ଧନୀବ୍ୟକ୍ତିଙ୍କ ସୂଚୀରେ କମିଲା ଭାରତର ଦବଦବା; ଆଦାନୀଙ୍କ ପରେ ଅମ୍ବାନୀ ମଧ୍ୟ ଶୀର୍ଷ-୧୦ରୁ ବାଦ୍

1 min read

ମୁମ୍ବାଇ: ବିଶ୍ୱର ୧୦ ସବୁଠୁ ଧନୀ କୋଟିପତିଙ୍କ ମଧ୍ୟରେ ଭାରତର ଦବଦବା ସମାପ୍ତ ହୋଇ ଯାଇଛି । ଶର୍ଟ ସେଲର ହିଣ୍ଡେନବର୍ଗର ରିପୋର୍ଟ ପରେ ଗୌତମ ଆଦାନୀ ଧନୀ ବ୍ୟକ୍ତିଙ୍କ ସୂଚୀରୁ ଲଗାତାର ତଳକୁ ତଳ ଖସିବାରେ ଲାଗିଛନ୍ତି । ସେହିପରି ଶୀର୍ଷ-୧୦ରେ ସାମିଲ ଦ୍ୱିତୀୟ ଭାରତୀୟ ମୁକେଶ ଅମ୍ବାନୀ ମଧ୍ୟ ଏହି ସୂଚୀରୁ ବାଦ୍ ପଡ଼ିଛନ୍ତି । ଅମ୍ବାନୀ ଏବଂ ଆଦାନୀ ଉଭୟଙ୍କ ନେଟୱର୍ଥରେ ସୋମବାର ମଧ୍ୟ ହ୍ରାସ ଦେଖା ଦେଇଛି । ସୋମବାର ଅପରାହ୍ନ ସୁଦ୍ଧା ମୁକେଶ ଅମ୍ବାନୀଙ୍କ ନେଟୱର୍ଥରେ ୬୮.୮ କୋଟି ଡଲାରର ହ୍ରାସ ରେକର୍ଡ ହୋଇଛି । ସେହିପରି ଗୌତମ ଆଦାନୀଙ୍କ ନେଟ ୱର୍ଥରେ ୨.୭ ଆରବ ଡଲାରର ହ୍ରାସ ହୋଇଛି ।

ଗୌତମ ଆଦାନୀ ବର୍ତ୍ତମାନ ଧନୀଙ୍କ ସୂଚୀରେ ୧୯ତମ ସ୍ଥାନକୁ ଖସି ଆସିଛନ୍ତି । ସେହିପରି ରିଲାଏନ୍ସ ଗ୍ରୁପ ମୁଖିଆ ମୁକେଶ ଅମ୍ବାନୀ ୧୨ତମ ସ୍ଥାନରେ ରହିଛନ୍ତି । ହିଣ୍ଡେନବର୍ଗର ରିପୋର୍ଟ ୨୪ ଜାନୁଆରୀରେ ଆସିଥିଲା । ଏହା ପୂର୍ବରୁ ୨୦ ଜାନୁଆରୀରେ ଶେଷ ହୋଇଥିବା ବ୍ୟବାସାୟିକ ସପ୍ତାହର ଶେଷରେ ଗୌତମ ଆଦାନୀ ବିଶ୍ୱର ତୃତୀୟ ସବୁଠୁ ଧନୀ ବ୍ୟକ୍ତି ଥିଲେ । ସେହିପରି ମୁକେଶ ଅମ୍ବାନୀ ଏହି ସୂଚୀରେ ନବମ ସ୍ଥାନରେ ଥିଲେ । ୨୪ ଜାନୁଆରୀରେ ହିଣ୍ଡେନବର୍ଗର ରିପୋର୍ଟ ଆସିବା ପରେ ଉଭୟ ଭାରତୀୟ କୋଟିପତିଙ୍କ ସମ୍ପତ୍ତି ହ୍ରାସ ପାଇଛି ।