କଂସଙ୍କ ଅଟ୍ଟହାସ୍ୟରେ କମ୍ପୁଛି ବରଗଡ଼, ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

ବରଗଡ଼: କଂସଙ୍କ ଅଟ୍ଟହାସ୍ୟରେ କମ୍ପୁଛି ବରଗଡ଼ । ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଗତକାଲି ଦେବକୀ ଓ ବସୁଦେବଙ୍କୁ କାରାଗାର ପ୍ରେରଣ କରିଛନ୍ତି କ୍ରୁର କଂସ । ଆଜି ଲୋକ ମଣ୍ଡପ ପଡ଼ିଆରେ ରଙ୍ଗ ମହଲର ଉଦଘାଟନ କାର୍ଯ୍ୟକ୍ରମ ରହିଛି । ପରେ କାରାଗାରରେ ଶ୍ରୀକୃଷ୍ଣ ଜନ୍ମ ନେବାପରେ ଗୋପପୁର ଯାତ୍ରା କରିବେ ବସୁଦେବ । ଯିବା ସମୟରେ ଉଗ୍ରସେନଙ୍କ ସହ ବସୁଦେବଙ୍କ ହେବ ଭେଟଘାଟ । ପରେ ଗୋପପୁରରୁ ବିଜୁଳି କନ୍ୟାକୁ ନେଇ ପ୍ରତ୍ୟାବର୍ତ୍ତନ କରିବେ ବସୁଦେବ । ଏହି ଦୃଶ୍ୟ ଉପଭୋଗ କରିବାକୁ ଆଜି ବି ଲକ୍ଷାଧିକ ଦର୍ଶକଙ୍କ ଭିଡ଼ ଜମିବ ।

ସାଂସ୍କୃତିକ ଲୋକଗୀତର ତାଳେ ତାଳେ ଝୁମିବ ବରଗଡ଼ ସହର । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସିସିଟିଭି ନଜରରେ ରହିଛି ଗହଳିପୂର୍ଣ୍ଣ ସ୍ଥାନ । ଯାତ୍ରା ପାଇଁ ଜଣେ ଏସପି, ୬ ଜଣ ଡିଏସପି, ୧୪ ଇନସ୍ପେକ୍ଟରଙ୍କ ସହ ୧୯ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବରଗଡ଼ ଏସପି ସୂଚନା ଦେଇଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି ।