ଟେକ୍ନୋଲୋଜି ଆମ ଜୀବନରେ ଏକ ଅଂଶ ପାଲଟିଗଲାଣି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଟେକ୍ନୋଲୋଜି ଆମ ଜୀବନରେ ଏକ ଅଂଶ ପାଲଟିଗଲାଣି । ଆମ ସମାଜର ପ୍ରତ୍ୟେକ କ୍ଷେତ୍ରରେ ଏହାର ପ୍ରାଧାନ୍ୟ ବଢୁଛି । ତେଣୁ ଏକବିଂଶ ଶତାବ୍ଦୀର ପରିବର୍ତ୍ତିତ ଆବଶ୍ୟକତା ପାଇଁ ବୈଷୟିକ ଶିକ୍ଷାକୁ ନୂଆ ରୂପ ଦେବାର ସମୟ ଆସିଛି | ଲୋକସେବା ଭବନରେ ବିଜୁ ପଟ୍ଟନାୟକ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଦ୍ବାରା ଆୟୋଜିତ ଏକ ଅଧିବେଶନରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂତନ ଶିକ୍ଷା ନୀତିରେ ବୈଷୟିକ ଏବଂ ବୃତ୍ତିଗତ ଶିକ୍ଷାର ରୂପାନ୍ତର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଏଭଳି କହିଛନ୍ତି । ଆମର ଭବିଷ୍ୟତ ଶିକ୍ଷାର ଗୁଣବତ୍ତା ଏବଂ ଏହାର କାର୍ଯ୍ୟକାରିତା ଦିଗ ଉପରେ ନିର୍ଭର କରେ ।

ଆମର ଭବିଷ୍ୟତ ନିର୍ଭର କରେ ଯେ, ଆମେ ଆମ ପିଲାମାନଙ୍କୁ ଭବିଷ୍ୟତ ପାଇଁ କେତେ ସଫଳତାର ସହିତ ପ୍ରସ୍ତୁତ କରୁଛୁ । ସାମାଜିକ ଆକାଂକ୍ଷା, ବିକାଶର ପ୍ରାଥମିକତା ଏବଂ ସାମାଜିକ ମୂଲ୍ୟବୋଧ ପାଇଁ ଉଚ୍ଚଶିକ୍ଷାର ଗୁରୁତ୍ବ ବଢୁଛି । ଏଥିସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି 2020 ସବୁ କ୍ଷେତ୍ରରେ ଶିକ୍ଷାକୁ ମଝଭୁତ କରିବା ପାଇଁ ଏକ ବଡ଼ ପ୍ରୟାସ । ଶିକ୍ଷା ନୀତି ଭବିଷ୍ୟତ ଶିକ୍ଷା କ୍ଷେତ୍ରରେ ସଚେତନତା ଆଣିବାରେ ସାହାଯ୍ୟ କରିବ । ବୈଷୟିକ ଶିକ୍ଷାର ରୂପାନ୍ତରଣ ପାଇଁ ରାଜ୍ୟ ସରକାର ସମସ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ମନ୍ତ୍ରୀ ପ୍ରୀତି ରଂଜନ ଘଡାଇ ମୁଖ୍ୟମନ୍ତ୍ରୀଙ୍କ ଦୁରଦୃଷ୍ଟିକୁ ପ୍ରଶଂସା କରିଛନ୍ତି ।