ଲାଞ୍ଚୁଆ ପୋଲିସ ଏସଆଇଙ୍କୁ ୫ ବର୍ଷ ଜେଲ୍ ଦଣ୍ଡ

ମୟୁରଭଞ୍ଜ: ଲାଞ୍ଚୁଆ ପୋଲିସ ଏସଆଇଙ୍କୁ ୫ ବର୍ଷ ଜେଲ୍ । ଦଣ୍ଡାଦେଶ ଦେଲେ ମୟୂରଭଞ୍ଜ ଜିଲ୍ଲା ସ୍ବତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟ । ରାୟ ଶୁଣାଇଲେ ବିଚାରପତି ଡ. ପ୍ରସନ୍ନ କୁମାର ପଣ୍ଡା । ୫ ବର୍ଷ କାରାଦଣ୍ଡ ସହ ୪୦ ହଜାର ଟଙ୍କା ଜୋରିମାନା ଆଦେଶ ଦିଆଯାଇଛି । ଜୋରିମାନା ଅନାଦେୟ ଅଧିକ ୧ ବର୍ଷ ୨ମାସ ଅତିରିକ୍ତ କାରାଦଣ୍ଡ ଭୋଗିବାକୁ ରହିଛି ନିର୍ଦ୍ଦେଶ । ଅଭିଯୁକ୍ତ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନାର ତତ୍କାଳୀନ ସବ ଇନ୍ସିପେକ୍ଟର ହୃଷିକେଶ ପଶ୍ଚିମକବାଟ । ଖୁଣ୍ଟା ଥାନା ଅନ୍ତର୍ଗତ ସାନବେଳାକୁଟି ଗ୍ରାମର ସଞ୍ଜୀବ ପୁଥାଳଙ୍କ ସମେତ ପରିବାରର ୭ ଜଣଙ୍କ ବିରୋଧରେ ଏକ ଯୌତୁକ ନିର୍ଯ୍ୟାତନା ମାମଲା ରୁଜୁ ହୋଇଥିଲା ।

ମାମଲାରେ ଅଭିଯୁକ୍ତମାନଙ୍କୁ ଗିରଫ ନ କରିବାକୁ ହୃଷିକେଶ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ୫ ହଜାର ଟଙ୍କା ନେଇଥିବା ବେଳେ ବଳକା ଟଙ୍କା ପରବର୍ତ୍ତୀ ସମୟରେ ନେବାକୁ ସ୍ଥିର ହୋଇଥିଲା । ଏନେଇ ସଞ୍ଜୀବଙ୍କ ଭାଇ ବିବେକାନନ୍ଦ ବାରିପଦା ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ । ଯୋଜନା ମୁତାବକ ୨୦୧୫ ଏପ୍ରିଲ ୧୩ ତାରିଖ ରାତିରେ ଥାନା ପରିସରରେ ଆଉ ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ କରିଥିଲା ଭିଜିଲାନ୍ସ ବିଭାଗ । ତାଙ୍କ ବିରୋଧରେ ମାମଲା ରୁଜୁ ହେବା ସହ କୋର୍ଟ ଚାଲାଣ କରାଯାଇଥିଲା ।

ତେବେ ସେହି ମାମଲାର ଆଜି ରାୟ ପ୍ରକାଶ ପାଇଛି । ୮ଜଣ ସାକ୍ଷୀ, ବୟାନ ଓ ପ୍ରମାଣକୁ ଭିତ୍ତିକରି କୋର୍ଟ ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏସଆଇ ହୃଷିକେଶ ବର୍ତ୍ତମାନ ବାଲେଶ୍ବର ଟ୍ରାଫିକ ଥାନାରେ ସବ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଅଛନ୍ତି । ରାୟ ପ୍ରକାଶ ପରେ ହୃଷିକେଶଙ୍କୁ ଗିରଫ କରାଯାଇ ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ହୃଷିକେଶଙ୍କୁ ଚାକିରୀରୁ ବରଖାସ୍ତ କରିବା ପାଇଁ ପୋଲିସ ବିଭାଗକୁ ଚିଠି ଲେଖାଯାଇଛି ।