ପୁଣି ଭୂମିକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ତୀବ୍ରତା ୭.୬

ଇସ୍ତାନବୁଲ: ରବିବାର ବିଳମ୍ବିତ ରାତିରେ ଆସିଥିବା ଭୀଷଣ ଭୂମିକମ୍ପରେ ବିଧ୍ୱଂସ ହୋଇଥିବା ବିଲ୍ଡିଂର ଭଗ୍ନାଂଶ ତଳେ ଏବେ ବି ଲୋକ ଫସିରହିଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ପୁଣିଥରେ ତୁର୍କୀରେ ଭୂମିକମ୍ପ ଆସିଥିବା ସୂଚନା । କିଛି ସମୟ ପୂର୍ବରୁ ୭.୬ ତୀବ୍ରତାର ଭୂକମ୍ପ ଆସିଛି । କହରାମନମାରସର ଏଲବିଷ୍ଟାନ ଜିଲ୍ଲାରେ ଏହି ଭୂକମ୍ପ ଅନୁଭୂତ ହୋଇଛି । କିଛି ସମୟ ଧରି ମାଟି ଦୋହାଲିଥିଲା । ଏହି ଭୂମିକମ୍ପ ଆସିବା ପରେ ପୁଣି ଗୋଟେଥର ଲୋକମାନେ ଭୟଭୀତ ହୋଇଯାଇଛନ୍ତି । ସୁରକ୍ଷିତ ସ୍ଥାନ ଖୋଜାରେ ଲାଗିଛିଛନ୍ତି । ଏହି ଭୂମିକମ୍ପ ତୁର୍କୀର ଦକ୍ଷିଣ ପୂର୍ବ ଅଞ୍ଚଳରେ ଅଧିକ ଅନୁଭୂତ କରାଯାଇଛି ଏବଂ ସେଠାରେ ଏହାର କେନ୍ଦ୍ରସ୍ଥଳୀ ଥିବା କୁହାଯାଉଛି ।

ତେବେ ଏଥିରେ କେତେ କ୍ଷୟକ୍ଷତି ହୋଇଛି ସେନେଇ କୌଣସି ସୂଚନା ନାହିଁ । ସୂଚନାଥାଉକି ଏହା ପୂର୍ବରୁ ଭୋର ପ୍ରାୟ ୪ଟା ବେଳେ ୭.୮ ତୀବ୍ରତାର ଭୂମିକମ୍ପ ଆସିଥିଲା । ତୁର୍କୀ ଏବଂ ସିରିଆରେ ଏହି ଭୂମିକମ୍ପ ବିଧ୍ୱଂସ ରଚିଥିଲା । ଶକ୍ତିଶାଳୀ ଭୂକମ୍ପ ଝଟକାରେ ବିରାଟ ବିରାଟ ବିଲ୍ଡିଂ ଭୁଶୁଡ଼ି ପଡ଼ିଥିବା ବେଳେ ଅନେକ ଲୋକ ଏବେ ବି ଇଟା ଖଣ୍ଡ ତଳେ ଫସି ରହିଛନ୍ତି । ଏପର୍ଯ୍ୟନ୍ତ ସୁଦ୍ଧା ପ୍ରାୟ ୧୩୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବା ବେଳେ ଅନେକ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ନେଇ ମଧ୍ୟ ଆଶଙ୍କା କରାଯାଉଛି ।