ମୁମ୍ବାଇ : ଷ୍ଟାର କପଲ ଆଲିଆ ଏବଂ ରଣବୀର କପୁର ନିଜ ଝିଅ ‘ରାହା’ର ଭବିଷ୍ୟତ ପାଇଁ ନେଇଛନ୍ତି କିଛି ଜରୁରୀ ନିଷ୍ପତ୍ତି। ଏଥିପାଇଁ ଗଣମାଧ୍ୟମର ସାହାଯ୍ୟ ଲୋଡିଲେ ଏହି ଷ୍ଟାର ଦମ୍ପତି । ଶନିବାର ଦିନ ରଖିଲେ ନିଜ ଝିଅ ରାହା କପୁର ପାଇଁ ଏକ ସାମ୍ବାଦିକ ସମ୍ମିଳନୀ । ରଣବୀର-ଆଲିଆ ଏବଂ ନୀତୁ କପୁର ଗଣମାଧ୍ୟମ ସହିତ ଏହି ସମ୍ମିଳନୀ କରି ନେଇଛନ୍ତି ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ନିଜ ୨ ମାସର ଝିଅ ‘ରାହା’ର ଫଟୋ କ୍ଲିକ୍ ନ କରିବାକୁ ବୈଠକରେ ସାମ୍ବାଦିକମାନଙ୍କୁ ଅନୁରୋଧ କରିଛନ୍ତି। ଦୁଇ ବର୍ଷ ଯାଏଁ ତାଙ୍କ ଝିଅର ଫଟୋ କେହି ନଉଠାନ୍ତୁ ବୋଲି ନିଷ୍ପତ୍ତି ନେଇଛନ୍ତି। ଆଲିଆ ଏବଂ ରଣବୀର ୨୦୨୨ ନଭେମ୍ବର ୬ରେ କନ୍ୟା ସନ୍ତାନ ଲାଭ କରିଥିଲେ।
ସୂଚନା ଅନୁସାରେ ପିତା ମାତା ହେବା ଦିନଠାରୁ ହିଁ ଦୁହେଁ ନିଜ ଝିଅ ରାହାର ଫଟୋକୁ ସୋସିଆଲ ମିଡିଆରେ ଅାଜି ଯାଏଁ ସେୟାର କରିନାହାନ୍ତି । କେବଳ ଝିଅର ନାମକରଣରେ ହିଁ ସାମାନ୍ୟ ଝଲକ ଦେଖାଇଥିଲେ ସୋସିଆଲ ମିଡିଆରେ। ଏଠାରେ ଆଲିଆ ସୋସିଆଲ ମିଡିଆରେ ଝିଅ ରାହା ପାଇଁ ଅନେକ କିଛି ପୋଷ୍ଟ ପୂର୍ବରୁ କରିସାରିଛନ୍ତି। କିନ୍ତୁ ବର୍ତ୍ତମାନ ଯାଏଁ ଝିଅର ଫଟୋ ଫ୍ୟାନ୍ସଙ୍କୁ ଦେଖାଇନାହାନ୍ତି।

ଏହା ସହିତ ଷ୍ଟାର ଦମ୍ପତି ଏକ ଖାସ କାର୍ଯ୍ୟକ୍ରମର ଆୟୋଜନ କରି ମିଡିଆ ଫଟୋଗ୍ରାଫରମାନଙ୍କୁ ନିମନ୍ତ୍ରଣ କରିଥିଲେ। ଏହି ବୈଠକ ମାଧ୍ୟମରେ ରଣବୀର ଆଲିଆ ନିଜ ଝିଅ ରାହାର ଫଟୋକୁ ଗଣମାଧ୍ୟମକୁ ଦେଖାଇଥିବା ଜଣାପଡିଛି। କିନ୍ତୁ ତାଙ୍କ କୁନି ଝିଅ ରାହାର ଫଟୋକୁ ଭାଇରାଲ ନକରିବା ପାଇଁ ମିଡିଆକୁ ଅନୁରୋଧ କରିଥିଲେ ଅାଲିଅା-ରଣବୀର। ରାହାକୁ ଦୁଇ ବର୍ଷ ନ ପୂରିବା ପର୍ଯ୍ୟନ୍ତ ତାର କୌଣସି ଫଟୋ କ୍ଲିକ ନକରିବା ନେଇ ଗଣମାଧ୍ୟମକୁ ଅବଗତ କରାଇବା ନିମନ୍ତେ ସାମ୍ବାଦିକ ସମ୍ମିଳନୀ ରଖିଥିବା ଜଣାପଡିଛି।






