ରାଜ୍ୟରେ ଉପରମୁହାଁ ପାରଦ , ଆଗକୁ ସ୍ଥିତି ସଂଗୀନ ହେବା ଆଶଙ୍କା

ଭୁବନେଶ୍ବର : ରାଜ୍ୟରେ ଉପରମୁହାଁ ହେଲା ପାରଦ । ସ୍ବାଭାବିକଠାରୁ ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବଢିଲା ତାପମାତ୍ରା । ଆଗକୁ ସ୍ଥିତି ହେବ ସଂଗୀନ । ଦକ୍ଷିଣ ସମେତ ଉପକୂଳ ଓଡ଼ିଶାରେ କଲବଲ କରିବ ଖରା । ଆଗାମୀ ସପ୍ତାହେ ମଧ୍ୟରେ ପାରା ୪୦ ଛୁଇଁବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଗତକାଲି ରାଜଧାନୀ ଭୁବନେଶ୍ବରରେ ୩୪ଡିଗ୍ରୀ ଅତିକ୍ରମ କଲା ଦିନର ସର୍ବୋଚ୍ଚ ତାପମାତ୍ରା ।

କେବଳ ଭୁବନେଶ୍ବରରେ ସ୍ବାଭାବିକ ତାପମାତ୍ରା ତୁଳନାରେ ୨ ଦଶମିକ ୯ ଡିଗ୍ରୀ ଅଧିକ ରେକର୍ଡ ହୋଇଥିଲା । ଫେବ୍ରୁଆରୀ ମାସ ପାଇଁ ଆଇଏମଡି ଜାରି କରିଥିବା ମ୍ୟାପ୍ ଅନୁସାରେ, ପୂର୍ବ ଏବଂ ଉତ୍ତର ପୂର୍ବ ଭାରତର ଅଧିକାଂଶ ରାଜ୍ୟରେ ତାତି ସ୍ବାଭାବିକଠାରୁ ଅଧିକ ରହିବ । ପଶ୍ଚିମା ଝଡର ପ୍ରଭାବ କମିବା ସହ ସୂର୍ଯ୍ୟଙ୍କ ତେଜ କିରଣ, ମେଘମୁକ୍ତ ଆକାଶ ଏବଂ ଦୀର୍ଘ ଦିନ ବର୍ଷା ନହେବାରୁ ଦେଶରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି ।