ବଦଳିବ ମୟୁରଭଞ୍ଜ ପର୍ଯ୍ୟଟନ ନକ୍ସା, ବିଭିନ୍ନ ସ୍ଥାନ ବୁଲିଲେ 5T ସଚିବ

1 min read

ମୟୁରଭଞ୍ଜ: ପର୍ଯ୍ୟଟନ କ୍ଷେତ୍ରରେ ବଦଳିବ ମୟୂରଭଞ୍ଜର ରୂପରେଖ । ଦେବକୁଣ୍ଡ, ଭୀମକୁଣ୍ଡ ସହ ପର୍ଯ୍ୟଟନ ଭିତ୍ତିଭୂମିର ବଦଳିବ ଚିତ୍ର । ବିକାଶ କାର୍ଯ୍ୟର ସମୀକ୍ଷା କରୁଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ । ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଯାଇ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି 5T ସଚିବ । ଗସ୍ତର ପ୍ରଥମ ଦିନରେ ଦେବକୁଣ୍ଡ, ଭୀମକୁଣ୍ଡ ଓ ଖିଚିଂ ମନ୍ଦିର ପରିଦର୍ଶନ କରିଥିଲେ 5T ସଚିବ ।

ତେବେ ଖୁବଶୀଘ୍ର ଏହି ତିନି ପୀଠକୁ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରାଯିବ । ଐତିହାସିକ ପୀଠ ଖିଚିଂ ଗସ୍ତ କରି ମା’ କୀଚକେଶ୍ବରୀ ଓ ଚନ୍ଦ୍ରଶେଖରଙ୍କୁ ଦର୍ଶନ କରିଥିଲେ 5T ସଚିବ । ମନ୍ଦିର ବେଢ଼ାରେ ଥିବା ସର୍ବପୁରାତନ ସଂଗ୍ରହାଳୟ ବୁଲି ଦେଖିବା ସାଙ୍ଗକୁ ଖିଚିଂ ମନ୍ଦିର ସେବାୟତଙ୍କ ସହ ଆଲୋଚନା କରିଥିଲେ ।

ସେହିପରି ରାଇରଙ୍ଗପୁରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠ ପରିଦର୍ଶନ କରିଥିଲେ । ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠକୁ ଅଧିକ ଆକର୍ଷଣୀୟ କରାଯିବ ବୋଲି କହିଛନ୍ତି 5T ସଚିବ । ମୟୂରଭଞ୍ଜ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ କ’ଣ ଅଧିକ କରାଯାଇପାରିବ, ସେନେଇ ଲୋକଙ୍କ ସହ ଆଲୋଚନା କରିଥିଲା 5T ସଚିବ ଭି.କେ ପାଣ୍ଡିଆନ୍ । ଆସନ୍ତାକାଲି ବାରିପଦା ମେଡିକାଲ କଲେଜକୁ ପରିଦର୍ଶନ କରିବା ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକାଶମୂଳକ କାର୍ଯ୍ୟର ଅନୁଧ୍ୟାନ କରିବେ ।