୪୦ ଲକ୍ଷ ଲାଞ୍ଚ ନେବା ବେଳେ ବିଜେପି ନେତାଙ୍କ ପୁଅ ଗିରଫ, ପୁଅ ଗିରଫ ପରେ ବିଜେପିରୁ ବାପାଙ୍କ ଇସ୍ତଫା

ବେଙ୍ଗାଲୁରୁ: ୪୦ ଲକ୍ଷ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ କର୍ଣ୍ଣାଟକ ବିଜେପି ବିଧାୟକଙ୍କ ପୁଅ । ଟଙ୍କା ଗଣି ଗଣି ଥକି ଗଲେ ଲୋକାୟୁକ୍ତ ଅଧିକାରୀ । ଘର ଓ ଅଫିସରୁ ୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଥିବା ବେଳେ ଏବେ ବି ଜାରି ରହିଛି ରେଡ୍‌ । କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଥିବା ବେଳେ ବିଜେପି ନେତାଙ୍କ ପୁଅଙ୍କ କାରନାମା ସାମ୍ନାକୁ ଆସିଛି । ଯାହାକୁ ନେଇ ଶାସକ ବିଜେପିକୁ ୪୦ ପ୍ରତିଶତ କମିସନ ସରକାର କହି ଟାର୍ଗେଟ କରିଛି କଂଗ୍ରେସ । ରାଜ୍ୟରେ କମିସନ ସରକାର ଚାଲିଛି ବୋଲି କହିଛନ୍ତି କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି କେ ଶିବକୁମାର । ଲାଞ୍ଚ ନେଇ ଧରାପଡ଼ିବା ପରେ ବିଜେପି ବିଧାୟକ ମଦାଲ ବିରୂପାକ୍ଷପ୍ପାଙ୍କ ପୁଅ ପ୍ରଶାନ୍ତଙ୍କ ଘରୁ ୬ କୋଟି ନଗଦ ଟଙ୍କା ଓ ଅଫିସରୁ କୋଟିଏ ୭୦ ଲକ୍ଷ ଟଙ୍କା ଜବତ ହୋଇଛି ।

ପ୍ରଶାନ୍ତଙ୍କ ବାପା ମଦାଲ ବିରୂପାକ୍ଷପ୍ପା କର୍ଣ୍ଣାଟକ ସୋପସ୍ ଆଣ୍ଟ ଡିଟରଜେଣ୍ଟସ ଲିମିଟେଡର ଅଧ୍ୟକ୍ଷ ଅଛନ୍ତି । ବାପାଙ୍କ ଲାଗି ପୁଅ ଏହି ଟଙ୍କା ଲାଞ୍ଚ ନେଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ବଡ଼କଥା ହେଉଛି ରାଜ୍ୟରେ ଦୁର୍ନୀତି ନିବାରଣକୁ ଅଧିକ ଶକ୍ତିଶାଳୀ କରିବା ଲାଗି କର୍ଣ୍ଣାଟକ ହାଇକୋର୍ଟ ଆଣ୍ଟି କରପସନ୍ ବ୍ୟୁରୋକୁ ଭାଙ୍ଗି ଶକ୍ତିଶାଳୀ ଲୋକାୟୁକ୍ତ ଗଠନ କରିଥିଲେ । ଏହାସତ୍ତ୍ବେ ରାଜ୍ୟରେ ୪୦ ପ୍ରତିଶତ କମିସନ ନେବା ପ୍ରକ୍ରିୟା ଜାରି ରହିଛି ବୋଲି କଂଗ୍ରେସ କହିଛି । ଚଳିତ ବର୍ଷ କର୍ଣ୍ଣାଟକ ନିର୍ବାଚନ ହେବାକୁ ଥିବା ବେଳେ ବିଜେପି ନେତାଙ୍କ ପୁଅଙ୍କ ଏହି କାରନାମା ଦଳ ପାଇଁ ଅଡୁଆ ସ୍ଥିତି ଉପୁଜାଇଛି । ପୁଅ ଲାଞ୍ଚ ନେଇ ଧରାପଡ଼ିବା ପରେ ଇସ୍ତଫା ଦେଇଛନ୍ତି ବିଜେପି ବିଧାୟକ ବିରୂପାକ୍ଷପ୍ପା ।