୭ ବଡ଼ ଭୂମିକମ୍ପ ଥରାଇଛି ବିଶ୍ୱ, ଜାଣନ୍ତୁ…

1 min read

ନୂଆଦିଲ୍ଲୀ : ଥରି ଉଠିଲା ମାଟି ଆଉ କ୍ଷଣିକ ଭିତରେ ଧ୍ବଂସର ଖେଳ ରଚିଥିଲା ପ୍ରକୃତି  । ଆଉ ପୂରା ସହର ପାଲଟିଗଲା ଶ୍ମଶାନ । ତୁର୍କୀ‌ରେ ହୋଇଥିବା ଭୂମିକମ୍ପ ଆଜି ଅତୀତର ଭୟଙ୍କର ଓ ଶକ୍ତିଶାଳୀ ଭୂମିକମ୍ପ ସଂପର୍କିତ ସ୍ମୃତିକୁ ତା‌ଜା କରିଦେଇଛି। ମନେ ପକେଇ ଦେଇଛି ଲୋକଙ୍କ ଆର୍ତ୍ତ ଚିତ୍କାର । ଆଉ ସେ ଅଶୁଭ ଦିନର କାହାଣୀ  । ଜାଣନ୍ତୁ ଏପରି ବିଶ୍ବରେ ଚହଳ ଖେଳାଇଥିବା କିଛି ବଡ଼ ଧରଣର ଭୂମିକମ୍ପ ସମ୍ପର୍କରେ…

୧୯୫୨ ରୁଷିଆ ଭୂମିକମ୍ପ: ରୁଷିଆର କାମଚଟକା ନିକଟରେ ୧୯୫୨ ମସିହାରେ ୯.୦ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା। ଏଥିରେ ୨୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ ବଡ଼ ଧରଣର ସୁନାମି ସୃଷ୍ଟି ହୋଇଥିଲା ।

୧୯୬୦ ଚିଲି ଭୂମିକମ୍ପ : ୧୯୬୦ ମସିହା ମେ ମାସରେ ଚିଲିର ବାୟୋ-ବାୟୋ ଠାରେ ଏକ ବଡ଼ ଧରଣର ଭୂମିକମ୍ପ ହୋଇଥିଲା। ଦୁଇଥର ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ଯଥାକ୍ରମେ ୯.୪ ଏବଂ ୯.୬ ରହିଥିଲା। ପ୍ରାୟ ୧୦ ମିନିଟ ଧରି ଭୂମି ଥରିଥିଲା। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୬୦୦୦ ପର୍ଯ୍ୟନ୍ତ ଲୋକଙ୍କ ମୃତ୍ୟୁ ହୋଇଥିଲା। ଆଜି ପର୍ଯ୍ୟନ୍ତ ରେକର୍ଡ ହୋଇଥିବା ଭୂମିକମ୍ପ ମଧ୍ୟରେ ଏହାର ମାତ୍ରା ସବୁଠୁ ଅଧିକ ବୋଲି କୁହାଯାଇଥାଏ।

୧୯୬୪ ଆଲାସ୍କା ଭୂମିକମ୍ପ: ୧୯୬୪ ମସିହାର ଗୁଡ୍‌ ଫ୍ରାଇଡେ ଦିନ ଏକ ଶକ୍ତିଶାଳୀ ଭୂମିକମ୍ପ ଆଲାସ୍କା ଅଞ୍ଚଳରେ ହୋଇଥିଲା। ଏହାର ତୀବ୍ରତା ୯.୨ ରହିଥିଲା। ୫ ମିନିଟରୁ କମ୍ ସମୟ ପାଇଁ ହୋଇଥିଲେ ମଧ୍ୟ ଉତ୍ତର ଆମେରିକାରେ ଆଜି ପର୍ଯ୍ୟନ୍ତ ହୋଇଥିବା ଭୂମିକମ୍ପ ମଧ୍ୟରେ ଏହା ସବୁଠୁ ଶକ୍ତିଶାଳୀ। ଭୂମିକମ୍ପରେ ଏହି ଅଞ୍ଚଳରେ କେବଳ ୯ ଜଣଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ବିଶ୍ବର ବିଭିନ୍ନ ସ୍ଥାନରେ ସୁନାମି ଯୋଗୁ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।

୨୦୦୧ ଭୁଜ୍ଭୂମିକମ୍ପ: ୨୦୦୧ ମସିହାରେ ଗୁଜରାଟର ଭୁଜ୍‌ରେ ହୋଇଥିବା ଭୂମିକମ୍ପ ବିଶ୍ବର ତୃତୀୟ ବୃହତ୍ ଏବଂ ୨୦୦ ବର୍ଷ ମଧ୍ୟରେ ଭାରତର ଦ୍ବିତୀୟ ବିଧ୍ବଂସକାରୀ। ଏଥିରେ ୨୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ହଜାର ଲକ୍ଷ ଲକ୍ଷ ଲୋକ ଗୃହଶୂନ୍ୟ ହୋଇଥିଲେ।

୨୦୦୪ ସୁମାତ୍ରା ଭୂମିକମ୍ପ ସୁନାମି: ୨୦୦୪ ମସିହାରେ ସୁମାତ୍ରାରେ ହୋଇଥିବା ୯.୧ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଦକ୍ଷିଣ ଏସିଆର ଏକ ବଡ଼ ବିପର୍ଯ୍ୟୟ ଭାବେ ବିବେଚନା କରାଯାଏ। ଏହାଫଳରେ ଭାରତ ସମେତ ଅନେକ ଦେଶରେ ୧୦୦ ଫୁଟ ପର୍ଯ୍ୟନ୍ତ ସୁନାମି ଦେଖିବାକୁ ମିଳିଥିଲା। ୧୪ଟି ଦେଶରେ ପ୍ରାୟ ୨,୨୭,୦୦୦ ଲୋକଙ୍କର ଏହି ସୁନାମି ଫଳରେ ମୃତ୍ୟୁ ହୋଇଥିଲା। ଭାରତରେ ପ୍ରାୟ ୪୨ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା।

୨୦୧୧ ଜାପାନ ଭୂମିକମ୍ପ: ୨୦୧୧ ମାର୍ଚ୍ଚ ୧୧ରେ ଜାପାନରେ ହୋଇଥିବା ଭୂମିକମ୍ପ ଏବଂ ସୁନାମି ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏହାର ତୀବ୍ରତା ୯.୦ ରହିଥିଲା। ୧,୨୦,୦୦୦ କୋଠା ଭାଙ୍ଗିଥିଲା।

୨୦୧୫ ନେପାଳ ଭୂମିକମ୍ପ: ୨୦୧୫ ମସିହାରେ ନେପାଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଏହାାର ପ୍ରଭାବ ଭାରତ ସମେତ ଚୀନ, ପାକିସ୍ତାନ ଓ ବାଂଲାଦେଶରେ ଅନୁଭୂତ ହୋଇଥିଲା। ୮୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଏଥିରେ ହୋଇଥିଲା। ଏହା ପୂର୍ବରୁ ନେପାଳରେ ୧୯୩୪ରେ ଏକ ବଡ଼ ଧରଣର ଭୂମିକମ୍ପ ହୋଇ ୧୭ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା।