spot_img
Home Blog Page 3564

ବସ୍‌ ଭିତରେ ଅଭିନବ ଉପାୟରେ ଲୁଟ୍‌, ଶିଶୁର ହଗିସରୁ ମିଳିଲା ଲୁଟ୍‌ ଅଳଙ୍କାର

ସୋରୋ: ବସ୍‌ ଭିତରେ ଅଭିନବ ଉପାୟରେ ଲୁଟ୍‌ । ଶିଶୁ ପିନ୍ଧିଥିବା ହଗିସରୁ ମିଳିଲା ଲୁଟ୍‌ ଅଳଙ୍କାର । ଦୁଇ ମହିଳାଙ୍କ ସମେତ ତିନି ନାବାଳିକା ଥାନାରେ ଅଟକ । ଭଦ୍ରକ ଜିଲ୍ଲା ଧାମରାରୁ ବାଲେଶ୍ଵର ଯାଉଥିବା ଏକ ଘରୋଇ ବସରେ ବାସୁଦେବପୁର ବ୍ଲକ ରାଧାବଲ୍ଲଭପୁରର ଅଞ୍ଜନା ମହାନ୍ତି ଓ ଅନ୍ୟ କିଛି ଯାତ୍ରୀ ଆସୁଥିଲେ । ଏହି ସମୟରେ ଅଧରାସ୍ତାରେ କିଛି ବଞ୍ଜରା ଉଠିଥିଲେ ।

ବସରେ ଭିଡ଼ ଭିତରୁ ଫାଇଦା ନେଇ ଅଞ୍ଜନା ମହାନ୍ତିଙ୍କର ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ଅନ୍ୟ ଦୁଇ ବସ ଯାତ୍ରୀଙ୍କଠାରୁ ୯୦ ହଜାର ଟଙ୍କା ଲୁଟ କରିଥିଲେ । ଅଞ୍ଜନା ସୋର ନିକଟରେ ତାଙ୍କ ବ୍ୟାଗ୍‌ ଖୋଜାଖୋଜି କରିବାରୁ ଗହଣା ଚୋରି ହୋଇଥିବା ଜାଣି ପାରିଥିଲେ । ସନ୍ଦେହ କରି ବସରୁ ଦୁଇ ମହିଳା ଓ ଦୁଇ ଶିଶୁଙ୍କୁ ସୋର ପୋଲିସ ଜିମା ଦେଇଥିଲେ । ପୋଲିସ ମହିଳା ଓ ଶିଶୁଙ୍କ ତଲାସି ନେବା ପରେ ଦୁଇ ଶିଶୁ ପିନ୍ଧିଥିବା ହଗିସରୁ ଚୋରି ଅଳଙ୍କାର ବାହାରିବା ସହିତ ଦୁଇ ମହିଳାଙ୍କ ନିକଟରୁ ୪ ହଜାର ଟଙ୍କା ମିଳିଥିଲା । ପୋଲିସ ଏମାନଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ।

ICICI ବ୍ୟାଙ୍କ ଋଣ ଠକେଇ ମାମଲା: ଭିଡିଓକନ ଚେୟାରମ୍ୟାନ୍‌ ବେଣୁଗୋପାଳ ଧୂତ ଗିରଫ

ନୂଆଦିଲ୍ଲୀ: ICICI ବ୍ୟାଙ୍କ ଋଣ ଠକେଇ ମାମଲାରେ ଭିଡିଓକନ ଚେୟାରମ୍ୟାନ ବେଣୁଗୋପାଳ ଧୂତ ଗିରଫ  । ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବେଣୁଗୋପାଳଙ୍କୁ ଗିରଫ କରିଛି ସିବିଆଇ  । ଏହା ପୂର୍ବରୁ ସିବିଆଇ ପୂର୍ବତନ ଏମଡି ଚନ୍ଦା କୋଚର ଓ ତାଙ୍କ ପତି ଦୀପକ କୋଚରଙ୍କୁ ଗିରଫ କରିଥିଲା  । ବେଣୁଗୋପାଳଙ୍କୁ ଗିରଫ କରି ତିନି ଦିନ ରିମାଣ୍ଡରେ ନେଇଛି ସିବିଆଇ  ।

ଭିଡିଓକନ ଗୃପକୁ ୨୦୧୨ ମସିହାରେ ୩୨୫୦ କୋଟି ଟଙ୍କା ଋଣ ସ୍ବୀକୃତିରେ ଅନିୟମିତତା କରିଥିବା କୋଚର ଦମ୍ପତିଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା  । ଶୁକ୍ରବାର ଦିନ ସିବିଆଇ କାର୍ଯ୍ୟାଳୟରେ ପଚରାଉଚୁରା ପରେ ଉଭୟଙ୍କୁ ଗିରଫ କରାଯାଇଥିଲା  । ଦୁହିଁଙ୍କ ଉତ୍ତର ସନ୍ତୋଷଜନକ ନଥିବାବେଳେ  ବୟାନରେ ତାଳମେଳ ରହିନଥିଲା  ।

୨୦୧୨ରେ ଭିଡିଓକନ ଗୃପକୁ ICICI ବ୍ୟାଙ୍କ ଋଣ ଦିଆଯାଇଥିଲା  । ଯାହାକି ପରେ ଏନପିଏ ହୋଇଯାଇଥିଲା  । ଏହାପରେ ଏହାକୁ ବ୍ୟାଙ୍କ ଦୁର୍ନିତୀ କୁହାଯାଇଥିଲା  । ୨୦୧୨ରେ ଚନ୍ଦା କୋଚରଙ୍କ ନେତୃତ୍ବରେ ICICI ବ୍ୟାଙ୍କ ଭିଡିଓକନ ଗୃପକୁ ୩୨୫୦ କୋଟି ଟଙ୍କା ଋଣ ଦେଇଥିଲା  । ଏହାର ୬ ମାସ ପରେ ବେଣୁଗୋପାଳଙ୍କ ମେସର୍ସ ସୁପ୍ରିମ ଏନର୍ଜିକୁ ୬୪ କୋଟି ଟଙ୍କା ଋଣ ଦିଆଯାଇଥିଲା  । ଯେଉଁଥିରେ ଦୀପକ କୋଚରଙ୍କ ୫୦ ପ୍ରତିଶତ ଅଂଶୀଦାର ଥିଲା  ।

 

ଶ୍ରୀକ୍ଷେତ୍ରରୁ ଶଙ୍ଖନାଦ, ଓଡ଼ିଶାବାସୀଙ୍କ ପାଇଁ କାମ କରିବାକୁ ସୁପ୍ରିମୋ ନବୀନଙ୍କ ବାର୍ତ୍ତା

ପୁରୀ: ଓଡ଼ିଶା ବିକାଶରେ ବ୍ରତୀ ବିଜେଡି। ସାରା ଓଡ଼ିଶା ପାଇଁ ଉତ୍ସର୍ଗୀକୃତ ବିଜେଡି। କୌଣସି ଜାତି, ଧର୍ମ, ବର୍ଣ୍ଣର ଲୋକଙ୍କ ଉନ୍ନତି ପାଇଁ କାମ କରୁନି। ମାଲକାନଗିରିରୁ ମୟୂରଭଞ୍ଜ, ବରଗଡ଼ରୁ ପୁରୀ ଓଡ଼ିଶା ଓ ଓଡ଼ିଶାର ଲୋକଙ୍କ ପାଇଁ ବିଜେଡି କାମ କରିଆସୁଛି। ଆଉ ୧୨ବର୍ଷ ପରେ ଓଡ଼ିଶା ଗଠନକୁ ଶହେ ବର୍ଷ ପୂରିବ।

ଦେଶରେ ଓଡ଼ିଶାକୁ ହକ୍ ଦେବା ପାଇଁ ବିଜେଡି ପ୍ରତିବଦ୍ଧ। ତେଣୁ ଯେକୌଣସି ସ୍ତରରୁ ପେଶାଦାର ବ୍ୟକ୍ତି ଯାଏଁ ଯୁବପୀଢ଼ି, ବିଶେଷ କରି ମାଆମାନେ ବିଜେଡିରେ ଯୋଗ ଦେଇ ଏହାକୁ ସଶକ୍ତ କରାନ୍ତୁ । ସେମାନଙ୍କ ସହଯୋଗରେ ବିଜେଡି ୨୫ କି ୫୦ବର୍ଷ ନୁହେଁ ଶହେ ବର୍ଷ ଯାଏଁ ଓଡ଼ିଶାର ସେବା କରିଚାଲିବ । ବିଜୁ ଜନତା ଦଳର ୨୬ତମ ଜୟନ୍ତୀ ଅବସରରେ ପୁରୀରୁ ରାଜ୍ୟବାସୀଙ୍କୁ ଏହି ଆହ୍ବାନ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

୨୫ବର୍ଷ ହେଲା ଓଡ଼ିଶାବାସୀଙ୍କ ଆଶୀର୍ବାଦ ପାଇଁ ଦେଶର ସବୁଠୁ ସଫଳତମ ଆଞ୍ଚଳିକ ଦଳ ଭାବେ ବିଜେଡି ଉଭା ହୋଇଛି । ଏହା ପଛରେ ଅନେକ କାରଣ ରହିଛି। ସେବାକୁ ଏଜେଣ୍ଡା କରି ବିଜେଡି ଆଗେଇ ଚାଲିଛି। ଓଡ଼ିଶାର ସ୍ବାଭିମାନ, ସଂସ୍କୃତି, ଭାଷା ତଥା ସବୁ ବର୍ଗର ଉନ୍ନତି ପାଇଁ ବିଜେଡି କାମ କରୁଛି । ବିଜୁ ପଟ୍ଟନାୟକଙ୍କ ଆଦର୍ଶକୁ ମାଧ୍ୟମ କରି ତାଙ୍କ ଦିଗଦର୍ଶନ ଦେଇଥିବା ରାସ୍ତାରେ ଆଗେଇ ଚାଲିଛି। ବିଜୁ ପଟ୍ଟନାୟକ କେବଳ ନେତା ନଥିଲେ, ସେ ଜଣେ ପ୍ରକ୍ରିୟା ଥିଲେ । ତାଙ୍କର ପ୍ରତ୍ୟେକ ରକ୍ତବିନ୍ଦୁ ଓଡ଼ିଶାର ସ୍ବାଭିମାନ ପାଇଁ ଉତ୍ସର୍ଗୀକୃତ ଥିଲା । ବିଜୁଙ୍କ ଆଦର୍ଶରେ ଏବେବି ଆଗେଇ ଚାଲିଛି ବିଜେଡି।

ସ୍ବଚ୍ଛ ଓ ନିର୍ମଳ ଶାସନ ପାଇଁ ବିଜେଡି ସବୁଠି ଗ୍ରହଣୀୟ ହୋଇଥିବା ବେଳେ ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ ଦେଇଆସିଛି । ମାଆ ମାନଙ୍କର ସଶକ୍ତିକରଣ, ପରିବାର, ରାଜ୍ୟ ତଥା ଦେଶର ସଶକ୍ତିକରଣ। ଏହାର ଉଦାହରଣ ହେଉଛି ମିଶନ ଶକ୍ତି। ୨୦ବର୍ଷ ତଳେ ବିପର୍ଯ୍ୟୟ ମୁକାବିଲାର ସାମନା କରି ପାରୁନଥିବା ଓଡ଼ିଶାର ମୁକାବିଲା ଫର୍ମୂଲା ଏବେ ବିଶ୍ବରେ ପ୍ରଶଂସିତ । ଅନ୍ୟ ରାଜ୍ୟକୁ ଚାଉଳ ପଠାଇବାରେ ଓଡ଼ିଶା ସକ୍ଷମ ।

କୋଭିଡ୍ ସମୟରେ ଟେଷ୍ଟରୁ ଟ୍ରିଟମେଣ୍ଟ ସବୁ ଫ୍ରି କରିବା ସହ ଦେଶକୁ ଅକ୍ସିଜେନ୍ ଯୋଗାଇଥିଲା ଓଡ଼ିଶା । ପ୍ରତିଟି ଜୀବନ ମୂଲ୍ୟବାନ ମନେକରି ଗରିବଙ୍କ ମାଗଣା ଚିକିତ୍ସା ପାଇଁ ହୋଇଛି ବିଏସକେଓ୍ବାଇ ଯୋଜନା । ୫ଟି ଓ ମୋ ସରକାର ଫର୍ମୂଲା ଦେଶ, ବିଦେଶରେ ଆଦର ଲାଭ କରିଛି । ଏସବୁ ପଛରେ କର୍ମୀଙ୍କ ଭୂମିକାକୁ ପ୍ରଶଂସା କରିବା ସହ ସ୍ବପ୍ନର ଓଡ଼ିଶା ଗଠନ ପାଇଁ ଆଗେଇ ନେବାକୁ ନବୀନ ଆହ୍ବାନ ଦେଇଛନ୍ତି ।

ବଏଫ୍ରେଣ୍ଡ ପାଇଁ ସାଜିଥିଲେ ନକଲି ପରୀକ୍ଷାର୍ଥୀ, ଧରା ପଡିବାରୁ ଏମିତି କହିଲେ

ସୁରତ: ପ୍ରେମ ସମ୍ପର୍କରେ ଥାଇ କେତେବେଳେ ପ୍ରେମିକାକୁ ପ୍ରେମିକ ୩୨ ଖଣ୍ଡରେ କାଟିଲାଣି ତ ପୁଣି ବ୍ରେକ ଅପ୍‌ ପରେ ପ୍ରେମିକା ଆତ୍ମହତ୍ୟା କଲାଣି । କିନ୍ତୁ ଆମେ ଆପଣଙ୍କୁ ଏମିତି ପ୍ରେମ ସମ୍ପର୍କ ବିଷୟରେ କହିବୁ ଯେଉଁଠି ପ୍ରେମିକ ପାଇଁ କ୍ୟାରିଅରକୁ ବାଜିରେ ଲଗାଇଛି ପ୍ରେମିକା । ଛୁଟି କାଟିବାକୁ ଯାଇଛି ପ୍ରେମିକ  । ତା ପାଇଁ ଡମି ପ୍ରାର୍ଥୀ ହୋଇ ପରୀକ୍ଷା ଦେଇଛି ପ୍ରେମିକା । ନକଲି ପରୀକ୍ଷାର୍ଥୀଙ୍କୁ ଧରିଛନ୍ତି ପରୀକ୍ଷକ  ।

ଗୁଜୁରାଟର ସୁରତ ସ୍ଥିତ ନର୍ମଦା ଦକ୍ଷିଣ ଗୁଜୁରାଟ ବିଶ୍ବବିଦ୍ୟାଳୟରେ ଏଭଳି ଅଜବ ଘଟଣା ଦେଖିବାକୁ  ମିଳିଛି । ବଏଫ୍ରେଣ୍ଡ ପରୀକ୍ଷା ଦେବା ପରିବର୍ତ୍ତେ ଉତ୍ତରାଖଣ୍ଡ ଛୁଟି କାଟିବାକୁ ଯାଇଛି  । ସେଥିପାଇଁ ନିଜ ପ୍ରେମିକାକୁ ତା ସ୍ଥାନରେ ପରୀକ୍ଷା ଦେବାକୁ ପୁରୁଷ ବନ୍ଧୁ ବାଧ୍ୟ  କରିଥିଲା  । ପ୍ରେମର ପରୀକ୍ଷାରେ ପାସ୍‌ ହେବା ପାଇଁ ଗର୍ଲଫ୍ରେଣ୍ଡ ମଧ୍ୟ ପୁରୁଷ ବନ୍ଧୁଙ୍କ ପାଇଁ ନକଲି ପରୀକ୍ଷାର୍ଥୀ ହୋଇ ବସିବାକୁ ରାଜି ହୋଇଯାଇଥିଲା  ।

ବଏଫ୍ରେଣ୍ଡ ଯୁକ୍ତ ୩ ବାଣିଜ୍ୟ ଶେଷବର୍ଷର ଛାତ୍ର ହୋଇଥିବାବେଳେ ଗର୍ଲଫ୍ରେଣ୍ଡ ସରକାରୀ ଚାକିରି କରିଛନ୍ତି  । ଯୁବତୀ ଜଣକ ଆଡମିଟ୍‌ କାର୍ଡରୁ ପ୍ରେମିକଙ୍କ ଫଟୋ ହଟାଇ ନିଜ ଫଟୋ ଲଗାଇ ଦେଇଥିଲେ  । କିନ୍ତୁ ତାଙ୍କ ପଛରେ ବସିଥିବା ଆଉ ଜଣେ ପରୀକ୍ଷାର୍ଥୀଙ୍କ ଯୁବତୀଙ୍କ ଉପରେ ସନ୍ଦେହ ହୋଇଥିଲା  । କିଛି ଦିନ ପୂର୍ବରୁ ସେହି ସିଟ୍‌ରେ ବସି ଜଣେ ପୁରୁଷ ପରୀକ୍ଷା ଦେଇଥିବା ଅନ୍ୟ ପରୀକ୍ଷାର୍ଥୀ ମାନେ ପରୀକ୍ଷକଙ୍କୁ ଖବର ଦେଇଥିଲେ  ।

ଘଟଣା ସାମନାକୁ ଆସିବା ପରେ ଡମି ପ୍ରାର୍ଥୀ ସାଜିଥିବା ଯୁବତୀଙ୍କ ଡିଗ୍ରୀ ରଦ୍ଦ ହୋଇପାରେ  । ସେହିପରି ସରକାରୀ ଚାକିରୀ ବି ହରାଇ ପାରନ୍ତି ପ୍ରେମିକା  । ସେହିପରି ଅସଲ ଛାତ୍ର ତିନି ବର୍ଷ ଯାଏଁ ପରୀକ୍ଷାରୁ ବଞ୍ଚିତ ହୋଇପାରିବା ଭଳି ଦଣ୍ଡ ରହିଛି  ।

ରକ୍ତ ଭଣ୍ଡାର ଗାଡି ନେଇ ପିକନିକ୍ କଲେ କର୍ମଚାରୀ

ବଲାଙ୍ଗୀର: ସେବା ନାଁରେ ଚାଲିଛି ମଉଜ । ପୁଣି ଚର୍ଚ୍ଚାରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲର ରକ୍ତଭଣ୍ଡାରର କର୍ମଚାରୀ ।  ଗତକାଲି ରବିବାର ଥିବା ବେଳେ ବଲାଙ୍ଗୀର ରକ୍ତଭଣ୍ଡାରର ଗାଡି ନେଇ ପିକନିକ୍ ଯାଇ ଥିବା ବେଳେ ଭିଡିଓ ଭାଇରାଲ୍ ହୋଇଛି । ଦେଓଗାଁ ବ୍ଲକ ଭିମଡୁଙ୍ଗୁରିକୁ ପିକନିକ୍ କରିବାକୁ ଯାଇଥିଲେ ବୋଲି ଜଣାପଡିଛି  ।

ତେବେ ଏନେଇ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ  । ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି  ।

 

ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ପୁଷ୍ପ କମଲ, ୨୦୨୫ ଯାଏଁ ନେବେ ଦାୟିତ୍ବ

କାଠମାଣ୍ଡୁ: ନେପାଳରେ ପୁଣି ପ୍ରଚଣ୍ଡ ସରକାର । ସିପିଏମନି ନେତା ପୁଷ୍ପ କମଲ ଦହଲଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ବିଭିନ୍ନ ଦଳର ସମର୍ଥନ । ରାଷ୍ଟ୍ରପତି ତାଙ୍କ ନାଁକୁ ଗ୍ରହଣ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ପୁଷ୍ପ କମଲ। ଚୁକ୍ତି ଅନୁସାରେ ୨୦୨୫ ଯାଏଁ ରହିବେ ପିଏମ । ବାକି କାର୍ଯ୍ୟକାଳ ସମ୍ଭାଳିବେ ୟୁଏମଏଲ ନେତା କେପି ଶର୍ମା ଓଲି । ପୂର୍ବରୁ ଦୁଇ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି ପ୍ରଚଣ୍ଡ । ତୃତୀୟ ଥର ପାଇଁ ସେ ପ୍ରଧାନମନ୍ତ୍ରୀ ହେବେ ।

ବାଲୁଓ୍ବାତାରାସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଘନ ଘନ ବୈଠକ ପରେ ପୁଷ୍ପଙ୍କ ନାରେ ବିପୁଳ ସମର୍ଥନ ମିଳିଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ମଧ୍ୟ ସମର୍ଥନ କରିଥିଲେ । କାମଚଳା ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବା ମାଓଇଷ୍ଟ ସେଣ୍ଟର ଅଧ୍ୟକ୍ଷ ପୁଷ୍ପ କୁମାର ଦହଲ-ପ୍ରଚଣ୍ଡଙ୍କ ସହ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀତ୍ବ ନେଇ ନିଜ ଜିଦରେ ନେପାଳ କଂଗ୍ରେସ ଓ ମାଓଇଷ୍ଟ ସେଣ୍ଟର ଅଟଳ ଥିବାରୁ ସରକାର ଗଠନରେ ଅଚଳାବସ୍ଥା ଦେଖାଦେଇଥିଲା ।

ତୁରନ୍ତ ସରକାର ଗଠନ କରିବା ଲାଗି ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ସମସ୍ତ ଦଳକୁ ନିର୍ଦ୍ଦେଶ ଦେଇଥିଲେ । ସମ୍ବିଧାନର ଧାରା ୭୬-୨ ଅନୁସାରେ ସହମତି ଭିତ୍ତିରେ ପ୍ରଧାନମନ୍ତ୍ରୀ ଚୟନ ଲାଗି ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇଥିଲେ । ୨୭୫ ସଦସ୍ୟ ବିଶିଷ୍ଟ ନେପାଳ ସଂସଦରେ ନେପାଳୀ କଂଗ୍ରେସର ୮୯, କମ୍ୟୁନିଷ୍ଟ ପାର୍ଟି ଅଫ ନେପାଳ-ୟୁଏମଏଲର ୭୮, କମ୍ୟୁନିଷ୍ଟ ପାର୍ଟି ଅଫ ନେପାଳ-ଏମସିର ୩୨, ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟିର ୨୦, ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟିର ୧୪, ପିପୁଲସ ସୋସିଆଲ ପାର୍ଟିର ୧୨, ସିପିଏନ-ୟୁଏସର ୧୦, ଜନମତର ୬ ଜଣ ସଦସ୍ୟ ଅଛନ୍ତି ।

ଏଲଏସି ଜଗିବ ପ୍ରଳୟ, ପ୍ରତିରକ୍ଷା ବିଭାଗ କିଣିବ ୧୨୦ ମିସାଇଲ

ନୂଆଦିଲ୍ଲୀ: ଚୀନ ସହ ବିବାଦ ଭିତରେ ଭାରତ ଏଲଏସିରେ ମୁତୟନ କରିବ ଅତ୍ୟାଧୁନିକ ବାଲାଷ୍ଟିକ ମିସାଇଲ ପ୍ରଳୟ । ଚୀନ୍ ସହିତ ଚାଲିଥିବା ତିକ୍ତତା ମଧ୍ୟରେ ଭାରତୀୟ ସେନା ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରଳୟ ସୀମାରେ ମୁତୟନ କରିବାକୁ ଚାହୁଁଛି । ଏଥିପାଇଁ ପ୍ରତିରକ୍ଷା ବିଭାଗ ପକ୍ଷରୁ ୧୨୦ଟି ପ୍ରଳୟ ମିସାଇଲ କିଣାଯିବ ।

DRDO ଏହି ମିସାଇଲ ତିଆରି କରୁଛି । ଏଲଏସିରେ ମୁତୟନ ହେବାକୁ ଥିବା ବାଲାଷ୍ଟିକ ମିସାଇଲ ପ୍ରଳୟର ୧୫୦ରୁ ୫୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ । ଭାରତର ପ୍ରତିରକ୍ଷା ବିଭାଗ ବିକଶିତ ଯୁଦ୍ଧକ୍ଷେତ୍ର ବ୍ୟବହାର ପାଇଁ ପ୍ରଳୟ ହେଉଛି ଭୂପୃଷ୍ଠରୁ ସର୍ଟ-ରେଞ୍ଜ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର । ପ୍ରଳୟ ମିସାଇଲରେ ୧ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି । ଏହାକୁ କଣ୍ଟ୍ରୋଲ ରୁମରୁ ବି ଗାଇଡ଼ କରାଯାଇପାରିବ ।

ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ବାଲିଷ୍ଟିକ ମିସାଇଲ ପ୍ରଳୟ ଓଜନ ୫ଟନ୍ । ଏହା ଟାର୍ଗେଟକୁ ୧୦ ମିଟର ପରିଧି ମଧ୍ୟରେ ହିଟ୍ କରିପାରିବାର କ୍ଷମତା ରଖିଛି । ବାୟୁରେ ଏକ ନିର୍ଦ୍ଦିଷ୍ଟ ଦୂରତା ଭ୍ରମଣ କରିବା ପରେ ଏହାର ଗତି ପରିବର୍ତ୍ତନ କରିବାର କ୍ଷମତା ମଧ୍ୟ ଅଛି ।

ଟୁଇନ ସିଟିକୁ କଲବଲ କଲା ଘନ କୁହୁଡି, ୫୦ ମିଟର ଦୃଶ୍ୟମାନ କଷ୍ଟ

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ । କିଛି ସ୍ଥାନରେ ସକାଳ ୯ଟା ପରେ ଘରୁ ବାହାରୁଛନ୍ତି ଲୋକ । ଶୀତ ଦାଉରୁ ରକ୍ଷା ପାଇଁ ଲୋକେ ସ୍ଥାନେ ସ୍ଥାନେ ନିଆଁ ପୁଆଁଉଥିବା ବେଳେ ଚା ଖଟିରେ ବି ଜମୁଛି ଭିଡ଼ । ଏପଟେ ଟୁଇନ ସିଟିରେ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଲିଛି । ସକାଳୁ ଯାତାୟତରେ ଅସୁବିଧା ପରିଲକ୍ଷିତ ହୋଇଛି ।

୫୦ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ହେବା କଷ୍ଟସାଧ୍ୟ ହୋଇପଡିଛି । ଫଳରେ ଯାତାୟତ ପାଇଁ ଗାଡ଼ି ଚଳାଚଳରେ ଅସୁବିଧା ଭୋଗୁଛନ୍ତି ଲୋକ । କଟକ ଓ ଭୁବନେଶ୍ବର ସମେତ ଅନ୍ୟ ଜିଲ୍ଲାରେ ମଧ୍ୟ କୁହୁଡ଼ି ଦେଖିବାକୁ ମିଳିଛି ।

ହାଲୁକା ଶୀତ ସ୍ପର୍ଶରେ ପୁଲକିତ ହୋଇ ଉଠିଛି ଜନଜୀବନ । ହାଲକା ଥଣ୍ଡା ସାଙ୍ଗକୁ କୁହୁଡ଼ି କାକର ବୁନ୍ଦା ଗଛର ପତ୍ରରେ ଦେଖିବାକୁ ମିଳିଛି  ।

ବିଜେଡି ପାଳୁଛି ପ୍ରତିଷ୍ଠା ଦିବସ, ଶ୍ରୀକ୍ଷେତ୍ରକୁ ଛୁଟୁଛନ୍ତି ୪୦ରୁ ୫୦ ହଜାର କର୍ମୀ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳର ରୋପ୍ୟ ଜୟନ୍ତୀ । ଦଳ ପାଳୁଛି ୨୬ତମ ପ୍ରତିଷ୍ଠା ଦିବସ । ଶ୍ରୀକ୍ଷେତ୍ରରେ ଏବର୍ଷ ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହେଉଛି । ଏଥିରେ ୪୦ରୁ ୫୦ ହଜାର କର୍ମୀ ଓ ନେତାଙ୍କ ସମାଗମ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ପୁଣି ଥରେ ଦଳୀୟ କର୍ମୀ ଶଙ୍ଖକ୍ଷେତ୍ରରେ ଜନସେବା ପାଇଁ ସଂକଳ୍ପ ନେବେ ।

ରାଜ୍ୟବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ପାଇଁ ପୁଣି ଥରେ ବିଜେଡି ସୁପ୍ରିମୋ ଦେବେ ଗୁରୁମନ୍ତ୍ର । ଏଥିପାଇଁ ନେତା ଓ କର୍ମୀ ମହଲରେ ଦେଖିବାକୁ ମିଳିଛି ଭରପୂର ଉତ୍ସାହ । ରାଜ୍ୟବାସୀଙ୍କ ସେବାରେ ୨୫ ବର୍ଷ ପୂର୍ତ୍ତି ଉତ୍ସବକୁ ପାଳନ କରୁଛି ଦଳ। ପୁରୀ ତାଳବଣିଆରେ ସମସ୍ତ ପ୍ରସ୍ତୁତି ହୋଇଛି । ୧୯୯୭ ମସିହା ଡିସେମ୍ବର ୨୬ରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଗଠନ ହୋଇଥିଲା ବିଜୁ ଜନତା ଦଳ ।

ସେଥିପାଇଁ ରୌପ୍ୟ ଜୟନ୍ତୀ ସମାରୋହ ପାଳନ ପାଇଁ ଶ୍ରୀକ୍ଷେତ୍ରକୁ ବାଛିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦୀର୍ଘ ୨୫ ବର୍ଷ ଧରି ରାଜ୍ୟବାସୀଙ୍କ ସେବା କରିଆସୁଛି ଦଳ । ଆଉ ସେଥିପାଇଁ ରାଜ୍ୟବାସୀ ଥରେ ନୁହେଁ ଲଗାତାର ୫ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରିଆସୁଛନ୍ତି । ୧୯୯୯ ମସିହାର ମହାବାତ୍ୟାର ବିଭିଷୀକା ପରେ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି କ୍ଷମତାସୀନ ହୋଇଥିଲା। ଦିନେ ନିଅଣ୍ଟିଆ ରାଜ୍ୟର ପରିଚୟ ପାଇଥିବା ଓଡ଼ିଶା ଏବେ ଦେଶକୁ ଆହାର ଯୋଗାଉଛି ।

ଓଡ଼ିଶାବାସୀଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଦଳର ରୋପ୍ୟ ଜୟନ୍ତୀ ସମାରୋହରେ ରାଜ୍ୟବାସୀଙ୍କ ପାଇଁ କିପରି ଆହୁରି ଅଙ୍ଗୀକାରବଦ୍ଧ ହୋଇ କିପରି କାର୍ଯ୍ୟ କରିବେ ସେନେଇ ଦଳ ସଭାପତି ଗୁରୁମନ୍ତ୍ର ଦେବେ ।

ରାଜଧାନୀରେ ଫୁଟିଲା ବୋମା, ସିସିଟିଭିରେ କଏଦ ଦୃଶ୍ୟ

ଭୁବନେଶ୍ବର: ରାଜଧାନୀରେ ଫୁଟିଲା ବୋମା । ସହିଦନଗର ରୁପାଲି ଛକ ନିକଟରେ ଥିବା ଡ଼ଲଫିନ ଜୋତା ସୋରୁମରେ ବୋମାମାଡ଼ । କେହି ଦୁର୍ବୃତ୍ତ ବୋମା ଫିଙ୍ଗି ଫେରାର ହୋଇଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ସହିଦନଗର ପୋଲିସ ଛାନଭିନ କରୁଛି । ସିସିଟିଭିରେ ବୋମାମାଡ଼ ବେଳର ଦୃଶ୍ୟ କଏଦ ହୋଇଥିବା ସୂଚନା ।