ଓଡ଼ିଆ ପୁଅ ସମ୍ଭବ ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର

ନୂଆଦିଲ୍ଲୀ : ୧୧ଜଣ କୃତୀ ପ୍ରତିଭାଙ୍କୁ ଚଳିତ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରାଯାଇଛି। ଦେଶର ୧୧ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୬ଜଣ ବାଳକ ଓ ୫ଜଣ ବାଳିକାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି । ବିଜେତାଙ୍କୁ ପଦକ, ୧ଲକ୍ଷ ଟଙ୍କା ନଗଦ ପୁରସ୍କାର ଓ ପ୍ରମାଣପତ୍ର ଦିଆଯାଇଛି।

ନୂଆଦିଲ୍ଲୀରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କୃତୀ ପ୍ରତିଭାଙ୍କୁ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଛନ୍ତି। କଳା, ସଂସ୍କୃତି କ୍ଷେତ୍ରରେ ଅବଦାନ ପାଇଁ ଓଡ଼ିଶାର ସମ୍ଭବ ମିଶ୍ରଙ୍କୁ ଚଳିତ ବର୍ଷର ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରାଯାଇଛି।

କଟକ ଶିଖରପୁରର ସମ୍ଭବ ମିଶ୍ର ଲେଖିଥିବା ଅନେକ ପ୍ରବନ୍ଧ ଓ ବହି ପାଠକ ମହଲରେ ବେଶ ପ୍ରଶଂସା ଲାଭ କରିଛି। ପୂର୍ବରୁ ଇଣ୍ଡିଆ ବୁକ ରେକର୍ଡ କରିଛନ୍ତି ସମ୍ଭବ। ସାହିତ୍ୟ କୃତୀରେ ଉଲ୍ଲେଖନୀୟ ସଫଳତା ପାଇଁ ତାଙ୍କୁ ସମ୍ମାନଜନକ ଫେଲୋସିପ୍ ଅଫ୍ ଦି ରୟାଲ ଏସିଏଷ୍ଟିକ ସୋସାଇଟି, ଲଣ୍ଡନ ମିଳିଛି। ୨ଶହ ବର୍ଷ ମଧ୍ୟରେ ସର୍ବକନିଷ୍ଠ ବ୍ୟକ୍ତି ଭାବେ ସେ ଏହି ଫେଲୋସିପ୍ ପାଇଛନ୍ତି ।

କଳା, ସଂସ୍କୃତି, ସାହସିକତା, ନବସୃଜନ, ଶିକ୍ଷା, ସମାଜସେବା ଓ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ମହାରାଷ୍ଟ୍ରର ୧୫ବର୍ଷୀୟ ରୋହନ ରାମଚନ୍ଦ୍ର ବହିର ଜଣେ ମହିଳାଙ୍କ ଜୀବନ ରକ୍ଷା କରିଥିବା ବେଳେ ୮ବର୍ଷୀୟ ଋଷି ଶିବ ଖୁବ୍ କମ୍ ବୟସରେ ଆପ ଡେଭଲପର ହୋଇଛନ୍ତି । ଏହିଭଳି ୧୧ଜଣ କୃତୀ ପ୍ରତିଭାଙ୍କୁ ପୁରସ୍କୃତ କରାଯାଇଛି । ଏମାନଙ୍କ ସହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି ।