ୟର ୨୦ଟି ସ୍ଥାନରେ ଏନଆଇଏ ରେଡ୍

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଲିଙ୍କରେ ଏନଆଇଏ ରେଡ୍ । ଦିଲ୍ଲୀ, ରାଜସ୍ଥାନ, ହରିୟାଣା, ଉତ୍ତରପ୍ରଦେଶ ଓ ପଞ୍ଜାବରେ ଚଢ଼ାଉ କରିଛି NIA ଟିମ୍ । ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେଓ୍ବାଲା ମର୍ଡର କେସ୍, ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ଗୋଲ୍ଡି ବାର ସହ କନେକ୍ସନକୁ ନେଇ ଏନଆଇଏ ଟିମ୍ ମାରାଥନ ରେଡ୍ କରିଛି । ଟେରର-କନେକ୍ସନକୁ ନେଇ ଅନେକ ଗ୍ୟାଙ୍ଗଷ୍ଟର NIA ଲେନ୍ସରେ ରହିଥିବା ବେଳେ ବିଦେଶୀ ଫଣ୍ଡିଂକୁ ନେଇ ଆଜି ସକାଳୁ ରେଡ କରିଛି କେନ୍ଦ୍ରୀୟ ଏଜେନ୍ସି । ଗତକାଲି ଲରେନ୍ସ ବିଷ୍ଣୋଇର ୪ ସହଯୋଗୀଙ୍କୁ ପଞ୍ଜାବ ପୋଲିସ ଗିରଫ କରିଥିଲା । ସେମାନଙ୍କଠାରୁ ୩ଟ ପିସ୍ତଲ, ଗୋଟିଏ ମାଗାଜିନ ଓ ୨୨ଟି ଗୁଳି ଜବତ କରାଯାଇଥିଲା । ଆଜି ପଞ୍ଜାବର ୬ଜିଲ୍ଲାରେ ଏନଆଇଏ ରେଡ୍ ଜାରି ରଖିଛି ।

ବିଜେପି ବିଧାୟିକା ଓ ସମର୍ଥକଙ୍କ ନାଁରେ ଥାନାରେ ଏତଲା ଦେଲେ ଜିଏସଟି ଅଧିକାରୀ

ବରଗଡ଼: ଜିଏସଟି ରେଡ୍ ବେଳେ ବିଜେପି ଗୁଣ୍ଡାଙ୍କ ଆକ୍ରମଣ ଘଟଣା । ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ଜିଏସଟି ଅଧିକାରୀ । ପାଇକମାଳ ଥାନାରେ ଜିଏସଟି ଅଧିକାରୀ ଏତଲା ଦେଇଛନ୍ତି । ବିଜେପି ବିଧାୟିକା କୁସୁମ ଟେଟେ ଓ ତାଙ୍କ ସମର୍ଥକଙ୍କ ନାଁରେ ଅଭିଯୋଗ ହୋଇଛି । ପାଇକମାଳରେ ଜିଏସଟି ଚଢ଼ାଉ ବେଳେ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ କୁସୁମ ଓ ତାଙ୍କ ସମର୍ଥକ । ଜିଏସଟି ଅଧିକାରୀଙ୍କ କାଗଜ ପତ୍ର ଛଡ଼ାଇ ନେଇଥିଲେ ।

ମହିଳା ଅଧିକାରୀଙ୍କୁ ଆକ୍ରମଣ ଓ ଅଶାଳୀନ ବ୍ୟବହାର ଅଭିଯୋଗ ହୋଇଥିଲା । ସରକାରୀ କାର୍ଯ୍ୟରେ ଉଦ୍ଦେଶ୍ୟମୂଳକ ଭାବେ ବାଧା ସୃଷ୍ଟି ଅଭିଯୋଗ । ଜଗଦମ୍ବା କ୍ଲଥ ଷ୍ଟୋରରେ ଚଢାଉ ବେଳେ ୧୦-୨୦ଲୋକ ବାଧା ଦେଇଥିଲେ । କପଡା କିଣିବା ବାହାନାରେ ଚଢାଉ କାର୍ଯ୍ୟରେ ବାଧା ଦେଇଥିଲେ । ଦୋକାନ ମାଲିକ ସୁନୀଲ ଅଗ୍ରୱାଲ ମଧ୍ୟ ସହଯୋଗ କରୁଥିଲେ ।

ଏହାର ୨ଘଣ୍ଟା ପରେ ୫୦୦ରୁ ଅଧିକ ଲୋକ ଜୋର ଜବରଦସ୍ତ ଦୋକାନରେ ପଶିଥିଲେ । ଚଢାଉରେ ନିୟୋଜିତ କର୍ମଚାରୀଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ । ମହିଳା ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ । ସ୍ଥାନୀୟ ପୋଲିସ ଆମକୁ ସେହି ଜାଗାରୁ ଉଦ୍ଧାର କରିଥିଲେ । ଦୁର୍ବୃତ୍ତମାନେ ଗାଡି ଭାଙ୍ଗିବା ସହ ସରକାରୀ କାର୍ଯ୍ୟରେ ବାଧା ଦେଇଥିଲେ । ଏମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ GST ଅଧିକାରୀ ଏତଲା ଦେିଛନ୍ତି ।

ପଦମପୁରରେ ବିଜେପିର ଗୁଣ୍ଡାରାଜକୁ ବିଜେଡିର ତୀବ୍ର ନିନ୍ଦା

ଭୁବନେଶ୍ୱର: ପଦମପୁର ଉପନିର୍ବାଚନକୁ ନେଇ ବିଜେଡିର ପ୍ରେସମିଟ୍ । ଜିଏସଟି ରେଡ୍ ବେଳେ ବିଜେପି ଦ୍ୱାରା ହୋଇଥିବା ଆକ୍ରମଣକୁ ନିନ୍ଦା କରିଛି ବିଜେଡି । ବିଜେଡି ସାଂସଦ ସସ୍ମିତ ପାତ୍ର, ଗୌତମବୁଦ୍ଧ ଦାସ, ଇପ୍ସିତା ସାହୁ ପ୍ରେସମିଟ୍ କରି ବିଜେପିକୁ ଭର୍ତ୍ସନା କରିଛନ୍ତି । ସସ୍ମିତ କହିଛନ୍ତି ପଦମପୁରରେ ହିଂସା ରଚୁଛି ବିଜେପି । ଜିଏସଟି ରେଡ୍ ବେଳେ ସରକାରୀ ଅଧିକାରୀଙ୍କୁ ଆକ୍ରମଣ ନିନ୍ଦନୀୟ । ମହିଳା କର୍ମଚାରୀଙ୍କୁ ବି ଛାଡିଲେନି ଦୁର୍ବ୍ୟବହାର କଲେ ବିଜେପି କର୍ମୀ ।

ଓଡ଼ିଶା ଭଳି ଶାନ୍ତି ପ୍ରିୟ ରାଜ୍ୟରେ ଏପରି ଗୁଣ୍ଡାଗର୍ଦ୍ଦି ବରଦାସ୍ତ କରାଯିବନି । ସିଇଓଙ୍କ ନିକଟରେ ଦାବି କରୁଛୁ ଯେ ସେ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଏଥିସହିତ ଠାକୁର ରଞ୍ଜିତ ଦାସଙ୍କୁ ପ୍ରଚାରରୁ ବ୍ୟାନ କରାଯାଉ ଏବଂ ବିଜେପି ନେତ୍ରୀ ପିଙ୍କି ପ୍ରଧାନଙ୍କୁ କ୍ୟାମ୍ପେନ କରିବାକୁ ନଦିଆଯାଉ ବୋଲି ଦାବି କରିଛି ବିଜେଡି । ପ୍ରାଚର ବେଳେ ଏମାନେ ବିଜେପି କର୍ମୀଙ୍କ ସହ ହିଂସା ରଚୁଛନ୍ତି ।

ସେହିପରି କାଳନ୍ଦୀ ସାମଲ ଓ କୁସୁମ ଟେଟେଙ୍କୁ ମଧ୍ୟ କ୍ୟାମ୍ପେନରୁ ବାଦ୍ ପାଇଁ ଦାବି କରାଯାଇଛି । ଆଇଟି ରେଡକୁ ବିଜେଡି ନେତା ଓ କର୍ମୀ ସମ୍ମନା ଦେଇଥିବା ବେଳେ ଜିଏସଟି ରେଡ୍ ବେଳେ ବିଜେପି କର୍ମୀ ଓ ନେତା ବାଧା ଦେବା ସହ ଗୁଣ୍ଡାଗର୍ଦ୍ଦି କାହିଁକି କଲେ? ଜିଏସଟି ରେଡକୁ କାହିଁକି ବିରୋଧ? କାହିଁକି ରେଡ୍ ବେଳେ ଅଧିକାରୀଙ୍କଠୁ କାଗଜ ଛଡ଼ାଇଲେ ବୋଲି ପ୍ରଶ୍ନ କରିଛି ବିଜେଡି ।

ସସ୍ମିତ ପାତ୍ର କହିଛନ୍ତି, ଗତକାଲି ବିଜେପି କର୍ମୀ ଟଙ୍କା ବାଣ୍ଟିବା ବେଳେ ଧରାପଡ଼ିବା ପରେ କିଡନାପ ଥିଓରୀ ରଚିଥିଲେ । ବିଜେଡିକୁ ବଦନାମ କରିବା ପାଇଁ କିଡନାମ କରାଯାଇଥିବା ଅଭିଯୋଗ କରିଥିଲା ବିଜେପି । ହେଲେ ନିଜେ ଉକ୍ତ କର୍ମୀ ମାନିଛନ୍ତି ଯେ ଟଙ୍କା ବାଣ୍ଟିବା ବେଳେ ଧରାପଡ଼ିବା ପରେ ସେ ଏପରି ଥିଓରୀ ରଚିଥିଲେ । ଏପରି ରାଜନୀତି ବନ୍ଦ କରିବାକୁ ସସ୍ମିତ କହିଛନ୍ତି ।

ହାରିବା ଭୟରେ ବିଳିବିଳେଇ ହୋଇ ବିଜେପି ହିଂସାତ୍ମକ ପନ୍ଥା ଆପଣେଇଛି । ପଦମପୁରବାସୀ ଏହାର ଜବାବ ୫ ତାରିଖରେ ଦେବେ । ଗତକାଲି ଜିଏସଟି ରେଡ୍ ବେଳେ ବିଜେପି ବିଧାୟିକା କୁସୁମ ଟେଟେ ଗୁଣ୍ଡାଗର୍ଦ୍ଦି କରିଥିଲେ । ଶହେ କର୍ମୀଙ୍କୁ ନେଇ ଜିଏସଟି ରେଡ୍ ବେଳେ ଧମକାଇଥିଲେ । ଗୋବର୍ଦ୍ଧନ ଅଗ୍ରୱାଲଙ୍କ ଘରେ ପଶି GST ଅଧିକାରୀଙ୍କୁ ବାରଣ କରିଥିଲେ ।

 

ବିଧାନସଭା ଶୀତ ଅଧିବେଶନର ପଞ୍ଚମ ଦିନ: ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ

ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନର ପଞ୍ଚମ ଦିନ । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା ଓ ହଟ୍ଟଗୋଳ ଯୋଗୁ ଚାଲିପାରିଲାନି ପ୍ରଶ୍ନକାଳ । ଶିକ୍ଷକ ପ୍ରସଙ୍ଗରେ ବାଚସ୍ପତିଙ୍କ ପୋଡିୟମ ଆଗରେ କଂଗ୍ରେସ ବିଧାୟକ ହଟ୍ଟଗୋଳ କରିଥିଲେ । ବାଚସ୍ପତି ବାରମ୍ବାର ବୁଝାଇବା ସତ୍ତ୍ବେ ସ୍ଥିତି ସ୍ବାଭାବିକ୍ ନହେବାରୁ ଗୃହକୁ ସାଢେ ୧୧ ଯାଏ ମୁଲତବି କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଅନ୍ୟପଟେ ଆଜି ସ୍ବାସ୍ଥ୍ୟ ବିଭାଗର ମୁଲତବି ଆଲୋଚନାରେ ଉତ୍ତର ରଖିବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ।

‘ଦ କାଶ୍ମୀର ଫାଇଲ୍ସ’କୁ ଅଶ୍ଲୀଳ ଫିଲ୍ମ କହିଲେ ଆଇଏଫଏଫଆଇ ଜୁରୀ ମୁଖ୍ୟ

ପାନାଜୀ: ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ପୁଣି ଥରେ ବିବାଦ ଘେରରେ ରହିଛି । ସଫଳତାର ଅନେକ ରେକର୍ଡ ଭାଙ୍ଗିଥିଲେ ମଧ୍ୟ ଫିଲ୍ମକୁ ନେଇ ବିବାଦ ଲାଗି ରହିଛି । ନିକଟରେ ଗୋଆରେ ଆୟୋଜିତ ୫୩ତମ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ୍ ଇଣ୍ଡିଆ (IFFI)ର ଶେଷ ଦିନରେ ମଧ୍ୟ ଫିଲ୍ମ ଚର୍ଚ୍ଚାରେ ରହିଥିଲା । ସୂଚନାଯୋଗ୍ୟ, ଆଇଏଫଏଫଆଇର ଜୁରୀ ମୁଖ୍ୟ ଏହି ଫିଲ୍ମ ଉପରେ ପ୍ରଶ୍ନ ଉଠାଇଛନ୍ତି ।

ଜୁରୀ ମୁଖ୍ୟ ଏବଂ ଏସ୍ରାଏଲର ଫିଲ୍ମ ମେକର ନାଦବ ଲାପିଡ ଏହି ପିଲ୍ମକୁ ଅଶ୍ଲୀଳ ଓ ପ୍ରୋପାଗଣ୍ଡା ଫିଲ୍ମ କହିଛନ୍ତି । ଫେଷ୍ଟିଭାଲର କ୍ଲୋଜିଂ ସେରିମନି ସମୟରେ ଲାପିଡ ଏହି କଥା କହିଛନ୍ତି । ଏହି ଅବସରରେ କେନ୍ଦ୍ରୀୟ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଉପସ୍ଥିତ ଥିଲେ । ଫିଲ୍ମର ସ୍କ୍ରିନିଂକୁ ନେଇ ଚକିତ ଓ ସ୍ତବ୍ଧ ଥିବା କହିଛନ୍ତି ନାଦବ । ଫିଲ୍ମକୁ ନିନ୍ଦା କରି ସେ କହିଛନ୍ତି, ଫିଲ୍ମ ଫେଷ୍ଟିଭାଲ ପ୍ରତିଯୋଗିତାରେ ସାମିଲ ହେବା ପାଇଁ ଏହା ଯୋଗ୍ୟ ନୁହେଁ।

ନାଦବଙ୍କ ବୟାନକୁ ନେଇ ଆମେ ଲଜ୍ଜିତ ବୋଲି ଇସ୍ରାଏଲ ରାଷ୍ଟ୍ରଦୂତ ନାଓର ଗିଲୋନ କହିଛନ୍ତି । କୌଣସି ଫିଲ୍ମକୁ ନେଇ ରାଜନୈତିକ ଟିପ୍ପଣୀ ରଖିବା ଜୁରୀ ସଦସ୍ୟଙ୍କ କାମ ନୁହେଁ । ଫିଲ୍ମ କେବଳ ପ୍ରଚାର ପାଇଁ ଥିଲା । ଏହି ଫିଲ୍ମ ଏକ ପ୍ରତିଷ୍ଠିତ ଫିଲ୍ମ ସମାରୋହର ଏକ ପ୍ରତିଯୋଗିତା ସେକ୍ସନ ପାଇଁ ଉଚିତ ନୁହେଁ । ଜୁରୀ ମୁଖ୍ୟଙ୍କ ଏହି ବୟାନ ପରେ ଭାରତରେ ପ୍ରତିକ୍ରୀୟ ପ୍ରକାଶ ପାଇଛି । ଅନୁପମ ଖେରଙ୍କଠୁ ଆରମ୍ଭ କରି ଅନେକ ବଡ଼ ବଡ଼ ତାରକା ତାଙ୍କ ବୟାନକୁ ନିନ୍ଦା କରିଛନ୍ତି । ଏବଂ କ୍ଷମା ମାଗିବା ପାଇଁ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ଭାରତରେ ଏସ୍ରାଏଲର ରାଷ୍ଟ୍ରଦୂତ ଥିବା ନାଓର ଗିଲନ ନଦାଭଙ୍କ ଏହି ବୟାନକୁ ନିନ୍ଦା କରିଛନ୍ତି । ପ୍ରକାଶଥାଉକି, ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀ ଏବଂ ପଲ୍ଲଭି ଯୋଶୀଙ୍କ ଭଳି ତାରକାଙ୍କୁ ନେଇ ନିର୍ମିତ ଏହି ସିନେମା ୧୧ ମାର୍ଚ୍ଚ ୨୦୨୨ରେ ରିଲିଜ ହୋଇଥିଲା । ଥିଏଟରରେ ଭଲ ବ୍ୟବସାୟ କରିଥିଲା ଏହି ସିନେମା । ଏହି ସିନେମାରେ କାଶ୍ମୀରୀ ପଣ୍ଡିତଙ୍କ ସହ ହୋଇଥିବା ଅତ୍ୟାଚାର ଓ ବର୍ବରତାକୁ ଦେଖାଯାଇଛି ।

ଆସନ୍ତାକାଲିଠୁ ଆରମ୍ଭ ହେବ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍-୩

ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେବ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୩ । ନିବେଶରେ ନୂଆ ଇତିହାସ ଲକ୍ଷ୍ୟ । ଓଡ଼ିଶାର ଶିଳ୍ପ ସମ୍ଭାବନା ଦେଖିବ ବିଶ୍ବ । ନେତୃତ୍ବ ନେବେ ନବୀନ । ଆସିବ ପୁଞ୍ଜି, ମିଳିବ ରୋଜଗାର । ୨୦୧୬ ଓ ୨୦୧୮ ପରେ ଆୟୋଜିତ ହେଉଥିବା ଏହି ତୃତୀୟ ସଂସ୍କରଣ ଜନତା ମଇଦାନରେ ଅନୁଷ୍ଠିତ ହେବ । ଏଥିପାଇଁ ସଜେଇ ହୋଇଛି ଜନତା ମଇଦାନ । ପୂର୍ବ ୨ ସମ୍ମିଳନୀର ସଫଳତାକୁ ଦେଖିଲେ ଆଗାମୀ ସମ୍ମିଳନୀ ଏକାଧିକ କୀର୍ତ୍ତିମାନ ରଚିବ ବୋଲି ମତପ୍ରକାଶ ପାଇଛି ।

ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ରାଜ୍ୟ ପ୍ରଶାସନ ଓ ନିବେଶକ ମାନେ ବେଶ ଉତ୍ସାହିତ ଅଛନ୍ତି । ବହୁପ୍ରତିକ୍ଷିତ ଏହି ନିବେଶକ ସମ୍ମିଳନୀ ବିଶ୍ବ ସମୁଦାୟ ଆଗରେ ଓଡ଼ିଶା ରୂପାନ୍ତରଣ କାହାଣୀ ବତାଇବ । ତାସହ ଓଡ଼ିଶାରେ ଭରି ରହିଥିବା ସମ୍ଭାବନାକୁ ଉଜାଗର କରିବ । ଖଣି ଓ ଜଳସମ୍ପଦ ଭରି ରହିଥିବା ବେଳେ ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି । ଓଡ଼ିଶାକୁ ନିୟମିତ ପୁଞ୍ଜି ନିବେଶ ଆସୁଛି । କୋଭିଡ଼ ମହାମାରି ବେଳେ ବି ପ୍ରସ୍ତାବ ଆସିଥିଲା ।

ଖୋଦ୍‌ ମୁଖ୍ୟମନ୍ତ୍ରୀ ପୁଞ୍ଜିପତିଙ୍କୁ ଭେଟି ରାଜ୍ୟରେ ଥିବା ଶିଳ୍ପ ସମ୍ଭାବନା ନେଇ ଅବଗତ କରାଇବା ସହ ଓଡ଼ିଶାରେ ନିବେଶ ପାଇଁ ଆକର୍ଷିତ କରୁଛନ୍ତି । ଆଜିଠୁ ଅତିଥିଙ୍କ ଆଗମନ ହେବ । ପ୍ରତ୍ୟେକ କ୍ଷେତ୍ରରେ ନିବେଶକଙ୍କ ସହ ସମ୍ପୃକ୍ତ ବିଭାଗର ଅଧିକାରୀ ଶିଳ୍ପକୁ ପ୍ରୋତ୍ସାହନ ଲାଗି ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ନେଇ ସୂଚିତ କରିବେ । ରାଜ୍ୟକୁ ପୁଞ୍ଜିନିବେଶ ଆଣିବାକୁ ଚଳିତ ବର୍ଷ ଦୁବାଇ, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଳୁରୁ ଓ ହାଇଦ୍ରାବାଦରେ ସମ୍ମିଳନୀ କରି ନିବେଶକଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିଛନ୍ତି ।

୨୦୧୬ରେ ୨ଲକ୍ଷ, ୩ହଜାର ୨୩୫ କୋଟିର ୮୪ଟି ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା । ୨ଲକ୍ଷ ୨୯ହଜାର ୯୪୭କୋଟିର ୫୮ଟି ପ୍ରସ୍ତାବ ପାରିତ ହୋଇଛି । ଅନୁମୋଦିତ ଶିଳ୍ପରେ ଲକ୍ଷେ ୪ହଜାର ୭୬୨ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ସେହିପରି ୨୦୧୮ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ୪ଲକ୍ଷ ୨୩ହଜାର ୧୧୫କୋଟିର ୨୦୨ଟି ପୁଞ୍ଜିନିବେଶ ପ୍ରସ୍ତାବରୁ ୧୦୮ ଟି ପ୍ରସ୍ତାବ ମଞ୍ଜୁର ହୋଇଥିଲା । ଫଳରେ ୩ଲକ୍ଷ ୯୩ହଜାର ୫୯୭ କୋଟିର ପୁଞ୍ଜିନିବେଶ ସହ ୨ଲକ୍ଷ ୭୬ହଜାର ୭୯୦ଜଣଙ୍କୁ ନିଯୁକ୍ତି ସୁଯୋଗ ପାଇବେ । ନଭେମ୍ବର ୩୦ରୁ ୫ ଦିନ ଧରି ଚାଲିବ ପୁଞ୍ଜିପତି ସମ୍ମିଳନୀ ।