ଆସିଲା ରିପୋର୍ଟ, ବର୍ଷକରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ୫୪୪ ଦୁର୍ନୀତିଖୋର ଅଫିସର

ଭୁବନେଶ୍ୱର: ଆସିଲା ୨୦୨୨ ବର୍ଷର ଭିଜିଲାନ୍ସ ରିପୋର୍ଟ। ବର୍ଷକରେ ୫୪୪ ଦୁର୍ନୀତିଖୋର ଅଫିସରଙ୍କ ବିରୋଧରେ ହୋଇଛି ୨୮୫ଟି ମାମଲା । ୬୦ ପ୍ରଥମଶ୍ରେଣୀ କର୍ମଚାରୀ, ୫୩ ଦ୍ବିତୀୟ ଶ୍ରେଣୀ କର୍ମଚାରୀ, ୨୨୭ ତୃତୀୟ ଶ୍ରେଣୀ କର୍ମଚାରୀ, ୪ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ, ୩୮ ସରକାରୀ କର୍ମଚାରୀ ଓ ୧୫୯ ବେସରକାରୀ କର୍ମଚାରୀ ଫସିଛନ୍ତି ଭିଜିଲାନ୍ସ ଜାଲରେ।

ଦୁର୍ନୀତି ପାଇଁ ୨୯ ପ୍ରତିଶତ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୩୦ ପ୍ରତିଶତ ଓ ଲାଞ୍ଚ ନେବା ବେଳେ ଧରିପଡ଼ିଛନ୍ତି ୪୧ ପ୍ରତିଶତ କର୍ମଚାରୀ। ବିଗତ ୫ବର୍ଷରେ ସର୍ବାଧିକ ପ୍ରଥମ ଶ୍ରେଣୀ କର୍ମଚାରୀଙ୍କୁ ଧରିଛି ଭିଜିଲାନ୍ସ। ସେହିପରି ୫ ବର୍ଷରେ ସର୍ବାଧିକ ନଗଦ ଟଙ୍କା ଜବତ କରିବାରେ ଚଳିତ ବର୍ଷ ରେକର୍ଡ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟପ୍ ୪ଟି ମାମଲାରେ ଜବତ ହୋଇଛି ୭ କୋଟି ଟଙ୍କା। ବିପୁଳ ଟଙ୍କା ନେଇ ସାଙ୍ଗରେ ଯିବା ବେଳେ ୭ଜଣ ସରକାରୀ କର୍ମଚାରୀଙ୍କୁ ଧରିବା ସହ ସେମାନଙ୍କ ଠାରୁ ୨୭ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି।

ସେହିପରି ଲାଞ୍ଚ ନେଉଥିବା ବେଳେ ୧୧୮ଜଣଙ୍କୁ ଟ୍ରାପ୍ କରିଛି ଭିଜିଲାନ୍ସ । ବର୍ଷକରେ ୨୦୦ ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ୩୭ ଜଣ ପ୍ରଥମ ଶ୍ରେଣୀ, ୩୯ ଜଣ ଦ୍ବିତୀୟ ଶ୍ରେଣୀ କର୍ମଚାରୀ, ୧୦୫ ତୃତୀୟ ଶ୍ରେଣୀ କର୍ମଚାରୀ ରହିଛନ୍ତି। ସେହିପରି ବିଭିନ୍ନ ବିଭାଗର ୪୭ ଇଞ୍ଜିନିୟର, ୩୧ ରେଭିନ୍ୟୁ ଅଫିସର, ୨୦ ପୋଲିସ ଅଫିସର, ୧୩ ଫରେଷ୍ଟ ଅଫିସର ଓ ୧୨ ଜଣ ଡାକ୍ତର ରହିଛନ୍ତି ।