ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ମା’ ନିର୍ମଳପ୍ରଭା ନାୟକଙ୍କ ପରଲୋକ

ଭୁବନେଶ୍ୱର : ଚିର ନିଦ୍ରାରେ ସାରସ୍ବତ ସାଧିକା ନିର୍ମଳପ୍ରଭା ନାୟକ । ଘରୋଇ ଡାକ୍ତରଖାନାରେ ଆଜି ତାଙ୍କ ପରଲୋକ ହୋଇଛି । ପାଟକୁରା ଗାନ୍ଧୀ ଭାବେ ପରିଚିତ ରାଜକିଶୋର ନାୟକଙ୍କର ପତ୍ନୀ ଥିଲେ । ବିବାହ ପରେ ନିଜ ଚେଷ୍ଟାରେ ପାଠ ପଢି ସେ ଶିକ୍ଷୟତ୍ରୀ ଭାବେ ୩୫ବର୍ଷରୁ ଅଧିକ ସମୟ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ । ତାଙ୍କ ଲିଖିତ ସାୟାହ୍ନର ସ୍ମୃତି ପୁସ୍ତକ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛି । ଏଥିଲାଗି ଏକାଡେମୀ କର୍ତ୍ତୃପକ୍ଷ ସମ୍ମାନ ବାବଦରେ ତାଙ୍କୁ ପ୍ରଦାନ କରିଥିବା ଲକ୍ଷାଧିକ ଟଙ୍କା ସେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଥିଲେ ।

ଏହି ପୁସ୍ତକର ଇଂରାଜୀ ଅନୁବାଦ ‘ଟୁଇଲାଇଟ୍‍ ମେମୋରିଜ୍‍’ ମଧ୍ୟ ବେଶ୍‍ ଚର୍ଚ୍ଚିତ ହୋଇଛି । ନିର୍ମଳପ୍ରଭାଙ୍କ ଅନେକ ପୁସ୍ତକ ଏହା ମଧ୍ୟରେ ପ୍ରକାଶ ପାଇଛି । ବିଭିନ୍ନ ପତ୍ର ପତ୍ରିକା ପାଇଁ ସେ ନିୟମିତ ଭାବେ ଲେଖା ଲେଖୁଥିଲେ । ତାଙ୍କ ମୃତ୍ୟୁରେ ସାହିତ୍ୟ, ରାଜନୀତି ଓ ସମାଜସେବା ସହ ଜଡିତ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ମା’ ରମାଦେବୀ, ଅନ୍ନପୂର୍ଣ୍ଣା ମହାରଣା ଇତ୍ୟାଦିଙ୍କ ନିକଟ ବଳୟରେ ସେ କାମ କରିବା ସହ ୱର୍ଦ୍ଧା ଓ ସେବାଗ୍ରାମ ଆଶ୍ରମରେ ମଧ୍ୟ ତାଲିମ ନେଇଥିଲେ । ତାଙ୍କ ସ୍ୱାମୀ ସ୍ୱର୍ଗତ ରାଜକିଶୋର ନାୟକ ଦୁଇ ଦୁଇଥର ବିଧାୟକ ଓ ରାଜ୍ୟ ଖଦିବୋର୍ଡର ଅଧ୍ୟକ୍ଷ ଥିଲେ ମଧ୍ୟ ଶ୍ରୀମତୀ ନାୟକ କେବେହେଲେ ଦିନକ ପାଇଁ ଖଦିବୋର୍ଡ ଗାଡି ବ୍ୟବହାର କରିନଥିଲେ ।

 ଗାନ୍ଧୀ ଆଦର୍ଶରେ ପ୍ରଭାବିତ ହେବା ସହ ଶ୍ରୀମତୀ ନାୟକ ଠାକୁର ନିଗମାନନ୍ଦଙ୍କ ଆଧ୍ୟାତ୍ମିକ ମାର୍ଗରେ ଆକର୍ଷିତା ହୋଇଥିଲେ । ତାଙ୍କର ଦୁଇ ପୁଅ ଓ ତିନି ଝିଅ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ । ସାନ ପୁଅ ଅତନୁ ସବ୍ୟସାଚୀ ନାୟକ ଏବେ ରାଜ୍ୟ ମନ୍ତ୍ରୀମଣ୍ଡଳର ଅନ୍ୟତମ ସଦସ୍ୟ ରହିଛନ୍ତି । ନିର୍ମଳପ୍ରଭା କିଛି ଦିନ ଧରି ବାର୍ଦ୍ଧକ୍ୟଜନିତ ସମସ୍ୟା ଭୋଗୁଥିଲେ ଏବଂ ଚାରି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟରୋ ଅବନତି ହେବାରୁ ତାଙ୍କୁ ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା । ଚିକିତ୍ସାଧିନ ଅବସ୍ଥାରେ ଆଜି ରାତି ପ୍ରାୟ ସାଢେ ୯ଟା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସୋମବାର ରାତିରେ ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେଉଛି ।