ଫୁଲବାଣୀ : ଶୀତରେ ଥରୁଛି କନ୍ଧମାଳ । ତାପମାତ୍ରା କମିବା ସହ ଶୀତ ବଢ଼ିବାକୁ ଲାଗିଛି । ରାତିର ତାପମାତ୍ରା ହ୍ରାସ ପାଉଥିବା ବେଳେ, ବଜାର ଶୂନଶାନ ହୋଇଯାଉଛି । ଫୁଲବାଣୀରେ ଗତକାଲି ସର୍ବନିମ୍ନ ତାପମାତ୍ରା ୭ ଦଶମିକ ୫ ଡିଗ୍ରୀ ଥିବା ବେଳେ, ଦାରିଙ୍ଗବାଡ଼ିରେ ୧୦ ଡିଗ୍ରୀ ଥିଲା ତାପମାତ୍ରା । ସ୍ଥାନେ ସ୍ଥାନେ ଲୋକେ ନିଆଁ ସାହାରା ନେଉଥିବା ଦେଖିବାକୁ ମିଳିଛି ।
ଚିଲିକାରେ ଡଲଫିନ୍ ଗଣନା ଆରମ୍ଭ
ଖୋର୍ଦ୍ଧା : ଚିଲିକାରେ ଆରମ୍ଭ ହୋଇଛି ଡଲଫିନ୍ ଗଣନା । ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଡଲଫିନ୍ ଗଣନା କାର୍ଯ୍ୟ । ଚିଲିକାର ବାଲୁଗାଁ ବଡକୂଳରୁ ୧୦ଟି ଟିମ୍ ଓ ସାତପଡାରେ ୮ଟି ଟିମ୍ ଡଲଫିନ୍ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।
୧୮ଟି ଟିମରେ ୧୬୦ ଜଣ ସମ୍ପୂର୍ଣ୍ଣ ଚିଲିକାରେ ଡଲଫିନ ଗଣା କାର୍ଯ୍ୟରେ ସାମିଲ ହୋଇଛନ୍ତି । ଯେଉଁଥିରେ ଚିଲିକା ବନ୍ୟପ୍ରାଣୀ ବନବିଭାଗର କର୍ମଚାରୀ, ଚିଲିକା ଉନ୍ନୟନ ବିଭାଗର କର୍ମଚାରୀ, ପରିବେଶବିତ୍ ଓ ଓୟୁଏଟି ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । ମୋଟର ବୋଟରେ ଯାଇ ଜିପିଏସ୍ ଓ ବାଇନା କୁଲାର ସହାୟତାରେ ଗଣନା କରୁଛନ୍ତି ଡଲଫିନ୍ । ଗତବର୍ଷ ଚିଲିକାରେ ଡଲଫିନ ଗଣନା ବେଳେ ୧୬୭ଟି ଡଲଫିନ ଥିବା ଜଣାପଡିଥିଲା ।
‘ଘୃଣାର ବଜାରରେ ପ୍ରେମର ଦୋକାନ ଖୋଲିଛି’
ନୂଆଦିଲ୍ଲୀ: ଘୃଣାର ବଜାରରେ ପ୍ରେମର ଦୋକାନ ଖୋଲିଛି । ଯିଏ ଯାହା ବି କହୁ, ମୋଠୁ କେବଳ ଅଜସ୍ର ଭଲ ପାଇବା ପାଇବ । କଂଗ୍ରେସର ଭାରତ ଯୋଡ଼ୋ ପଦଯାତ୍ରାରେ ରାହୁଲ ଗାନ୍ଧୀଙ୍କ ଏଭଳି ଭାଷଣ ଏବେ ଭାଇରାଲ ହେଉଛି । ସମସ୍ତଙ୍କୁ ଭାରି ପସନ୍ଦ ଆସୁଛି । ବର୍ତ୍ତମାନ ରାଜସ୍ଥାନରେ ଜାରି ରହିଛି ଭାରତ ଯୋଡ଼ୋ ପଦଯାତ୍ରା । ୧୦୦ ଦିନରୁ ଅଧିକ ସମୟ ଧରି ରାହୁଲ ଦେଶରେ ପଦଯାତ୍ରା କରିବା ସହ ବହୁ ଲୋକଙ୍କୁ ଭେଟୁଛନ୍ତି । ରାହୁଲଙ୍କ ଭାରତ ଯୋଡ଼ୋ ପଦଯାତ୍ରାକୁ ମଧ୍ୟ ବେଶ ସଫଳତା ମିଳିବାରେ ଲାଗିଛି ।
ରାଜସ୍ଥାନରେ ଏକ ଜନସଭାରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ମୁଁ ଘୃଣାର ବଜାରରେ ପ୍ରେମର ଦୋକାନ ଖୋଲିଛି । ଟୁଇଟରରେ ରାହୁଲଙ୍କର ଏକ ଭିଡିଓ ଭାଇରାଲ ହୋଇଛି । ବିଜେପି ନେତାଙ୍କ ଉଦ୍ଦେଶ୍ୟରେ ସେ ଏହି ଦୋକାନ ଖୋଲିଥିବା କହିଛନ୍ତି । ଭିଡିଓରେ ରାହୁଲ କହିଛନ୍ତି, ତୁମେ ମୋତେ ଘୃଣା କର, ମୋତେ ଗାଳି ଦିଅ । ଏସବୁ ଆପଣଙ୍କ ହୃଦୟର କଥା । ଆପଣଙ୍କ ବଜାର ଘୃଣାର । ମୋ ଦୋକାନ ପ୍ରେମର ।
ଏ ପ୍ରେମର ଦୋକାନ ଖାଲି ତାଙ୍କର ନୁହେଁ, ଏହା ପୂରା ସଂଗଠନର ବୋଲି କହିଛନ୍ତି । ଭାରତ ଯୋଡ଼ୋ ପଦଯାତ୍ରା ସମୟରେ ଅନେକ ଥର ସମାଲୋଚନାର ଶିକାର ହୋଇଛନ୍ତି ରାହୁଲ ଗାନ୍ଧୀ । ଭାରତ ଯୋଡୋ ଯାତ୍ରାକୁ ଭାରତ ତୋଡୋ ଯାତ୍ରା ବୋଲି ବିଜେପି ନେତା କହିଛନ୍ତି । କିନ୍ତୁ ଏହାକୁ ଖାତିର କରିନାହାନ୍ତି ରାହୁଲ ଗାନ୍ଧୀ । ତାଙ୍କର ଏହି ଯାତ୍ରାରେ ଲକ୍ଷାଧିକ ଲୋକ ଏବେ ଯୋଡ଼ି ହେଲେଣି ।
ରାଜ୍ୟରେ ନାହିଁ ଆବଶ୍ୟକ ମୋବାଇଲ୍ ନେଟୱାର୍କ, ଦାବି ଉଠାଇଲେ ମାନସ ମଙ୍ଗରାଜ
ନୂଆଦିଲ୍ଲୀ: ରାଜ୍ୟରେ ମୋବାଇଲ ନେଟଓ୍ବାର୍କର କନେକ୍ଟିଭିଟି ବଢାଇବା ପାଇଁ ରାଜ୍ୟସଭାରେ ଦାବି କଲେ ସାଂସଦ ମାନସ ମଙ୍ଗରାଜ । ୨୦୨୧ ମାର୍ଚ୍ଚ ସୁଦ୍ଧା ୬୨୭୮ଟି ଗାଁରେ ଏପର୍ଯ୍ୟନ୍ତ ମୋବାଇଲ ନେଟଓ୍ବାର୍କ ଉପଲବ୍ଧ ନାହିଁ । ସେଠାରେ ମୋବାଇଲ ନେଟଓ୍ବାର୍କ ଉପଲବ୍ଧ କରିବା ପାଇଁ ଏକ ହଜାର ମୋବାଇଲ ଟାଓ୍ବାରର ଆବଶ୍ୟକତା ରହିଛି । ବର୍ତ୍ତମାନର ସମୟରେ ମୋବାଇଲ ସମସ୍ତଙ୍କ ଜୀବନରେ ଆବଶ୍ୟକ ।
ଏଭଳି କ୍ଷେତ୍ରରେ ମୋବାଇଲ ନେଟଓ୍ବାର୍କ ଉପଲବ୍ଧ କରାଇବାର ଆବଶ୍ୟକତା ରହିଛି । ଦେଶର ଅନ୍ୟ ରାଜ୍ୟଠାରୁ ଓଡ଼ିଶାର ଅଧିକ ଅଞ୍ଚଳରେ ଏବେବି ମୋବାଇଲ ଟାଓ୍ବାର ଉପଲବଧ ନାହିଁ । ତେଣୁ କେନ୍ଦ୍ର ସରକାର ଏହାକୁ ଗୁରୁତର ସହ ନେବା ସହ ମୋବାଇଲ ଟାଓ୍ବାର ଉପଲବ୍ଧ କରାନ୍ତୁ ବୋଲି ଦାବି କରିଛନ୍ତି ମାନସ ମଙ୍ଗରାଜ ।
ବାରବାଟୀରେ ହେବ ବିଶ୍ୱକପ ହକିର ମେଗା ଉଦଘାଟନ ଉତ୍ସବ
କଟକ: ବାରବାଟୀରେ ହେବ ବିଶ୍ବକପ ହକିର ମେଗା ଉଦଘାଟନ ଉତ୍ସବ । ଏଥିପାଇଁ ଷ୍ଟାଡିୟମ ବୁଲି ପ୍ରସ୍ତୁତି ସମୀକ୍ଷା କରିଛନ୍ତି ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ । କ୍ରୀଡା ସଚିବ, ବିଧାୟକ ସୌଭିକ ବିଶ୍ବାଳ, ଦେବୀ ରଂଜନ ତ୍ରିପାଠୀ, ମେୟର ସୁବାସ ସିଂ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, କଟକ ଡିସିପି ଓ ସିଏମସି କମିଶନରଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଛି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ।
ହକି ବିଶ୍ବକପ ଓ ବାରବାଟୀ ଉଦଘାଟନୀ ଉତ୍ସବକୁ ସଫଳ ଭାବେ ଆୟୋଜନ କରିବାକୁ ଗୁରୁତ୍ବ ଦିଆଯାଇଛି । ଉଦଘାଟନୀ ଉତ୍ସବକୁ ଦର୍ଶକ କିପରି ଦେଖିବେ ଓ ଟିକେଟ ପାଇବେ ସେନେଇ ଖଉବଶୀଘ୍ର ବ୍ୟବସ୍ଥା ହେବ ।
ରାଉରକେଲା ବିମାନବନ୍ଦରକୁ ଉଡ଼ିବ ବିମାନ
ଭୁବନେଶ୍ୱର: ରାଉରକେଲା ବିମାନବନ୍ଦରକୁ ଉଡ଼ାଣ ପାଇଁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଛି ଅନୁମତି । ବିମାନବନ୍ଦର ଲାଇସେନ୍ସ ଗ୍ରେଡ୍ 2Bରୁ 2Cକୁ ଉନ୍ନୀତ କରାଯିବା ସହ ୭୨ଟି ସିଟ୍ ବିଶିଷ୍ଟ ATR ବିମାନ ଉଡ଼ାଣକୁ ଅନୁମତି ପ୍ରଦାନ କରାଯାଇଛି । ଭୁବନେଶ୍ବରରୁ ରାଉରକେଲା, ରାଉରକେଲାରୁ କୋଲକାତା ଉଡ଼ିବ ବିମାନ । ବିଶ୍ବକପ୍ ହକି ପୂର୍ବରୁ ବିମାନବନ୍ଦରକୁ ଅପଗ୍ରେଡ୍ କରାଯାଇଛି ।
ଡିସେମ୍ବର ୧ରୁ ୩ତାରିଖ ଯାଏଁ ଭୁବନେଶ୍ୱରରେ କନକ୍ଲେଭ୍
ଭୁବନେଶ୍ୱର: ଶିଳ୍ପ ପରି ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷି ପାଇଁ ବି ହେବ କନକ୍ଲେଭ୍। ଆସନ୍ତା ବର୍ଷ ଡିସେମ୍ବର ୧ରୁ ୩ତାରିଖ ଯାଏଁ ଭୁବନେଶ୍ୱରରେ କନକ୍ଲେଭ୍ ଅନୁଷ୍ଠିତ ହେବ। ଏନେଇ ମୁଖ୍ୟ ଶାସନ ସଚିବ ସବୁ ବିଭାଗ ସହ ବୈଠକ କରି ତାରିଖ ସ୍ଥିର କରିଛନ୍ତି । ଏଥିରେ କନଫରେନ୍ସ, ଏଗଜିବିସନ୍ ଓ ଇଭେଣ୍ଟସ କର୍ଣ୍ଣର ବି ହେବ । ସେଥିରେ ପ୍ରାଥମିକ ଶିକ୍ଷା, ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷି ଶିକ୍ଷା ସମ୍ପୃକ୍ତ ରହିବ। ପ୍ରଥମ ଥର ପାଇଁ ଏହି ଗ୍ଲୋବାଲ ଇଭେଣ୍ଟ ହେବ।
୫୦ଟି ଦେଶରୁ ଶିକ୍ଷା ମନ୍ତ୍ରୀମାନେ ଆସିବେ । ସେମାନେ ସେମାନଙ୍କ ଦେଶର ଶିକ୍ଷା କଥା କହିବେ, ଆମ ଶିକ୍ଷା ବ୍ୟବସ୍ଥା ଦେଖିବେ। ଅନ୍ୟ ରାଜ୍ୟ ବି ଯୋଗ ଦେବେ। ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ଅନେକ ନୂଆ କାମ ହୋଇଛି। ହାଇସ୍କୁଲ 5T ରୂପାନ୍ତର, ଆଦର୍ଶ ବିଦ୍ୟାଳୟ, ମୋ ସ୍କୁଲ, ମୋ କଲେଜ କାର୍ଯ୍ୟକ୍ରମକୁ ସୋକେସ୍ କରାଯିବ। ୧ହଜାର କୋଟି ପୁଞ୍ଜି ନିବେଶ ଆଶା କରାଯାଉଛି। କେବଳ ଅର୍ଥ ନୁହେଁ, ପରାମର୍ଶ ଦେଇପାରିବେ ଅଭିଭାବକ ଓ ଶିକ୍ଷକ ।
କିଛି ଶିକ୍ଷା କରିଡର ସୃଷ୍ଟି କରିହେବ। ସ୍ୱତନ୍ତ୍ର ଶିକ୍ଷା ପାଇଁ ଗ୍ଲୋବାଲ ଷ୍ଟାଣ୍ଡାର୍ଡ କଣ ହୋଇପାରିବ, ମୁଖ୍ୟ ଶାସନ ସଚିବ ସେ ଦିଗରେ କାମ କରୁଛନ୍ତି। ବଡ଼ ନିବେଶ ଟାର୍ଗେଟ୍ ଥିବାରୁ ନୂଆ ନୂଆ ବିଶ୍ଵବିଦ୍ୟାଳୟଙ୍କୁ ଯୋଗଦେବାକୁ ସ୍ୱାଗତ କରାଯାଉଛି। ଏଥିରେ ବ୍ଲକ ଚେନ ଟେକ୍ନୋଲୋଜି, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ରୋବୋଟିକ୍ସ ପରି ନୂଆ ନୂଆ କ୍ଷେତ୍ର ଆସିବ।
୧୯ରେ ହକି ବିଶ୍ୱକପ, ୨୨ ତାରିଖରେ ବସିବ ସର୍ବଦଳୀୟ ବୈଠକ
ଭୁବନେଶ୍ୱର: ହକି ବିଶ୍ୱକପକୁ ଆଉ ମାତ୍ର ମାସେରୁ କମ ସମୟ ରହିଲା । ହକି ବିଶ୍ୱ କପକୁ କିଭଳି ସୁରୁଖୁରୁରେ ସମ୍ପାଦନ କରାଯିବ, ସେଥିପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୨୨ ତାରିଖ ସନ୍ଧ୍ୟା ୫ଟାରେ ବସିବ ସର୍ବଦଳୀୟ ବୈଠକ ।
ଲୋକସେବା ଭବନ କନଭେନସନ ହଲରେ ବସିବ ବୈଠକ । ଉଭୟ ଭୁବନେଶ୍ବର ଓ ରାଉରକେଲାରେ ଖେଳାଯିବ ହକି ବିଶ୍ବକପର ସମସ୍ତ ମ୍ୟାଚ୍ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରାଉରକେଲା ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ବିକାଶମୂଳକ କାର୍ଯ୍ୟ ଆଗେଇ ଚାଲିଥିବା ସହରକୁ ସୁନ୍ଦର ଭାବେ ସଜା ଯାଇଛି ।
ସାନ୍ତାଳୀ ଓ ମୁଣ୍ଡାରୀ ଭାଷା ଶିକ୍ଷକଙ୍କୁ ନିୟମିତ କରିବା ଦାବିରେ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ
ମୟୂରଭଞ୍ଜ : ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ । ସାନ୍ତାଳୀ ଓ ମୁଣ୍ଡାରୀ ଭାଷା ଶିକ୍ଷକଙ୍କୁ ନିୟମିତ କରିବା ସହିତ ଅନ୍ୟାନ୍ୟ କ୍ଷେତ୍ରରେ ନ୍ୟାୟ ପ୍ରଦାନ ଦାବିରେ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଡାକରା ଦେଇଛି ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ମୂଳ ବାସୀ ମଞ୍ଚ, ଓ ଅନ୍ୟାନ୍ୟ ଆଦିବାସୀ ସଂଗଠନ ।
ଜିଲ୍ଲାରେ ବନ୍ଦ ରହିଛି ଯାନବାହନ ଚଳାଚଳ, ବନ୍ଦ ରହିଛି ଦୋକାନ ବଜାର। ମାତ୍ର ମୟୂରଭଞ୍ଜ ଜିଲ୍ଲା ମଧ୍ୟ ଦେଇ ଯାଇଥିବା ୧୮ ନମ୍ବର ଓ ୪୯ ନମ୍ବର ଜାତୀୟ ରାଜପଥ ଖୋଲା ରହିଛି। ସୁରକ୍ଷା ବ୍ୟବସ୍ଥା କୁ ଦୃଷ୍ଟି ରେ ରଖି ଜିଲ୍ଲା ରେ ବିଭିନ୍ନ ଅଂଚଳରେ ଵ୍ୟାପକ ପୋଲିସ ମୁତୟନ କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ମାଜିଷ୍ଟ୍ରେଟ ମାନଙ୍କୁ ମଧ୍ୟ ମୁତୟନ କରାଯାଇଛି।
ଚୀନରେ ବେକାବୁ କରୋନା ସ୍ଥିତି: ହସ୍ପିଟାଲ ଫୁଲ୍, ଶ୍ମଶାନରେ ଜାଗା ମିଳୁନି
ବେଜିଂ : ଚୀନରେ କରୋନା ସ୍ଥିତି ସାଂଘାତିକ । ଅନ୍ତୁଡିଶାଳରେ ଭୂତାଣୁର ତାଣ୍ଡବ । ହସ୍ପିଟାଲ ଫୁଲ୍, ଶ୍ମଶାନରେ ଜାଗା ମିଳୁନି । ଶବଦାହ ପାଇଁ ଶ୍ମଶାନ ବାହାରେ ପରିଜନଙ୍କ ଲମ୍ବାଧାଡ଼ି । ଚୀନରେ ମହାମାରୀ ବିସ୍ଫୋରକ ରୂପ ଧାରଣ କରିଛି । ଚୀନରେ କରୋନା କଟକଣାକୁ ନେଇ ଦେଶବ୍ୟାପୀ ବିଦ୍ରୋହ ପରେ କଟକଣା କୋହଳ କରି ଦିଆଯାଇଛି । କଟକଣା ହଟିବା ପରେ ସାରା ଦେଶରେ ମାଡୁଛି ସଂକ୍ରମଣ । ଲକ୍ଷାଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ହସ୍ପିଟାଲରେ ବି ଗୁରୁତର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ।
ଏବେ ଚୀନ୍ ସ୍ଥିତି ଆଉଟ ଅଫ୍ କଣ୍ଟ୍ରୋଲ ହୋଇଛି । ଚୀନର ପ୍ରାୟ ୬୦ ପ୍ରତିଶତ ନାଗରିକ କରୋନା ସଂକ୍ରମିତ ହେବେ ଓ ଲକ୍ଷାଧିକଙ୍କର ମୃତ୍ୟୁ ହୋଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ମହାମାରୀ ବିଶେଷଜ୍ଞ ଏରିକ ଫିଗଲ ଡିଙ୍ଗ । ଆସନ୍ତା ୯୦ ଦିନ ମଧ୍ୟରେ ଚୀନର ୯୦ ପ୍ରତିଶତ ନାଗରିକ କରୋନା ପଜିଟିଭ ହେବେ ବୋଲି ଏରିକ କହିଛନ୍ତି । ରାଜଧାନୀ ବେଜିଂରେ ଥିବା ଶବାଗାରଗୁଡ଼ିକ କରୋନା ସ୍ଥିତି ବୟାନ କରୁଛି ।
ନୂଆ ବର୍ଷରେ ଚୀନରେ କରୋନାର ମହାବିସ୍ଫୋଟ ହେବ ବୋଲି ଆଶଙ୍କା ବ୍ୟକ୍ତ କରିଛି ଆମେରିକାର ଏକ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ । କରୋନା ସ୍ଥିତି ବିଗୁଡୁଥିବା ବେଳେ ରାଜଧାନୀ ସମେତ ଅନ୍ୟ କିଛି ସହରରେ ଥଣ୍ଡା ଜ୍ବର ଓ ଆଣ୍ଟିବାୟୋଟିକ୍ ମେଡିସିନର ଅଭାବ ଦେଖାଦେଇଛି ।

