spot_img
Home Blog Page 3588

ମୁଖ୍ୟମନ୍ତ୍ରୀଙ୍କ ନୂଆବର୍ଷ ଶୁଭେଚ୍ଛା

ଭୁବନେଶ୍ବର: ଆଜି ନୂଆବର୍ଷ । ନୂଆ ବର୍ଷ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବବର୍ଷ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି, ସମୃଦ୍ଧି, ସୁଯୋଗ ଓ ସମ୍ଭାବନାର ବର୍ଷ ହେଉ । ଏହାସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ରାଜ୍ୟବାସୀଙ୍କ ପାଇଁ ମଙ୍ଗଳ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପିରି ଫାଇଭଟି ସଚିବ ଭିକେ ପାଣ୍ଡିଆନ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ସମସ୍ତଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି।

ନୂଆଦିଲ୍ଲୀରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ: ନୂଆବର୍ଷରେ ଦିଲ୍ଲୀରେ ଭୂକମ୍ପ ଝଟ୍‌କା । ବିଳମ୍ବିତ ରାତି ପ୍ରାୟ ଗୋଟେ ୧୯ରେ ଲୋକ ଯେତେବେଳେ ନୂଆବର୍ଷକୁ ସ୍ବାଗତ କରିବାକୁ ଉତ୍ସବରେ ମସଗୁଲ ଥିଲେ, ସେତେବେଳେ ଦିଲ୍ଲୀ ଏନସିଆର ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୮ ରହିଛି ।

ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଛି ହରୟାଣାର ଝାଝର । ଭୂପୃଷ୍ଠରୁ ୫ କିଲୋମିଟର ମାଟି ତଳେ ଏହି ଭୂମିକମ୍ପ ହୋଇଛି । ଏଥିରେ କାହାରି କିଛି କ୍ଷତି ହୋଇନଥିବା ସୂଚନା ମିଳିଛି । ତେବେ କିଛି ଦିନ ଭିତରେ ବହୁତ ଥର ଦିଲ୍ଲୀରେ ଭୂମିକମ୍ପ ଅନୁଭୂତ ହୋଇଛି । ୨୯ ନଭେମ୍ବରରେ ଦିଲ୍ଲୀ ଏନସିଆରରେ ଭୂମିକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୨.୫ । ଦିଲ୍ଲୀର ପଶ୍ଚିମ କ୍ଷେତ୍ରରେ ହୋଇଥିଲା ଭୂକମ୍ପ ।

କେମିତି ରହିବ ୨୦୨୩ ଜାନୁଆରୀରେ ଆର୍ଥିକ ସ୍ଥିତି ?

ଭୁବନେଶ୍ବର: ଆସି ସାରିଛି ନୂଆବର୍ଷ ୨୦୨୩ । ସବୁଠି ଉତ୍ସାହର ମାହୋଲ । ପିଲାଠୁ ବୟସ୍କ ସମସ୍ତେ ପରସ୍ପରକୁ ଅଭିନନ୍ଦନ ଜଣାଉଛନ୍ତି । ନୂଆବର୍ଷର ପ୍ରଥମ ମାସ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ବହୁତ ଖୁସି ଖବର ନେଇ ଆସୁଛି । ଜ୍ୟୋତିଷଶାସ୍ତ୍ର ଅନୁସାରେ ମେଷ ଓ ମକର ରାଶିର ବ୍ୟକ୍ତିଙ୍କ ଆୟ ବଢ଼ିବାର ସମ୍ଭାବନା ରହିଛି । କିନ୍ତୁ ଏମିତି ବି କିଛି ରାଶିର ବ୍ୟକ୍ତି ଅଛନ୍ତି ଅତ୍ୟଧିକ ଖର୍ଚ୍ଚ ଯୋଗୁଁ ସେମାନଙ୍କ ବଜେଟ ବିଗିଡ଼ି ଯାଇପାରେ । ଆସନ୍ତୁ ଜାଣିବା ୨୦୨୩ ପ୍ରଥମ ମାସ ଜାନୁଆରୀରେ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଆର୍ଥିକ ସ୍ଥିତି କେମିତି ରହିବ ।

ମେଷ: ଏହି ରାଶିର ବ୍ୟକ୍ତି ବର୍ଷର ପ୍ରଥମ ମାସ ଜାନୁଆରୀରେ ଅଧିକ ଖର୍ଚ୍ଚାନ୍ତ ହେବେ । ତେବେ ମାସ ସାରା ଆୟ ହେବାର ସମ୍ଭାବନା ରହିଛି । ନିବେଶ କରି ଏହି ମାସ ଭଲ ଲାଭ ପାଇପାରିବେ । ଖର୍ଚ୍ଚ ସହ ସଞ୍ଚୟ ଉପରେ ଧ୍ୟାନ ଦିଅନ୍ତୁ । ବିଦେଶୀ ବ୍ୟବସାୟ କରୁଥିଲେ କିମ୍ବା ବିଦେଶୀ ମୁଦ୍ରାରେ ନେଣଦେଣ କରୁଥିଲା ସାବଧାନତା ଅବଲମ୍ବନ କରନ୍ତୁ ।

ବୃଷ: ଅର୍ଥ କ୍ଷେତ୍ରରେ ଏହି ମାସ ବୃଷ ରାଶିର ବ୍ୟକ୍ତି ପାଇଁ ଶୁଭ ସଙ୍କେତ ଦେଉଛି । ପୂର୍ବାପେକ୍ଷା ପ୍ରଥମ ମାସ ଏହି ରାଶିର ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ଭଲ ରହିବ । ରୋଜଗାର ଭଲ ରହିବ । ଜମି କିଣିବାର ଯୋଗ ରହିଛି, ଯାହା ଭବିଷ୍ୟତରେ ଆପଣଙ୍କୁ ଲାଭ ଦେଇପାରେ । ପୈତୃକ ସମ୍ପତ୍ତିରୁ ଲାଭ ମିଳିବାର ସମ୍ଭାବାନ ରହିଛି ।

ମିଥୁନ: ଆର୍ଥିକ ଦୃଷ୍ଟିରୁ ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ପ୍ରଥମ ମାସ ଠିକଠାକ ରହିବ । ସର୍ଟକଟରେ ରୋଜଗାର କରିବା ଆପଣଙ୍କୁ ସମସ୍ୟାରେ ପକାଇପାରେ । ଲଟେରୀ ଓ ସେୟାର ବଜାରରେ ଧନ ନିବେଶ କରନ୍ତୁ ନାହିଁ ।

କର୍କଟ: ଏହି ରାଶିର ବ୍ୟକ୍ତିଙ୍କୁ ଆର୍ଥିକ ସ୍ଥିତିରେ ଶୁଭ ଫଳ ମିଳିବ । ରଚନାତ୍ମକ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ଜାନୁଆରୀ ମାସରେ ଆର୍ଥିକ ସ୍ଥିତି ଭଲ ରହିବ । ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଥିଲେ, ଏହି ମାସ ଆପଣଙ୍କ ପାଇଁ ଭଲ ହୋଇପାରେ । ଏହାସହ ଦରମା ବଢ଼ିବାର ଆଶା ରହିଛି ।

ସିଂହ: ଏହି ରାଶିର ବ୍ୟକ୍ତି ପ୍ରଥମ ମାସରେ ଆର୍ଥିକ ସମସ୍ୟାରେ ପଡ଼ିପାରନ୍ତି । ନିବେଶରେ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିପାରେ । ଲଟେରୀ କି ସେୟାର ମାର୍କେଟରେ ନିବେଶ କରିବାକୁ ଯୋଜନା କରୁଥିଲେ ସତର୍କ ରୁହନ୍ତୁ । ଟଙ୍କା ବଞ୍ଚାଇବାର ଏକମାତ୍ର ଉପାୟ ହେଉଛି ଖର୍ଚ୍ଚକାଟ କରନ୍ତୁ ।

କନ୍ୟା: ବ୍ୟବସାୟ କରୁଥିବା ଏହି ରାଶିର ବ୍ୟକ୍ତି ୨୦୨୩ ଜାନୁଆରୀ ମାସରେ ବିଶେଷ ଲାଭବାନ ହେବେ ନାହିଁ । ତୃତୀୟ ସପ୍ତାହରେ ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ପୈତୃକ ସମ୍ପତ୍ତିକୁ ନେଇ ବ୍ୟବସାୟ କରିବାକୁ ଚାହୁଁଥିଲେ, ଆପଣ ଲାଭବାନ ହୋଇପାରନ୍ତି । ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ମାସଟି ଭଲରେ କଟିକ ।

ତୁଳା: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ମାସଟି ଭଲରେ କଟିବ । ଭାବିଚିନ୍ତି ଖର୍ଚ୍ଚ କଲେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ରୋଜଗାର ଏକାଧିକ ବାଟ ଖୋଲିବ । ମାସର ଶେଷ ଦୁଇ ସପ୍ତାହ ବହୁତ ଭଲ ରହିବ । ବିଭିନ୍ନ କ୍ଷେତ୍ରରୁ ରୋଜଗାର ସୁଯୋଗ ପାଇବେ ।

ବିଚ୍ଛା: ଏହି ରାଶିର ବ୍ୟକ୍ତି ୨୦୨୩ ପ୍ରଥମ ମାସ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି । ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । ଖର୍ଚ୍ଚ ପୂର୍ବରୁ ନିଶ୍ଚିତ ଚିନ୍ତା କରନ୍ତୁ । ଏହା ଆପଣଙ୍କୁ ଭଲ ଫଳ ଦେଇପାରେ ।

ଧନୁ: ଜାନୁଆରୀ ମାସରେ ଏହି ରାଶିର ବ୍ୟକ୍ତିଙ୍କ ଆୟ ପ୍ରଭାବିତ ହୋଇପାରେ । ଆୟକୁ ଦେଖି ଖର୍ଚ୍ଚ କରନ୍ତୁ, ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । ଧାର, କରଜରୁ ଦୂରେଇ ରୁହନ୍ତୁ । ଏହା ଭବିଷ୍ୟତରେ ଆପଣଙ୍କ ପାଇଁ ଲାଭଦାୟକ ହେବ ।

ମକର: ଏହି ମାସ ମକର ରାଶି ବ୍ୟକ୍ତିଙ୍କ ପାଇଁ ଭଲ ରହିବ । ଆୟ ବୃଦ୍ଧିର ସମ୍ଭାବନା ରହିଛି । ଗ୍ରହ ସ୍ଥିତି ଅନୁକୁଳ ଥିବାରୁ ଭଲ ଆୟ କରିବାର ଆଶା ରହିଛି ।

କୁମ୍ଭ: ପୁରୁଣା ନିବେଶରୁ ଏହି ରାଶିର ବ୍ୟକ୍ତି ଲାଭ ପାଇବେ । ରୋଜଗାର ଭଲ ହେଲେ ବି ହଠାତ ଖର୍ଚ୍ଚ ବଢ଼ିପାରେ । ଯାହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇପାରନ୍ତି । ଖର୍ଚ୍ଚ ଅଧିକ ହେବାର ସମ୍ଭାବନା ଥିବାରୁ ମାସ ଆରମ୍ଭରୁ ଯୋଜନା କରନ୍ତୁ ।

ମୀନ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଅନ୍ୟ ବାଟରେ ରୋଜଗାର କରିବାର ବାଟ ମିଳିପାରେ । ଯାହା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । କାମର ଚାପ ରହିବ । ଅଧିକ ଆଶାରେ କମ ଲାଭ ମିଳିପାରେ । ତେଣୁ ତରବର ନହୋଇ ଧର୍ଯ୍ୟ ରଖନ୍ତୁ, ମାସଟି ଠିକଠାକ କଟିବ ।

ନୂତନ ବର୍ଷ ୨୦୨୩କୁ ଅଭିନନ୍ଦନ

ଭୁବନେଶ୍ବର: ବିଦାୟ ନେଇଛି ବର୍ଷ ୨୦୨୨ । ନୂଆ ଆଶା, ନୂଆ ଉତ୍ସାହ ନେଇ ପଦାର୍ପଣ କରିଛି ନୂଆବର୍ଷ ୨୦୨୩ । ସାରା ବିଶ୍ବ ନୂତନ ନୂଆ ବର୍ଷକୁ କରିଛି ଅଭିନନ୍ଦନ । ଓଡ଼ଇଶାରେ ବି ଦେଖିବାକୁ ମିଳିଛି ନୂଆବର୍ଷ ଉତ୍ସାହ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଆତସବାଜି କରି ନୂଆବର୍ଷକୁ ସ୍ବାଗତ କରିଛନ୍ତି ଓଡ଼ିଶାବାସୀ । ଏହାସହ ଦେବପୀଠ, ପର୍ଯ୍ୟଟନସ୍ଥଳିରେ ଦେଖିବାକୁ ମିଳିଥିଲା ଲୋକଙ୍କ ଭିଡ଼ । ଲୋକେ ପରସ୍ପରକୁ ଅଭିନନ୍ଦନ ଜଣାଇ ନୂଆ ରୂପରେ ନୂଆ ଆଶାରେ ନୂଆ ଜୀବନଯାତ୍ରା ଆରମ୍ଭ କରିବାକୁ ଦେଉଛନ୍ତି ପ୍ରତିଶ୍ରୁତି ।

କୋଣାର୍କରେ ନୂଆବର୍ଷର ପ୍ରଥମ ସୂର୍ଯ୍ୟୋଦୟ

କୋଣାର୍କରେ ୨୦୨୩ର ପ୍ରଥମ ସୂର୍ଯ୍ୟୋଦୟ । ନୂଆ ବର୍ଷର ପ୍ରଥ ସୂର୍ଯ୍ୟୋଦୟ ଦେଖିବାକୁ ଲାଗିଛି ପର୍ଯ୍ୟଟକଙ୍କ ଗହଳି । ସୂର୍ଯ୍ୟଦେବଙ୍କୁ ନମନ କରି ନୂଆ ବର୍ଷ ଆରମ୍ଭ କରିବାକୁ ଚନ୍ଦ୍ରଭାଗା ଲୋକଙ୍କ ଭିଡ଼ । ହଜାର ହଜାର ପର୍ଯ୍ୟଟକ ସୂର୍ଯ୍ୟଦେବଙ୍କ ଦର୍ଶନ କରିବା ସହ ଚନ୍ଦ୍ରଭାଗାରେ ସମୁଦ୍ର ସ୍ନାନ କରିଛନ୍ତି । ସୂର୍ଯ୍ୟ ମନ୍ଦିର ବୁଲିବାକୁ ଆଜି ପର୍ଯ୍ୟଟକଙ୍କ ପାଇଁ ଟିକେଟ ଫ୍ରି କରାଯାଇଛି ।

ଦେବପୀଠରେ ଶ୍ରଦ୍ଧାଳୁଙ୍କ ଗହଳି

 

ରଙ୍ଗୀନ ଆଲୋକ, ଡିଜେ ସାଉଣ୍ଡରେ ଜିରୋନାଇଟ୍ ସେଲିବ୍ରେସନ ପରେ ସକାଳୁ ସକାଳୁ ବିଭିନ୍ନ ଦେବପୀଠରେ ଦେଖିବାକୁ ମିଳିଛି ଶ୍ରଦ୍ଧାଳୁଙ୍କ ଗହଳି । ଶ୍ରୀକ୍ଷେତ୍ର ପୁରୀ, ବାବା ଆଖଣ୍ଡଳମଣି, ବାବା ଲିଙ୍ଗରାଜ, ବାବା ଲୋକନାଥ, ବାବା କପିଳେଶ୍ବର, ମା’ ବିରଜା, ମା’ ସାରଲା, ମା’ ମଙ୍ଗଳା, ମା’ ତାରାତାରିଣୀ, ଝଙ୍କଡ଼ବାସିନୀ ମା’ ତାରିଣୀ ସମେତ ସମସ୍ତ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ । ଦେବଦେବୀଙ୍କ ଦର୍ଶନ କରି ନୂଆ ବର୍ଷକୁ ନୂଆ ଆଶାରେ ଆରମ୍ଭ କରିଛନ୍ତି ଲୋକେ । ଦେଶ, ରାଜ୍ୟ, ବିଶ୍ବ ଓ ପରିବାରର ମଙ୍ଗଳ କାମନା କରିବା ସହ ଦୁଃଖ ଦୂର କରିବାକୁ କରିଛନ୍ତି ନିବେଦନ । ପୁରୀ ଲାଇଟ ହାଉସ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ବାଲୁକା କଳା ମାଧ୍ୟମରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଦେଶବାସୀଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ଜାନୁଆରୀ ୩ରେ ନାଗାଲାଣ୍ଡକୁ ଭେଟିବ ଟିମ୍ ଓଡ଼ିଶା, କାର୍ତ୍ତିକଙ୍କ ଉପରେ ରହିବ ସମସ୍ତଙ୍କ ନଜର

କଟକ: ଜାନୁଆରୀ ୩ଠାରୁ ୬ ତାରିଖ ପର୍ଯ୍ୟନ୍ତ କଟକ ଟାଙ୍ଗୀ ଡ୍ରିମସ୍ ଗ୍ରାଉଣ୍ଡରେ ଓଡ଼ିଶା ଓ ନାଗାଲାଣ୍ଡ ମଧ୍ୟରେ ଖେଳାଯିବ ରଣଜୀ ମ୍ୟାଚ । ଚଳିତ ରଣଜୀ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ନାଗାଲାଣ୍ଡ ବିପକ୍ଷରେ ତା’ର ଚତୁର୍ଥ ମ୍ୟାଚ ଖେଳିବ । ଚଳିତ ରଣଜୀ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଏ ପର୍ଯ୍ୟନ୍ତ ତିନୋଟି ମ୍ୟାଚ ଖେଳି ଦୁଇଟି ମ୍ୟାଚରେ ଡ୍ର’ ଓ ଗୋଟିଏ ପରାଜୟ ସହ ୩ ପଏଣ୍ଟ ପାଇଛି । ନାଗାଲାଣ୍ଡ ଟିମ୍ ଅପେକ୍ଷାକୃତ ଦୁର୍ବଳ ଥିବାରୁ ଏହି ମ୍ୟାଚରୁ ପୂରା ପଏଣ୍ଟ ପାଇବାକୁ ଲକ୍ଷ୍ୟ ରଖିଛି ଟିମ୍ ଓଡ଼ିଶା ।

ଓଡ଼ିଶା ଘରୋଇ ପରିବେଶରେ ଗତ ମ୍ୟାଚ ହରିୟାଣା ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲା । ତେଣୁ ନାଗାଲାଣ୍ଡ ବିପକ୍ଷ ମ୍ୟାଚରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ବିଶେଷ କରି ଯୁବ ଖେଳାଳି କାର୍ତ୍ତିକ ବିଶ୍ୱାଳଙ୍କ ଉପରେ ସମସ୍ତଙ୍କ ନଜର ରହିବ । କାହିଁକି ନା ଚଳିତ ବର୍ଷ କାର୍ତ୍ତିକ ଦମଦାର ଫର୍ମରେ ରହିଛନ୍ତି । ବିଜୟ ହଜାରେ ଟ୍ରଫିରେ ପଞ୍ଜାବ ବିପକ୍ଷରେ ଦମଦାର ଶତକ ପରେ ସେହି ଫର୍ମ ରଣଜୀରେ ମଧ୍ୟ ଜାରି ରଖିଛନ୍ତି କାର୍ତ୍ତିକ ।

ହରିଆଣା ବିପକ୍ଷ ମ୍ୟାଚରେ ମଧ୍ୟ ଦମଦାର ଶତକ ହାସଲ କରି ଓଡ଼ିଶାକୁ ଭଲ ସ୍ଥିତିକୁ ଆଣିଥିଲେ କାର୍ତ୍ତିକ । ତେଣୁ ନାଗାଲାଣ୍ଡ ବିପକ୍ଷ ମ୍ୟାଚରେ କାର୍ତ୍ତିକ ବିଶ୍ୱାଳଙ୍କ ଉପରେ ସମସ୍ତଙ୍କ ନଜର ରହିବ । ସେହିପରି ଶୁଭ୍ରାଂଶୁ ସେନାପତି, ଅନୁରାଗ ଷଡ଼ଙ୍ଗୀ ଓ ସାନ୍ତୁନୁ ମିଶ୍ର ଭଲ ଫର୍ମରେ ଥିବାରୁ ଓଡ଼ିଶାର ପ୍ରଦର୍ଶନ ନେଇ ସମସ୍ତେ ଆଶାବାଦୀ ରହିଛନ୍ତି ।

୨୭ଜଣଙ୍କୁ ମିଳିଲା ଉପଦେଷ୍ଟା ପଦବୀ

ଭୁବନେଶ୍ୱର: ସେହିପରି ବିଭିନ୍ନ ବିଭାଗ, ନିଗମ, ପରିଷଦ, ମେଡିକାଲ କଲେଜର ନୂଆ ଉପଦେଷ୍ଟା ନିଯୁକ୍ତ ହୋଇଛନ୍ତି । ୨୭ଜଣଙ୍କୁ ମିଳିଲା ଉପଦେଷ୍ଟା ପଦ । ୩ନିଗମକୁ ମିଳିଲେ ନୂଆ ଅଧ୍ୟକ୍ଷ । ମତ୍ସ୍ୟ ଉନ୍ନୟନ ନିଗମର ଅଧ୍ୟକ୍ଷ ହେଲେ ସୁବାସ ପାତ୍ର । ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ହେଲେ ମହେନ୍ଦ୍ର ବଢେଇ । ଓ୍ୱାକଫ୍ ବୋର୍ଡ ଅଧ୍ୟକ୍ଷ ହୋଇଛନ୍ତି ସେକ୍ ନିଜାମୁଦ୍ଦିନ ।

ସାରା ବିଶ୍ବରେ ନ୍ୟୁଜିଲାଣ୍ଡ ପ୍ରଥମେ ପାଳୁଛି ନୂଆବର୍ଷ  

ଅକଲ୍ୟାଣ୍ଡ: ନ୍ୟୁଜିଲାଣ୍ଡରେ ପାଦ ଦେଲା ନୂଆ ବର୍ଷ । ସାରା ବିଶ୍ବରେ ନ୍ୟୁଜିଲାଣ୍ଡ ପ୍ରଥମେ ପାଳୁଛି ନୂଆବର୍ଷ  । ନୂଆ ବର୍ଷ ୨୦୨୩ କୁ ସ୍ବାଗତ କରି ଉଲ୍ଲସିତ ନ୍ୟୁଜଲାଣ୍ଡବାସୀ ବିଶ୍ବର ନ୍ୟୁଜରଲ୍ୟାଣ୍ଡରେ ଧୁମଧାମରେ ୨୦୨୩ କୁ କଲେ ସ୍ବାଗତ। ଏନେଇ ପ୍ରସିଦ୍ଧ ସ୍କାଏ ଟାୱାରକୁ ରଙ୍ଗୀନ ଆଲୋକମାଳାର ସଜାଯାଇଛି । ଭାରତକୁ ନୂଆବର୍ଷ ଛୁଇଁବା ପୂର୍ବରୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ସହ କିଛି ଦେଶରେ ପାଦ ଥାପି ସାରିଛି । ୧୨ଟା ବାଜିବା କ୍ଷଣି ଆକାଶରେ ଝଲସି ଉଠିଥିଲା ରଙ୍ଗ ବେରଙ୍ଗର ଦୃଶ୍ୟ ।

ସେହିଭଳି ବିଶ୍ବର ପୂର୍ବ ଭାଗରେ ଅବସ୍ଥିତ ସୂର୍ଯ୍ୟାସ୍ତପରେ ଅକଲାଣ୍ଡରେ ଆରମ୍ଭ ହୋଇଛି ସେଲିବ୍ରେସନ୍ । ଭାରତର ସମୟ ଅନୁଶାରେ ପ୍ରାୟ ସେଢେ ୭ ଘଣ୍ଟା ପୂର୍ବରୁ ଅକଲାଣ୍ଡରେ ପାଳିତ ହୋଇଛି ନବବର୍ଷ । ଲୋକମାନେ ଉତ୍ସାହର ସହ ନବ ବର୍ଷକୁ ଅଭିନନ୍ଦନ କରିଛନ୍ତି ।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ୯ ନୂଆ ସଦସ୍ୟ ନିଯୁକ୍ତ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ନୂଆ ସଦସ୍ୟ ନିଯୁକ୍ତ । ୯ଜଣଙ୍କୁ ନୂଆ ସଦସ୍ୟ ଭାବେ ନିଯୁକ୍ତି ମିଳିଛି । ସୁନ୍ଦରଗଡ଼ ପାଇଁ ବୈକୁଣ୍ଠନାଥ ନାୟକ ନିଯୁକ୍ତ ହୋଇଥିବାବେଳେ ଅବିନାଶ ଠାକୁର କଳାହାଣ୍ଡି, ହଂସରାଜ ଜୈନ ବଲାଙ୍ଗୀର, ସୁବୋଧ ପ୍ରଧାନ ବୌଦ୍ଧ, ଗତିକୃଷ୍ଣ ମିଶ୍ର ବରଗଡ଼, ଭୁପିନ୍ଦର ପ୍ରସାଦ ନାୟକ ଦେବଗଡ଼, ମନ୍ଦାକିନୀ ବେଗଲ ନୂଆପଡ଼ା, ମିତ୍ରଭାନୁ ସାହୁ ଝାରସୁଗୁଡ଼ା, ଯାଜ୍ଞସେନୀ ନାଗ ସମ୍ବଲପୁର ପାଇଁ ନୂଆ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ।

ସେହିପରି ମୟୁରଭଞ୍ଜ ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ୧୧ ଜଣ ସଦସ୍ୟ ନିଯୁକ୍ତି ହୋଇଛନ୍ତି । ସ୍ବତନ୍ତ୍ର ସଦସ୍ୟ ଭାବେ ୩ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି କେନ୍ଦୁଝର ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ୧୩ ଜଣଙ୍କୁ ନିଯୁକ୍ତି କରାଯାଇଥିବା ବେଳେ ୩ ଜଣଙ୍କୁ ସ୍ବତନ୍ତ୍ର ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି ।

ବିଶ୍ୱର ସର୍ବାଧିକ ଦରମା ପ୍ରାପ୍ତ ସାମ୍ବାଦିକାଙ୍କ ମୃତ୍ୟୁ

ୱାଶିଂଟନ: ଆମେରିକା ଟେଲିଭିଜନ ଦୁନିଆରେ ଦୁଃଖର ଛାୟା ଖେଳିଯାଇଛି । ଟେଲିଭିଜନର ବରିଷ୍ଠ ସାମ୍ୱାଦିକା ବାରବରା ୱାଲ୍ଟର୍ସଙ୍କ ପରଲୋକ ହୋଇଛି । ସେ ୯୩ ବର୍ଷ ବୟରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।  ମିଳିଥିବା ସୂଚନା ମୁତାବକ  ବାରବରାଙ୍କ ଦେହାନ୍ତ ତାଙ୍କ ବାସଭବନରେ ହୋଇଛି । କିନ୍ତୁ ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ପାଞ୍ଚ ଦଶନ୍ଧି ଧରି ବାରବରା ଟିଭି କ୍ୟାରିୟରେ ସକ୍ରିୟ ଥିଲେ । ଆମେରୀକା ଟେଲିଭିଜନର ସେ ଜଣେ ଦକ୍ଷ ସାକ୍ଷାତକାର ଆଙ୍କର ଭାବେ ପ୍ରତିଷ୍ଠା ଲାଭ କରିଥିଲେ  ।  ଏମିତିକି ଆମେରିକା ରାଷ୍ଟ୍ରପତିଙ୍କ ସହ ସେ ସାକ୍ଷାତକାର ମଧ୍ୟ ନେଉଥିଲେ ।

ସେ ଟିଭି ନ୍ୟୁଜ ସୁପରଷ୍ଟାର ହେବାର ପ୍ରଥମ ମହିଳା ଭାବରେ ରାସ୍ତା ଦେଖାଇଥିଲେ । ତାଙ୍କର ନିଷ୍ଠାପର କାର୍ଯ୍ୟ ପାଇଁ ସେ ଅନେକ ସ୍ଥାନରେ ସମ୍ମାନିତ ହୋଇଥିଲେ । ବାରବରା ୱାଲ୍ଟର୍ସଙ୍କ ଜନ୍ମ ୧୯୨୯ ସେପ୍ଟମ୍ବର ୨୫ରେ ବୋଷ୍ଟନରେ ହୋଇଥିଲା । ବାରବରା ବିଶ୍ୱର ସବୁଠାରୁ ଅଧିକ ଦରମା ପ୍ରାପ୍ତ ସାମ୍ବାଦିକା ରହିଥିଲେ  । ଯିଏ ବାର୍ଷିକ ୧୨ ବିଲିୟନ ଡଲାର ଦରମା ପ୍ରାପ୍ୟ ଭାବେ ନ୍ୟୁଜ ଚ୍ୟାନଲରୁ ନେଉଥିଲେ ।

ଏଲନ ମସ୍କଙ୍କ ଘୋଷଣା, ଟ୍ବିଟରରେ ସାମିଲ ହେବ ନୂଆ ଫିଚରସ୍

ୱାଶିଂଟନ: ଆସିଛି ନୂତନ ବର୍ଷ । ନୂତନ ଉନ୍ମାଦନା । ପ୍ରତିଟି ମଣିଷ ଚାହେଁ କିଛି ନୂଆ। ଠିକ୍ ସେମିତି ଟ୍ୱିଟର ମାଲିକ ହେବା ପରେ ଏଲନ ମସ୍କ କ୍ରମାଗତ ଭାବରେ ନୂତନ୍ୱତ ଆଣିଛନ୍ତି। ଟ୍ୱିଟରେ ଗତ ଦୁଇ ମାସ ମଧ୍ୟରେ ଅନେକ ଫିଚରସ୍ ପରିବର୍ତ୍ତନ ହୋଇଛି। ସେଥିମଧ୍ୟରେ ଟ୍ବିଟର ବ୍ଲୁ ଟିକ୍ ମଧ୍ୟ ସାମିଲ ରହିଛି। କିନ୍ତୁ ଦେୟଯୁକ୍ତ ସେବାକୁ ନେଇ ନାଖୁସ୍ ଗ୍ରାହକ ।

ବର୍ତ୍ତମାନ ଟ୍ବିଟରକୁ ନେଇ ଏଲନ ମସ୍କ ଆଉ ଏକ ସୂଚନା ଦେଇଛନ୍ତି, ନୂତନ ବର୍ଷରେ ଟ୍ବିଟରେ ଆଉ ଏକ ନୂଆ ନାଭିଗେସନ୍ ଫିଚର ଆସୁଛି । ଏହି ନାଭିଗେସନ ସାହାର୍ଯ୍ୟରେ ସୁପାରିସ, ଫଲୋ ଟ୍ବିଟ ଏବଂ ଅନ୍ୟ ବିଷୟର ବିଷୟବସ୍ତୁକୁ  ସହଜରେ ଦେଖିହେବ । ଏଲନ ମସ୍କ ଏକ ଟ୍ବିଟର ପ୍ରତିଉତ୍ତରରେ କହିଛନ୍ତି ଯେ, ଟ୍ୱିଟରର ଅନେକ ପରିବର୍ତ୍ତନ କରାଯାଉଛି । ଯାହା ଫଳରେ ସୁପାରିସ, ଟ୍ବିଟ, ଫଲୋ ଏବଂ ଅନ୍ୟାନ ବିଷୟବସ୍ତୁକୁ ଦେଖିବା ପାଇଁ ବ୍ୟବହାରକାରୀଙ୍କୁ ଭଲ ଲାଗିବ ।

ତେବେ କିଛିଦିନ ପୂର୍ବରୁ ଟ୍ୱିଟରରେ ୪୦ ହଜାରରୁ ଅଧିକ ବ୍ୟବହାରକାରୀଙ୍କ ତଥ୍ୟ ଚୋରୀ ହୋଇଥିଲା । ତଥ୍ୟ ଚୋରୀ ହେବା ପରେ ଏହାକୁ ଡ୍ରାଫ ୱେବରେ ବିକ୍ରି କରିବା ପାଇଁ ଉପଲବ୍ଧ କରାଯାଇଥିଲା । ଚୋରୀ ହୋଇଥିବା ତଥ୍ୟ ଗୁଡିକରେ ୟୁର୍ଜସଙ୍କ ନାମ, ଠିକଣା, ଆଇଡିରେ ଥିବା ଫଲୋ ଏବଂ ଫୋନ ନମ୍ବର ସମସ୍ତ ତଥ୍ୟା ସାମିଲ ଥିଲା । ସୂଚନା ଅନୁଯାୟୀ, ଭାରତୀୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀଳୟ, ଆମେରିକା ସ୍ପେସ୍ ଏଜେନ୍ସି ନାସାର ଆକାଉଣ୍ଟ ତଥ୍ୟ ମଧ୍ୟ ସାମିଲ ଥିଲା । ଅନ୍ୟପଟେ ଏହା ପୂର୍ବରୁ ଟ୍ବିଟରର ୫୪ ଲକ୍ଷ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଚୋରୀ ହୋଇଥିଲା ।