ଭିସ୍ତାରା ଫ୍ଲାଇଟରେ କପଡା ଖୋଲି ହଙ୍ଗାମା କଲେ ମହିଳା

ନୂଆଦିଲ୍ଲୀ: ବିମାନରେ ନିଶାସକ୍ତ ବିଦେଶୀ ମହିଳାଙ୍କ ହଙ୍ଗାମା । ଭିସ୍ତାରା ବିମାନରେ ଜଣେ ମହିଳା ପ୍ୟାସେଞ୍ଜର ନିଶାରେ କ୍ରୁ ମେମ୍ବରଙ୍କ ସହ ମାରପିଟ୍ କରିଥିବାର ଖବର ସାମ୍ନାକୁ ଆସିଛି । କେବଳ ଏତିକି ନୁହେଁ ସେ ନିଜର କପଡ଼ା ମଧ୍ୟ ଓହ୍ଲାଇ ଦେଇଥିଲେ । ଫ୍ଲାଇଟ ଇଟାଲୀରୁ ମୁମ୍ବାଇ ଆସୁଥିଲା । ମୁମ୍ବାଇରେ ଫ୍ଲାଇଟ ଲ୍ୟାଣ୍ଡିଂ କରିବା କ୍ଷଣି କ୍ରୁ ସଦସ୍ୟଙ୍କ ଅଭିଯୋଗକ୍ରମେ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରାଯାଇଛି । ପୋଲିସ ଅଧିକାରୀ କହିଛନ୍ତି ଏହି ଘଟଣା ସୋମବାର ଘଟିଛି । ମହିଳା ଜଣଙ୍କ ଇଟାଲୀ ବାସିନ୍ଦା ଅଟନ୍ତି । ତାଙ୍କ ନାଁ ପାଓଲା ଫେରୁଶିୟୋ । ୨୫ ହଜାର ଟଙ୍କାର ଜରିମାନା ପରେ ମହିଳାଙ୍କୁ ଜାମିନ ଦିଆଯାଇଛି ।

ଅବଶ୍ୟ ମାମଲାରେ ଏବେ ତଦନ୍ତ ଚାଲିଛି । ପୋଲିସ କହିବା ଅନୁସାରେ ମହିଳା ଜଣକଙ୍କ ପାଖରେ ଇକୋନମି କ୍ଲାସର ଟିକେଟ୍ ଥିଲା, କିନ୍ତୁ ସେ ବିଜନେସ୍ କ୍ଲାସରେ ଯାଇ ବସିଯାଇଥିଲେ । କ୍ରୁ ମେମ୍ବର ଯେତବେଳେ ମହିଳାଙ୍କୁ ତାଙ୍କ ସିଟରେ ବସିବାକୁ କହିଥିଲେ ତେବେ ସେ ଯୁକ୍ତି କରିବାକୁ ଲାଗିଥିଲେ । ପୀଡିତ କ୍ରୁ ମେମ୍ବର କହିଛନ୍ତି ଯେ, ସେ ହଙ୍ଗାମା କରିଥିଲେ । ମୋ ସହ ମାରପିଟ୍ କରିଥିଲେ । ଯେତବେଳେ ମୋ ସହାୟତା ପାଇଁ ଅନ୍ୟ କ୍ରୁ ମେମ୍ବର ଆସିଲେ ତେବେ ମହିଳା ତାଙ୍କ ଉପରକୁ ଛେପ ପକାଇଥିଲେ । ଏହାପରେ କପଡ଼ା ଖୋଲି ବୁଲିବାକୁ ଲାଗିଥିଲେ । କ୍ୟାପ୍ଟେନଙ୍କ ନିର୍ଦ୍ଦେଶକ୍ରମେ କ୍ରୁ ମେମ୍ବର ମହିଳାଙ୍କୁ ଧରି କପଡା ପିନ୍ଧାଇଥିଲେ । ତାଙ୍କୁ ଶାନ୍ତ କରିବା ପାଇଁ ଏକ ସିଟରେ ତାଙ୍କୁ ବାନ୍ଧି ଦିଆଯାଇଥିଲା ।