spot_img
Home Blog Page 3807

ଛତିଶଗଡ଼ରେ ଭୂକମ୍ପର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୮

ରାୟପୁର: ଛତିଶଗଡ଼ରେ ଭୂକମ୍ପ ଝଟକା । ଆଜି ଭୋର ୫ଟା ୨୮ରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୪.୮ ରେକର୍ଡ କରାଯାଇଛି । ଛତିଶଗଡ଼ ଅମ୍ବିକାପୁର ଭୂକମ୍ପର କେନ୍ଦ୍ରସ୍ଥଳୀ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଭୂକମ୍ପର ଗଭୀରତା ଭୂମିଠାରୁ ୧୦ କିଲୋମିଟର ତଳକୁ ହୋଇଛି । ତେବେ ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ସ୍ଥିତି ଉପରେ ନଜର ରଖାଯାଇଛି ।

ବାଲେଶ୍ବରରେ ଗ୍ୟାସ ଟାଙ୍କି ଫାଟି ଭାଇ ଭଉଣୀ ଗୁରୁତର

ବାଲେଶ୍ବର: ବାଲେଶ୍ବର ରେମୁଣା ବ୍ଲକ୍ କୁଆଁରପୁର ଗାଁରେ ଅଘଟଣ । ଗ୍ୟାସ ଟାଙ୍କି ଫାଟି ଭାଇ ଭଉଣୀ ଗୁରୁତର । ଗୁରୁତର ଦୁହିଁଙ୍କୁ ବାଲେଶ୍ବର ମେଡିକାଲରେ ଭର୍ତ୍ତି କରାଯାଇଛି । ଭାଇ ଭଉଣୀ ଦ୍ବୟ ରମାକାନ୍ତ ସେଠୀଙ୍କ ପୁଅ ସ୍ମୃତି ରଞ୍ଜନ ଓ ଝିଅ ଦିବ୍ୟଜ୍ୟୋତି ବୋଲି ସୂଚନା ମିଳିଛି ।

ତେବେ ଘରେ ରୋଷେଇ କରୁଥିବା ବେଳେ ହଠାତ ଟାଙ୍କିରେ ନିଆଁ ଲାଗିଯିବା ସହ ଫାଟି ଯାଇଥିଲା । ସେପଟେ ଘରେ ଥିବା ଅନ୍ୟ ସଦସ୍ୟ ଏହି ଦୁର୍ଘଟଣାରୁ ବଞ୍ଚି ଯାଇଥିବା ପରିବାର ଲୋକେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନଙ୍କୁ ସାକ୍ଷାତ କଲେ ଟାଟା ସନ୍ସର ଚେୟାରମ୍ୟାନ ଏନ୍.ଚନ୍ଦ୍ରଶେଖରନ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ଟାଟା ସନ୍ସର ଚେୟାରମ୍ୟାନ ଏନ୍.ଚନ୍ଦ୍ରଶେଖରନ୍ । ରାଜ୍ୟରେ ଟାଟାର ବିଭିନ୍ନ ପ୍ରକଳ୍ପର କଳେବର ବୃଦ୍ଧି ସଂକ୍ରାନ୍ତରେ ଚନ୍ଦ୍ରଶେଖରନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଟାଟା ଷ୍ଟିଲ ସମେତ ଅନ୍ୟାନ୍ୟ ପ୍ରକଳ୍ପଗୁଡିକର ବିସ୍ତାର ସମ୍ପର୍କରେ ଆଲୋଚନା ହେବା ସହ ଭୁବନେଶ୍ବରସ୍ଥିତ ଟିସିଏସର ସାମର୍ଥ୍ୟ ୧୫ ହଜାରକୁ ବୃଦ୍ଧି ଲାଗି ଆଲୋଚନା ହୋଇଥିବା ଜଣାଯାଇଛି । ନବୀନ ନିବାସରେ ଏହି ସାକ୍ଷାତକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାକ୍ଷାତକାର ବେଳେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍ ଓ ଟାଟା ଷ୍ଟିଲ୍ ଏମଡି ଟିଭି ନରେନ୍ଦ୍ରନ ଉପସ୍ଥିତ ରହିଥିଲେ ।

ଆଚାର୍ଯ୍ୟ ହରିହର କର୍କଟ ରୋଗ ଓ ଗବେଷଣା ପ୍ରତିଷ୍ଠାନରେ ମିଳିବ ମାଗଣା ଟେଷ୍ଟିଂ ସୁବିଧା

ଭୁବନେଶ୍ୱର: ଓଡ଼ିଶାରେ କର୍କଟ ରୋଗ ଚିକିତ୍ସାର ନୂଆ ଅଧ୍ୟାୟ। ଏଣିକି ମାଗଣାରେ ହେବ ବ୍ୟୟବହୁଳ ଟେଷ୍ଟିଂ। ବିନା ଦେୟରେ ରୋଗୀ କରିବେ ପେଟ୍ ସିଟି ସ୍କାନ, ଏମଆରଆଇ ସିଟି ସ୍କାନ। ଆଜିଠୁ ଆଚାର୍ଯ୍ୟ ହରିହର କର୍କଟ ରୋଗ ଓ ଗବେଷଣା ପ୍ରତିଷ୍ଠାନରେ ମିଳିବ ମାଗଣା ଟେଷ୍ଟିଂ ସୁବିଧା। ଏହି ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ନୂତନ ପେଟ୍ ସ୍କାନ,ଏମଆରଆଇ ଓ ରେଡିଏସନ୍ ପାଇଁ ୬୦ କୋଟି ଟଙ୍କା ବ୍ୟୟରେ ବସିଛି ୨ଟି ଲିନାକ ମେସିନ। ପେଟ୍‌ ସ୍କାନ ପାଇଁ ରୋଗୀଙ୍କୁ ବାହାରେ ୨୫ରୁ ୩୦ ହଜାର ଟଙ୍କା ଦେବାକୁ ପଡୁଥିଲା। ଏବେ ନୂଆ ଅତ୍ୟାଧୁନିକ ଏହି ଯନ୍ତ୍ରପାତି ଉଦଘାଟନ ପରେ ପେଟ୍ ସ୍କାନ ପାଇଁ ରୋଗୀଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବନାହିଁ। ଏହାସହିତ ଏମଆରଆଇ ଓ ସିଟି ସ୍କାନ୍ ଟେଷ୍ଟିଂକୁ ସରକାର ମାଗଣା କରିଛନ୍ତି।

ଆଚାର୍ଯ୍ୟ ହରିହର କ୍ୟାନସର ଇନଷ୍ଟିଚ୍ୟୁଟ ପରିସରରେ ୨୦ଟି ଆଇସିୟୁ ବେଡ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ନୂଆ ୩୦୦ଟି ବେଡକୁ ମିଶାଇ ମୋଟ୍ ୫୦୭ଟି ଚିକିତ୍ସା ବେଡ ହସ୍ପିଟାଲରେ ଉପଲବ୍ଧ ହୋଇଛି । ମେଗା ପ୍ରକଳ୍ପ ପାଇଁ ନିର୍ମାଣ ହୋଇଛି ବହୁତଳ ବିଶିଷ୍ଟ ୬ମହଲା ବିଲ୍ଡିଂ। ଏଥିପାଇଁ ଖର୍ଚ୍ଚ ହୋଇଛି ୩୫ କୋଟି ଟଙ୍କା ।

ତେବେ ପ୍ରଥମ ମହଲାରେ ପେଟ୍ ସିଟି, ଦ୍ବିତୀୟରେ ସିଟି ସ୍କାନ ଏବଂ ଏମଆରଆଇ ସୁବିଧା ରହିଛି । ତୃତୀୟରେ ଆଇସିୟୁ ଓ୍ବାର୍ଡ ରହିଛି । କ୍ୟାନସର ରୋଗୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଏଭଳି ପ୍ରୟାସକୁ ଡାକ୍ତର ଓ ସଧାରଣ ଲୋକ ବେଶ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଆଗାମୀ ଦିନରେ ଅଧିକରୁ ଅଧିକ କ୍ୟାନସର ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦେଇପାରିବେ ବୋଲି ଆଶାବାଦୀ ଅଛନ୍ତି ଡାକ୍ତର।

 

ଫିଫା ବିଶ୍ବକପରେ ମରୋକୋକୁ ଭେଟିବ ଭାରତ

ଭୁବନେଶ୍ୱର: ଆସନ୍ତାକାଲି ଫିଫା ବିଶ୍ବକପରେ ମରୋକୋକୁ ଭେଟିବ ଭାରତ। ପ୍ରଥମ ମୁକାବିଲାରେ ଭାରତର ପରାଜୟ ପରେ ଆସନ୍ତାକାଲି ପାଇଁ ପ୍ରସ୍ତୁତ କରିଛି ରଣନୀତି। କାଲି କଳିଙ୍ଗ ଷ୍ଟାଡିୟମରେ ୨ଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚ ଦିନ ୪ଟା ୩୦ ମିନିଟରେ ୟୁଏସଏ ଓ ବ୍ରାଜିଲ ମଧ୍ୟରେ ଖେଳାଯିବାକୁ ଥିବା ବେଳେ ଦ୍ବିତୀୟ ମ୍ୟାଚ୍ ରାତି ୮ଟାରେ ଭାରତ ଓ ମରୋକ ମଧ୍ୟରେ ଖେଳାଯିବ।

ପୂର୍ବ ମ୍ୟାଚର ଦୋଷ ଦୁର୍ବଳତାକୁ ଭୁଲି ମରୋକୋ ମ୍ୟାଚରେ ଭାରତ କମ ବ୍ୟାକ କରିବ ବୋଲି କହିଛନ୍ତି ଭାରତୀୟ ମହିଳା ଦଳର କୋଚ ଡି ଥୋମାସ। ପୂର୍ବତନ ଅନ୍ତର୍ଜାତୀୟ ମହିଳା ଫୁଟବଲର ରଂଜିତା ମହାନ୍ତି କହିଛନ୍ତି, ଭୁବନେଶ୍ବରରେ ଦୀର୍ଘଦିନ ଧରି ଭାରତୀୟ ଖେଳାଳି ଅଭ୍ୟାସ କରିବା ସହ ଏଠିକାର ପରିବେଶ ସହ ସମ୍ପୂର୍ଣ୍ଣ ଖାପଖୁଆଇ ନେଇଛନ୍ତି।

ତେବେ ଆଗାମୀ ଦୁଇଟି ମ୍ୟାଚ ଏଠାରେ ଭାରତ ଭଲ ଖେଳିବା ସହ ବିଜୟୀ ହେବ ବୋଲି ସେ କହିଛନ୍ତି । ୟୁଏସଏ ସହ ଭାରତ ପୂର୍ବ ମ୍ୟାଚରେ ଡିଫେନ୍ସିଂ ଖେଳ ପ୍ରଦର୍ଶନ କରିଥିଲା ତେବେ ଆଗମୀ ମ୍ୟାଚରେ ଭାରତ ଆଟାକିଂ ଗେମ ଖେଳିଲେ ନିଶ୍ଚିତ ଭାବେ ମରୋକୋ ବିପକ୍ଷରେ ବିଜୟ ହାସଲ କରିବ ବୋଲି କୁହାଯାଇଛି।

ରାଜ୍ୟରୁ ଫେରିଯିବ ମୌସୁମୀ

ଭୁବନେଶ୍ୱର: ପୂର୍ବ-ଭାରତରୁ ମୌସୁମୀ ଫେରିଯିବା ନେଇ ପାଗ ଅନୁକୂଳ ରହିଛି । ୧୯ରେ ସୃଷ୍ଟି ହେବ ଲଘୁଚାପ । ଏହା ଘନୀଭୂତ ହୋଇ ପଶ୍ଚିମବଙ୍ଗ ମୁହାଁ ହେବ । ୨୨ରୁ ୨୪ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ଅଛି । ସ୍ବାଭାବିକଠାରୁ ଅଧିକ ବର୍ଷା ପରେ ମୌସୁମୀ ଫେରିଯିବ।

ଓଡ଼ିଶାକୁ ପ୍ରବେଶ କରୁଥିବା ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପାଇଁ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କତା ଜାରି କରାଯାଇଛି । ଚଳିତବର୍ଷ ମୌସୁମୀ ଋତୁରେ ୪ଟି ଅବପାତ ଏବଂ ୩ଟି ଲଘୁଚାପ ସୃଷ୍ଟି ହୋଇଛି ।

34839005 – water droplets falling into the hand

ଆଇଏମଡିର ଆକଳନ ଅନୁସାରେ ଅକ୍ଟୋବରରେ ସିରିଜ୍ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଗତ ଦୁଇ ସପ୍ତାହରେ ଦୁଇଟି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ଆସନ୍ତା ସପ୍ତାହରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ଉପରେ ସମସ୍ତଙ୍କ ନଜର ।

ବିଦେଶରେ ପରଷାଯିବ ଓଡ଼ିଶା ମିଲେଟ୍, ୧୫ରୁ ପ୍ରଦର୍ଶନୀ ଆରମ୍ଭ

ଭୁବନେଶ୍ୱର: ପ୍ୟାରିସରେ ବିଦେଶୀ ଚାଖିବେ ଓଡ଼ିଶା ମିଲେଟ୍। ୫ ପ୍ରକାର ମାଣ୍ଡିଆ ବିସ୍କୁଟ, ମିକ୍ସଚର, ଲଡୁ, କୁରମା ଓ କେକ୍ ପ୍ରଦର୍ଶନ କରିବା ପାଇଁ ମିଶନ ଶକ୍ତି ମାଆଙ୍କୁ ଚୟନ କରାଯାଇଛି। ସେହିପରି ମାଣ୍ଡିଆ ଛତୁଆ, ମାଣ୍ଡିଆ ଅଟା, ଯଅ ଅଟା ଓ ବାଜରା ଅଟା ବି ଘରକୁ ନେବାର ସୁଯୋଗ ପାଇବେ ବିଭିନ୍ନ ଦେଶର ପ୍ରତିନିଧି।

ଆସନ୍ତା ଅକ୍ଟୋବର ୧୫ରୁ ୧୯ ଯାଏ ପ୍ୟାରିସରେ ହେବାକୁ ଥିବା ଖାଦ୍ୟ ଉତ୍ପାଦନ ପ୍ରଦର୍ଶନୀ ସିଆଲ-୨୦୨୨ରେ ମିଲେଟ୍ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ପ୍ରଦର୍ଶିତ କରିବେ ରାଜ୍ୟର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ।

Successful 3 Years Of Naveen Patnaik Government 5th Term

ଏଥିସହ ରାଗି ଓ ବାଜରାରୁ ପ୍ରସ୍ତୁତ ଖାଦ୍ୟ ବି ସିଟି ଅଫ୍ ଲଭର ପ୍ରମୁଖ ଆକର୍ଷଣ ପାଲଟିବ। ରାଜ୍ୟର ଏମଏସଏମଇ ବିଭାଗ ପକ୍ଷରୁ ପ୍ୟାରିସରେ ଓଡ଼ିଶା ମିଲେଟର ପ୍ରଦର୍ଶନୀ ପାଇଁ ଷ୍ଟଲର ବ୍ୟବସ୍ଥା କରାଯିବ। ବିଶ୍ବରୁ ଆସିଥିବା ୧୦୩ଟି ଦେଶର ପ୍ରତିନିଧିଙ୍କ ଭିତରୁ ଓଡ଼ିଶା ଏସଏଚଜି ମହିଳାମାନେ ମିଲେଟ ପ୍ରଦର୍ଶନ କରିବା ସହ ଲୋକଙ୍କୁ ମିଲେଟ ସଂପର୍କରେ ବୁଝାଇବେ। ଭଲ ଭାବେ ଇଂରାଜୀରେ ବୁଝାଇବା ପାଇଁ ଅନୁବାଦକଙ୍କ ବି ବ୍ୟବସ୍ଥା ହେବା ନେଇ ସୂଚନା।

ଏଥିରେ ଭୁବନେଶ୍ବରର ଶକ୍ତିମୟୀ ଫାଉଣ୍ଡେସନର ଦୁଇ ଜଣ, ସୁନ୍ଦରଗଡ଼ ଦିବ୍ୟଜ୍ୟୋତି ଏସଏଚଜି ଓ ଗଞ୍ଜାମର ମାଆ ରାଇମାଳି ଏସଏଚଜିର ଜଣେ ଲେଖାଏ ମହିଳା ଯୋଗଦେବେ।

ବଲାଙ୍ଗୀରରେ ସେକ୍ସ ରାକେଟ ଠାବ, ୩ ଯୁବକ ଅଟକ

ବଲାଙ୍ଗୀର: ବଲାଙ୍ଗୀର ସହର ଶାସ୍ତ୍ରୀନଗରରେ ସେକ୍ସ ରାକେଟ ଠାବ। ବଲାଙ୍ଗୀର ଟାଉନ ପୋଲିସ୍ ଏକ ବଡ଼କୋଠାରୁ ଠାବ କରିଛି ସେକ୍ସ ରାକେଟ୍। ଶାସ୍ତ୍ରୀନଗରର ଏକ ତିନି ମହଲା କୋଠାରେ ଚାଲିଥିଲା ହାଇ ପ୍ରୋଫାଇଲ ସେକ୍ସ ରାକେଟ୍।

ରୁମ ଭିତରେ ୭ ଜଣ ଯୁବତୀ ଓ ତିନି ଜଣ ଯୁବକ ରହିଥିବା ନେଇ ସୂଚନା। ଯୁବତୀଙ୍କୁ ଉଦ୍ଧାର ସହ ଯୁବକଙ୍କୁ ଅଟକ ରଖିଛି ପୋଲିସ୍।

 

ପୁରୀରେ ହବିଷ୍ୟାଳିଙ୍କୁ ଦୁର୍ବ୍ୟବହାର ଅଭିଯୋଗ; ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ପୁରୀ: ପୁରୀରେ ହବିଷ୍ୟାଳିଙ୍କ ଉପରେ ସେବାୟତଙ୍କ ଦୁର୍ବ୍ୟବହାର ଘଟଣାକୁ ଗୁରୁତର ସହ ନେଇଛନ୍ତି ସରକାର। ଏହାସହିତ ହବିଷ୍ୟାଳିଙ୍କୁ ବୃନ୍ଦାବତୀ ନିବାସରେ ହଇରାଣ ହରକତ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପର୍ଯ୍ୟଟନ ମନ୍ତ୍ରୀ । କାର୍ତ୍ତିକ ମାସରେ ହବିଷ୍ୟାଳିଙ୍କୁ ଆବାସସ୍ଥଳୀରେ ରହଣି ସମୟରେ କିପରି କିଛି ଅସୁବିଧା ନହୁଏ ସେଥିପାଇଁ ପର୍ଯ୍ୟଟନ ବିଭାଗର ନୋଡାଲ ଅଧିକାରୀମାନଙ୍କୁ ଦାୟିତ୍ବ ଦିଆଯାଇଛି ।

ତେବେ କେଉଁ ପରିସ୍ଥିତିରେ ସେମାନଙ୍କ ଭିତରୁ କେତେଜଣଙ୍କୁ ପାତରଅନ୍ତର କରି ସ୍ଥାନାନ୍ତର କରାଗଲା ସେ ନେଇ ଜିଲ୍ଲା ପ୍ରଶାସନକୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ଆସିବା ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ ।

ଖୁବଶୀଘ୍ର ସରିବ ମାଲକାନଗିରି ବିମାନବନ୍ଦର ନିର୍ମାଣ କାର୍ଯ୍ୟ

ମାଲକାନଗିରି: ଖୁବଶୀଘ୍ର ସରିବ ମାଲକାନଗିରିରେ ବିମାନବନ୍ଦର ନିର୍ମାଣ କାର୍ଯ୍ୟ। ଆସନ୍ତା ୨୦୨୩ ଡିସେମ୍ବର ମାସରେ ବିମାନ ବନ୍ଦର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଜାନୁଆରୀ ମାସରେ ମାଲକାନଗିରି ଆକାଶରେ ଉଡିବ ବିମାନ। ଏଥିଲାଗି ଆଜି ଭୂମି ପୂଜା କରାଯାଇଛି ।

ଏମଭି ୧୧ କଟେଲଗୁଡା ଗାଁ ନିକଟରେ ସକାଳେ ଭୂମିପୂଜାର ଆୟୋଜନ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ନାୟକ ଯୋଗଦେଇ ବିମାନବନ୍ଦର ପାଇଁ ଭୂମି ପୂଜା କରିଛନ୍ତି । ବିମାନ ବନ୍ଦର ନିର୍ମାଣ ପାଇଁ ୩୩କୋଟି ଟଙ୍କାର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ବିମାନବନ୍ଦର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱାରୋପ କରିଛନ୍ତି ।

ବିମାନବନ୍ଦର ହେବା ପରେ ଦେଶର ବିଭିନ୍ନ ପ୍ରାନ୍ତ ସହ ଯୋଡ଼ି ହେବା ସଙ୍ଗେସଙ୍ଗେ ବାଣିଜ୍ୟ, ବ୍ୟବସାୟ, ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପାୟନ ଓ ଅନ୍ୟାନ୍ୟ ଉନ୍ନୟନ କ୍ଷେତ୍ରରେ ମାଲକାନଗିରି ଜିଲ୍ଲାର ଅଗ୍ରଗତି ହୋଇପାରିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ଭୂମିପୂଜନରେ ତହସିଲଦାର ରାଖଲ ଚନ୍ଦ୍ର ପରିଡା, ପୂର୍ତ୍ତ ଗୃହ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଞ୍ଜିନିୟର ନିହାର ରଞ୍ଜନ ବେହେରା, ଏସଡିଓ ଇଞ୍ଜିନିୟର ଅଭିଷେକ ସେଠି, ବିମାନ ବନ୍ଦର ନିର୍ମାଣ କରୁଥିବା ତାରା ତାରିଣୀ କନଷ୍ଟ୍ରକସନ କମ୍ପାନୀ ଲିମିଟେଡ଼ ସଂସ୍ଥାର ଠିକାଦାର, ଯନ୍ତ୍ରୀ ପ୍ରମୁଖ ଯୋଗଦେଇଥିଲେ ।