ଆଜି କ୍ରିଷ୍ଟିଆନ ମିସେଲଙ୍କ ଜାମିନର ଶୁଣାଣି କରିବେ ସୁପ୍ରିମକୋର୍ଟ

1 min read

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡ ଭିଭିଆଇପି ଚପର ଦୁର୍ନୀତି ମାମଲା । ଅଭିଯୁକ୍ତ ତଥା ବ୍ରିଟିଶ ନାଗରିକ କ୍ରିଷ୍ଟିଆନ ମିସେଲଙ୍କ ଜାମିନ ଆବେଦନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ଗତ ଗୁରୁବାର ମାମଲାର ଶୁଣାଣି କରି ପ୍ରଧାନବିଚାରପତି ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ମାମଲାର ଶୁଣାଣି ମଙ୍ଗଳବାର କରିବା ଲାଗି ନିଷ୍ପତ୍ତି ନେଇଥିଲେ । ଦୁର୍ନୀତିରେ ମିସେଲ ସାମିଲ ଥିବା ନେଇ ତାଙ୍କ ବିରୋଧରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୨୦୧୩ରେ ମାମଲା ରୁଜୁ କରିଥିଲେ ।

ମିସେଲଙ୍କ ଓକିଲ ଦର୍ଶାଇଛନ୍ତି- ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ମିସେଲ ୪ବର୍ଷ ଜେଲ ଜୀବନ କଟାଇସାରିଲେଣି । ତେଣୁ ତାଙ୍କୁ ଜାମିନ ପ୍ରଦାନ କରାଯାଉ । ୩୬୦୦ କୋଟି ଟଙ୍କାର ୧୨ଟି ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡ ଭିଭିଆଇପି ହେଲିକପ୍ଟର କ୍ରୟ କ୍ଷେତ୍ରରେ ବ୍ୟାପକ ଦୁର୍ନୀତି ନେଇ ଅଭିଯୋଗ ହୋଇଥିଲା । ଏହି ମାମଲାରେ ଅନ୍ୟକିଛି ଅଭିଯୁକ୍ତଙ୍କୁ ଜାମିନ ମିଳିସାରିଥିଲେ ବି ମିସେଲଙ୍କୁ ଜାମିନ ମିଳିନାହିଁ । ଖଣ୍ଡପୀଠ ନିକଟରେ ଇଡି ଦର୍ଶାଇଛି- ଦୁର୍ନୀତି ମାମଲାରେ ମିସେଲ ସମ୍ପୃକ୍ତ ଥିବା ସ୍ପଷ୍ଟ ହୋଇଛି ଏବଂ ତାଙ୍କ ବିରୋଧରେ ବେଆଇନ ଅର୍ଥ କାରବାର ମାମଲା ଚାଲିବା ଯଥାର୍ଥ ।

ଗତ ୨୦୨୨ ମାର୍ଚ୍ଚରେ ମିସେଲଙ୍କ ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିବା ପରେ ସେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ୨୦୧୮ରେ ତାଙ୍କୁ ଦୁବାଇ ସରକାର ଭାରତ ହାତରେ ପ୍ରତ୍ୟର୍ପଣ କରିଥିଲେ । ସେବଠାରୁ ସେ ଦିଲ୍ଲୀ ତିହାଡ ଜେଲରେ ରହିଆସୁଛନ୍ତି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅନ୍ୟ ଭିଭିଆଇପିଙ୍କ ସକାଶେ ୧୨ଟି ହାଇପ୍ରୋଫାଇଲ ଚପର କିଣିବା ଲାଗି ୨୦୧୦ ଫେବୃଆରୀରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ।

ଭାରତୀୟ ମଧ୍ୟସ୍ଥି, ରାଜନେତା, ଅମଲାତନ୍ତ୍ରୀ ଓ ବାୟୁସେନା ଅଧିକାରୀଙ୍କୁ ଚୁକ୍ତି ଲାଗି ବିପୁଳ ଲାଞ୍ଚ ଦିଆଯାଇଥିବା ସ୍ପଷ୍ଟ ହୋଇଥିଲା । ଏହି ଘଟଣାରେ ୨୦୧୬ ଡିସେମ୍ବରରେ ତତକାଳୀନ ବାୟୁସେନା ମୁଖ୍ୟ ଏସ.ପି. ତ୍ୟାଗୀଙ୍କୁ ଗିରଫ କରିଥିଲା ସିବିଆଇ । ଶେଷରେ ୨୦୧୪ଜାନୁଆରୀରେ ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡ ସହ ହୋଇଥିବା ଚୁକ୍ତିକୁ ଭାରତ ରଦ୍ଦ କରିଦେଇଥିଲା ।