ପରୀକ୍ଷାରେ ନମ୍ବର ବଢାଇ ଦେବାକୁ କହି ଛାତ୍ରଛାତ୍ରୀଙ୍କୁ ଠକୁଥିଲା ଠକ, ବାନ୍ଧିଲା ପୋଲିସ

ବାଲେଶ୍ୱର: ପରୀକ୍ଷାରେ ନମ୍ବର ବଢାଇ ଦେବି କହି ଠକୁଥିଲା । ଧରା ପଡିବା ପରେ ଜେଲ ଗଲା । ବାଲେଶ୍ବରରେ 3ଶହ ଛାତ୍ରଛାତ୍ରୀଙ୍କୁ ନମ୍ବର ବଢାଇଦେବାକୁ କହି ଠକିଥିଲା ଠକ ପ୍ରଦୀପ ଦାସ । ଏନେଇ ଥାନରେ ଅଭିଯୋଗ ପରେ ପ୍ରଦୀପକୁ ଗିରଫ କରିଛି ପୋଲିସ । ପ୍ରଦୀପ ଠାରୁ ଏକ ଦାମି କାର୍‌ ସହିତ 9 ଲକ୍ଷ ଟଙ୍କାର ସୁନା ଅଳଙ୍କାର, 57 ହଜାର ନଗଦ ଟଙ୍କା, ଦାମି ମୋବାଇଲ ଓ ବିଭିନ୍ନ ବ୍ୟାଙ୍କର ଏଟିଏମ୍‌ କାର୍ଡ଼ ଜବତ କରାଯାଇଛି ।

ଠକ ପ୍ରଦୀପ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ସହିତ ଯୋଗାଯେଗ କରି ନିଜକୁ ଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ବୋଲି ପରିଚୟ ଦେଉଥିଲା । ପରେ ଛାତ୍ରଛାତ୍ରୀଙ୍କର ନମ୍ବର ବଢାଇଦେବାକୁ କହି ଜଣକ ପିଛା 1 ହଜାର ଟଙ୍କାରୁ 10 ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ କରୁଥିଲା । ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରୁ ପ୍ରାୟ 3ଶହ ଛାତ୍ରଛାତ୍ରୀଙ୍କ ଠାରୁ 15 ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଜଣାପଡ଼ିଥିଲା । ପୋଲିସ ଘଟଣାର ତଦନ୍ତକରି ପ୍ରଦୀପକୁ ଗିରଫ କରିବାରେ ସଫଳ ହୋଇଛି ।