ଆଜି ପୁରୀ ସ୍ୱର୍ଗଦ୍ୱାରରେ ହେବ ପିଣ୍ଟୁ ନନ୍ଦଙ୍କ ଶେଷକୃତ୍ୟ

ଭୁବନେଶ୍ୱର: ପିଣ୍ଟୁ ନନ୍ଦଙ୍କୁ ଝୁରୁଛି ଓଲିଉଡ, କାନ୍ଦୁଛନ୍ତି ପ୍ରଶଂସକ। ଆଜି ହେବ ଅନ୍ତିମ ସଂସ୍କାର। ପୁରୀ ସ୍ବର୍ଗଦ୍ବାରରେ ହେବ ଶବଦାହ। ଗତକାଲି ରାତିରେ ହାଇଦ୍ରାବାଦରୁ ଭୁବନେଶ୍ବରରେ ପହଞ୍ଚିଥିଲା ମରଶରୀର।  ଆମ୍ବୁଲାନ୍ସ ଯୋଗେ ମରଶରୀରକୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କୁ ରାତିରେ ରଖାଯାଇଥିଲା।

ଆଜି ସକାଳେ କଳାରାହାଙ୍ଗ ବାସଭବନ ନିଆଯିବ ପାର୍ଥିବ ଶରୀର। ସେଠାରେ ପରିବାର ଓ ବନ୍ଧୁ ପରିଜନ ଶେଷ ଦର୍ଶନ କରିବେ। ପରେ ଆଚାର୍ଯ୍ୟ ବିହାର ଠାରେ ଥିବା ତାଙ୍କର ଏକ ଚା ଖଟିକୁ ନିଆଯିବ। ସେଠାରୁ ସିଧା ଶେଷ କୃତ୍ୟ ପାଇଁ ତାଙ୍କୁ ପୁରୀ ସ୍ବର୍ଗଦ୍ବର ନିଆଯିବ।

ଗତ ବୁଧବାର ବିଳମ୍ବିତ ରାତିରେ ହାଇଦ୍ରାବାଦ ଯଶୋଦା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଲିଭର ଟ୍ରାନ୍ସପ୍ଲାଣ୍ଟ ପୂର୍ବରୁ ପିଣ୍ଟୁଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୫ବର୍ଷ ହୋଇଥିଲା। ପିଣ୍ଟୁଙ୍କର ଯକୃତ ଟ୍ରାନ୍ସପ୍ଲାଣ୍ଟ ହେବାକୁ ଥିବା ବେଳେ ଡୋନର ମିଳି ନଥିଲେ। ଫଳରେ ଚିକିତ୍ସାରେ ବିଳମ୍ବ ହୋଇଥିଲା। ଗତ କିଛିଦିନ ତଳେ ତାଙ୍କୁ ଭୁବନେଶ୍ବରରୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ଲିଭର ଡୋନର ନମିଳିବାରୁ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିଲା