ଜିରୋନାଇଟ୍ ସେଲିବ୍ରେସନ୍ ଉପରେ କଡ଼ା ନଜର

ନୂଆଦିଲ୍ଲୀ: ଆଜି ବର୍ଷର ଶେଷଦିନ । ଏ ବର୍ଷର ଶେଷ ସୂର୍ଯୋଦୟ ଦେଖିଲା ବିଶ୍ବ । ସଞ୍ଜ ହେଲେ ପଶ୍ଚିମ ଆକାଶରେ ସୂର୍ଯ୍ୟଙ୍କ ସହିତ ଡୁବିଯିବ କେତେ ସ୍ମୃତି, ଅନୁଭୂତି ଆଉ ଅନୁଭବ । ରାତି ପାହିଲେ ବଦଳିଯାଇଥିବ କ୍ୟାଲେଣ୍ଡର । ବିଦାୟ ନେବ ୨୦୨୨ ଆଉ ଆସିବ ନୂଆବର୍ଷ ୨୦୨୩ । ଗତ ଦୁଇବର୍ଷ କରୋନା ପାଇଁ ଫିକା ପଡ଼ିଥିଲା ନ୍ୟୁ ଇୟର ସେଲିବ୍ରେସନ ।

ହେଲେ ଚଳିତବର୍ଷ ସେଭଳି ସ୍ଥିତି ନଥିବାରୁ ବେଶ ଜମିବ ସେଲିବ୍ରେସନ। ଧୁମଧାମରେ ନୂଆବର୍ଷ ପାଳନ କରିବାକୁ ସରିଲାଣି ପ୍ଲାନିଂ । ଟୁଇନସିଟିର ବିଭିନ୍ନ ହୋଟେଲରେ ଜିରୋନାଇଟ୍ ସେଲିବ୍ରେସନ ପାଇଁ ସ୍ବତନ୍ତ୍ର ଆୟୋଜନ କରାଯାଇଛି। ବଲିଉଡ, ଓଲିଉଡ ଗୀତ, ଡିଜେ ଓ ଡ୍ୟାନ୍ସରେ ମତୁଆଲା ହେବେ ଜନସାଧାରଣ । ନୂଆବର୍ଷ ଲାଗି କଟକଣା ଜାରି କରିଛି କମିଶନରେଟ ପୋଲିସ । ହୋଟେଲ ନିକଟରେ ସ୍ବତନ୍ତ୍ର ପୋଲିସ ନିୟୋଜିତ ହେବେ ।

ଖୋଲାସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରୁଥିଲେ ରାତି ୧୦ ଟା ଓ ହୋଟେଲ ଭିତରେ ରାତି ୧୨ଟା ପର୍ଯ୍ୟନ୍ତ ଅନୁମତି ଦେଇଛି ପୋଲିସ । ସୁରକ୍ଷା ଲାଗି ୧୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ୧୭ ଟି ସ୍ଥାନରେ ଚେକ ପୋଷ୍ଟ କରାଯାଇ ମଦ୍ୟପଙ୍କ ଉପରେ ରହିବ ନଜର । ୪ଟି ସ୍ଥାନରେ କୁଇକ ଆକ୍ସନ ଟିମ । ୩ଟି ସ୍ଥାନରେ ଷ୍ଟ୍ରାଇକିଙ୍ଗ ଫୋର୍ସ ନିୟୋଜିତ ହେବାସହ ଘନ ଘନ ପାଟ୍ରୋଲିଂ ହେବ ।