spot_img
Home Blog Page 3734

କମ୍ପୁଛି ହିମାଚଳ ପ୍ରଦେଶ ମଇଦାନ, ଆଜିଠୁ ପ୍ରଚାର ମଙ୍ଗ ଧରିବେ AICC ସଭାପତି

ସିମଲା: କମ୍ପୁଛି ହିମାଚଳ ପ୍ରଦେଶ ନିର୍ବାଚନ ମଇଦାନ । ଆଜିଠାରୁ ଦୁଇ ଦିନିଆ ଗସ୍ତରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ । ରାଜ୍ୟରେ କେତେକ ପ୍ରମୁଖ ସ୍ଥାନରେ ନିର୍ବାଚନୀ ରାଲିରେ ଉଦବୋଧନ ଦେବା ସହ କରିବେ କ୍ୟାମ୍ପେନ । ବିଜେପି ସରକାରକୁ ହଟାଇବା ଲାଗି ଖଡଗେ ଦେବେ ବଜ୍ର ଆହ୍ୱାନ । ସେପଟେ ରାଜ୍ୟରେ ପ୍ରଚାର ଅଭିଯାନ ଜାରି ରଖିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । ପୂର୍ବରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, କଂଗ୍ରେସ ନେତା ସଚିନ ପାଇଲଟ ପ୍ରମୁଖ କରିଥିଲେ ପ୍ରଚାର । ରାଜ୍ୟରେ ଆସନ୍ତା ନଭେମ୍ବର ୧୨ରେ ଭୋଟଗ୍ରହଣ ହେବ ଏବଂ ୮ ଡିସେମ୍ବରରେ ଫଳ ପ୍ରକାଶ ପାଇବ ।

ସରକାରୀ କର୍ମଚାରୀଙ୍କ ଲାଗି ପୁରୁଣା ପେନସନ ସ୍କିମ ବା ଓପିଏସ କାର୍ଯ୍ୟକାରୀ କରିବା, ୩୦୦ ୟୁନିଟ ଯାଏ ମାଗଣା ବିଦ୍ୟୁତ, ୧୮ରୁ ୬୦ ବର୍ଷ ବୟସ୍କା ମହିଳାଙ୍କୁ ମାସିକ ୧୫ ଶହ ଟଙ୍କାର ପେନସନ ଦେବା ଲାଗି ଘୋଷଣା କରିଛି ଦଳ । ଏହାସହ ପ୍ରତିଗ୍ରାମରେ ମୋବାଇଲ କ୍ଳିନିକ, ୧ ଲକ୍ଷ ସରକାରୀ ଚାକିରି, ୧୦ କୋଟି ଟଙ୍କାରେ ଯୁବକଙ୍କ ଲାଗି ଷ୍ଟାର୍ଟଅପ ଫଣ୍ଡ ପ୍ରତିଷ୍ଠା ଲାଗି ଘୋଷଣା କରିସାରିଛି କଂଗ୍ରେସ ।

ଆସନ୍ତାକାଲି ୫୦ ତମ CJI ଭାବେ ଦାୟିତ୍ୱ ନେବେ ଜଷ୍ଟିସ ଚନ୍ଦ୍ରଚୂଡ଼, ୨୦୨୪ ନଭେମ୍ବର ୧୦ ଯାଏ ତୁଲାଇବେ ଦାୟିତ୍ୱ

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶର ନୂଆ ସିଜେଆଇ ଭାବେ ଦାୟିତ୍ୱ ନେବେ ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ । ଜଷ୍ଟିସ ଚନ୍ଦ୍ରଚୂଡ଼ ୫୦ ତମ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିବେ । ଗତକାଲି ଜଷ୍ଟିସ ଲଳିତଙ୍କୁ ଦିଆଯାଇଥିଲା ବିଦାୟକାଳୀନ ସମ୍ବର୍ଦ୍ଧନା । ଏହି ଉତ୍ସବରେ ଯୋଗଦେଇଥିଲେ ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ ଓ ଜଷ୍ଟିସ ବେଲା ଏମ. ତ୍ରିବେଦୀ । ଏହାସହ ସୁପ୍ରିମକୋର୍ଟର ବହୁ ବିଚାରପତି, ବରିଷ୍ଠ ଆଇନଜୀବୀ ପ୍ରମୁଖ ଯୋଗଦେଇଥିଲେ ।

ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ୱାଇ ବି ଚନ୍ଦ୍ରଚୂଡ଼ଙ୍କ ପୁଅ ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ଼ । ପରବର୍ତ୍ତୀ ପ୍ରଧାନ ବିଚାରପତି ଚୟନ ପାଇଁ ଆଇନ ମନ୍ତ୍ରଣାଳୟକୁ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଧନଞ୍ଜୟ ୟଶୋବନ୍ତ ଚନ୍ଦ୍ରଚୂଡ଼ଙ୍କ ନାଁ ସୁପାରିସ କରିଥିଲେ ପ୍ରଧାନ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତ । ୨୦୨୪ ନଭେମ୍ବର ୧୦ ଯାଏ ପ୍ରଧାନ ବିଚାରପତି ରହିବେ ଜଷ୍ଟିସ ଚନ୍ଦ୍ରଚୂଡ଼ ।

ବିମୁଦ୍ରୀକରଣ ଜ୍ବାଳାକୁ ପୂରିଲା ୬ ବର୍ଷ, ୨୦୧୬ ମସିହା ଆଜିର ଦିନରେ କେନ୍ଦ୍ର ସରକାର ନେଇଥିଲେ ନିଷ୍ପତ୍ତି

ନୂଆଦିଲ୍ଲୀ: ବିମୁଦ୍ରୀକରଣର ଜ୍ୱାଳାକୁ ପୂରିଲା ୬ ବର୍ଷ । ୨୦୧୬ ମସିହା ନଭେମ୍ବର ୮ ତାରିଖରେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ସାରା ଦେଶବାସୀଙ୍କ ଅର୍ଥନୈତିକ ସ୍ଥିତିକୁ କରିଦେଇଥିଲା ଗଡ଼ବଡ଼ । ୫୦୦ ଓ ୧ ହଜାର ଟଙ୍କିଆ ନୋଟକୁ ରଦ୍ଦ କରିଥିବାବେଳେ କୋଟି କୋଟି ଲୋକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ । କଳାଧନ ଓ ଜାଲନୋଟର ପ୍ରସାର ରୋକିବା ତଥା ସମାନ୍ତରାଳ ଛାୟା ଅର୍ଥନୀତିକୁ କବଜା କରିବା ଲାଗି ତତକାଳୀନ ସରକାରଙ୍କ ଏହି ନିଷ୍ପତ୍ତି ବିଭିନ୍ନ ମହଲରେ ହୋଇଥିଲା ସମାଲୋଚିତ । ଉପଯୁକ୍ତ ପଦକ୍ଷେପ ନନେଇ ହଠାତ୍ ବିମୁଦ୍ରୀକରଣ ନିଷ୍ପତ୍ତି ଦ୍ୱାରା ଦେଶବାସୀ ନାହିଁ ନଥିବା ସମସ୍ୟାର ଶିକାର ହୋଇଥିଲେ । ଦେଶବ୍ୟାପୀ ସମସ୍ତ ବ୍ୟାଙ୍କରେ ଅଭୁତପୂର୍ବ ସମସ୍ୟା ସୃଷ୍ଟି ହୋଇଥିଲା ।

ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁସାରେ ମୋଟ ମୁଦ୍ରା ପରିମାଣ ୧୫.୪୧ ଟ୍ରିଲିୟନ ଟଙ୍କା ମଧ୍ୟରୁ ବିଭିନ୍ନ ବ୍ୟାଙ୍କରେ ଜମା ହୋଇଥିଲା ୧୫.୩ ଟ୍ରିଲିୟନ ଟଙ୍କା । ଅର୍ଥାତ ମୋଟ ୯୯.୩ ପ୍ରତିଶତ ନୋଟ ବ୍ୟାଙ୍କରେ ଜମା ହୋଇଥିଲା । ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ଦେଶରେ ଡିଜିଟାଲ ଓ କ୍ୟାସଲେସ କାରବାର ବୃଦ୍ଧି ପାଇଥିଲା । ତେବେ ଯେଉଁ ଲକ୍ଷ୍ୟ ନେଇ ନୋଟବନ୍ଦୀ କରାଯାଇଥିଲା ତାହା ଏକରକମ ବିଫଳ ହୋଇଛି । ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁସାରେ ଚଳିତ ବର୍ଷ ଅକ୍ଟୋବର ୨୧ ସୁଦ୍ଧା ଦେଶରେ ଲୋକମାନଙ୍କ ନିକଟରେ ମୋଟ ୩୦.୮୮ ଲକ୍ଷ କୋଟି ଟଙ୍କାର ନଗଦ ଟଙ୍କା ରହିଛି । ଏହାର ଅର୍ଥ- ଡିଜିଟାଲ୍ ପେମେଣ୍ଟ ଅପେକ୍ଷା ଲୋକମାନେ ନଗଦ ଉପରେ ଅଧିକ ବିଶ୍ୱାସ କରୁଛନ୍ତି ।

ଆଜିଠୁ ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରା, ମହାନଦୀ ପଠାରେ ୯ ଦିନ ଧରି ମେଳା

କଟକ: ଆଜିଠୁ ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରା । ଦୁଇ ବର୍ଷ ପରେ ଆଜିଠାରୁ ଜମିବ କଟକର ଐତିହାସିକ ବାଲିଯାତ୍ରା । ମହାନଦୀ ପଠାରେ ୯ ଦିନ ଧରି ଚାଲିବ ମେଳା । ୧୪୦୦ ଷ୍ଟଲ ଓ ୨ ହଜାରରୁ ଅଧିକ ବ୍ୟବସାୟୀଙ୍କୁ ନେଇ ହେଉଛି ଏହି ଐତିହାସିକ ବାଲିଯାତ୍ରା । ଆଜି ସଂଧ୍ୟାରେ ଆନୁଷ୍ଠାନିକ ଭାବେ ମେଳାକୁ ଉଦଘାଟନ କରାଯିବ । ଦୋଳି ମୀନା ବଜାର ସାଙ୍ଗକୁ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଯାତ୍ରାର ମୁଖ୍ୟ ଆକର୍ଷଣ ହେବ । ଚଳିତ ବର୍ଷ ବାଲିଯାତ୍ରାରେ ପ୍ରଥମ ଥର ପାଇଁ ଲେଜର ଲାଇଟ ସୋ, କଟକ ଇନ କଟକ ପାଭେଲିୟନ ପରିକଳ୍ପନା କରାଯାଇଛି ।

ଅନ୍ୟପକ୍ଷରେ ଦୁଇ ବର୍ଷ ପରେ ବାଲିଯାତ୍ରା ଅନୁଷ୍ଠିତ ହେଉଥିବାରୁ ଲକ୍ଷାଧିକ ଲୋକଙ୍କ ସମାଗମ ହେବ । ଏହାକୁ ନଜରରେ ରଖି ସାଧାରଣ ଲୋକ କିପରି ଶାନ୍ତି ଶୃଙ୍ଖଳାରେ ଯାତ୍ରା ବୁଲିବେ ତାହା ଉପରେ ପୋଲିସ କଡ଼ା ନଜର ରଖିଛି । କମିସନରେଟ୍‌ ପୋଲିସ ପକ୍ଷରୁ ୫୦ ପ୍ଲାଟୁନ୍ ଫୋର୍ସ ବ୍ୟବସ୍ଥା କରାଯାଇଛି । ସିସିଟିଭି କ୍ୟାମେରା ସାଙ୍ଗକୁ ତଳ ଓ ଉପର ବାଲି ଯାତ୍ରା ପଡ଼ିଆରେ ୧୧ଟି ପୋଲିସ ସହାୟତା କେନ୍ଦ୍ର ରହିବ ।

ଆଜି ବର୍ଷର ଶେଷ ଚନ୍ଦ୍ରଗ୍ରହଣ, ଭୋର ୫ଟା ୩୮ରୁ ସନ୍ଧ୍ୟା ୬ଟା ୨୦ ପର୍ଯ୍ୟନ୍ତ ପାକତ୍ୟାଗ ଓ ଦେବକାର୍ଯ୍ୟ ନିଷେଧ

ଭୁବନେଶ୍ୱର: ଆଜି ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ଭୋର ୫ଟା ୩୮ ମିନିଟରୁ ସନ୍ଧ୍ୟା ୬ଟା ୨୦ ପର୍ଯ୍ୟନ୍ତ ପାକତ୍ୟାଗ ଓ ଦେବକାର୍ଯ୍ୟ ନିଷେଧ କରାଯାଇଛି । ଅପରାହ୍ଣ ୨ଟା ୩୯ରୁ ଗ୍ରହଣ ସ୍ପର୍ଶ ଆରମ୍ଭ ହୋଇ ୬ଟା ୨୦ରେ ସର୍ବମୋକ୍ଷ ହେବ । ମିଥୁନ, କର୍କଟ, ସିଂହ, ତୁଳା, ବିଚ୍ଛା, ଧନୁ, କୁମ୍ଭ ଓ ମୀନ ରାଶି ପାଇଁ ଗ୍ରହଣ ଦର୍ଶନ ଶୁଭ ବୋଲି ଗଣନା କରାଯାଇଛି । ଓଡ଼ିଶାରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ମାତ୍ର ୬ ମିନିଟ୍ ପାଇଁ ଅର୍ଥାତ ଅପରାହ୍ଣ ୫ଟା ୫ରୁ ୫ଟା ୧୧ ଯାଏଁ ଦେଖିପାରିବେ ।

ଚନ୍ଦ୍ରଗ୍ରହଣ ପାଇଁ ପଠାଣୀ ସାମନ୍ତ ପ୍ଲାନେଟାରିଅମରେ ମଧ୍ୟ ବିଶେଷ ବ୍ୟବସ୍ଥା କରାଯାଇଛି । ଦୂରବୀକ୍ଷଣ ଯନ୍ତ୍ର ଦ୍ୱାରା ଲୋକ ଏହି ବିରଳ ଦୃଶ୍ୟକୁ ଦେଖିପାରିବେ । ଚନ୍ଦ୍ରଗହଣ ପାଇଁ ଆରଡ଼ି ଆଖଣ୍ଡମଣୀ ପୀଠରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି । ଭୋର ୫ଟାରୁ ସଂନ୍ଧ୍ୟା ୬ଟା ୩୦ ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି । ଚନ୍ଦ୍ରଗ୍ରହଣ ପାଇଁ ମଧ୍ୟରାତ୍ରରୁ ସକାଳ ନୀତିକାନ୍ତି ଓ ବୋଇତ ଭସାଣ କରାଯାଇଛି । ଆଜି ରାତି ୮ଟାରେ ଦୁର୍ଲଭ ହରଗୌରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ବାବା ଆଖଣ୍ଡଳମଣୀ ।

ଆଜି କାର୍ତ୍ତିକ ମାସର ଶେଷ ଦିନ, ଡଙ୍ଗା ଭସାଇଲେ ହବିଷ୍ୟାଳି ଓ ଶ୍ରଦ୍ଧାଳୁ

ଭୁବନେଶ୍ୱର: ଆ କା ମା ବୈ ପାନଗୁଆ ଥୋଇ… ପାନ ଗୁଆ ତୋ’ର.. ମାସକ ଧରମ ମୋର । ଆଜି କାର୍ତ୍ତିକ ମାସର ଶେଷ ଦିନରେ ପୁସ୍କରଣୀରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ । ଓଡ଼ିଶା ସଂସ୍କୃତି ଓ ପରମ୍ପରାକୁ ମନେ ପକାଇ ଡଙ୍ଗା ଭସାଇଛନ୍ତି ରାଜ୍ୟବାସୀ । ଜଳାଶୟରେ ପରମ୍ପରା ପାଳନ କରିଛନ୍ତି । ପୁରୀ ମହୋଦଧୀ, ତୀର୍ଥ ପୁଷ୍କରିଣୀ, ଭୁବନେଶ୍ବର ବିନ୍ଦୁସାଗର, କଟକ ନଈପଠା ଓ ଯାଜପୁର ଦଶ୍ବାସମେଧ ଘାଟ ପରି ଅନେକ ତୀର୍ଥ ସ୍ଥାନରେ ଡଙ୍ଗା ଭସାଣ ସରିଛି । ଚନ୍ଦ୍ରଗ୍ରହଣ ପାଇଁ ମଧ୍ୟରାତ୍ରୀ ୨ ଟାରୁ ଭୋର ୫ଟା ୪୫ ମଧ୍ୟରେ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ ।

ସେହିପରି ଭୁବନେଶ୍ବର ବିନ୍ଦୁସାଗରରେ ଅନୁଷ୍ଠିତ ହୋଇଯାଇଛି ବୋଇତ ବନ୍ଦାଣ ଉତ୍ସବ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମନ୍ତ୍ରୀ ଅଶୋକ ପଣ୍ଡା । ସମ୍ମାନିତ ଅତିଥି ଭାବେ ମେୟର ସୁଲୋଚନା ଦାଶ, ବିଧାୟକ ଅନନ୍ତ ନାରାୟଣ ଜେନା, ଓଡ଼ିଶା ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକଙ୍କ ସମେତ କର୍ପୋରେଟରମାନେ ଯୋଗ ଦେଇଥିଲେ । ବିନ୍ଦୁ ସାଗରରେ ଡଙ୍ଗା ଭସାଇବା ପାଇଁ ଲୋକଙ୍କ ସମାଗମ ହୋଇଥିଲା ।

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ଚନ୍ଦ୍ର ଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଚନ୍ଦ୍ର ଗ୍ରହଣ ପାଇଁ ଶ୍ରୀମନ୍ଦିରରେ ଆଜି ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିବାବେଳେ, ଭୋର ୫ଟା ୫୪ ମିନିଟ ପରଠାରୁ ଦେବ ନୀତି ବନ୍ଦ ରହିଛି । ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଛି । ଭକ୍ତ ଶ୍ରୀଜିଉଙ୍କୁ ସୁନାବେଶରେ ଦର୍ଶନ କରୁଛନ୍ତି । ଦିନ ୨ଟା ୩୮ ପର୍ଯ୍ୟନ୍ତ ଦର୍ଶନ କରିପାରିବାର ସୌଭାଗ୍ୟ ପାଇବେ ଭକ୍ତ । ଧର୍ମ ମାସ କାର୍ତ୍ତିକର ଆଜି ଅନ୍ତିମ ଦିବସ ଥିବାରୁ ଶ୍ରୀକ୍ଷେତ୍ରରେ ମହୋଦଧି ଓ ବିଭିନ୍ନ ତୀର୍ଥ ପୁଷ୍କରିଣୀ ମାନଙ୍କରେ ଡଙ୍ଗା ଭସାଇବା ପାଇଁ ମଧ୍ୟ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା ।

ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ଭୋର ସମୟରୁ ୫ଟା୫୪ ମଧ୍ୟରେ ଭକ୍ତ ମାନେ ଡଙ୍ଗା ଭସାଇବା ନୀତି ଶେଷ କରି ବ୍ରତ ଉଦଯାପିତ କରିଥିଲେ । ତେବେ ଗ୍ରହଣକୁ ନେଇ ଶ୍ରୀମନ୍ଦିର ରାତ୍ର ୧୨ଟା ୮ରୁ ଦ୍ୱାର ଫିଟା ନୀତି ଅନୁଷ୍ଠିତ ହେବା ସହିତ ପରେ ପରେ ଭିତର ଶୋଧ, ମଙ୍ଗଳ ଆଳତୀ, ଅବକାଶ ସାରି ଶ୍ରୀଜିଉଙ୍କୁ ରାଜାଧିରାଜ ବା ସୁନାବେଶରେ ଭୂଷିତ କରାଯାଇଥିଲା । ବେଶ ପରେ ଗୋପାଳ ବଲ୍ଲଭ, ସକାଳ ଧୂପ, ବାଳଧୂପ ଓ ଭୋଗ ମଣ୍ଡପ ନୀତି ଶେଷ କରାଯାଇଥିଲା । ଅନ୍ୟପକ୍ଷରେ ଗ୍ରହଣ ସ୍ପର୍ଶ ପରେ ଶ୍ରୀମନ୍ଦିରରେ ନୀତି ଅନୁସାରେ ଶ୍ରୀଜିଉଙ୍କ ଦେବନୀତି ଆରମ୍ଭ କରାଯିବା ସହ ଗ୍ରହଣ ମହାସ୍ନାନ ଓ ଗ୍ରହଣ ଭୋଗ ନୀତି ଆଦି କରାଯିବ ।

ଭାରତ ଯୋଡୋକୁ ଝଟକା, କଂଗ୍ରେସର ଟ୍ବିଟର ହ୍ୟାଣ୍ଡଲ ବ୍ଲକ ଲାଗି କୋର୍ଟଙ୍କ ନିର୍ଦ୍ଦେଶ

ବେଙ୍ଗାଲୁରୁ: ଭାରତ ଯୋଡୋ ଯାତ୍ରାରେ କେଜିଏଫ-୨ ଗୀତ ବ୍ୟବହାର ପଡିଲା ମହଙ୍ଗା । କଂଗ୍ରେସର ଟ୍ବିଟର ହ୍ୟାଣ୍ଡଲ ବ୍ଲକ ଲାଗି ବେଙ୍ଗାଳୁରୁର ଏକ କୋର୍ଟ ଦେଇଛନ୍ତି ନିର୍ଦ୍ଦେଶ । ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଚାଲିଥିବା ଭାରତ ଯୋଡୋ ଯାତ୍ରାରେ କେଜିଏଫ-୨ର ଏକ ଗୀତକୁ ବ୍ୟବହାର କରାଯାଉଥିବାରୁ ଦଳ ବିରୋଧରେ କପିରାଇଟ ମାମଲା ରୁଜୁ କରିଥିଲା ଏକ ମ୍ୟୁଜିକ ଫାର୍ମ ।

ମାମଲାର ଶୁଣାଣି କରି ଆକାଉଣ୍ଟର ସାମୟିକ ବ୍ଲକ ଲାଗି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହି ଗୀତର ବ୍ୟବହାର କରିଥିବାରୁ ଏମଆରଟି ମ୍ୟୁଜିକ ପକ୍ଷରୁ ଏମ. ନବୀନ କୁମାର ଏକ ମାମଲା ଦାୟର କରିଥିଲେ । କଂଗ୍ରେସ ନେତା ଜୟରାମ ରମେଶ ଯାତ୍ରାର ଦୁଇଟି ଭିଡିଓ ପୋଷ୍ଟ କରିଥିବାବେଳେ କେଜିଏଫ ଗୀତକୁ ବ୍ୟବହାର କରିଥିଲେ ।

୧୦ ବର୍ଷ ନ୍ୟାୟିକ ଲଢେଇରେ ହାରିଗଲେ ଛାୱଲା ଗଣଦୁଷ୍କର୍ମ ପୀଡିତା, ମା’ କହିଲେ ଅନ୍ୟାୟ ସହି ହଉନି

ନୂଆଦିଲ୍ଲୀ: ଆମକୁ ନ୍ୟାୟ ମିଳିବ । ୧୦ ବର୍ଷ ଧରି ନ୍ୟାୟିକ ଲଢେଇରେ ଆମର ବିଜୟ ହେବ । ହେଲେ ଏବେ ଭାବିପାରୁନୁ ଆମେ କରିବୁ କଣ ? ଭାବିବା ଶକ୍ତି ବି ସରିଗଲାଣି । କାନ୍ଦିବାକୁ ଚାହିଁଲେ ବି ଅନୁମତି ଦେଉନି ବିବେକ । ସତରେ କଣ ଆଖି ସାମନାରେ ହାରିଯାଉଛି କି ନ୍ୟାୟ ବ୍ୟବସ୍ଥା । ସୁପ୍ରିମକୋର୍ଟଙ୍କ ସୁପ୍ରିମ ରାୟ ପରେ ଯେମିତି ଯନ୍ତ୍ରଣାର ବାଦଲ ମୁଣ୍ଡ ଉପରେ ବର୍ଷା ହୋଇ ଅଜାଡି ହୋଇ ପଡିଛି । ମାନ୍ୟବର କୋର୍ଟଙ୍କୁ ପଚାରିବାକୁ ଇଚ୍ଛା ହେଉଛି ଏ କେମିତିକା ନ୍ୟାୟ ? ମୃତ୍ୟୁଦଣ୍ଡ ବଦଳରେ କାହିଁକି ମୁକ୍ତିର ମହାଆନନ୍ଦ । ଅଦାଲତଙ୍କ ଏଭଳି ଅନ୍ୟାୟ ନା ସହିପାରୁଛୁ ନା କାହାକୁ କହିପାରୁଛୁ । ଝିଅକୁ ନ୍ୟାୟ ଦେବ କିଏ ? ସର୍ବୋଚ୍ଚ କୋର୍ଟଙ୍କ ଉପରେ ଆଉ ଅଛି କିଏ ? ଏ ହେଉଛି ଜଣେ ଅସହାୟ ମା’ର ବୁକୁଫଟା ଅଭିମାନ ।

ଆମେ କହୁଛୁ ଦିଲ୍ଲୀ ଛାୱଲା ଅପହରଣ ଓ ଗଣଦୁଷ୍କର୍ମ କଥା । ୨୦୧୨ରେ ଘଟାଇଥିବା ଏହି ଜଘନ୍ୟ କାଣ୍ଡ ପାଇଁ ୩ ଦୋଷୀଙ୍କୁ ଆଜି ମୁକ୍ତ କରିଛନ୍ତି ସୁପ୍ରିମକୋର୍ଟ । ୧୯ ବର୍ଷୀୟ ଯୁବତୀଙ୍କୁ ଅପହରଣ, ଗଣଦୁଷ୍କର୍ମ ପରେ ଅତି ନିର୍ମମ ଭାବେ ହତ୍ୟା କରିଥିବା ଦୋଷୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ । ଯାହାପରେ ଦେଶରେ ଅସନ୍ତୋଷର ମାହୋଲ ଦେଖାଦେଇଛି । କୋର୍ଟଙ୍କ ଏଭଳି ରାୟ ପରେ କେମିତି ସୁରକ୍ଷିତ ରହିବେ ମହିଳା ? ଅପରାଧୀର ଛାତିରେ କିଭଳି ପଶିବ ଆଇନର ଛନକ ? କେଉଁ ଆଧାରରେ ସେମାନଙ୍କୁ ମୁକ୍ତ କରାଯାଇଛି ? ଏଭଳି ଅନେକ ପ୍ରଶ୍ନ ଭିତରେ ନ୍ୟାୟପାଳିକା ଉପରୁ ଭରସା ଉଠିଯାଇଥିବା ନେଇ ଉଦବେଗ ପ୍ରକାଶ କରିଛନ୍ତି ଆଣ୍ଟି ରେପ୍‌ ଆକ୍ଟିଭିଷ୍ଟ ଯୋଗିତା ଭୟାନା ।

ଗତ ଫେବ୍ରୁଆରୀ ୨୦୧୪ରେ ଅଭିଯୁକ୍ତ ରବି କୁମାର, ରାହୁଲ ଓ ବିନୋଦଙ୍କୁ ଦିଲ୍ଲୀର ଏକ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ଅପହରଣ, ଦୁଷ୍କର୍ମ ଓ ହତ୍ୟା ଆଦି ଦଫା ସେମାନଙ୍କ ବିରୋଧରେ ଲାଗିବା ସହ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ କୋର୍ଟ । ନିମ୍ନ କୋର୍ଟଙ୍କ ରାୟ ବିରୋଧରେ ଅଭିଯୁକ୍ତ ଯାଇଥିଲେ ଦିଲ୍ଲୀ ହାଇକୋର୍ଟ । ହେଲେ ତିନି ଦୋଷୀଙ୍କୁ ହିଂସ୍ର ଜନ୍ତୁର ଆଖ୍ୟା ଦେଇଥିଲେ କୋର୍ଟ । ଏଭଳି ଜନ୍ତୁ ଶିକାର ଖୋଜୁଥାନ୍ତି କହି ମୃତ୍ୟୁ ଦଣ୍ଡାଦେଶକୁ କାଏମ ରଖିଥିଲେ ଦିଲ୍ଲୀ ହାଇକୋର୍ଟ। ଯାହା ବିରୋଧରେ ୩ ଅଭିଯୁକ୍ତ ହୋଇଥିଲେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ । ଏପରିକି ପୀଡିତାଙ୍କ ପରିବାର ନ୍ୟାୟ ମିଳିବା ଦାବିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କୁ ଭେଟିଥିଲେ । କିନ୍ତୁ ଏଭଳି ଘଟଣା ସାଧାରଣ କଥା କହି ଫେରାଇ ଦେଇଥିଲେ ସେତେବେଳର ଶାସକ ।

କଣ ଥିଲା ସେଇ ହୃଦୟ ବିଦାରକ ଘଟଣା ?

ପରିବାରର ଆର୍ଥିକ ବୋଝ ହାଲୁକା କରିବା ପାଇଁ ଘରୁ ଗୋଡ କାଢିଥିଲେ ପୀଡିତା । ସବୁଦିନ ପରି ସେଦିନ ବି କାମରୁ ଫେରିବା ସମୟରେ ଯୁବତୀଙ୍କୁ ଏକ କାରରେ ଅପହରଣ କରିଥିଲେ ଦୁଷ୍କର୍ମକାରୀ । ସେଠାରୁ ହରିୟାଣା ନେଇଯାଇ ତିନି ଦିନ ଲଗାତାର ଗଣଦୁଷ୍କର୍ମ କରିଥିଲେ । ତଥାପି ନରରାକ୍ଷସଙ୍କୁ ଶାନ୍ତି ମିଳି ନଥିଲା । ପୀଡିତାଙ୍କ ମୁହଁରେ ଏସିଡ ଢାଳି ନଷ୍ଟ କରିବା ସହ ଗରମ ରଡ୍‌ରେ ତାଙ୍କୁ ଆକ୍ରମଣ କରିଥିଲେ । କିଛି ଦିନ ପରେ ଏକ ସୋରିଷ କ୍ଷେତରୁ ପୀଡିତାଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ମହିଳାଙ୍କ ଗୁପ୍ତାଙ୍ଗରୁ ବିଅର ବୋତଲ ମିଳିଥିବା ବ୍ୟବଚ୍ଛେଦ ରିପୋର୍ଟରେ ଜଣାପଡିଥିଲା ।

ସୋନିଆଙ୍କ ଟେନିସ ଏକାଡେମୀର ଠିକଣା ଜାଣି ନାହାନ୍ତି ସୋଏବ, ବିଚ୍ଛେଦ ଯାଏଁ ପହଞ୍ଚିଲାଣି ସ୍ଥିତି

ହାଇଦ୍ରାବାଦ: ୧୨ ବର୍ଷ ପୂର୍ବେ କବୁଲ ହୈ କହି ହାତ ଧରିଥିଲେ । ଏବେ ତଲାକ୍‌ ତଲାକ୍‌ କହି ହାତ ଛାଡିଦେବେ କି ?ଶରହଦ୍‌ ପାର କରି ବାଛିଥିଲେ ସାଥୀ । ଆଉ ଏବେ ପ୍ରେମରେ ପଡିବ କି ପୂର୍ଣ୍ଣଚ୍ଛେଦ ? ଏମିତି ଅନେକ ପ୍ରଶ୍ନ ଭିତରେ ସୋହେବ ସାନିଆଙ୍କ ସମ୍ପର୍କ । ଖେଳ ଜଗତର ପାୱାରଫୁଲ କପଲଙ୍କ ପ୍ରେମସମ୍ପର୍କକୁ ନେଇ ଏବେ ଅନେକ ପ୍ରଶ୍ନ । ଟେନିସ କୋର୍ଟରେ ସବୁବେଳେ ହିଟ୍‌ ରହୁଥିବା ସାନିଆଙ୍କ ଲଭଷ୍ଟୋରୀ କିନ୍ତୁ ଫେଲ୍‌ ହେବା ନେଇ ଚାରିଆଡେ ଚର୍ଚ୍ଚା । ଖେଳ ଦୁନିଆର ପାୱାର କପଲ୍‌ ଭାବେ ଜଣାଶୁଣା ଟେନିସ ଷ୍ଟାର ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟର ଅଲରାଉଣ୍ଡର ସୋଏବ ମଲ୍ଲିକ । ପୁଅ ଇଜହାନ ସହ ଆଦର୍ଶ ପରିବାରର ମିସାଇଲ ବି ଦିଅନ୍ତି ଏହି ସ୍ପୋର୍ଟସ କପଲ । କିନ୍ତୁ ଦୁହିଁଙ୍କ ବିଚ୍ଛେଦ ଖବର ଏବେ ପାକିସ୍ତାନ ମିଡିଆରେ ନିଆଁ ଭଳି ବ୍ୟାପିଛି । ଖୁବଶୀଘ୍ର ଦୁହେଁ ଅଲଗା ହେବା ନେଇ ଲଗାତାର ପାକିସ୍ତାନ ମିଡିଆ ପ୍ରସାରଣ କରିବାରେ ଲାଗିଛି ।

୨୦୧୦ରେ ବିବାଦୀୟ ଢଙ୍ଗରେ ପରସ୍ପରର ହାତ ଧରିଥିଲେ ସାନିଆ ଓ ସୋହେବ । ସେହି ସମୟରେ ଆଉ ଜଣେ ମହିଳା ସୋହେବଙ୍କ ପ୍ରଥମ ପତ୍ନୀ ରୂପେ ଅଭିଯୋଗ କରିଥିଲେ । ହେଲେ ପ୍ରେମରେ ଉବୁଟୁବୁ ସାନିଆ ସବୁ କିଛି ଭୁଲି ସୋଏବଙ୍କୁ ସାତଜନ୍ମର ସାଥୀ କରିଥିଲେ । ନିକଟରେ ମଲ୍ଲିକ କପଲ୍‌ ପୁଅ ଇଜହାନର ଜନ୍ମଦିନ ଏକାଠି ପାଳିଥିଲେ । କିନ୍ତୁ ସାନିଆ ପାର୍ଟିର ଗୋଟିଏ ବି ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିନଥିଲେ । ଯାହାକି ସହଜରେ ଗ୍ରହଣ କରି ପାରିନଥିଲେ ପ୍ରଶଂସକ । ଓଲଟା ପାରିବାରିକ ଜୀବନରେ ଝଡ ଉଠିଥାଇପାରେ ବୋଲି ଅନୁମାନ କରୁଛନ୍ତି ଫ୍ୟାନ୍ସ । କେବଳ ଏତିକି ନୁହେଁ ଚର୍ଚ୍ଚାକୁ ଆହୁରି ଖୋରାକ୍‌ ଯୋଗାଉଛି ସାନିଆଙ୍କ ପୋଷ୍ଟ । ସୋସିଆଲ ମିଡିଆରେ ‘ଖରାପ ସମୟ’ ‘ଭଙ୍ଗା ହୃଦୟ’ ଲେଖି ପୋଷ୍ଟ କରୁଛନ୍ତି ସାନିଆ । ସେପଟେ ସୋଏବ ମଧ୍ୟ ପାକିସ୍ତାନ ମିଡିଆର ଏକ ଟକ ଶୋ’ରେ ସାନିଆଙ୍କ ସହ ଧୋକା କରିଥିବା ନେଇ ମାହୋଲ ସରଗରମ ।

ଏକ ମିଡିଆ ରିପୋର୍ଟ ଅନୁସାରେ ପାକିସ୍ତାନୀ କ୍ରିକେଟ ଶୋ ଆସ୍କ ଦ ପାଭିଲିଅନ କାର୍ଯ୍ୟକ୍ରମରେ ସାନିଆଙ୍କୁ ନେଇ ସୋଏବଙ୍କୁ ପ୍ରଶ୍ନ କରାଯାଇଥିଲା । ସାନିଆଙ୍କ ଟେନିସ ଏକାଡେମୀ ଓ ଏହାର ଲୋକେସନ ସମ୍ପର୍କରେ ପଚାରିଥିଲେ ଆଙ୍କର । ଯାହାର ଜବାବ ଦେଇ ସୋଏବ କହିଥିଲେ ଯେ ସେ ବାସ୍ତବରେ ଟେନିସ ଏକାଡେମୀର ଠିକଣା ଜାଣି ନାହାନ୍ତି । ଏପରିକି ଏକାଡେମୀକୁ ମଧ୍ୟ କେବେ ଯାଇନାହାନ୍ତି । ସୋଏବଙ୍କ ଉତ୍ତର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ୱାକର ୟୁନିସ । ନିଜକୁ ସମ୍ଭାଳି ନପାରି ସେ ସୋଏବଙ୍କୁ କହିଥିଲେ ଯେ ତୁମେ କେମିତିକା ସ୍ବାମୀ ।

ସେ ଯାହା ବି ହେଉନା କାହିଁକି ବିଚ୍ଛେଦ ଖବରକୁ ନେଇ ମୁହଁ ଖୋଲି ନାହାନ୍ତି ମଲିକ ଦମ୍ପତି । ୨୦୧୦ରେ ନବାବ ଠାଣିରେ ହାଇଦ୍ରାବାଦରେ ବିବାହ କରିଥିଲେ ସାନିଆ ସୋଏବ । ବିବାହର ୧୦ ବର୍ଷ ପରେ ପୁଅ ଇଜହାନଙ୍କ ଜନ୍ମ ହୋଇଥିଲା ।