ଶକ୍ତିଶାଳୀ ଝଟକାରେ ଛାରଖାର ଅନେକ ସହର, ମୃତ୍ୟୁସଂଖ୍ୟା ୪ହଜାର ପାର

1 min read

ନୂଆଦିଲ୍ଲୀ : ମିଡିଲ ଇଷ୍ଟରେ ପ୍ରଳୟଙ୍କରୀ ଭୂକମ୍ପ । ପ୍ରକୃତି କୋପରେ କ୍ଷୟକ୍ଷତିର କଳନା କରିବା ବି କଷ୍ଟକର ହୋଇପଡ଼ିଛି । ରାଜନୈତିକ ଅସ୍ଥିରତା ଭିତରେ ସମସ୍ତେ ଏକାଠି ହୋଇ ଏହି ବିପତ୍ତିର ସାମ୍ନା କରୁଛନ୍ତି । ୪ଦେଶରେ ଶକ୍ତିଶାଳୀ ଝଟକା ଅନୁଭୂତ ହୋଇଥଇବା ବେଳେ ଭୂକମ୍ପ କେନ୍ଦ୍ରସ୍ଥଳ ଥିବା ତୁର୍କୀ ସବୁଠୁ ଅଧିକ କ୍ଷତି ସହିଛି । ଦକ୍ଷିଣ ତୁର୍କୀର ୧୦ ସହର ଛାରଖାର ହୋଇଯାଇଛି ।

ଅନେକ ଲୋକ ମାଟି ତଳେ ସମାଧି ନେଇଯାଇଥିବା ଆଶଙ୍କା କରାଯାଉଥିବା ବେଳେ ମୃତ୍ୟୁ ସଂଖ୍ୟା ୪ହଜାର ପାର କରିଛି । ୭.୮, ୭.୬ ଓ ୬.୦ ତୀବ୍ରତାର ଲଗାତାର ତିନି ଭୂକମ୍ପ ମୃତ୍ୟୁର ତାଣ୍ଡବ ରଚିଛି । ଏବେ ବି ହଜାର ହଜାର ଲୋକ ଧ୍ବଂସାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ପ୍ରଭାବିତ ଅଞ୍ଚଳରେ ରେସ୍କ୍ୟୁ ଅପରେସନ ଜାରି ରହିଛି । ପ୍ରବଳ ଶୀତ ଓ ତୁଷାରପାତ ଯୋଗୁ ରେସ୍କ୍ୟୁ ଅପରେସନ ବାଧାପ୍ରାପ୍ତ ହୋଇଛି । ଦକ୍ଷିଣ ତୁର୍କୀ ଓ ଉତ୍ତର ସିରିଆରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

ଭୟାନକ ଭୂକମ୍ପରେ ଅନେକ ସହର ଧ୍ବସସ୍ତୂପରେ ପରିଣତ ହୋଇଛି । ହଜାର ହଜାର ବହୁତଳ ବିଶିଷ୍ଟ କୋଠା ଭାଙ୍ଗି ମାଟିରେ ମିଶିଯାଇଛି । ୧୯୩୯ ପରେ ଏହା ସବୁଠାରୁ ବଡ଼ ବିପତ୍ତି ବୋଲି କୁହାଯାଉଛି । ସେପଟେ ତୁର୍କୀକୁ ଅନ୍ତରାଷ୍ଟ୍ରୀୟ ସମୁଦାୟରୁ ସହାୟତାର ହାତ ବଢ଼ିଛି । ଭାରତ ଓ ଆମେରିକା ସମେତ ୪୦ଟି ରାଷ୍ଟ୍ର ସହାୟତା, ରେସ୍କ୍ୟୁ ଟିମ ସହଯୋଗ କରିବା ଲାଗି ପଦକ୍ଷେପ ନେଇଛନ୍ତି । ତୁର୍କୀ ସରକାର ଓ ଜରୁରୀକାଳୀନ ବିଭାଗ ସହ ଯୋଗାଯୋଗରେ ରହିଛି UNICEF । ୩ଶହ ସୈନ୍ୟ ବିଶିଷ୍ଟ ୧୦ଟି ଟିମ୍ ସିରିଆ ପଠାଇଛି ଋଷ ।

ସେହିପରି ଭାରତର ଦୁଇଟି ଏନଡିଆରଏଫ ଟିମକୁ ତୁର୍କୀ ପଠାଯାଇଛି । ଏବେସୁଦ୍ଧା ୪ହଜାରରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇତିବା ବେଳେ ୧୫ହଜାର ଲୋକ ଗୁରୁତର ହୋଇଛନ୍ତି । ୫ହଜାର ୬ଶହରୁ ଅଧିକ ବିଲ୍ଡିଂ ଭୁଶୁଡ଼ି ପଡ଼ିଛି । ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି । ତୁର୍କୀର ଶରଣାର୍ଥୀ ବହୁଳ ଇଲାକା ବିଶେଷ କ୍ଷତିଗ୍ରସ୍ତ ହୋଇଛି ।

ଯନ୍ତ୍ରାଂଶ ଅଭାବରୁ ଅନେକ ଲୋକଙ୍କୁ ଧ୍ବଂସସ୍ତୂପ ତଳୁ ଉଦ୍ଧାର କରିବା ସମ୍ଭବ ହୋଇପାରୁନାହିଁ । ଗତକାଲି ଭୋରରୁ ୭.୮ ତୀବ୍ରତାର ଶକ୍ତିଶଳୀ ଭୂକମ୍ପ ପରେ ତୁର୍କୀ ଓ ସିରିଆରେ ପ୍ରାୟ ୭୭ ଝଟକା ଅନୁଭୂତ ହୋଇଥିବା ଜଣାପଡ଼ିଛି । ୧୯୩୯ରେ ୭.୮ ତୀବ୍ରତା ବିଶିଷ୍ଟ ଭୂମିକମ୍ପରେ ୩୨ହଜାର ୭ଶହ ଲୋକଙ୍କ ଜୀବନ ଯାଇଥିଲା । ୧୯୭୬ ଭୂକମ୍ପରେ ୭ହଜାର, ୧୯୯୯ ମସିହାରେ ହୋଇଥିବା ଭୂମିକମ୍ପରେ ୧୭ହଜାର ଲୋକଙ୍କ ପ୍ରାଣହାନି ହୋଇଥିଲା