spot_img
Home Blog Page 3565

ବିଜେଡି ପ୍ରତିଷ୍ଠା ଦିବସ ଉତ୍ସବ: ପ୍ରସ୍ତୁତି ସମୀକ୍ଷା କଲେ ସାଂସଦ ମାନସ ମଙ୍ଗରାଜ

ପୁରୀ: ଆସନ୍ତା କାଲି ଶ୍ରୀକ୍ଷେତ୍ର ପୁରୀରେ ବିଜେଡି ପାଳନ କରିବ ୨୫ ବର୍ଷ ପୂର୍ତ୍ତି ଉତ୍ସବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଦଳୀୟ ନିର୍ବାଚିତ ପ୍ରତିନିଧି, ନେତା ଓ କର୍ମୀଙ୍କୁ ଉଦବୋଧନ ଦେବା ସହ ଗୁରୁମନ୍ତ୍ର ପ୍ରଦାନ କରିବେ  । ଏନେଇ ପୁରୀ ତାଳବଣିଆଠାରେ ସ୍ବତନ୍ତ୍ର ଉତ୍ସବ ପାଇଁ ସଭା ସ୍ଥଳ ପ୍ରସ୍ତୁତ କରାଯାଇଛି  । ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ସଭା ସ୍ଥଳ ବୁଲି ଦେଖିବା ସହ ଚୂଡାନ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।

ଉତ୍ସବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର କର୍ମୀଙ୍କ ଯୋଗ ଦେବାକୁ ଥିବାରୁ ବିଜେଡି ପକ୍ଷରୁ କରାଯାଇଥିବା ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ ସାଂସଦ । ଏହାସହ ଆସନ୍ତା କାଲିର କାର୍ଯ୍ୟକ୍ରମ ସଫଳ କରିବା ନେଇ ସମସ୍ତଙ୍କ ସହ ଆଲୋଚନା କରିଥିଲେ  । ସାଂସଦଙ୍କ ସହ ବିଧାୟକ ସୁଶାନ୍ତ ରାଉତ ଓ ଉଠା ଜଳ ସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରି ଉପସ୍ଥିତ ଥିଲେ ।

ଧରାବତରଣ କଲେ ପ୍ରଭୁ ଯୀଶୁ, ସବୁଠି ଉତ୍ସବର ମାହୋଲ

ଭୁବନେଶ୍ବର: ରାଜ୍ୟର ସବୁ ଗୀର୍ଜାଘରେ ଦେଖିବାକୁ ମିଳିଛି ଖଚାଖଚ ଭିଡ଼ । ଶିଶୁ ଯୀଶୁଙ୍କ ଆଶୀର୍ବାଦ ନେବା ସହ ମିଠା, ଚକୋଲେଟ୍, କେକ ଖାଇ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନକୁ ସେଲିବ୍ରେସନ କରୁଛନ୍ତି ଲୋକେ । କ୍ୟାଣ୍ଡେଲ ଜାଳି ଯୀଶୁଙ୍କ ସ୍ବାଗତ କରିବା ସହ ଚାଲିଛି ସାମୁହିକ ପ୍ରାର୍ଥନା । ବଡ଼ଦିନର ଏହି ପବିତ୍ର ମାହୋଲରେ ସାଣ୍ଟା କ୍ଲସ ପାରମ୍ପରିକ ବେଶରେ ହସ ହସି ପିଲାଙ୍କୁ ଦେଉଛନ୍ତି ଉପହାର ।

ରାତ୍ରୀର ଅନ୍ଧକାରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ । ତେଣୁ ଖ୍ରୀଷ୍ଟମାସକୁ କେକ୍, ଚକୋଲେଟ୍, ମିଠା ବାଣ୍ଟି ସେଲିବ୍ରେସନ କରୁଛନ୍ତି ଖ୍ରୀଷ୍ଟିଆନ ଭାଇଭଉଣୀ । ବଡ଼ଦିନ ପାଇଁ କଟକ ସହରରେ ସକାଳୁ ସକାଳୁ ରୋମାନ କ୍ୟାଥଲିକ ଚର୍ଚ୍ଚ, ଓଡିଆ ବାପଟିଷ୍ଟ ଚର୍ଚ୍ଚ ଓ ବିଭିନ୍ନ ସାହିର ଚର୍ଚ୍ଚଗୁଡିକରେ ଭିଡ଼ ଦେଖିବାକୁ ମିଳିଛି । ସାମୁହିକ ପ୍ରାର୍ଥନା ପରେ ପବିତ୍ର ଗୁହାଳକୁ ଯାଇ ଶିଶୁ ଯୀଶୁଙ୍କ ଆଶୀର୍ବାଦ ନେଇଥିଲେ ସଭିଏଁ । କ୍ୟାଣ୍ଡଲେ ଜାଳି ମଦର ମେରୀଙ୍କୁ ପ୍ରାର୍ଥନ କରିବା ସହ ପରସ୍ପରକୁ ଜଣାଇଥିଲେ ଖ୍ରୀଷ୍ଟମାସ ଶୁଭେଚ୍ଛା ।

ସେହିପରି ଭୁବନେଶ୍ୱର ୩ ନମ୍ବର ସତ୍ୟନଗର ଚର୍ଚ୍ଚରେ ପ୍ରଭୁ ଯୀଶୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଯୀଶୁଙ୍କ ଆଗମନ ପାଇଁ ଚର୍ଚ୍ଚକୁ ଅତି ସୁନ୍ଦର ଭାବେ ସଜା ଯାଇଛି । ଖ୍ରୀଷ୍ଟମାସ ଟ୍ରୀ, ଷ୍ଟାର, କ୍ୟାଣ୍ଡେଲ ଓ ଲାଇଟରେ ସଜା ଯାଇଛି ଚର୍ଚ୍ଚ । ଶ୍ରଦ୍ଧାଳୁମାନେ କ୍ୟାରୋଲ ଗାଇ ଶିଶୁ ଯୀଶୁଙ୍କ ଆଶୀର୍ବାଦ ନେଇଛନ୍ତି । ପିଲାଙ୍କ ପାଇଁ ସବୁଠାରୁ ଆକର୍ଷଣ ଓ ଉତ୍ସାହ ସାଜିଛନ୍ତି ସାଣ୍ଟା ।

ଫୁଲବାଣୀ କ୍ୟାଥଲିକ ଚର୍ଚ୍ଚରେ ଶ୍ରଦ୍ଧାଳୁମାନେ ଉଜାଗର ରହି ପ୍ରଭୁ ଯୀଶୁଙ୍କୁ ପ୍ରାର୍ଥନା କରିବା ସହ ନାଚ ଗୀତର କରି ବଡ଼ଦିନକୁ ସେଲିବ୍ରେଟ କରିଛନ୍ତି । ସୁନ୍ଦର ଆଲୋକମାଳାରେ ସଜେଇ ହୋଇଛି ଗୀର୍ଜାଘର । କୌଣସି ଅପ୍ରିତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଇକିଆ, ଦାରିଙ୍ଗବାଡ଼ି, ଜି. ଉଦୟଗିରି ,ଫିରିଙ୍ଗିଆ ଓ ଫୁଲବାଣୀରେ ପୋଲିସ ଏବଂ ରିଜର୍ଭ ଫୋର୍ସ ଫ୍ଲାଗମାର୍ଚ୍ଚ କରିଛନ୍ତି । ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ ସହ ଯାଞ୍ଚ କଡାକଡି କରାଯାଇଛି ।

୨୦୨୩ ଓଡ଼ିଶା ପାଇଁ ଶୁଭଙ୍କର ବର୍ଷ ହେବ

ଭୁବନେଶ୍ବର: ନୂଆ ଆଶା ଓ ପ୍ରଗତି ନେଇ ଆସିବ ନୂଆବର୍ଷ । ଓଡ଼ିଶା ପାଇଁ ହେବ ଶୁଭଙ୍କର । ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କଲେ ମଧ୍ୟ ଜୀବନ ହାନି ହେବ ନାହିଁ । ଦେଶକୁ ମହାମାରୀ କରୋନା ପୁଣି ଥରେ ଫେରିଲେ ମଧ୍ୟ ଏତେଟା ଭୟଙ୍କର ହେବ ନାହିଁ । ୨୦୨୩ ବର୍ଷକୁ ନେଇ ଭୃଗୁ ଜ୍ୟୋତିଷମାନେ ରାଜ୍ୟ, ଦେଶ ତଥା ବିଶ୍ବ ପାଇଁ କରିଛନ୍ତି ଏପରି କିଛି ଭବିଷ୍ୟବାଣୀ ।

୨୦୨୩ ଓଡ଼ିଶା ପାଇଁ କେମିତି ରହିବ ? ଭାରତ ପ୍ରତି କିଛି ବିପଦ ଅଛି କି ? ଏନେଇ ଜ୍ୟୋତିଷ ଗଣନା ଆରମ୍ଭ ହୋଇଛି । ୨୦୨୩ ଓଡ଼ିଶା ପାଇଁ ଶୁଭଙ୍କର ହେବା ସହ ପ୍ରଗତିର ନୂଆ ଶିଖର ଛୁଇଁବ । ପ୍ରାକୃତିକ ବିପର୍ଯ୍ୟୟରେ ରାଜ୍ୟର ବିଶେଷ କିଛି କ୍ଷତି ହେବ ନାହିଁ । ଦେଶକୁ କୋଭିଡ୍‌ ଫେରିଲେ ମଧ୍ୟ ଭୟଙ୍କର ହେବ ନାହିଁ । ଋଷିଆ- ୟୁକ୍ରେନ ଯୁଦ୍ଧ ଶେଷ ହେବା ସହ ବିଶ୍ବଯୁଦ୍ଧର ଆଶଙ୍କା ଟଳିବ । ଜ୍ୟୋତିର୍ବିଦମାନେ ୨୦୨୩କୁ ନେଇ ଏପରି କିଛି ଭବିଷ୍ୟବାଣୀ କରିଛନ୍ତି । ୨୦୨୩ କେତୁର ବର୍ଷ ହେବ । ଦେଶ ତଥା ରାଜ୍ୟବାସୀ ଭଲରେ ରହିବେ ବୋଲି ଭୃଗୁ ଜ୍ୟୋତିଷମାନେ ଗଣନା କରିଛନ୍ତି ।

ଗୋମାତା, ବ୍ରାହ୍ମଣ, ପିତାମାତାଙ୍କୁ ପୂଜା କଲେ ଜୀବନ ସୁଖମୟ ହେବ । କଳିଯୁଗରେ ଏମାନେ ହିଁ ହେଉଛନ୍ତି ଅସଲ ଦେବତା । ଏମାନଙ୍କୁ ସମ୍ମାନ କଲେ ସମାଜରେ ସମ୍ମାନର ସହ ବଞ୍ଚିବାର ବାଟ ଫିଟିବ । ଭୁବନେଶ୍ବରରେ ଆୟୋଜିତ ଦୁଇଦିନିଆ ୧୫ତମ ଏସୀୟ ଭୃଗୁ ଜ୍ୟୋତିଷ ସମ୍ମିଳନୀରେ ଏଭଳି ମତ ରଖିଛନ୍ତି ଜ୍ୟୋତିର୍ବିଦ । ସମ୍ମିଳନୀରେ ଜ୍ୟୋତିଷଶାସ୍ତ୍ରକୁ ମାନ୍ୟତା, ଜ୍ୟୋତିଷମାନଙ୍କୁ କଳାକାର ଭତ୍ତା ଓ ସାମାଜିକ ସୁରକ୍ଷାରେ ସାମିଲ କରିବାକୁ ଦାବି ଉଠିଛି ।

ଭୃଗୁ ଜ୍ୟୋତିଷ ସମ୍ମିଳନୀରେ ବିହାର, ପଶ୍ଚିମବଙ୍ଗ, ତାମିଲନାଡୁ, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ ଓ ନେପାଳ, ବାଙ୍ଗଲାଦେଶ, ଶ୍ରୀଲଙ୍କାର ପ୍ରତିନିଧିମାନେ ସାମିଲ ହୋଇଛନ୍ତି ।

ଜାନୁଆରୀ ୨୬ରେ ପୁଣି ଚାଷୀଙ୍କ ଗର୍ଜନ

ଚଣ୍ଡିଗଡ଼: ପୁଣି ଗର୍ଜିବେ ଚାଷୀ । ଏଥଣ ଦିଲ୍ଲୀରେ ନୁହେଁ ହରିଆଣାର ଜିନ୍ଦରେ ଆୟୋଜିତ ହେବ କିଷାନ ମହାପଞ୍ଚାୟତ । ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଏନେଇ କରାଯାଇଛି ଘୋଷଣା । କର୍ଣ୍ଣଲରେ ଆୟୋଜିତ ମୋର୍ଚ୍ଚାର ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ବୈଠକରେ ରାକେଶ ଟିକାୟତ, ଦର୍ଶନ ପାଲ୍ ଓ ଯୋଗୀନ୍ଦର ସିଂ ଉଗ୍ରହାନ ଯୋଗଦେଇଥିଲେ । ସମସ୍ତ ଉତ୍ତରାଞ୍ଚଳ ରାଜ୍ୟରେ ଚାଷୀମାନେ ଏହି ସମାବେଶରେ ଯୋଗଦେବେ ।

ରାଲିରେ ଶହ ଶହ ଟ୍ରାକ୍ଟର ଭାଗ ନେବାକୁ ଯାଉଥିବାବେଳେ ସମାବେଶରେ ଜାତୀୟ ପତାକା ଉତ୍ତୋଳନ କରାଯିବା । ତେବେ କୌଣସି ସରକାରୀ କାର୍ଯ୍ୟକ୍ରମକୁ ବାଧା ଦିଆଯିବ ନାହିଁ ବୋଲି ଚାଷୀ ନେତାମାନେ କହିଛନ୍ତି । ସଂଯୁକ୍ତ କିଷାନ ମୋର୍ଚ୍ଚାକୁ ଭାଙ୍ଗିବା ଲାଗି ବିଜେପି ସରକାର କରୁଥିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ କରାଯିବ ବୋଲି ଚାଷୀନେତାମାନେ ଧମକ ଦେଇଛନ୍ତି ।

ଜାନୁଆରୀ ୨୬କୁ ଏକତା ଦିବସ ଭାବେ ପାଳନ କରିବାକୁ ସଂଗଠନ ନିଷ୍ପତ୍ତି ନେଇଛି । ସେହିପରି ମାର୍ଚ୍ଚରେ ଦିଲ୍ଲୀରେ ବି ବଡ଼ଧରଣର ଚାଷୀ ସମାବେଶ କରାଯିବାକୁ ଘୋଷଣା କରାଯାଇଛି । ୩ଟି କଳା କୃଷକ ଆଇନକୁ ହଟାଇବା ଲାଗି ଆନ୍ଦୋଳନ କରିଥିବା ମୋର୍ଚ୍ଚା ବର୍ତ୍ତମାନ ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନଗତ ଗ୍ୟାରେଣ୍ଟି ଦେବା, ଚାଷୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର, ଋଣଛାଡ଼, ଲଖିମପୁର ଖେରି ମାମଲାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ବହିଷ୍କାର, ବିଦ୍ୟୁତ ବିଲ୍ ପ୍ରତ୍ୟାହାର ଆଦି ଦାବିରେ ଅଟଳ ରହିଛି ।

ଭାରତ ସହ ଭଲ ସମ୍ପର୍କ ପାଇଁ ଚୀନ ବ୍ୟାକୁଳ

ନୂଆଦିଲ୍ଲୀ: ନରମୁଛି ଚୀନ । ଦ୍ବିପାକ୍ଷିକ ସମ୍ପର୍କରେ ଅଭିବୃଦ୍ଧି ଲାଗି ଦେଖାଉଛି ତତ୍ପରତା । ସୁସଂଗଠିତ ସମ୍ପର୍କ ଜରିଆରେ ଭାରତ ସହ ସମ୍ପର୍କ ମଜଭୁତ କରିବାକୁ ଚୀନ ପ୍ରସ୍ତୁତ ବୋଲି କହିଛନ୍ତି ଚୀନ ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ ୟି ।

ଭାରତ-ଚୀନ ସମ୍ପର୍କ ପ୍ରସଙ୍ଗରେ ଓ୍ବାଙ୍ଗ କହିଛନ୍ତି- କୂଟନୈତିକ ଓ ସାମରିକ ସ୍ତରରେ ଦୁଇ ଦେଶ ମଧ୍ୟରେ ଯୋଗସୂତ୍ର ରହିଛି । ସୀମାନ୍ତ ଅଞ୍ଚଳରେ ସ୍ଥିରତା ବଜାୟ ରଖିବା ଲାଗି ଦୁଇ ଦେଶ ଆଗ୍ରହୀ । ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଦୁଇ ଦେଶ ମଧ୍ୟରେ ଗଠନମୂଳକ ଦୃଷ୍ଟିଭଙ୍ଗୀ ରହିଛି ।

ଗତ ଡିସେମ୍ବର ୯ ତାରିଖରେ ଅରୁଣାଚଳ ପ୍ରଦେଶର ତାଓ୍ବଙ୍ଗ ସେକ୍ଟରରେ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ପରିପ୍ରେକ୍ଷୀରେ ଚୀନ ପକ୍ଷର ଏହି ବିବୃତି ଆଶା ସଞ୍ଚାର କରିଛି । ସଂଘର୍ଷ ପରେ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ଦିଆଯାଇଥିଲା । ଏଥିରେ ଦର୍ଶାଯାଇଥିଲା, ଚୁସୁଲ-ମୋଲଡୋ ସୀମାନ୍ତରେ ଗତ ଡିସେମ୍ବର ୨୦ ତାରିଖରେ ଅନୁଷ୍ଠିତ ୧୭ତମ କର୍ପସ କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିଲା । ପଶ୍ଚିମାଞ୍ଚଳ ସେକ୍ଟରରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଥିଲା ।

କାଲି ବିଜେଡିର ୨୬ତମ ପ୍ରତିଷ୍ଠା ଉତ୍ସବ: ଶଙ୍ଖକ୍ଷେତ୍ରରୁ ସେବା, ସମର୍ପଣର ସଂକଳ୍ପ

ଭୁବନେଶ୍ବର/ପୁରୀ: ଆସନ୍ତାକାଲି ବିଜୁ ଜନତା ଦଳର ରୋପ୍ୟ ଜୟନ୍ତୀ । ଦଳ ପାଳିବ ୨୬ତମ ପ୍ରତିଷ୍ଠା ଦିବସ । ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ପ୍ରତିଷ୍ଠା ଦିବସ ସମାରୋହ । ସମାରୋହ ପାଇଁ ସମସ୍ତ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ୪୦ରୁ ୫୦ହଜାର କର୍ମୀ ଓ ନେତାଙ୍କ ସମାଗମ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ପୁଣି ଥରେ ଦଳୀୟ କର୍ମୀ ଶଙ୍ଖକ୍ଷେତ୍ରରେ ଜନସେବା ପାଇଁ ସଂକଳ୍ପ ନେବେ । ରାଜ୍ୟବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ପାଇଁ ପୁଣି ଥରେ ବିଜେଡି ସୁପ୍ରିମୋ ଦେବେ ଗୁରୁମନ୍ତ୍ର । ଏଥିପାଇଁ ନେତା ଓ କର୍ମୀ ମହଲରେ ଦେଖିବାକୁ ମିଳିଛି ଭରପୂର ଉତ୍ସାହ ।

ରାଜ୍ୟବାସୀଙ୍କ ସେବାରେ ୨୫ ବର୍ଷ ପୂର୍ତ୍ତି ଉତ୍ସବକୁ ପାଳନ କରୁଛି ଦଳ । ପୁରୀ ତାଳବଣିଆରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ୧୯୯୭ ମସିହା ଡିସେମ୍ବର ୨୬ରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଗଠନ ହୋଇଥିଲା ବିଜୁ ଜନତା ଦଳ । ସେଥିପାଇଁ ରୌପ୍ୟ ଜୟନ୍ତୀ ସମାରୋହ ପାଳନ ପାଇଁ ଶ୍ରୀକ୍ଷେତ୍ରକୁ ବାଛିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦୀର୍ଘ ୨୫ ବର୍ଷ ଧରି ରାଜ୍ୟବାସୀଙ୍କ ସେବା କରିଆସୁଛି ଦଳ । ଏଥିପାଇଁ ଲଗାତାର ୫ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ ଦେଇ ଆସିଛନ୍ତି ଓଡ଼ିଶାବାସୀ ।

୧୯୯୯ ମସିହାର ମହାବାତ୍ୟାର ବିଭିଷୀକା ପରେ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି କ୍ଷମତାସୀନ ହୋଇଥିଲା । ଦିନେ ନିଅଣ୍ଟିଆ ରାଜ୍ୟର ପରିଚୟ ପାଇଥିବା ଓଡ଼ିଶା ଏବେ ଦେଶକୁ ଆହାର ଯୋଗାଉଛି । ରୌପ୍ୟ ଜୟନ୍ତୀରେ ରାଜ୍ୟ ବିକାଶ କ୍ଷେତ୍ରରେ ହାସଲ କରିଥିବା ମାଇଲଷ୍ଟୋନ୍ ନେଇ ଏକ ୧୫ ମିନିଟର ଭିଡିଓ ପ୍ରଦର୍ଶନ କରାଯିବ ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଓଡ଼ିଶାର ନେତୃତ୍ବ ନେଇଥିଲେ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକ । ନବୀନଙ୍କ ସ୍ବଚ୍ଛ ନିର୍ମଳ ଶାସନ ଲଗାତାର ରାଜ୍ୟକୁ ପ୍ରଗତୀ ପଥରେ ଆଗେଇ ନେଇଛି । ଓଡ଼ିଶାବାସୀଙ୍କ ହୃଦୟରରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ଦଳର ରୋପ୍ୟ ଜୟନ୍ତୀ ସମାରୋହରେ ରାଜ୍ୟବାସୀଙ୍କ ପାଇଁ କିପରି ଆହୁରି ଅଙ୍ଗୀକାରବଦ୍ଧ ହୋଇ କାର୍ଯ୍ୟ କରିବେ ସେନେଇ ଦଳ ସଭାପତି ଦେବେ ଗୁରୁମନ୍ତ୍ର । ବିଜୁ ଜନତା ଦଳର ସମକକ୍ଷ ପ୍ରତିଦ୍ବନ୍ଦ୍ବୀ କେହି ନାହାନ୍ତି । ରାଜ୍ୟବାସୀଙ୍କ ସେବା ପାଇଁ ବିଜେଡି ନିଜ ଭିତରେ ପ୍ରତିଯୋଗିତା କରୁଛି । ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ବାସ କିପରି ଆହୁରି ବଳିଷ୍ଠ ହେବ ସେନେଇ ପ୍ରତିଷ୍ଠା ଦିବସରେ ନିଆଯିବ ସଂକଳ୍ପ ।

ପୁରୀ ତାଳବଣିଆରେ ଅନୁଷ୍ଠିତ ହେଉଥିବା ଏହି ପ୍ରତିଷ୍ଠା ଦିବସରେ ଦଳର ସମସ୍ତ ସାଂସଦ, ବିଧାୟକ, ନେତା ଓ କର୍ମୀଙ୍କୁ ମିଶାଇ ୪୦ରୁ ୫୦ ହଜାର ଲୋକଙ୍କ ସମାଗମ ହେବ । ୧୫ ଦିନ ଧରି ସବୁ ନିର୍ବାଚନମଣ୍ଡଳୀରେ ବିଜେଡିର ସେବା ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବେ ବିଜେଡି ନେତା ଓ କର୍ମୀ । ଏଥିସହ ବର୍ଷ ତମାମ ରାଜ୍ୟର ସବୁ ଜିଲ୍ଲା, ବ୍ଲକରେ ପାଳନ ହେବ ଦଳର ୨୫ ବର୍ଷ ପୂର୍ତ୍ତି ଉତ୍ସବ ।

ଦେଶ ପରିକ୍ରମା କରିବା ପରେ ଓଡ଼ିଶା ଫେରିଲା ହକି ବିଶ୍ୱକପ ଟ୍ରଫି

ଭୁବନେଶ୍ବର: ଦେଶର ବିଭିନ୍ନ ରାଜ୍ୟରେ ପରିକ୍ରମା କରିବା ପରେ ଓଡ଼ିଶା ଫେରିଛି ହକି ବିଶ୍ୱକପ ଟ୍ରଫି । ହକି ବିଶ୍ୱକପ ଟ୍ରଫିକୁ ଭବ୍ୟ ସ୍ୱାଗତ ପରେ ଭୁବନେଶ୍ୱର ପରିକ୍ରମା କରିଥିଲା ଟ୍ରଫି । ଭୁବନେଶ୍ୱର ବିମାନମନ୍ଦରରେ ଜୋଡ଼ି ଶଙ୍ଖ, ଘୋଡ଼ା ନାଚ ଶୋଭାଯାତ୍ରାରେ ଟ୍ରଫିକୁ ନିଆଯାଇଥିଲା । ପରେ ବାଇକ ରାଲି ସହ ଶୋଭାଯାତ୍ରାରେ ଲିଙ୍ଗରାଜ ମନ୍ଦିର ନିକଟକୁ  ନିଆଯାଇଥିଲା । ହକି ବିଶ୍ୱକପକୁ ସଫଳ ଓ ଲୋକପ୍ରିୟ କରିବା ପାଇଁ ଟ୍ରଫି ପରିକ୍ରମା କରାଯାଉଛି ।

ଏହି ଅବସରରେ ୧୧୦ ଓଡ଼ିଶୀ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରିଥିଲେ । ଏହାସହ ଶହଶହ ସଂଖ୍ୟାରେ ଉପସ୍ଥିତ ମହିଳା ଶଙ୍ଖ ହୁଳୁହୁଳି ସହ ଫୁଲ ବର୍ଷା କରିଥିଲେ । ପରେ ବାଇକ ରାଲି ସହ ଶୋଭାଯାତ୍ରାରେ ଟ୍ରଫିକୁ ଲିଙ୍ଗରାଜ ମନ୍ଦିର ନିକଟକୁ ନିଆଯାଇଥିଲା । ପୁରୀରୁ ଆସିଥିବା ଶ୍ରୀ ଜଗନ୍ନାଥ ବେଦକର୍ମକାଣ୍ଡ ମହାବିଦ୍ୟାଳୟର ୧୦୧ ଛାତ୍ର ଓ ପଣ୍ଡିତ ବେଦମନ୍ତ୍ର ପାଠ କରିଥିଲେ । ପରେ ଏସପ୍ଲାନେଡ ମଲ, ସୋଆ ବିଶ୍ବବିଦ୍ୟାଳୟ ଓ ଶେଷରେ କିଟ୍ ବିଶ୍ବବିଦ୍ୟାଳୟ ପରିକ୍ରମା କରିଥିଲା ଟ୍ରଫି ।

ଟ୍ରଫିକୁ ସ୍ବାଗତ କରିବାକୁ ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହ ମେୟର ସୁଲୋଚନା ଦାସ ବିମାନବନ୍ଦରରେ ପହଞ୍ଚିଥିଲେ । କ୍ରୀଡ଼ା ବିଭାଗର ଅଧିକାରୀ ଓ ଅନ୍ୟ କର୍ପୋରେଟରମାନେ ବି ବମାନବନ୍ଦରରେ ଉପସ୍ଥିତ ଥିଲେ । ହକି ଇଣ୍ଡିଆ ପକ୍ଷରୁ ଟ୍ରଫିକୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାକୁ ହସ୍ତାନ୍ତର କରାଯାଇଥିଲା । ଗତ ଡିସେମ୍ବର ୫ରେ ଟ୍ରଫି ଓଡ଼ିଶାରୁ ପରିକ୍ରମା ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀଙ୍କୁ ଟ୍ରଫି ହସ୍ତାନ୍ତର କରିଥିଲେ । ଆସନ୍ତା ଜାନୁଆରୀ ୧୩ରେ ଭୁବନେଶ୍ବର ଓ ରାଉରକେଲାରେ ବିଶ୍ବକପ ଖେଳାଯିବ ।

ଆଜି ଭୁବନେଶ୍ବର ଟ୍ରଫି ପରିକ୍ରମା ପରେ ଖୋର୍ଦ୍ଧା ଦେଇ ନୟାଗଡ଼ ଅଭିମୁଖେ ଯାଇଛି । ସେଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲା ପରିକ୍ରମା କରି ଜାନୁଆରୀ ୧୧ରେ କଟକ ଏବଂ ଜାନୁଆରୀ ୧୨ରେ ସୁନ୍ଦଗଗଡ଼ରେ ପହଞ୍ଚିବ ।

ନେପାଳରେ ଭାଗବଣ୍ଟା ପରେ ଅଢେଇ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ହେବେ ‘ପ୍ରଚଣ୍ଡ’

କାଠମାଣ୍ଡୁ: ଶେଷ ହେଲା ନେପାଳ ରାଜନୈତିକ ଅସ୍ଥିରତା । ଭାଗବଣ୍ଟାରେ ହେବ ସରକାର । ପ୍ରଥମ ଅଢେଇ ବର୍ଷ ପୁଷ୍ପ କମଲ ଦହଲ ଓରଫ ପ୍ରଚଣ୍ଡ ହେବେ ପ୍ରଧାନମନ୍ତ୍ରୀ । ଏହାପରେ ସିପିଏନ-ୟୁଏମଏଲ ସରକାର ଗଢ଼ିବେ । ୫ ଦଳଙ୍କ ସମର୍ଥନରେ ପ୍ରଚଣ୍ଡ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଲା ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ । ଉଭୟ ପ୍ରଚଣ୍ଡ ଏବଂ ଓଲି ଚୀନ ସମର୍ଥକ ବୋଲି କୁହାଯାଇଥାଏ ।

ଏହାପୂର୍ବରୁ ପ୍ରଚଣ୍ଡ ସତ୍ତାଧାରୀ ନେପାଳ କଂଗ୍ରେସକୁ ସମର୍ଥନ ଦେବାକୁ ମନା କରିଦେବା ସହ ମେଣ୍ଟ ଭାଙ୍ଗି ଦେଇଥିଲେ । ଦୁଇବର୍ଷ ପୂର୍ବେ ପ୍ରଚଣ୍ଡ, ଓଲି ସରକାରର ଅଂଶ ଥିଲେ । ନିଜ ଦଳର ୭ ମନ୍ତ୍ରୀଙ୍କୁ ଇସ୍ତଫଶ ଦେବାକୁ କହିବା ସହ ଓଲିଙ୍କୁ ପ୍ରଧଶନମନ୍ତ୍ରୀ ପଦ ଛାଡିବାକୁ ବାଧ୍ୟ କରିଥିଲେ ।

ନେପାଳ କଂଗ୍ରେସ ସହ କାହିଁକି ମେଣ୍ଟ ଭାଙ୍ଗିଲେ ପ୍ରଚଣ୍ଡ

ସୂଚନାଯୋଗ୍ୟ ସତ୍ତା ହାସଲ କରିବାକୁ ନେପାଳରେ ଲାଗିଛି ନାଟ । ନେପାଳ କଂଗ୍ରେସ ଏବଂ ସିପିଏନ-ମାଓଇଷ୍ଟ ସେଣ୍ଟର ମିଶି ସରକାର ଗଢ଼ିବାକୁ ରାଜି ଥିଲେ । ହେଲେ ପ୍ରର୍ଯ୍ୟାୟ କ୍ରମେ ପ୍ରଧାନମନ୍ତ୍ରୀ ପଦ ଚାହୁଁଥିଲେ । ପ୍ରଚଣ୍ଡ ଚାହୁଁଥିଲେ ତାଙ୍କ ଦଳ ଓ ନେପାଳ କଂଗ୍ରେସ ଅଢେଇ ବର୍ଷ ଲେଖାଏଁ ସରକାର ଚଲାନ୍ତୁ । ନେପାଳ କଂଗ୍ରେସ ଏହାକୁ ମାନି ବି ନେଇଥିଲା । ହେଲେ ପିସିଏନ ପ୍ରଥମେ ସରକାର ଚଲାଇବାକୁ ଦାବି ରଖିଥିଲା । ଅର୍ଥାତ ଶେର ବାହାଦୁର ଦେଓବାଙ୍କ ପୂର୍ବରୁ ପ୍ରଚଣ୍ଡ ପ୍ରଧାନମନ୍ତ୍ରୀ ହେବେ । ହେଲେ ସିପିଏନର ଅତୀତକୁ ଦେଖି ନେପାଳ କଂଗ୍ରେସ ବିଶ୍ବାସକୁ ନେଇ ପାରିନଥିଲା । ଆଶଙ୍କା ଥିଲା ଅଢେଇ ବର୍ଷ ସରକାର ଚଲାଇବା ପରେ ବିଭିନ୍ନ ବାହାନା ବନାଇ ସିପିଏନ ସମର୍ଥନ ପ୍ରତ୍ୟାହାର କରିନେଇଥାନ୍ତି ।

ମେଣ୍ଟ ଭାଙ୍ଗିବା ପରେ ତୁରନ୍ତ ସରକାର ଗଠନ କରିବା ଲାଗି ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ସମସ୍ତ ଦଳକୁ ନିର୍ଦ୍ଦେଶ ଦେଇଥିଲେ । ସମ୍ବିଧାନର ଧାରା ୭୬-୨ ଅନୁସାରେ ସହମତି ଭିତ୍ତିରେ ପ୍ରଧାନମନ୍ତ୍ରୀ ଚୟନ ଲାଗି ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇଥିଲେ । ୨୭୫ ସଦସ୍ୟ ବିଶିଷ୍ଟ ନେପାଳ ସଂସଦରେ ନେପାଳୀ କଂଗ୍ରେସର ୮୯, କମ୍ୟୁନିଷ୍ଟ ପାର୍ଟି ଅଫ ନେପାଳର ୭୮, କମ୍ୟୁନିଷ୍ଟ ପାର୍ଟି ଅଫ ନେପାଳର ୩୨, ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟିର ୨୦, ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟିର ୧୪, ପିପୁଲ୍ସ ସୋସିଆଲ ପାର୍ଟିର ୧୨, ସିପିଏନ-ୟୁଏସର ୧୦, ଜନମତର ୬ ବିଧାୟକ ଅଛନ୍ତି ।

ବିନା ଇଣ୍ଟରନେଟ ବ୍ୟବହାରରେ ଖୋଜି ହେବ ଚୋରି ସ୍ମାର୍ଟଫୋନ୍

ନୂଆଦିଲ୍ଲୀ: ଆପଣଙ୍କ ମୋବାଇଲ ଚୋରି ହୋଇଗଲେ କ’ଣ କରିବେ ? ଥରେ ହାତରୁ ଗଲେ ଫୋନ ଫେରିପାଇବା ନା ସହ ସମାନ । କାରଣ ସ୍ମାର୍ଟଫୋନ୍ ଚୋରି ହେବା ପରେ ଯେପର୍ଯ୍ୟନ୍ତ ସେଥିରେ ଡାଟା ଅନ୍ ହୋଇନଥିବ ଟ୍ରାକ୍ କରିବା ଅସମ୍ଭବ । ହେଲେ ଏବେ ଆଉ ଚିନ୍ତା କରିବାର କାରଣ ନାହିଁ । ବିନା ଡାଟା ଅନ୍ କରି ଚୋରି ସ୍ମାର୍ଟଫୋନକୁ କରି ହେବ ଟ୍ରାକ୍ । ଏମିତି କିଛି ଫିଚର ଆଣିବାକୁ ଯାଉଛି ଗୁଗୁଲ । ମୋବାଇଲ୍ ଡାଟା ଅଫ୍ ଥିଲେ ବି ଏହି ଫଇଚର ଜରିଆରେ ଫୋନର ଲୋକେସନ ଜାଣିହେବ । ପ୍ଲେ ସିଷ୍ଟମର ଲାଟେଷ୍ଟ ଅପଡେଟରେ କମ୍ପାନୀ ଏହି ଫିଚର ସମ୍ପର୍କରେ ସୂଚନା ଦେଇଛି । ପୂର୍ବରୁ ଆଇଫୋନରେ ଏହି ଫଇଚରର ବ୍ୟବହାର ହେଉଥିଲା । ଯାହା ଏବେ ସ୍ମାର୍ଟଫୋନରେ ବ୍ୟବହାର ହେବାକୁ ଯାଉଛି । XDA ଡେଭଲପ ଅନୁସାରେ ଗୁଗୁଲ ତରଫରୁ କୁହାଯାଇଛି Find My Device ସହ ନୂଆ ଫ୍ରାଇଭେସି ସେଣ୍ଟ୍ରିକ ଫ୍ରେମଓ୍ବାର୍କକୁ ବ୍ୟବହାର କରାଯାଉଛି । ଏହାଦ୍ବାରା ଶେଷ ଲୋକେସନକୁ ନେଇ ଆଲର୍ଟ କରାଯିବ ।

ସୂଚନାଯୋଗ୍ୟ, ଗୁଗୁଲ ପାଖରେ ପୂର୍ବରୁ Find My Device ଆପ୍ ଅଛି । ଯାହାଦ୍ବାରା ୟୁଜର୍ସଙ୍କ ଆଣ୍ଡ୍ରୋଏଡ ଫୋନ ଓ ଟ୍ୟାବଲେଟକୁ ଲୋକେଟ୍ କରି ହେଉଛି । ଏହା ସାହାଯ୍ୟରେ ୟୁଜର୍ସ ନିଜ ଡିଭାଇସକୁ ଖୋଜିବା ସହ ଲକ୍ କିମ୍ବା ଏରିଜ ବି ପାରୁଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେପର୍ଯ୍ୟନ୍ତ ଡିଭାଇସଟି ଇଣ୍ଟରନେଟ ସହ ସଂଯୋଗ ହୋଇନଥିବ ସେପର୍ଯ୍ୟନ୍ତ Find My Device ଆପଣଙ୍କୁ କୌଣସି ସାହାଯ୍ୟ କରିପାରିବ ନାହିଁ । ହେଲେ ନୂଆ ଅପଡେଟ ପରେ ଏଥିରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିବ । ଗୁଗୁଲ ଅପଡେଟ ପେଜ ନୋଟରୁ ଜଣାପଡୁଛି, ଏଥିପାଇଁ ଇଣ୍ଟରନେଟର ଆବଶ୍ୟକତା ରହିବ ନାହିଁ ।

କେମିତି କରିବେ Find My Deviceର ବ୍ୟବହାର ?

Find My Device ର ବ୍ୟବହାର କରିବାକୁ ହେଲେ ପ୍ରଥମେ android.com/find କୁ ଯାଇ ଗୁଗୁଲ ଆକାଉଣ୍ଟରେ ସାଇନ୍ ଇନ୍ କରିବାକୁ ପଡ଼ିବ । ଯେଉଁଟା ଆପଣଙ୍କ ଫୋନରେ ଲଗ୍ ଇନ୍ ଥିବ । ଏହାପରେ ଆପଣଙ୍କୁ ଏକାଧିକ ଅପସନ ମିଳିବ । ଯେଉଁଥିରେ ୟୁଜର୍ସଙ୍କୁ ଡିଭାଇସ ଡାଟା ଡିଲିଟ କିମ୍ବା ଫୋନ୍ ଲୋକେଟ୍ ଅପସନ ମିଳିବ । ଏହାବାଦ ଫୋନକୁ ଫୁଲ୍ ଭଲ୍ୟୁମରେ ରିଙ୍ଗ କରିବାର ବି ଅପସନ ରହିଛି । ଏହାଦ୍ବାରା ଆଖପାଖରେ ଯଦି ଫୋନଟି ଥିବ ଆପଣ ଜାଣି ପାରିବେ । ହେଲେ ଏଥିପାଇଁ ଆପଣଙ୍କ ଡିଭାଇସ୍ ଇଣ୍ଟରନେଟ୍ ସହ କନେକ୍ଟ ହୋଇଥିବା ଦରକାର । ନୂଆ ଫିଚର ଆସିବା ପରେ ଏସବୁ ଫିଚରକୁ ବିନା ଇଣ୍ଟରନେଟ୍ କନେକ୍ସନରେ ବ୍ୟବହାର କରିହେବ ।

ପିଜିଏଲ ହୋଣ୍ଡା ସୋରୁମରେ ଅଗ୍ନିକାଣ୍ଡ

ଭୁବନେଶ୍ବର: ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳୁଛି ହୋଣ୍ଡା ସୋରୁମ୍ । ଫାୟାର ଷ୍ଟେସନ ପାଖରେ ଥିବା ପିଜିଏଲ୍ ହୋଣ୍ଡା ସୋରୁମରେ ନିଆଁ ଲାଗିଛି ।

ଖବର ପାଇ ନିଆଁ ଲଭାଇବାକୁ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ଅଗ୍ନିଶମ ବାହିନୀ । ସର୍ଟ ସର୍କିଟରୁ ସୋରୁମରେ ନିଆଁ ଲାଗିଥିବା ପ୍ରାଥମିକ ସୂଚନାରୁ ମଳିଛି । ସୋରୁମ ପାଖରେ ଏକ ଇଲେକ୍ଟ୍ରି ଟ୍ରାନ୍ସଫର୍ମର ରହିଛି । ଏଥିରୁ ସୋରୁମରେ ନିଆଁ ଲାଗିଥିବା ଅଭିଯୋଗ ହୋଇଛି ।