ରାଜ୍ୟରେ ଋଣ ଭାର ତୁଳନାରେ ୫.୮ ଗୁଣ ବଢ଼ିଛି ମୁଣ୍ଡ ପିଛା ଆୟ

1 min read

ଭୁବନେଶ୍ୱର: ଅତୀତ ଏବେ ୧୯୯୯ ମସିହାର ଆର୍ଥିକ ଦୁଃସ୍ଥିତି । ସେତେବେଳେ କର୍ମଚାରୀଙ୍କୁ ଦରମା ଦେବାକୁ ୩୬୪ ଦିନ ଓଭରଡ୍ରାଫ୍ଟ୍ ଉପରେ ନିର୍ଭର କରିବାକୁ ପଡ଼ୁଥିଲା । ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟରେ ବଢୁଛି ମୁଣ୍ଡ ପିଛା ଆୟ । ଋଣଭାର ତୁଳନାରେ ମୁଣ୍ଡପିଛା ଆୟ ବଢିଛି ୫.୮ ଗୁଣ । ବିଧାନସଭା ପ୍ରଶ୍ନକାଳରେ ରାଜ୍ୟର ଋଣଭାର ସ୍ଥିତି ନେଇ ବିରୋଧୀଙ୍କ ପ୍ରଶ୍ନରେ ଏପରି କଡ଼ା ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୨୦୦୫ରେ ବିତ୍ତୀୟ ପରିଚାଳନା ଆଇନ ୨୦୦୫ରେ ଆସିଲା ।

କିନ୍ତୁ ତାପୂର୍ବରୁ ଦ୍ବାଦଶ ଅର୍ଥ କମିଶନଙ୍କ ସୁପାରିସ ଆଧାରରେ ରାଜ୍ୟ ସରକାର ଆର୍ଥିକ ଶୃଙ୍ଖଳା ଆଣିବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଥିଲେ । ଯେଉଁଥିପାଇଁ ୨୦୦୫ରୁ ୨୦୦୯-୧୦ରେ ତତ୍କାଳୀନ କେନ୍ଦ୍ର ସରକାର ବାର୍ଷିକ ୩୮୧.୯୦ କୋଟି ହାରରେ ମୋଟ ୧୯୦୯ କୋଟି ୫୦ ଲକ୍ଷ ଟଙ୍କାର ଋଣ ଛାଡ଼ କରିଥିଲେ । ପରେ ୨୦୧୧-୧୨ରୁ ୨୦୨୦-୨୧ ଆର୍ଥିକ ବର୍ଷ ମଧ୍ୟରେ ବିଭିନ୍ନ ଯୋଜନା ବାବଦରୁ ଛାଡ଼ କରିଛନ୍ତି ୧୩୯କୋଟି ୩୬ ଲକ୍ଷ ଟଙ୍କା । ୧୯୯୯ ମସିହାରେ ରାଜ୍ୟର ମୁଣ୍ଡ ପିଛା ଋଣଭାର ଥିଲା ୪ ହଜାର ୯୧୮ ଟଙ୍କା । ମୁଣ୍ଡ ପିଛା ଆୟ ଥିଲା ୧୩ ହଜାର ୧୨ ଟଙ୍କା । ୨୦୨୨ ମାର୍ଚ୍ଚ ଶେଷ ସୁଦ୍ଧା ମୁଣ୍ଡ ପିଛା ଋଣ ୨୨ ହଜାର ୪୨ ଟଙ୍କା ଥିବାବେଳେ ମୁଣ୍ଡ ପିଛା ଆୟ ୧ ଲକ୍ଷ ୨୮ ହଜାର ୮୭୩ ଟଙ୍କା ରହିଛି ।

ଏଫଆର୍ବିଏମ୍ ଆଇନ ଅନୁଯାୟୀ ରାଜ୍ୟର ଋଣଭାର ସକଳ ଘରୋଇ ଉତ୍ପାଦର ୨୫ ପ୍ରତିଶତ ମଧ୍ୟରେ ରହିବା ଆବଶ୍ୟକ । ଏହାକୁ ହିସାବକୁ ନେଲେ ୨୦୨୧-୨୨ସୁଦ୍ଧା ମହାଲେଖାକାରଙ୍କ ହିସାବ ଅନୁଯାୟୀ ରାଜ୍ୟର ସକଳ ଘରୋଇ ଉତ୍ପାଦ ଅନୁପାତରେ ଋଣ ପରିମାଣ ୧୪.୭ ପ୍ରତିଶତ ରହିଛି । ଏହି ସମୟରେ କେନ୍ଦ୍ର ସରକାର ଲକ୍ଷ ଲକ୍ଷ କୋଟି ଟଙ୍କାର କରଜରେ ବୁଡିଛନ୍ତି । ବିକାଶ ପାଇଁ ଋଣ କରିବା ପାପ ନୁହେଁ । ଓଡ଼ିଶା ସରକାର ମୁଖ୍ୟତଃ ଭିତ୍ତିଭୂମି ବିକାଶ ଯେପରିକି ଜଳସେଚନ, ଶକ୍ତି, ସଡ଼କ, ବିପର୍ଯ୍ୟୟ ପରିଚାଳନା, ସହରାଞ୍ଚଳ ଭିତ୍ତିଭୂମି ନିର୍ମାଣ ପାଇଁ ବିଶ୍ବ ବ୍ୟାଙ୍କ ସମେତ ଏଡିବି, ଆଇଏଫ୍ଏଡି, ଜାଇକା, ବ୍ରିକ୍ସ୍ ବ୍ୟାଙ୍କ, ଏଆଇଆଇବି ସଂସ୍ଥାଠାରୁ ଋଣ କରିଥାନ୍ତି ।

ଦ୍ବାଦଶ ଅର୍ଥ କମିସନଙ୍କ ସୁପାରିସ ଆଧାରରରେ ୨୦୦୫ ମସିହାର ଏପ୍ରିଲ ପହିଲାରୁ ବାହ୍ୟସଂସ୍ଥାଠାରୁ ବ୍ୟାକ୍ ଟୁ ବ୍ୟାକ୍ ଋଣ କରିବାକୁ ରାଜ୍ୟମାନଙ୍କୁ ଅନୁମତି ମିଳିଛି । ୨୦୨୧-୨୨ ସୁଦ୍ଧା ରାଜ୍ୟର ବାହ୍ୟ ଋଣ ପରିମାଣ ୧୮ ହଜାର ୫୦୭ କୋଟି ୮୨ ଲକ୍ଷ ଟଙ୍କା । ରାଜ୍ୟ ସରକାର ୨୦୦୬-୦୭ରୁ ୨୦୧୩-୧୪ ଏବଂ ୨୦୨୧-୨୨ରୁ ଏଯାବତ୍ ଖୋଲାବଜାରରୁ ରାଜ୍ୟ ସରକାର କୌଣସି ଋଣ କରିନାହାନ୍ତି । ଯେଉଁଥିପାଇଁ ଏବେ ଋଣ ଭାର କମିବାରେ ଲାଗିଛି ।

କେବଳ ଓମ୍ବାଡସି ଭଳି ସଂସ୍ଥାରୁ ଅଳ୍ପ ସୁଧରେ ଋଣ ଉଠାଇ ଭିତ୍ତିଭୂମି ବିକାଶ କାର୍ଯ୍ୟରେ ଲଗାଉଛନ୍ତି । ଯେଉଁଥିପାଇଁ ୨୦୨୧-୨୨ ସୁଦ୍ଧା ରାଜ୍ୟର ଋଣଭାର ୯୭ ହଜାର ୨୦୪ କୋଟି ୯୮ ଲକ୍ଷ ଟଙ୍କା ରହିଥିଲା । ଏସବୁ ସମ୍ଭବ ହୋଇପାରିଛି ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ଦୂରଦର୍ଶୀ ପଦକ୍ଷେପ ଯୋଗୁ । ବିକାଶ ପଥରେ ଆଗେଇ ଚାଲିଛି ଓଡ଼ିଶା । କୋଭିଡ ପରି ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ବେ ରାଜ୍ୟର ନିଜସ୍ବ ଆୟ କମିଲାନି । ଉତ୍ତମ ବିତ୍ତୀୟ ପରିଚାଳନାକୁ ଭାରତ ସରକାର ବି ପ୍ରଶଂସା କରିଛନ୍ତି । ଖୋଦ ଅର୍ଥ ବିଭାଗର ତଥ୍ୟ କହୁଛି ଧୀରେ ଧୀରେ ରାଜ୍ୟର ଋଣ ପରିମାଣ କମିବାରେ ଲାଗିଛି ।