ରହସ୍ୟ ଘେରରେ ଭିସୁଟ ଛାତ୍ରୀଙ୍କ ମୃତ୍ୟୁ, ବଏଫ୍ରେଣ୍ଡଙ୍କ ଘରେ ଛାନଭିନ କରିବ ପୋଲିସ

1 min read

ଭୁବନେଶ୍ବର: କେମିତି ହେଲା ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତ୍ୟୁ। ହତ୍ୟା ନା ଆତ୍ମହତ୍ୟା। ସାମନାକୁ ଆସିଲା ଘଟଣା ଦିନ ମାଆଙ୍କ ସହ ଚିନ୍ମୟୀଙ୍କ ହ୍ବାଟ୍ସ ଆପ୍ ଚାଟ୍। ମାଆଙ୍କୁ ଫଟୋ ପଠାଇବା ସହ ସ୍ବାଭାବିକ ଭାବେ କଥା ହୋଇଥିଲେ ଚିନ୍ମୟୀ। ସଂଧ୍ୟା ୬ଟାରେ ଘରକୁ ଫେରିବାକୁ କହିଥିଲେ। କିନ୍ତୁ ପରେ ଭଉଣୀ ଜନ୍ମଦିନ ପାଇଁ ଭୁବନେଶ୍ବର ଆସୁଥିବା ଜଣାଇଥିଲେ। ରାତି ୮ଟାରେ ମାଆଙ୍କ ଫୋନ୍ ରିସିଭ କରିନଥିଲେ। ବସରେ ବସିବା ପରେ ମାଆ କଲ୍ କରିବାକୁ କହିଥିଲେ, ହେଲେ କଲ୍ କରିନଥିଲେ ଚିନ୍ମୟୀ।

ରାତି ୯ଟା ୨୦ରେ କଲ୍ କରିବା ବେଳେ ଅସ୍ବାଭାବିକ ଶବ୍ଦ ଶୁଣି ଡରିଯାଇଥିଲେ ମାଆ। ପାଟିତୁଣ୍ଡ, ଚିତ୍କାର ଶବ୍ଦ ବି ଶୁଣିଥିଲେ। ହେଲେ ତାପରେ ଚିନ୍ମୟୀ ଆଉ କଲ୍ ରିସିଭ କରିନଥିବା ତାଙ୍କ ମାଆ କହିଛନ୍ତି। ଝିଅକୁ ହତ୍ୟା କରାଯାଇଥିବା ଚିନ୍ମୟୀଙ୍କ ବାପା ମାଆ ଅଭିଯୋଗ କରିଛନ୍ତି। ସେପଟେ କାଲି ପୋଷ୍ଟମୋଟମ ରିପୋର୍ଟ ଆସିବା ପରେ ଆଜି ଘଟଣାସ୍ଥଳରେ ତଦନ୍ତ କରିଛନ୍ତି ବୁର୍ଲା ପୋଲିସ ଓ ସାଇଣ୍ଟିଫିକ ଟିମ୍। କିଭଳି ଚିନ୍ମୟୀ ପାଣିରେ ପଡିଲେ, ସେନେଇ ତଦନ୍ତ କରାଯାଉଛି।

ସମ୍ବଲପୁର ପୋଲିସର ତିନୋଟି ଟିମ୍ ସୋନପୁର ବଲାଙ୍ଗିର ଓ ଭୁବନେଶ୍ବର ଯାଇ ଛାନବିନ କରୁଛି। ଭୁବନେଶ୍ବରରେ ଚିନ୍ମୟୀ ରହୁଥିବା ଘରେ ଛାନବିନ କରିଛି ପୋଲିସ। ପୁରୁଷ ବନ୍ଧୁ ପ୍ରୀତିମାନଙ୍କ ଭୁବନେଶ୍ୱର ଘରେ ମଧ୍ୟ ପୋଲିସ ତଦନ୍ତ କରିବ l ସେହିପରି ବଲାଙ୍ଗୀରରେ ଚିନ୍ମୟୀଙ୍କ ପୈତୃକ ଘରେ ମଧ୍ୟ ଛାନଭିନ କରିବ l ମାମଲାରେ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ଏବଂ ତାଙ୍କର ଦୁଇ ଜଣ ସାଙ୍ଗ ଅଟକ ଅଛନ୍ତି l

ତେବେ ପ୍ରଶ୍ନ ଉଠୁଛି, ସଂଧ୍ୟାରେ ଚିନ୍ମୟୀଙ୍କ ସହ କଣ ହେଲା? ବିଲକୁଲ ସ୍ବାଭାବିକ ଥିବା ଚିନ୍ମୟୀଙ୍କର କେମିତି ହେଲା ମୃତ୍ୟୁ? ଚିନ୍ମୟୀଙ୍କ ସହ ସେଦିନ କିଏ କିଏ ଥିଲେ? କୌଣସି କାରଣକୁ ନେଇ କାହା ସହ ଗଣ୍ଡଗୋଳ ହୋଇଥିଲା କି? ଚିନ୍ମୟୀଙ୍କ ମାଆ ଶୁଣିଥିବା ପାଟିତୁଣ୍ଡ, ଚିତ୍କାର କାହାର ଥିଲା? ସମସ୍ତ ଦିଗ ନେଇ ତନାଘନା କରୁଛି ପୋଲିସ ।