spot_img
Home Blog Page 3694

କୋରାଇରେ ସ୍ୱାଭାବିକ୍ ହେଳା ରେଳ ଚଳାଚଳ, ଉଭୟ ଅପ୍ ଓ ଡାଉନ୍ ଲାଇନରେ ଚାଲିଛି ଟ୍ରେନ୍

କୋରାଇ: ଦୀର୍ଘ ସମୟର କଠିନ ପରିଶ୍ରମ ପରେ ଯାଜପୁର କୋରାଇ ରେଳ ଷ୍ଟେସନର ଉଭୟ ଲାଇନରେ ସ୍ୱାଭାବିକ୍ ହୋଇଛି ରେଳ ଚଳାଚଳ । ରେଳ ବିଭାଗ କର୍ମଚାରୀଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଥିଲା ଟ୍ରେନ୍ ଲାଇନ୍ ସଫେଇ ଓ ମରାମତି କାର୍ଯ୍ୟ । ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଟ୍ରେନ୍ ଲାଇନରୁ ମାଲବାହୀ ଟ୍ରେନର ବଗିକୁ କଢ଼ାଯାଇଛି । ସେହିପରି ଟ୍ରେନ୍ ଲାଇନ୍ ମରାମତି ହୋଇଛି । ଗତକାଲି ରାତିରେ ଗୋଟିଏ ଲାଇନରେ ଟ୍ରେନ ଚଳାଚଳ କରିଥିବା ବେଳେ, ଆଜି ଉଭୟ ଅପ୍ ଓ ଡାଉନ୍ ଲାଇନରେ ସ୍ୱାଭାବିକ୍ ହୋଇଛି ଟ୍ରେନ୍ ଚଳାଚଳ ।

ଅନ୍ୟପଟେ ମାଲବାହୀ ଟ୍ରେନ କିପରି ଦୁର୍ଘଟଣା ହେଲା, ତା’ର ଉଚ୍ଚସ୍ତରୀୟ ତଦନ୍ତ କରାଯିବ । କାହିଁକି ଲାଇନଚ୍ୟୁତ ହେଲା ମାଲଗାଡ଼ି ଟ୍ରେନର ବଗି । ଗୋଟିଏ ବଗିର ଚକ କୁଆଡ଼େ ଗଲା ? ଟ୍ରାକରେ ନା ଟ୍ରେନରେ ଥିଲା ସମସ୍ୟା । ଏଭଳି ଅନେକ ଦିଗକୁ ନେଇ ତଦନ୍ତ କରାଯିବ । ଗତକାଲି ସକାଳ ୬ଟା ୪୪ ମିନିଟରେ କୋରାଇ ରେଳ ଷ୍ଟେସନର ପ୍ଲାଟଫର୍ମରେ ଲୋକ ଟ୍ରେନକୁ ଅପେକ୍ଷା କରିଥିବା ବେଳେ ହଠାତ୍ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା । ଦେଖୁ ଦେଖୁ ଟ୍ରେନର ୮ଟି ବଗି ପ୍ଲାଟଫର୍ମ ଉପରକୁ ଚଢ଼ିଯାଇଥିଲା । ସେହିପରି କିଛି ବଗି ଟିକେଟ୍ କାଉଣ୍ଟରକୁ ମାଡ଼ି ଯାଇଥିଲା । ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୩ ଜଣ ଗୁରୁତର ହୋଇଥିଲେ ।

ଖବର ପ୍ରଘଟ ହେବା ପରେ ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ ଅଗ୍ନିଶମ ବାହିନୀ, ଆରପିଏଫ୍ ଓ ସ୍ଥାନୀୟ ବାସିନ୍ଦା । ଏହାସହ ଭଦ୍ରକ ଓ ଖୋର୍ଦ୍ଧାରୁ ଏକ ସ୍ୱତନ୍ତ୍ର ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିଥିଲେ । ଦୁର୍ଘଟଣା ଯୋଗୁ ଉଭୟ ଅପ୍ ଓ ଡାଉନ ଲାଇନରେ ଟ୍ରେନ ଚଳାଚଳ ବନ୍ଦ ରହିଥିଲା । ଘଟଣାର କେଉଁ ସ୍ତରୀୟ ତଦନ୍ତ ହେବ ସେନେଇ ରେଳବାଇ ସୁରକ୍ଷା ମୁଖ୍ୟ ସୁପାରିଶ କରିବେ ବୋଲି ସୂଚନା ଦେଇଛନ୍ତି ପୂର୍ବତଟ ରେଳବାଇ ମୁଖ୍ୟ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ।

ପଦମପୁର ମଇଦାନରେ ଜମୁଛି ପ୍ରଚାର, ଭୋଟରଙ୍କୁ ଭେଟି ମନ ଜିଣୁଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା

ପଦମପୁର: ଉଠୁଛି ପଡ଼ୁଛି ପଦମପୁର । ଶୀତରେ ବି ଜମୁଛି ପ୍ରଚାର । ମଇଦାନରେ ଦମଦାର କ୍ୟାମ୍ପେନିଂ କରୁଛନ୍ତି ଷ୍ଟାର ପ୍ରଚାରକ । ରୋଡ୍ ସୋ’ ସାଙ୍ଗକୁ ସଭା, ଶୋଭାଯାତ୍ରାରେ କମ୍ପୁଛି ପଦମପୁର । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ଦଳର ପ୍ରମୁଖ ନେତାମାନେ ଜୋରଦାର ପ୍ରଚାର କରୁଛନ୍ତି । ଗାଁ ଗାଁ ଓ ଘର ଘର ବୁଲି ଭୋଟରଙ୍କୁ ମନାଉଛିନ୍ତି । ପଦମପୁରରେ ବିକାଶକୁ ନଜରରେ ରଖି ସବୁଠି ବର୍ଷାଙ୍କୁ ସ୍ୱାଗତ, ସମ୍ବର୍ଦ୍ଧନା ସହ ସମର୍ଥନ ଜଣାଉଛନ୍ତି ଲୋକେ । ସେହପିରି ବିଜେପି ଓ କଂଗ୍ରେସ ମଧ୍ୟ ଭୋଟରଙ୍କ ନିକଟରେ ପହଞ୍ଚୁଛନ୍ତି ।

ପଦମପୁରରେ ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ଅଛନ୍ତି । ପୁରୁଷ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୯ ହଜାର ୪୯୭ ଓ ମହିଳା ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୭ ହଜାର ୫୬୫ । ୩୧୯ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ କରାଯିବ । କିଛି ମତଦାନ କେନ୍ଦ୍ରର ନାଁ ପରିବର୍ତ୍ତନ ହୋଇଥିଲେ ବି ସ୍ଥାନ ସମାନ ରହିଛି । ତେଣୁ ପୂର୍ବରୁ ଯେଉଁଠି ଭୋଟ ଦେଇଥିଲେ, ସେହି ସ୍ଥାନରେ ଭୋଟର ଭୋଟ ଦେବେ । ୨୮୪ ଜଣ ବାଲଟ ପାଇଁ ଆବେଦନ କରିଛନ୍ତି । ପୋଲିଂ ଅଧିକାରୀଙ୍କ ନିଯୁକ୍ତି ପ୍ରକ୍ରିୟା ସରିବା ସହ ପ୍ରଥମ ପର୍ଯ୍ୟାୟ ତାଲିମ ଦିଆଯାଇଛି । ମାଓ ପ୍ରଭାବିତ ଅଞ୍ଚଳରେ ରହିଛି ୭୪ ବୁଥ୍ । ସେହିପରି ୭୮ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି ।

ଘନଉଛି ଜାପୋରିଜିୟା ଆଣବିକ ପ୍ଲାଣ୍ଟ ପ୍ରତି ବିପଦ, କୌଣସି ମୁହୂର୍ତ୍ତରେ ଘଟିପାରେ ଭୟଙ୍କର ଅଘଟଣ

କିଭ୍: ଘନଉଛି ଜାପୋରିଜିୟା ଆଣବିକ ପ୍ଲାଣ୍ଟ ପ୍ରତି ବିପଦ । କୌଣସି ମୁହୂର୍ତ୍ତରେ ଭୟଙ୍କର ବିପଦ ଘଟିପାରେ ବୋଲି ସତର୍କ କରାଇଛି ଋଷ । ଆଣବିକ ପ୍ଲାଣ୍ଟ ନିକଟରେ ୟୁକ୍ରେନ ସୈନ୍ୟ ବାରମ୍ବାର ଆକ୍ରମଣ କରୁଥିବାରୁ ପ୍ଲାଣ୍ଟ ପ୍ରତି ବିପଦ ସୃଷ୍ଟି ହେଲାଣି ବୋଲି କହିଛି ଋଷ । ବିଶ୍ୱର ସମସ୍ତ ରାଷ୍ଟ୍ର ୟୁକ୍ରେନକୁ ଏଥିରୁ ନିବୃତ୍ତ କରିବା ଦିଗରେ ଆଗେଇ ଆସିବା ଲାଗି ଆହ୍ବାନ ଦେଇଛି ଋଷ । ସେପଟେ ଋଷର ଏହି ଅଭିଯୋଗକୁ ଖଣ୍ଡନ କରିଛି ୟୁକ୍ରେନ । ଋଷ ହିଁ ଆକ୍ରମଣ ଜାରି ରଖିଛି ବୋଲି ୟୁକ୍ରେନ ଅଭିଯୋଗ କରିଛି ।

୧୯୮୬ରେ ଚେର୍ଣ୍ଣୋବିଲ ଆଣବିକ ତେଜଷ୍କ୍ରିୟ ଲିକ୍ ଘଟଣାର କରାଳ ଦୃଶ୍ୟ ମନରୁ ନ ଲିଭି ଥିବାବେଳେ ଏବେ ଜାପୋରିଜିୟାରେ କୌଣସି ମୁହୂର୍ତ୍ତରେ ବିପଦ ଉଭା ହେବ ବୋଲି ଆଶଙ୍କା ସୃଷ୍ଟିହୋଇଛି । ଚେର୍ଣ୍ଣୋବିଲଠାରୁ ଜାପୋରିଜିୟାର ଦୂରତା ୫୦୦ କିଲୋମିଟର । ଜାପୋରିଜିୟାର ସୁରକ୍ଷା ଲାଗି ଆନ୍ତର୍ଜାତିକ ଆଣବିକ ଶକ୍ତି ସଂସ୍ଥା ବା ଆଇଏଇଏ ସହ ଆଲୋଚନା କରିଛନ୍ତି ଋଷ ରସାତୋମ ଆଣବିକ ସହଯୋଗ ସଂସ୍ଥାର ମହାନିର୍ଦ୍ଦେଶକ ଆଲେକ୍ସି ଲିଖାଚେଭ ।

ଦିଲ୍ଲୀ ଶ୍ରଦ୍ଧା ଓ୍ୱାକର ହତ୍ୟା ମାମଲା, କିଲରର ପଲିଗ୍ରାଫ ଟେଷ୍ଟଲାଗି କୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ: ଦିଲ୍ଲୀ ଶ୍ରଦ୍ଧା ଓ୍ୱାକର ହତ୍ୟା ମାମଲା । ଅଭିଯୁକ୍ତ ଅଫତାବ ପୁନାଓ୍ୱାଲାର ହେବ ପଲିଗ୍ରାଫ ଟେଷ୍ଟ । ଏନେଇ ଦିଲ୍ଲୀ ପୋଲିସକୁ ଅନୁମତି ଦେଇଛନ୍ତି କୋର୍ଟ । ସେପଟେ ଶ୍ରଦ୍ଧାଙ୍କୁ ହତ୍ୟା କରିବା ଘଟଣାରେ ଅଫତାବ ବେଶ୍ ଭାଙ୍ଗିପଡ଼ିଥିବା ସୂଚନା ମିଳିଛି । ଜେରା ବେଳେ ସେ ଏନେଇ ପଶ୍ଚାତାପ କରିଥିବା କହିଛି ପୋଲିସ । ତେଣେ ଆଜି ଶେଷ ହେଉଛି ଅଫତାବର ରିମାଣ୍ଡ ଅବଧି । କୋର୍ଟରେ ଅଫତାବକୁ ହାଜର କରିବ ପୋଲିସ । ତେବେ ପଲିଗ୍ରାଫ ଟେଷ୍ଟ କ୍ଷେତ୍ରରେ ଅଭିଯୁକ୍ତ ଶରୀରରେ କାର୍ଡିଓ-କଫ୍ସ ଓ ସେନସିଟିଭି ଇଲେକ୍ଟ୍ରୋଡ ଖଞ୍ଜା ଯାଇଥାଏ । ଏହା ଜରିଆରେ ରକ୍ତଚାପ, ନାଡ଼ି ସ୍ପନ୍ଦନ, ଶ୍ୱାସକ୍ରିୟାଜନିତ ସ୍ପନ୍ଦନ, ସ୍ୱେଦପ୍ରବାଦ, ହାତ ଓ ଗୋଡ଼ର ଅଙ୍ଗଭଙ୍ଗୀ ଆଦି ପ୍ରତି ଧ୍ୟାନ ଦିଆଯାଇଥାଏ । ନିର୍ଦ୍ଦିଷ୍ଟ୍ର ପ୍ରଶ୍ନ କ୍ଷେତ୍ରରେ ତା’ର ପ୍ରତିକ୍ରିୟାରୁ ଅଭିଯୁକ୍ତ ସତ କି ମିଛ କହୁଛି ତାହା ଜଣାପଡ଼ିଥାଏ ।

ସେପଟେ ଫରେନସିକ ଲାବରେଟୋରୀ ସହକାରୀ ନିର୍ଦ୍ଦେଶକ ସଞ୍ଜୀବ ଗୁପ୍ତା କହିଛନ୍ତି- କେତେକ କାରଣରୁ ଅଫତାବର ନାର୍କୋଟେଷ୍ଟ କରାଯାଇନାହିଁ । ବର୍ତ୍ତମାନ ସୁଦ୍ଧା ପୋଲିସ ଶ୍ରଦ୍ଧାଙ୍କ ବନ୍ଧୁ ଲକ୍ଷ୍ମଣ ନାଦର, ରାହୁଲ ରାୟ, ଗୋଦଓ୍ୱିନ, ଶିବାନୀ ମାତ୍ରେ, ଅଫତାବ ରହୁଥିବା ଫ୍ଲାଟର ମାଲିକ, ଶ୍ରଦ୍ଧାଙ୍କ ମ୍ୟାନେଜର କରଣ ବାରି, ୟୁନିକ ପାର୍କର କର୍ମକର୍ତ୍ତା ପ୍ରମୁଖଙ୍କୁ ପୋଲିସ ଜେରା କରାସାରିଛି । ବର୍ତ୍ତମାନ ସୁଦ୍ଧା ସର୍ଚ୍ଚବେଳେ ୩୫ରୁ ଅଧିକ ସାମଗ୍ରୀ ଶ୍ରଦ୍ଧାଙ୍କର ମିଳିଲାଣି । ସେଥିରେ ରହିଛି ଅସ୍ଥି, ରକ୍ତ ନମୁନା, ଡିଏନଏ ନମୁନା ଇତ୍ୟାଦି ।

ପ୍ରବଳ ଜାଡ଼ରେ ଥରୁଛି ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ ବଢ଼ିଲାଣି ଶୀତ । କୁହୁଡ଼ିରେ ଆଚ୍ଛାଦିତ ହୋଇଛି ଶୀତୁଆ ସକାଳ । କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ଅଧିକ ଶୀତ ଅନୂଭୁତ ହେଲାଣି । କୋରାପୁଟ ଜିଲ୍ଲାରେ ଥଣ୍ଡାର ପ୍ରକୋପ ବି ବଢ଼ିଛି । କୋରାପୁଟ ଜିଲ୍ଲାର ସେମିଳିଗୁଡ଼ାରେ ଗତ ଏକ ସପ୍ତାହ ହେଲା ରାଜ୍ୟର ଅଧିକ ଥଣ୍ଡା ଅନୁଭୂତ ହେଉଛି । ସେଥିପାଇଁ ଗ୍ରାମାଞ୍ଚଳରେ ଲୋକେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ କିଏ ନିଆଁ ଲଗାଇ ବସୁଛନ୍ତି, ତ କିଏ ସକାଳୁ ବ୍ୟାୟାମ କରୁଥିବା ଦେଖିବାକୁ ମିଳୁଛି ।

ଖେଳପ୍ରେମୀଙ୍କ ପାଇଁ ଖୁସି ଖବର, ଆଜିଠୁ ହକି ବିଶ୍ବକପର ପ୍ରି ରେଜିଷ୍ଟ୍ରେସନ

ଭୁବନେଶ୍ବର: ବହୁପ୍ରତିକ୍ଷିତ ହକି ବିଶ୍ୱକପ ଟିକେଟ ପାଇଁ କାଉଣ୍ଟଡାଉନ ଆରମ୍ଭ । ଭୁବନେଶ୍ୱର ଓ ରାଉରକେଲାରେ ହେବାକୁ ଥିବା ହକି ବିଶ୍ୱକପ ପାଇଁ ଖୁବଶୀଘ୍ର ଆରମ୍ଭ ହେବ ଟିକେଟ ବିକ୍ରି । ଖେଳ ଦେଖିବାକୁ ଇଚ୍ଛୁକ ଦର୍ଶକ ହକି ବିଶ୍ୱକପର ଟିକେଟ କିଣିବା ପାଇଁ ଆଜିଠୁ ପ୍ରି-ରେଜିଷ୍ଟ୍ରେସନ କରିପାରିବେ । ଏଥିପାଇଁ ଏଫଆଇଏଚ ପକ୍ଷରୁ ନୋଟିଫିକେସନ ଜାରି ହୋଇଛି ।

ପଦମପୁର ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଶକ୍ତ ଧକ୍କା, ହାତ ଛାଡିଲେ ଶତାଧିକ କର୍ମୀ

ବରଗଡ: ପଦମପୁର ଉପନିର୍ବାଚନ ପାଇଁ ପ୍ରଚାର ଜୋରଦାର ଆରମ୍ଭ ହୋଇଥିବା ବେଳେ କଂଗ୍ରେସକୁ ଲାଗିଛି ଶକ୍ତ ଧକ୍କା । ହାତରୁ ଆସ୍ଥା ହରେଇ ବିକାଶ ସହ ଯୋଡି ହୋଇଛନ୍ତି କଂଗ୍ରେସର ପୂର୍ବତନ ବ୍ଲକ ଅଧ୍ୟକ୍ଷ, ସରପଞ୍ଚ, ପୂର୍ବତନ ସରପଞ୍ଚ, ପଂଚାୟତ ସଭାପତି ଓ ଏସଏଚଜି ସଭାପତି । ସେମାନେ ନିଜ ନିଜର ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ଯୋଗଦେଇଛନ୍ତି ।

ଆଜି ଆୟୋଜିତ ଏକ ମିଶ୍ରଣ ପର୍ବରେ ପଦମପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ସରୋଜ ବହିଦାର, ଭେଉଁରିଆ ପଂଚାୟତର ସରପଞ୍ଚ ଚୈତନ୍ୟ ଲୁହାର, ଲୁହାରପାଲି ପଂଚାୟତର ପୂର୍ବତନ ସରପଞ୍ଚ ଦିଲ୍ଲୀପ ସାହୁ, କଡଲିମୁଣ୍ଡା ପଂଚାୟତର କଂଗ୍ରେସ ସଭାପତି ବିଷ୍ଣୁ ବେହେରା, ଭେଉଁରିଆ ପଂଚାୟତର କଂଗ୍ରେସ ସଭାପତି ରୁଷଭ ସାହୁ, ଲୁହାରପାଲ୍ଲୀ ପଂଚାୟତର କଂଗ୍ରେସ ସଭାପତି ଧବଳେଶ୍ବର ସାହୁ ଓ କଂଗ୍ରେସ ଏସଏଚଜି ସଭାନେତ୍ରୀ ଝରଣା ସାହୁ ନିଜର ପ୍ରାୟ ହଜାରରୁ ଅଧିକ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି ।

କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅର୍ଥମନ୍ତ୍ରୀ ନରଂଜନ ପୂଜାରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଓ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଉପସ୍ଥିତିରେ ଏହି କଂଗ୍ରେସ ନେତାମାନେ ବିଜେଡିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଓ ବିକାଶ ଅଭିମୁଖୀ ଶାସନରେ ଆକୃଷ୍ଟ ହୋଇ ସେମାନେ ବିଜେଡିରେ ଯୋଗ ଦେଇଛନ୍ତି । ଏଥିସହିତ ଆଗାମୀ ଦିନରେ ସେମାନେ ପଦମପୁରରେ ବିଜେଡିକୁ ଅଧିକ ଶକ୍ତିଶାଳୀ କରିବା ସହ ବର୍ଷା ସିଂହ ବରିହାଙ୍କୁ ଜିତାଇବାରେ ସହଯୋଗ କରିବେ ବୋଲି କହିଛନ୍ତି ।

ପୁଣି ଆଜମଗଡରେ ଶ୍ରଦ୍ଧା ମର୍ଡର ପାର୍ଟ ୨, ହତ୍ୟା ପରେ ୬ ଖଣ୍ଡ କରି ଫିଙ୍ଗିଦେଲା

ଲକ୍ଷ୍ନୌ: ପିସ୍ ପିସ୍ କରି କାଟିଲା ଜହ୍ଲାଦ ପ୍ରେମିକ । ୟୁପି ଆଜମଗଡ଼ରେ ଶ୍ରଦ୍ଧା ମର୍ଡର ପାର୍ଟ ୨ । ଅନ୍ୟଜଣଙ୍କୁ ବିବାହ କରିଥିବାରୁ ପ୍ରେମିକର ପ୍ରତିଶୋଧ। ମନ୍ଦିର ବୁଲାଇଲା, ରେଷ୍ଟୁରାଣ୍ଟରେ ଖୁଆଇବା ପରେ ପ୍ରେମିକା ଆରାଧନାଙ୍କୁ ଗଳା ଚିପି ହତ୍ୟା କଲା ପ୍ରିନ୍ସ । ଶବ ଯେମିତି କେହି ନ ଚିହ୍ନିବେ, ସେଥିପାଇଁ ୬ଖଣ୍ଡ କରିଥିଲା ମୃତଦେହ। ମେହରୁଲି ପରେ ଉତ୍ତରପ୍ରଦେଶ ଆରାଧନା ପ୍ରଜାପତି ହତ୍ୟାକାଣ୍ଡ ସାରାଦେଶକୁ ଦୋହଲାଇ ଦେଇଛି। ପରିତ୍ୟକ୍ତ କୂଅରୁ ଆରାଧନା ପ୍ରଜାପତିଙ୍କ ଗଳିତ ଶରୀର ଅଂଶବିଶେଷ ମିଳିବା ପରେ ପୂର୍ବତନ ପ୍ରେମିକ ପ୍ରିନ୍ସ ଯାଦବକୁ ଗିରଫ କରିଛି ପୋଲିସ ।

ମହିଳା ବିରୋଧରେ ବଢୁଥିବା ଅପରାଧକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ମହିଳା ଅଧିକାର କର୍ମୀ । ଦେଶରେ ମହିଳା ଅସୁରକ୍ଷିତ । ମହିଳାଙ୍କ ବିରୋଧରେ ହିଂସା ବଢୁଥିବା ବେଳେ ଦୋଷୀଙ୍କୁ ଉଚିତ୍ ଦଣ୍ଡ ମିଳିପାରୁନି । ତଦନ୍ତ ପ୍ରକ୍ରିୟାରେ ବିଳମ୍ବ ଓ ଆଇନର ଗଳା ବାଟ ଅପରାଧୀଙ୍କୁ ସୁହାଉଛି । କେନ୍ଦ୍ର ସରକାର ମହିଳା ବିରୋଧୀ ଅପରାଧ ପାଇଁ ଉପଯୁକ୍ତ ଆଇନ ଆଣିବା ସହ ଅପରାଧୀ ଯେପରି ଦଣ୍ଡ ପାଇବେ ସେ ଦିଗରେ ମନିଟରିଂ ହେବା ଆବଶ୍ୟକ ବୋଲି ମହିଳା ଅଧିକାର କର୍ମୀ କହିଛନ୍ତି।

ସେପଟେ ଦିଲ୍ଲୀ ଶ୍ରଦ୍ଧା ଓ୍ବାକର ହତ୍ୟା ମାମଲାରେ ଆଜି ଅଫତାବର ନାର୍କୋ ଟେଷ୍ଟ ହୋଇନି। ନାର୍କୋ ପୂର୍ବରୁ ସୈତାନ ପ୍ରେମିକର ବ୍ରେନ ମ୍ୟାପିଂ ଓ ପଲିଗ୍ରାଫ୍ ଟେଷ୍ଟ ପାଇଁ ଯୋଜନା କରୁଛି ପୋଲିସ। ସେପଟେ ଶ୍ରଦ୍ଧା ମର୍ଡର କେସ୍ ତଦନ୍ତ ଭାର ସିବିଆଇକୁ ଦେବାକୁ ଦିଲ୍ଲୀ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର ହୋଇଛି। ତଦନ୍ତସ୍ଥଳରେ ଗଣମାଧ୍ୟମ ଓ ସ୍ଥାନୀୟ ଲୋକଙ୍କ ଉପସ୍ଥିତି ତଦନ୍ତରେ ବାଧା ସୃଷ୍ଟି କରୁଥିବା ପିଟିସନରେ ଉଲ୍ଲେଖ କରାଯାଇଛି । ଆସନ୍ତା ବୁଧବାର କୋର୍ଟ ପିଆଇଏଲର ଶୁଣାଣି କରିବେ ।

ଗାର୍ଲଫ୍ରେଣ୍ଡ ଶ୍ରଦ୍ଧା ପାଇଁ ଅଫତାବ ମନରେ ଥିଲା ଘୃଣା ଓ ଶତ୍ରୁ ଭଳି ହିନମନ୍ୟତା। ହତ୍ୟା ପରେ ଶ୍ରଦ୍ଧାଙ୍କ ଫଟୋଗ୍ରାଫ୍ ଜଳାଇଥିଲା ଅଫତାବ। ରାଗରେ ଶ୍ରଦ୍ଧାଙ୍କ ଆକାଉଣ୍ଟରୁ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲା ଟଙ୍କା। ରିମାଣ୍ଡ ବେଳେ ଦୁହିଁଙ୍କ ତିକ୍ତ ସମ୍ପର୍କକୁ ନେଇ ଅନେକ ତଥ୍ୟ ଆଦାୟ କରିଛି ପୋଲିସ ।

ବିଦେଶରୁ ଆସୁଥିଲେ ଏଣିକି ଆବଶ୍ୟକ ନାହିଁ ଏୟାର ସୁବିଧା ଫର୍ମ ପୂରଣ

0

ନୂଆଦିଲ୍ଲୀ: ଆନ୍ତର୍ଜାତିକ ଯାତ୍ରୀଙ୍କ ଲାଗି ବଦଳିଲା ନିୟମ । ଏଣିକି ଆବଶ୍ୟକ ନାହିଁ ଏୟାର ସୁବିଧା ଫର୍ମ ପୂରଣ । ଏହି ବ୍ୟବସ୍ଥାକୁ ହଟାଇଛନ୍ତି କେନ୍ଦ୍ର ସରକାର । ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ଫର୍ମ ପୂରଣ ଏହି ବ୍ୟବସ୍ଥାରେ ଥିଲା ବାଧ୍ୟତାମୂଳକ । କୋଭିଡ ସଂକ୍ରମଣ ପରଠାରୁ ବଳବତ୍ତର ଥିଲା ନିୟମ । ଭାରତ ଆସିବାକୁ ଥିବା ଯାତ୍ରୀମାନେ କୋଭିଡ ଟିକାକରଣ ନେଇ ଏକ ଆତ୍ମଘୋଷିତ ଫର୍ମ ପୂରଣ ଲାଗି ବ୍ୟବସ୍ଥା ଥିଲା ।

ଏଥିଲାଗି ସେମାନେ ଏୟାର ସୁବିଧା ପୋର୍ଟାଲ ପୂରଣ କରିବାକୁ ପଡୁଥିଲା । ତେବେ ବର୍ତ୍ତମାନ ଠାରୁ ଏହି ନିୟମକୁ ହଟାଇ ଦିଆଯାଇଛି । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ବାଲିଯାତ୍ରା ପଡିଆରେ ଦାଦାବଟି ମାଗି ବଦଳିଲେ କ୍ୟାଣ୍ଟନମେଣ୍ଟ ଥାନା ଅଧିକାରୀ

0

କଟକ: ମହଙ୍ଗା ପଡିଲା ବଟି ମାଗିବା ଘଟଣା । ଡିସିପି ଅଫିସକୁ ବଦଳିଲେ କଟକ କ୍ୟାଣ୍ଟନମେଣ୍ଟ ଥାନା IIC ଦୀନକୃଷ୍ଣ ମିଶ୍ର । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର । ବାଲିଯାତ୍ରାରେ ସାଇକେଲ ଷ୍ଟାଣ୍ଡ କରିଥିବା ଲୋକଙ୍କୁ ବଟି ମାଗିବାର ଭିଜୁଆଲ ଭାଇରାଲ ହେବା ପରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ ।

ବାଲିଯାତ୍ରା ସମୟରେ ୫୦ ହଜାର ଟଙ୍କା ଲେଖାଏଁ ମାଗୁଥିବାର ଭିଡିଓ ହୋଇଥିଲା ଭାଇରାଲ । ଭିଡିଓରେ ସେ ୫୦ହଜାର ଟଙ୍କା ମାଗୁଥିବାବେଳେ ଏହି ବାବଦରେ ୨୦ହଜାର ଟଙ୍କା ଦେଇଥିବା ବ୍ୟକ୍ତି ଜଣଙ୍କ କହୁଛନ୍ତି । ତେବେ ପୂରା ଟଙ୍କା ନଦେଲେ ଷ୍ଟାଣ୍ଡରୁ ଗାଡ଼ି ଚୋରିହେଲେ ଗ୍ରାହକଙ୍କୁ ଟଙ୍କା ଗଣିବ ବୋଲି ଶୁଣାଇ ଦେଉଛନ୍ତି ଥାନା ଅଧିକାରୀ । ଏହି ଭିଡିଓକୁ ନେଇ ଲୋକଙ୍କ ମଧ୍ୟରେ ବଢ଼ିଥିଲା ଅସନ୍ତୋଷ ।