ପାହାଡ଼ ଭଳି ଟଙ୍କା ଗଦାକଲେ, ତା’ ପରେ ସବୁ ବାଣ୍ଟିଦେଲେ

ନୂଆଦିଲ୍ଲୀ: ସାଧାରଣତଃ ଯେତେବେଳେ ଏକ କମ୍ପାନୀ ଭଲ ଲାଭ କରେ ସେତେବେଳେ କର୍ମଚାରୀମାନଙ୍କୁ ଭଲ ବୋନସ୍ ଦେଇଥାଏ । ସବୁବେଳେ ଏହି ବୋନସ ସିଧାସଳଖ ଆକାଉଣ୍ଟକୁ ସ୍ଥାନାନ୍ତର ହୁଏ ନ ହେଲେ ଚେକ୍ ମାଧ୍ୟମରେ ଦିଆଯାଏ ।

କିନ୍ତୁ ଏପରି ଏକ କମ୍ପାନୀ ଅଛି ଯିଏ କି ୭୦ କୋଟି କ୍ୟାସ ଦାନ କରିଦେଇଛି । ତାହା ପୁଣି ପୂରା ନିଆରା ଶୈଳୀରେ । ପ୍ରଥମେ ପାହାଡ଼ ଭଳି ଟଙ୍କା ଗଦା କରି ଜଣ ଜଣ କରି କମ୍ପାନୀର କର୍ମଚାରୀଙ୍କୁ ବାଣ୍ଟି ଦେଇଛି ।

ଏହି କମ୍ପାନୀ ରହିଛି ଚାଇନାରେ । କରୋନା ମହାମାରୀ ସତ୍ତ୍ବେ ଚାଇନାର ଏକ କମ୍ପାନୀ ତାର ପ୍ରାୟ ୪୦ କର୍ମଚାରୀଙ୍କୁ ୭୦ କୋଟି ଟଙ୍କା ବୋନସ୍ ଆକାରରେ ବାଣ୍ଟି ଦେଇଛି ।

କମ୍ପାନୀ ଟଙ୍କାକୁ ଏକ ମଞ୍ଚରେ ୨ ମିଟର ଉଚ୍ଚର ପାହାଡ଼ କରି ରଖିଥିଲା । ତା’ ପରେ ଜଣ ଜଣ କରି ୪୦ କର୍ମଚାରୀ ଆସି ଟଙ୍କା ନେଇଥିଲେ । ଏହି ଟଙ୍କା ବଣ୍ଟାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସାଉଥ ଚାଇନା ମର୍ନିଂ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ,  ଚୀନ୍‌ର ହେନାନ ସହରରେ ଥିବା ଏକ କମ୍ପାନୀ ତାର କର୍ମଚାରୀଙ୍କୂ ଏପରି ବୋନସ ଦେଇଛି । କମ୍ପାନୀ କ୍ରେନ୍ ଉତ୍ପାଦନ କରିଥାଏ । କର୍ମଚାରୀଙ୍କୁ କମ୍ପାନୀ ବେନସରେ ୭୦ କୋଟି ଟଙ୍କା ଦେଇଛି । କମ୍ପାନୀର ୩୦ରୁ ଅଧିକ କର୍ମଚାରୀଙ୍କୁ ୩କୋଟିରୁ ଅଧିକ ଟଙ୍କା ଦିଆଯାଇଛି । ମୋଟ ୪୦ ଜଣ କର୍ମଚାରୀ ବୋନସ ନେଇଛନ୍ତି । ବୋନସ କାର୍ଯ୍ୟକ୍ରମରେ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କ ପାଇଁ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ସେମାନଙ୍କୁ ନିର୍ଦ୍ଦିଷ୍ଟ ସମୟରେ ନୋଟ୍ ଗଣିବାକୁ ପଡୁଥିଲା । ଏଥିପାଇଁ ୧୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

କରୋନା ମହାମାରୀରେ ମଧ୍ୟ ହେନାନ ମାଇନ୍ ୨୩ ପ୍ରତିଶତରୁ ଅଧିକ ଲାଭ କରିଛି । କମ୍ପାନୀ ୨୦୦୨ ରେ ପ୍ରତିଷ୍ଠା ହୋଇଥିଲା । ଏବେ ଏହି କମ୍ପାନୀରେ ୫ ହଜାର କର୍ମଚାରୀ ଅଛନ୍ତି। ଗତ ବର୍ଷ କର୍ମଚାରୀଙ୍କ ବେତନରେ ୩୦ ପ୍ରତିଶତ ବୃଦ୍ଧି ଘଟିଥିଲା । ଗତ ୩ ବର୍ଷ ଧରି କମ୍ପାନୀରେ କୌଣସି କର୍ମଚାରୀଙ୍କୁ ଛଟେଇ କରାଯାଇନାହିଁ ।