ସମଲିଙ୍ଗୀ ବିବାହ ମାମଲା: ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ କରିବେ ଶୁଣାଣି

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି । ମାମଲାର ଶୁଣାଣି କରିବେ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ । ଆସନ୍ତା ଏପ୍ରିଲ ୧୮ ତାରିଖରେ ମାମଲାରେ ଶୁଣାଣି କରାଯିବ । ସମଲିଙ୍ଗୀ ବିବାହକୁ ନେଇ ହେବାକୁ ଶୁଣାଣିର ଲାଇଭ ଷ୍ଟ୍ରିମିଂ କରିବାକୁ ଦାବି କରିଛନ୍ତି ଆବେଦନକାରୀ । ଗତକାଲି ସମଲିଙ୍ଗୀ ବିବାହକୁ ବିରୋଧ କରି କୋର୍ଟରେ ୫୬ପୃଷ୍ଠାର ସତ୍ୟପାଠ ଦାଖଲ କରିଥିଲେ କେନ୍ଦ୍ର ସରକାର । କେନ୍ଦ୍ର ସରକାର ନିଜ ସତ୍ୟପାଠରେ କହିଥିଲେ ସମଲିଙ୍ଗୀ ବିବାହ ଭାରତୀୟ ସଂସ୍କୃତି ଓ ପରମ୍ପରା ବିରୋଧୀ । ତେଣୁ ଭାରତରେ ଏହାକୁ ଅନୁମତି ନଦିଆଯାଉ । ଆଜି ମାମଲାର ଶୁଣାଣି ସମୟରେ ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ତିନି ଜଜ ବିଶିଷ୍ଟ ଖଣ୍ଡପୀଠ ମାମଲାକୁ ସାମ୍ବିଧାନିକ ପୀଠକୁ ପଠାଇବା ପାଇଁ ସୁପାରିଶ କରିଛନ୍ତି । ଆବେଦନକାରୀ ଶୁଣାଣି ସମୟରେ ଲାଇଭ ଷ୍ଟ୍ରିମିଂ ପାଇଁ ମଧ୍ୟ ନିବେଦନ କରିଛନ୍ତି । କେନ୍ଦ୍ର ସରକାରଙ୍କ ସତ୍ୟପାଠ ଉପରେ ଜବାବ ଦାଖଲ କରିବା ପାଇଁ ଆବେଦନକାରୀଙ୍କୁ ତିନି ସପ୍ତାହ ସମୟ ଦିଆଯାଇଛି ।