ତୁର୍କୀ-ସିରିଆରେ ୧୨ ଘଣ୍ଟାରେ ତିନୋଟି ଭୂମିକମ୍ପ, ୨୩ଶହରୁ ଅଧିକ ମୃତ

ନୂଆଦିଲ୍ଲୀ: ମିଡିଲ ଇଷ୍ଟର ଚାରି ଦେଶ ତୁର୍କୀ, ସିରିଆ, ଲେବନାନ ଏବଂ ଇସ୍ରାଏଲ ସୋମବାର ଭୂକମ୍ପ ଝଟକାରେ ଦୋହଲି ଯାଇଛି । ଏହି ସ୍ଥାନରେ ୧୨ ଘଣ୍ଟାରେ ବଡ଼ ବଡ଼ ଭୂମିକମ୍ପ ଆସିଛି । ଭୂକମ୍ପରେ ସବୁଠୁ ଅଧିକ ତୁର୍କୀ ଏବଂ ସିରଆରେ ବିଧ୍ୱଂସ ଦେଖା ଦେଇଛି । ତୁର୍କୀରେ ଏପର୍ଯ୍ୟନ୍ତ ସୁଦ୍ଧା ୧୧ଶହ ଲୋକଙ୍କ ମୃତ୍ୟୁ ହୋଇଯାଇଛି । ସେହିପରି ୫୩୮୫ ଜଣ ଲୋକ ଆହତ ହୋଇଛନ୍ତି । ସିରଆରେ ୮୦୦ରୁ ଅଧିକଙ୍କ ମୃତ୍ୟୁ ହୋଇଛି । ତୁର୍କିସ ମିଡିଆ ମୁତାବିକ ତୁର୍କୀରେ ୩ଟି ବଡ଼ ଝଟକା ଦେଖା ଦେଇଥିଲା । ପ୍ରଥମ ଝଟକା ଭୋର ପ୍ରାୟ ୪ ଟା ସମୟରେ ଆସିଥିଲା ।

ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୮ ଥିଲା । ସେହିପରି ଦ୍ୱିତୀୟ ଝଟକା ପ୍ରାୟ ୧୦ଟା ବେଳେ ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ୭.୬ ଥିଲା ।  ତୃତୀୟ ଭୂକମ୍ଫ ଅପରାହ୍ନ ୩ଟା ସମୟରେ ଆସିଥିଲା । ଏହାର ତୀବ୍ରତା ୬.୦ ଥିଲା । ଏହା ବ୍ୟତୀତ ୭୮ ଆଫ୍ଟର ସକ୍ସ ରେକର୍ଡ କରାଯାଇଛି । ଏଗୁଡିକର ତୀବ୍ରତା ୪ରୁ ୫ ରହିଥିଲା । ସିରିଆରେ ୭୮୩ ଜଣ ମୃତ୍ୟୁବରଣ କରିଛନ୍ତି ଏବଂ ୧୫ଶହରୁ ଅଧିକ ଜଣ ଆହତ ହୋଇଛନ୍ତି । ଦୁଇ ଦେଶରେ ମୃତକଙ୍କ ସଂଖ୍ୟା ମୋଟ ୨୩ଶହରୁ ଅଧିକ ହୋଇଯାଇଛି ।