ପାଇଖାନା ଟାଙ୍କିରୁ ମିଳିଲା ଗୋପାଳର ହାତଲେଖା ଚିଠି

ନବକିଶୋର ଦାସଙ୍କୁ ଗୁଳି କରି ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ଛାନଭିନ୍ । ଓଏସଏପି ତୃତୀୟ ବାଟାଲିୟନର କାର୍ଯ୍ୟାଳୟରେ ଅଭିଯୁକ୍ତ ଗୋପାଳକୁ ମାରାଥନ ଜେରା କରୁଛନ୍ତି କ୍ରାଇମବ୍ରାଞ୍ଚର ବଛା ବଛା ଅଧିକାରୀ । ୪ ଦିନିଆ ରିମାଣ୍ଡର ଆଜି ହେଉଛି ଦ୍ୱିତୀୟ ଦିନ । ଗୋପାଳକୁ ତୁହାକୁ ତୁହା ଜେରା କରି ସତ ଉଗାରୁଛି କ୍ରାଇମବ୍ରାଞ୍ଚ । ଜେରା ବେଳେ ଗୋପାଳ ଦେଉଥିବା ତଥ୍ୟର ସତ୍ୟତା ପରଖିବା ସହ ପ୍ରମାଣ ସଂଗ୍ରହ କରୁଛି ତଦନ୍ତକାରୀ ଟିମ୍ । ହାତରେ ଆଉ ଦୁଇ ଦିନ ଥିବା ବେଳେ, ନବ କିଶୋର ହତ୍ୟା ଘଟଣା ପଛର କାରଣ ଖୋଜିବାକୁ ଚେଷ୍ଟା କରୁଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ପୂରା ତଦନ୍ତ ପ୍ରକ୍ରିୟା ସମୟରେ ନିଜେ ରହି ଅନୁଧ୍ୟାନ କରୁଛନ୍ତି ।

ଅନ୍ୟପକ୍ଷରେ ଗୋପାଳ ଏୟାରପୋର୍ଟ ଥାନା ପାଇଖାନା ଟାଙ୍କିରେ ପକାଇଥିବା ଚିଠିର ୨୦ ଖଣ୍ଡ ଟୁକୁଡା ପାଇଛି କ୍ରାଇମବ୍ରାଞ୍ଚ । ଏକ ଲାଲ୍ କାଗଜରେ ଉଭୟ ଇଂରାଜୀ ଓ ଓଡ଼ିଆରେ କିଛି ଲେଖାଯାଇଥିବା ସୂଚନା ମିଳିଛି । ଯାହାକୁ କ୍ରାଇମବ୍ରାଞ୍ଚ ହ୍ୟାଣ୍ଡରାଇଟିଂ ଏକ୍ସପର୍ଟ ମାଧ୍ୟମରେ ଏହା ଗୋପାଳର ହାତ ଲେଖା କି ନୁହେଁ, ତାହା ଜାଣିବାକୁ ଚେଷ୍ଟା କରିବ । ଏପରିକି ଏହି ଚିଠିରେ କ’ଣ ଲେଖାଯାଇଥିଲା, ତାହା ସ୍ପଷ୍ଟ କରିବାକୁ ଉଦ୍ୟମ କରୁଛି । ଅନ୍ୟପଟେ ଆଜି ମଧ୍ୟ ଦ୍ୱିତୀୟ ଥର ପାଇଁ ନବକିଶୋରଙ୍କ ସରକାରୀ ଗାଡ଼ିକୁ ବାଲିଷ୍ଟିକ୍ ଓ ଫରେନସିକ୍ ଏକ୍ସପର୍ଟ ଟିମ୍ ତନ୍ନ ତନ୍ନ କରି ଯାଞ୍ଚ କରିଛନ୍ତି ।