ଗୋଟିଏ ସ୍ଥାନରେ ମିଳିବ ଓଡିଶା ୱାନ୍ ପୋର୍ଟାଲ ସହ ଜଡିତ ସମସ୍ତ ସେବା

1 min read

ଭୁବନେଶ୍ୱର: ଗୋଟିଏ ସ୍ଥାନରେ ମିଳିବ ଓଡିଶା ଓ୍ବାନ ପୋର୍ଟାଲ ସହ ଜଡିତ ସମସ୍ତ ସେବା । ଭୁବନେଶ୍ବର ବାପୁଜିନଗର ସ୍ଥିତ ସହରାଞ୍ଚଳ ସମନ୍ବିତ ମୋ ସେବା କେନ୍ଦ୍ରକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ମାର୍ଟସିଟି ପକ୍ଷରୁ ପ୍ରତିଷ୍ଠା କରାଯାଇଛି ଏହି କେନ୍ଦ୍ର । 5T ମୋ ସରକାର ଅଧୀନରେ ଓଡିଶା ୱାନ ପୋର୍ଟାଲ ସହ ଜଡିତ ବିଭିନ୍ନ ସେବା ଏଠାରେ ଉପଲବ୍ଧ ହେବ ।

ଜନ୍ମ ଓ ମୃତ୍ୟୁ ପ୍ରମାଣ ପତ୍ର ପାଇଁ ଅନଲାଇନ ଆବେଦନ ଠାରୁ ଆରମ୍ଭ କରି ପେନସନ ଓ ଶ୍ରମିକଙ୍କ ପ୍ରାପ୍ୟ ଭଳି ପ୍ରାୟ 35ରୁ ଅଧିକ ସେବା ଗୋଟିଏ ସ୍ଥାନରେ ମିଳିବ । ସହଜ, ଓକାକ ଓ ଆଇ ଟି ବିଭାଗ ପକ୍ଷରୁ ସହରାଞ୍ଚଳ ସମନ୍ବିତ ମୋ ସେବା କେନ୍ଦ୍ରରେ ଏହି ସମସ୍ତ ସୁବିଧା ଯୋଗାଇ ଦିଆଯିବ । କେନ୍ଦ୍ରରେ ଆଧାର ପାଇଁ ଗୋଟିଏ ସ୍ୱତନ୍ତ୍ର କାଉଣ୍ଟର ରହିଛି ।

ଜଣେ ବ୍ୟକ୍ତି କେନ୍ଦ୍ରକୁ ଆସି ଫେରିବା ପର୍ଯ୍ୟନ୍ତ ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ନହୁଏ ସେଥିପାଇଁ ଆବଶ୍ୟକ ସମସ୍ତ ବ୍ୟବସ୍ଥା କେନ୍ଦ୍ରରେ ରହିଛି । ବିଶ୍ରାମ ନେବା, ପାନୀୟ ଜଳ ଏପରିକି ଲୋକଙ୍କୁ ସହାୟତା ଯୋଗାଇବାକୁ ଗାଇଡ଼ ମଧ୍ୟ ରହିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହେବା ପରେ ଏହା ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ ହୋଇଛି ।