ସ୍କୁଲ ଶିକ୍ଷକଙ୍କ ଗ୍ରାଣ୍ଟ-ଇନ୍-ଏଡ୍ ଅବଧି ବୃଦ୍ଧି ରାଜ୍ୟ ସରକାର

1 min read

ଭୁବନେଶ୍ୱର: ଅନୁଦାନ ପ୍ରାପ୍ତ ବେସରକାରୀ ହାଇସ୍କୁଲ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ମଦ୍ରାସାର ଶିକ୍ଷକ ଓ ଅଣଶିକ୍ଷକମାନଙ୍କ ଗ୍ରାଣ୍ଟ-ଇନ-ଏଡ ଅବଧି ବୃଦ୍ଧି କଲେ ସରକାର । ଏଥିରେ ଉପକୃତ ହେବେ ପ୍ରାୟ ୨୬ ହଜାର ୧୬୪ ଶିକ୍ଷକ ଓ କର୍ମଚାରୀ । ଯେଉଁମାନେ ୨୦୨୧ ଡିସେମ୍ବର ୩୧ ତାରିଖ ସୁଦ୍ଧା ଶତପ୍ରତିଶତ ଅନୁଦାନ ପାଉଥିବେ ସେହିମାନେ ଏହି ଅବଧି ବୃଦ୍ଧିର ସୁବିଧା ପାଇବେ । ସପ୍ତମ ବେତନ କମିଶନ ଆଧାରରେ ଦରମା ଦିଆଯିବ । ଏବାବଦରେ ବାର୍ଷିକ ୨୮୦ କୋଟି ୪୮ ଲକ୍ଷ ଟଙ୍କା ରାଜ୍ୟ ସରକାର ଅତିରିକ୍ତ ବ୍ୟୟଭାର ବହନ କରିବେ ।

ଏନେଇ ପ୍ରସ୍ତାବ ଉପେର ବାଜିଛି କ୍ୟାବିନେଟ ମୋହର । ଦୁର୍ବିପାକ ପ୍ରବଣ ଓଡିଶା ପାଇଁ ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମି ବିକାଶ ଲାଗି ସରକାର ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ କରିବେ । ଓସଡମା ମାଧ୍ୟମରେ ଓଡ଼ିଶା ଦକ୍ଷତା ଓ ସ୍ଥିର ଅଭିବୃଦ୍ଧି ନୀତି କାର୍ଯ୍ୟକାରୀ କରାଯିବ । ଯୋଜନା ଓ ସଂଯୋଜନ ବିଭାଗର ଏହି ପ୍ରସ୍ତାବକୁ କ୍ୟାବିନେଟ ଆଜି ମୋହର ମାରିଛି । ବିଶ୍ବ ବ୍ୟାଙ୍କ ଋମ ସହାୟତାରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରାଯିବ ।

ପ୍ରକଳ୍ପର ଅବଧି ପାଞ୍ଚ ବର୍ଷ ଥିବାବେଳେ ୧୧୮୩ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ବ୍ୟୟ ଅଟକଳ କରାଯାଇଛି । ଓଡ଼ିଶା ଅମଲା ସେବା ଅଧସ୍ତନ କର୍ମଚାରୀ ନିଯୁକ୍ତି ନିୟମାବଳୀ ୨୦୧୯ ର ହେବ ସଂଶୋଧନ । ରାଉରକେଲା ଷ୍ଟିଲ ପ୍ଲାଣ୍ଟର ୧୯ ବର୍ଷର ବକେୟା ଜଳ କର ବାବଦରେ ସୁଧକୁ ଛାଡ କରିଛନ୍ତି ରାଜ୍ୟ ସରକାର । ମୋଟ ୨୨୦ କୋଟିରୁ ଅଧିକ ଜଳ କର ବାବଦରେ ସୁଧ ଛାଡ କରାଯାଇଛି ।

ମହାନଦୀରେ ଜଗତସିଂପୁର ଚୌଧୁରୀଗଡ଼ା ଓ କେନ୍ଦ୍ରାପଡ଼ା ଜିଲ୍ଲାର ପାଇକା ନଦୀର ଟିଖିରିରେ ଜଳ ସଂରକ୍ଷଣ ପାଇଁ ଆନ୍ତଃନଦୀ ଆନିକଟ ନିର୍ମାଣ ହେବ । ଏଥିପାଇଁ ୧୧ ହଜାର ୭ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ପ୍ରକଳ୍ପ ନିର୍ମାଣ ପରେ ଠିକାସଂସ୍ଥା ଆଗାମୀ ୫ ବର୍ଷ ଯାଏ ରକ୍ଷଣାବେକ୍ଷଣା କରିବେ । ଫଳରେ ଏହି ଦୁଇ ଜିଲ୍ଲା ୮୯ ଟି ଗାଁର ଲୋକ ପାନୀୟ ଜଳ ଓ ଜଳସେଚନର ସୁବିଧା ପାଇବେ ।