ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚ୍ ଡ୍ର, ୨-୧ରେ ସିରିଜ୍ ଜିତିଲା ଭାରତ

1 min read

ଅହମ୍ମଦାବାଦ: ଅହମ୍ମଦାବାଦରେ ୫ ଦିନ ହେବ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ ମ୍ୟାଚ୍ ଡ୍ର ହୋଇଛି । ଭାରତ ୪ ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜକୁ ୨-୧ରେ ଜିତିନେଇଛି । ଏହି ବିଜୟ ସହ ଭାରତ ଲଗାତାର ଷଷ୍ଠଥର ପାଇଁ ବର୍ଡର ଗାଭାଷ୍କର ଟ୍ରଫି ନିଜ ନାଁରେ କରିଛି । ସେହିପରି ଲଗାତାର ୪ଥର ଭାରତ ଅଷ୍ଟ୍ରେଲିଆଠୁ ଟେଷ୍ଟ ସିରିଜ୍ ଜିତିଛି । ଏପରି କରିଥିବା ପ୍ରଥମ ଏସୀୟ ଟିମ୍ ଭାବେ ମଧ୍ୟ ରେକର୍ଡ କରିଛି । ପ୍ରଥମ ଏବଂ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତ ବିଜୟୀ ହୋଇଥିଲା । ତୃତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା । ଅଷ୍ଟ୍ରେଲିଆ ନିଜର ଦ୍ୱିତୀୟ ଇନିଂସରେ ୭୮.୧ ଓଭରରେ ୨ ୱିକେଟ୍ ବିନିମୟରେ ୧୭୫ ରନ୍ କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଟ୍ରେବିସ ହେଡ ୯୦ ରନ୍, ମାର୍ନସ ଲାବୁସେନ ୬୩ରନର ଅପରାଜିତ ପାରି ଖେଳିଥିଲେ ।

ସେହିପରି ଷ୍ଟିଭ ସ୍ମିଥ ୧୦ ରନ୍ କରି ଅପରାଜିତ ରହିଥିଲେ । ଭାରତ ପକ୍ଷରୁ ଅଶ୍ୱିନ ଏବଂ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୪୮୦ ରନ୍ କରିଥିଲା । ଜବାବରେ ଭାରତ ପ୍ରଥମ ଇନିଂସରେ ୫୭୧ ରନର ସ୍କୋର କରିଥିଲା । ଯେଉଁଥିରେ ବିରାଟ କୋହଲି ୧୮୬ରନର ଚମତ୍କାର ପାରି ଖେଳିଥିଲେ । ସେହପିର ଶୁଭମନ ଗିଲ୍ ୧୨୮ ରନ୍ କରିଥିଲେ । ପ୍ରଥମ ପାଳିର ଆଧାରରେ ଭାରତ ୯୧ ରନରେ ଆଗୁଆ ରହିଥିଲା । ଅଷ୍ଟ୍ରେଲିଆ ନିଜର ଦ୍ୱିତୀୟ ଇନିଂସରେ ଦୁଇଟି ୱିକେଟରେ ୧୭୫ ରନରେ ଇନିଂସ ଘୋଷଣା କରିଦେଇଥିଲା ଏବଂ ଏଥିସହିତ ମ୍ୟାଚକୁ ଡ୍ର ଘୋଷିତ କରାଯାଇଛି ।

ଚତୁର୍ଥ ଟେଷ୍ଟରେ ଭଲ ପ୍ରଦର୍ଶନ ପାଇଁ ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କୁ ମ୍ୟାନ ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଛି । ସେହିପରି ଭାରତୀୟ ଦଳର ଦୁଇ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ଆର୍ ଅଶ୍ୱିନଙ୍କୁ ମ୍ୟାନ ଅଫ ଦ ସିରିଜ ସମ୍ମାନ ମିଳିଛି । ଆର୍ ଅଶ୍ୱିନ ଚାରି ମ୍ୟାଚର ସିରିଜରେ ମୋଟ ୨୫ଟି ୱିକେଟ୍ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା ମୋଟ ୨୨ ୱିକେଟ୍ ନେଇଛନ୍ତି । ରବୀନ୍ଦ୍ର ଜାଡେଜା ମୋଟ ୧୦୭ ରନ୍ କରିଥିବା ବେଳେ । ଅଶ୍ୱିନ ୭୯ ରନ୍ କରିଥିଲେ ।