ଆହ୍ଲାବାଦ ହାଇକୋର୍ଟ ପରିସରରୁ ୩ମାସ ମଧ୍ୟରେ ହଟାଯାଉ ମସଜିଦ୍: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୋମବାର ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟ ପରିସସରେ ଥିବା ଏକ ମସଜିଦକୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ୩ ମାସ ମଧ୍ୟରେ ଏହି ମସଜିଦକୁ ହଟାଇବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ମସଜିଦ୍ ହଟାଯିବାକୁ ବିରୋଧ କରୁଥିବା ଆବେଦନକାରୀଙ୍କୁ ସୁପ୍ରିମକୋର୍ଟ କହିଛନ୍ତି ଯେ, ଢ଼ାଞ୍ଚା ଏକ ମିଆଦପୂର୍ଣ୍ଣ ଜମି ଉପରେ ଅବସ୍ଥିତ ଅଛି ଏବଂ ଏହାକୁ ଅଧିକାର ଅନୁଯାୟୀ ବଳବତ୍ତର ରଖିବା ପାଇଁ ଦାବି କରିପାରିବେ ନାହିଁ । ଆବେଦନକର୍ତ୍ତାଙ୍କ ମଧ୍ୟରେ ସାମିଲ ହାଇକୋର୍ଟ ମସଜିଦ ୱକ୍ଫ ଏବଂ ୟୁପି ସୁନ୍ନୀ ସେଣ୍ଟ୍ରାଲ ୱକ୍ଫ ନଭେମ୍ବର ୨୦୧୭ର ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ ।

ହାଇକୋର୍ଟ ସେମାନଙ୍କୁ ମସଜିଦକୁ ପରିସରରୁ ବାହାର କରିବା ପାଇଁ ୩ ମାସର ସମୟ ଦେଇଥଇଲେ । ସୋମବାର ସୁପ୍ରିମକୋର୍ଟ ସେମାନଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟରେ ଜଷ୍ଟିସ ଏମଆର୍ ଶାହ ଏବଂ ଜଷ୍ଟିସ ସିଟି ରବିକୁମାରଙ୍କ ଖଣ୍ଡପୀଠ ଏହି ଶୁଣାଣି କରିଛନ୍ତି । ଖଣ୍ଡପୀଠ ଆବେଦନକାରୀଙ୍କୁ କହିଥିଲେ ଯେ ଜମି ଲିଜରେ ଥିଲା, ଯାହାର ଅବଧି ସମାପ୍ତ ହୋଇଯାଇଥିଲା । ତେଣୁ ସେମାନେ ଅଧିକାର ଅନୁଯାୟୀ ଏହାକୁ କାଏମ ରଖିବାକୁ ଦାବି କରିପାରିବେ ନାହିଁ । ତେଣୁ ଏହି ମସଜିଦକୁ ତିନି ମାସ ଭିତରେ ଭାଙ୍ଗିବା ପାଇଁ ସମୟ ଦିଆଯାଉଛି ଏବଂ ଯଦି ତିନି ମାସ ଅବଧି ଭିତରେ ମସଜିଦ ନହଟାଯାଏ ତେବେ ହାଇକୋର୍ଟ ସମେତ ଅଧିକାରୀମାନଙ୍କ ପାଖରେ ଏହାକୁ ଭାଙ୍ଗିବା ପାଇଁ ସମସ୍ତ ବିକଳ୍ପ ଖୋଲା ରହିବ ।